• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସୃଜନ ସ୍ମୃତି

ସୃଜନ ସ୍ମୃତି
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୨୨ ଅକ୍ଟୋବର ୨୦୨୨

କଥା ଥିଲା କବିତା  ଓ ମୁଁ ତମାମ୍ ଜୀବନ ଚାଲିବୁ ଏକାଠି । ପାଖାପାଖି । ହାତ ଧରି । ଚାଲିଲୁ ବି । ହଁ, ଏମିତି ହୋଇଛି, କେବେ କବିତା ମୋଠୁଁ ଟିକିଏ ଆଗରେ ତ କେବେ ମୁଁ କବିତାଠୁଁ ଦୁଇପାଦ ଆଗରେ । ଆମେ ଚାଲୁଥିଲୁ ଏମିତି – ପାଖାପାଖି । ଆଗପଛ ହେଇ । କିନ୍ତୁ ଥିଲୁ ଏକାଠି ।

ଏବେ ସାତ ଆଠ ବର୍ଷ ହୋଇଗଲା ହୁଏତ ତା’ଠୁଁ ବି ଅଧିକ ହୋଇପାରେ କବିତା ଆସେ ଖୁବ୍ କମ୍‌, ଗୁମ୍‌ସୁମ୍ ହେଇ । ବେଶି କଥା ନାଇଁ । ବାର୍ତ୍ତା ନାଇଁ । ଆସେ ଓ ଫେରିଯାଏ ତୁରନ୍ତ । ଅଥଚ ଆମେ ଅନେକ ଦିନ ବିତାଇଛୁ ଏକାଠି । ସକାଳ ସଜଫୁଲ ହେଇ ଫୁଟିଚି କବିତା ସହ । ଦି’ପହର ବିତିଯାଇଚି ଅନ୍ତରଙ୍ଗ ଆଳାପରେ । ରାତିରେ ବାଣ୍ଟିଚୁ ପରସ୍ପର ସୁଖ ଦୁଃଖ ବ୍ୟଥା ବେଦନା ହର୍ଷ ଉଲ୍ଲାସ ।

ଖୁବ୍ ପିଲାବେଳୁ ମତେ ସାହିତ୍ୟ ବହିର ଗପ ଗୀତ ପଢ଼ିବାକୁ ଭଲ ଲାଗୁଥିଲା । ସାହିତ୍ୟ ବହିର ପଦ୍ୟ ସବୁ ଆପେ ଆପେ ମୁଖସ୍ଥ ହୋଇଯାଇଥାଏ । ସେ ଗୀତ ସବୁ ମୁଁ ସୁର୍ କରି ଗାଏ । ଥରେ ଗାଁକୁ ବସ୍‌ରେ ଗଲାବେଳେ ଝରକା ପାଖରେ ଠିଆହୋଇ ମୁଁ “କାତ ଧରି ଧୀରେ ନାଉରୀ ନାଆ ଦେଇଚି ମେଲି…” ପଦ୍ୟଟି ଗାଉଥାଏ । କିଛି ସମୟ ପରେ ଶୁଣିଲି ଜଣେ ମହିଳା ବାପାଙ୍କୁ କହିଲେ, “ଏ ଝିଅଟିକୁ ଆପଣ ଗୀତ ଶିଖାନ୍ତୁ । ଭଲ ଗାଉଛି !”

ମୁଁ ଗୀତ ଗାଇବା ଶିଖି ପାରିଲିନି । ମୋ ଛାତିର ସୁର୍ ଶବ୍ଦହେଇ ଝରିପଡ଼ିଲା ମୋ କଲମ ଦେଇ !

