ଆଲୋକ କୁମାର ପ୍ରଧାନ, ପୁରୀ, ୧୦ ଜୁଲାଇ ୨୦୨୩
ଯେଉଁ ମୂଲକର ମାଟି ଛୁଉଁ ଛୁଉଁ ମହମହ ବାସେ ମନ
ଭାବ କିଆରିର ଉଜୁଡା ଫସଲେ କେନା ମେଲେ ସ୍ମୃତି ଚିହ୍ନ।
ଯେଉଁଠି ହଜିଲେ ଖୋଜିବାଠୁ ବେଶି ହଜିବାରେ ମିଳେ ଖୁସି
ଯେଉଁ ପତରରେ ସଜଠୁ ସୁଆଦ ଲାଗଇ ଅଧିକ ବାସି।
ଯେଉଁ ନିଶା ଥରେ ଚଢିଲେ ଦେହରେ ଶିରେ ଶିରେ ଭେଦୁଥାଏ
ଯେଉଁ ଭାବନାର ଖୁଆଡ ଖୋଲିଲେ ଉଡାଣ ବି ଭୁଲିହୁଏ
ଯେଉଁ ସମ୍ପର୍କରୁ ଖିଏ ଓଟାରିଲେ ଆର ଖିଅ ପାଏ ଦୁଃଖ
ଦୁଃଖ ରେ ହେଉ କି ସୁଖରେ ବା ହେଉ ଶ୍ରଦ୍ଧା ମନ ତଳ ଦକ
ମନ ମଲାଟର ଏପାଖେ ଛୁଇଁଲେ ସେପାଖରେ ପଡ଼େ ଦାଗ
ଶ୍ରଦ୍ଧା ଅଶ୍ରଦ୍ଧାର ଭାବ ଅଭାବରେ ଆତ୍ମାରେ ପଡ଼ିଲେ ଭାଙ୍ଗ
ଟିପେ ଶରଧାର ମଇଲମ ନେଇ ଲେପି ଦେଲେ ଲିଭେ କ୍ଷତ
ତା ପଣତ ତଳେ ସୁଖ ବାରମାସୀ ଦୁଃଖୀ ଗାଉଥାଏ ଗୀତ
ଶ୍ରଦ୍ଧା ତଳେ ବାସ ଶ୍ରଦ୍ଧା ତଳେ ବେଶ ଶ୍ରଦ୍ଧା ରେଣୁ ମହା ବନ୍ଧ
ଶ୍ରଦ୍ଧା ରେ ଜୀବନ ଶ୍ରଦ୍ଧା ରେ ମରଣ ଶ୍ରଦ୍ଧା ଭାବେ ମକରନ୍ଦ।