ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ଜାନୁଆରୀ ୨୦୨୫
ଭଲ ପାଏ ବୋଲି ସିନା
ତୁମ କଥା ଏତେ ବେଶୀ ଭାଳି ହେଉଛି,
ବେଦନାରେ ଭିଜି ଭିଜି
ସ୍ମୃତିର ଦିପାଳୀକୁ ସତେଜ ରଖିଛି ||୧||
ବିରହ ଯାତନା କେବେ
ତୁମରି ହୃଦୟରେ ବେପଥୁ ତୋଳିଛି ?
ତୁମେକି ପାରିବ ବୁଝି
ଦଗ୍ଧ ହୃଦୟ ମୋର କେମିତି ବିତୁଛି ? ||୨||
ତୁମେ ଚାଲି ଯିବା ପରେ
ଶାନ୍ତ ସାଗର ବକ୍ଷ ଅଧୀର ହୋଇଛି,
ସେ ସିନ୍ଧୁର ଅମାନିଆ
ଢ଼େଉ ଯେତେ ବାଲିଚରେ ମଥା ଲୋଟୁଛି ||୩||
ସ୍ମୃତିର ସଳିତା ଜାଳି
ଆଜି ମୁଁ ଏଠି ବସି କବିତା ଲେଖୁଛି,
ପୁରୁଣା ଦିନର କଥା
ସେଥିରେ ଗୁନ୍ଥିବାକୁ ପ୍ରୟାସ କରୁଛି ||୪||