ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ଫେବୃଆରୀ ୨୦୨୪
ଶୋଷ ବାରହାତ ଶାଢ଼ୀ ଯେବେ ଦେଖ ଚାଖଣ୍ଡେ ନିଅଣ୍ଟ।
ଢାଙ୍କୁଥାଏ ଢୋକୁଥାଏ ଢିଙ୍କିପରି ଭରାଣ୍ଡିଏ ଆଣ୍ଟ।।
ସରିବା ଆଗରୁ ଗଢ଼େ ଆରମ୍ଭର ଅନେକ ପାହାଚ।
ଗିନାଏ ସୋଦୁଅ ସରି ସରୁଥାଏ ସବୁ ଉଚ୍ଚବାଚ।।
କୁହୁଡ଼ିକୁ କାନ୍ଥ କରି କନ୍ଥାପାରି ଭୋକ ଭେଳିକିରେ।
ନିଦେଇ ଯାଏକି କେବେ ପାଦ ଥାପି ଶୋଷିଲା ମାଟିରେ।
ଅନ୍ତରୁ ଅନ୍ତରତମ ଅନାବୃତ ମାୟାମୟ ମାଟି।
ବିଲୟଧାରେ ଜୀବନ ସପନକୁ ଖାଏ ଖୁଣ୍ଟିଖାଣ୍ଟି।।
ଗଜ୍ଜୁରୁଥାଏ ସେ ନେଇ ନୂଆରୂପ ସମୟ ଗଡ଼ିଲେ।
ସୂତ୍ରଧର ସାଜୁଥାଏ ଶେଷ ଆଶା ଖଦଡ଼ିଆ ହେଲେ।।
ମୁକୁଳା ମନ ମୁହାଣେ ଶୋଷ ଯେବେ ଢେ଼ଉ ହୋଇ ଖେଳେ।
ବିପୁଳାଚ ପୃଥ୍ବୀ-ମାୟା ମିଛ ଲାଗେ ସ୍ବପ୍ନର ସକାଳେ।।
ଶୋଷ କିବା ଶେଷ ରାସ୍ତା ଜିଇଁବା କି ମରିବା ଠିକଣା?
ଶୋଷ କି ଦେଖାଏ ବାଟ କେବେକେବେ କରେ ବାଟବଣା??