ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫
ନାମ ଥିଲା ତୁମର ଗୌରଗୋପାଳ
ବର୍ଣ୍ଣ ଧାରୀ ଥିଲ ଇଷତ୍ ଶ୍ୟାମଳ ।
ସ୍ୱଭାବେ ଥିଲ ତ କୋମଳ, ସୁଶୀଳ
ନଥିଲେ ତୁମର କେହି ଅରିକୁଳ ।
ଜ୍ଞାନର୍ଜନ ଥିଲା ଜୀବନ ସମ୍ବଳ
ଧନ ପାଇଁ କେବେ ନଥିଲ ବ୍ୟାକୁଳ ।
ତୁମ ବ୍ୟକ୍ତିତ୍ୱ ଥିଲା ସ୍ୱଚ୍ଛ, ନିର୍ମଳ
ଶିକ୍ଷକ ଥିଲ ଅତି ଛାତ୍ରବତ୍ସଳ ।
ତୁମର ନଥିଲା ସଂସାର ଜଞ୍ଜାଳ
ପରିବାର ଥିଲା ଏକାନ୍ତ ବିଶାଳ ।
ଅନ୍ୟ ପାଇଁ ଥିଲା ଦରଦ ପ୍ରବଳ
ନିଜ ଲାଗି ସଦା ଅତ୍ୟନ୍ତ କୋହଳ ।
ସଦା ହସ ହସ ସେ ମୁଖମଣ୍ଡଳ
ହୋଇଗଲା ଯେବେ ନିରବ ନିଶ୍ଚଳ ।
ଶିକ୍ଷାର୍ଥୀ ସମାଜ ହୋଇଲା ବାତୁଳ
ଶୋକରେ ଭିଜାଇ ଏ ମର୍ତ୍ତ୍ୟମଣ୍ଡଳ ।
ତୁମ ଶବାଧାରେ ନଥିଲା ଚହଳ
ଥିଲା ବାହକଙ୍କ ଅଶ୍ରୁସିକ୍ତ ଜଳ ।
ତୁମ ସମର୍ପିତ ଜୀବନ କେବଳ
ରହିଗଲା ହୋଇ ଅବୁଝା ଭୂଗୋଳ ।
—-୦—-
(ମୋର ପ୍ରଣମ୍ୟ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ଗୌରଗୋପାଳ ମହାନ୍ତିଙ୍କ ଆକସ୍ମିକ ବିୟୋଗରେ)