ଝରଣାଟିଏ, ଚଢ଼େଇଟିଏ, ନଈଟିଏ, ଫୁଲଟିଏ ବା ଜଗନ୍ନାଥଙ୍କ ଆଖି ଦୁଇଟା ଏଇଭଳି କିଛି ଚିତ୍ର କରି ତା ତଳେ ଦୁଇଧାଡ଼ି ପଦ ପକେଇ ଲେଖିବା ଖୁବ୍ ପିଲାବେଳୁ ଥିଲା । ଷଷ୍ଠ କି ସପ୍ତମ ଶ୍ରେଣୀ ହେବ ବୋଧହୁଏ । ଆର୍ତ୍ତସାର୍ କହିଲେ, “ତୁ କବିତା ଲେଖୁନୁ ! ଏଇ ଗୀତ ମ ! ଛୋଟ ଛୋଟ ଧାଡ଼ି ପଦ ପକେଇ ଲେଖ୍ ।” ମୋ ଭିତରେ କ’ଣ ଦେଖି ସେ ଏତକ କହିଥିଲେ, ତା’ କହିପାରିବିନି । ତେବେ ସାର୍‌ଙ୍କ କଥା ପରେ ମୋର ଦୁଇଧାଡ଼ି କବିତାର ପରିଧି ବଢ଼ିଗଲା । ଏମିତି ଦିନେ ଓଡ଼ିଆ ସିନେମାର ନାଁ ସବୁକୁ ନେଇ କବିତାଟିଏ ଲେଖିଲି ଓ ଚିତ୍ରପୁରୀକୁ ପଠେଇଦେଲି । ସେତେବେଳକୁ ମୋର ଏକାଦଶ ଶ୍ରେଣୀ । କବିତାଟି ପ୍ରକାଶିତ ହେଲା । ନିଜଲେଖା କବିତା ଛପା ଅକ୍ଷରରେ ନିଜ ନାଁ ସହ ଦେଖି ଖୁବ୍ ଖୁସି ହୋଇଥିଲି ସେତେବେଳେ ।

ସେଇ ଖୁସି ମୋର ପ୍ରେରଣା ପାଲଟିଗଲା । ଅବଶ୍ୟ ମୋର ଏଇ ଲେଖିବା ପଢ଼ିବା ସାହିତ୍ୟ କରିବା ଇତ୍ୟାଦିରେ ବୋଉର ଅବଦାନ ଯଥେଷ୍ଟ ଥିଲା । ଯଥେଷ୍ଟ ଥିଲା ଭାଇ ଭଉଣୀଙ୍କ ସହଯୋଗ । ପରବର୍ତ୍ତୀ ସମୟରେ ସ୍ୱାମୀ ଓ ପିଲାମାନେ ଖୁବ୍‌ ସଖ୍ୟ ଦେଇଥିଲେ । ଶାଶୁଘରେ ବି ଥିଲା ଗୋଟେ ସାହିତ୍ୟିକ ପରିବେଶ । ତେଣୁ ମୋର ଲେଖିବାର ସ୍ରୋତଟି ଆଗକୁ ଆଗକୁ ବହି ଚାଲିଥିଲା ।

ସତ କହିବାକୁ ଗଲେ କାହାଣୀ ହିଁ ଥିଲା ମୋର ପ୍ରଥମ ପ୍ରେମ । ଗପ କହିବାକୁ ଓ ପଢ଼ିବାକୁ ମତେ ଭାରି ଭଲ ଲାଗୁଥିଲା । ପଢ଼ାବହି ଭିତରେ ଗପ ବହି ରଖି ପଢ଼ିବାରେ ମୁଁ ଥିଲି ପ୍ରବୀଣା । ସେଇ କାହାଣୀର ପ୍ରେମ ଦିନେ କବିତାର ନିମନ୍ତ୍ରଣ ନେଇ ପହଂଚିଲା । ସେଇଦିନଠୁଁ ମୁଁ ଓ କବିତା ଛଂଦାଛଂଦି ଜୀବନ ପୃଷ୍ଠାରେ !

ଗାଁ ମୋର ଅତି ପ୍ରିୟ । ଗାଁର ସକାଳ, ସଞ୍ଜ, ଆମ୍ବତୋଟା ବୁଲା, ଲକା’ମ୍ବ ଖିଆ, ସଢ଼େଇରେ କୟାଁ ଓ କଇଁଥ ଚଟଣୀ ବିଶେଷ କରି “ନନ୍ଦିଆଖାଲ” ପୋଖରୀ ହୁଡ଼ାରେ ଠିଆହୋଇଥିବା ବେଳେ ଶେଷ ସୂର୍ଯ୍ୟର ସେ ଅପୂର୍ବ ଆଭାର ଅନୁଭବ ମତେ କବିତା ସହ ଯୋଡ଼ିଦେଲା ମୋ ଅଜାଣତରେ ।

ଛଅସ୍ତରୀ ମସିହାରୁ ନବେ ମସିହା ଯାଏଁ ଖୁବ୍ ଛପିଲି ପ୍ରଜାତନ୍ତ୍ର, ସ୍ୱରାଜ୍ୟ, ଧରିତ୍ରୀ ଇତ୍ୟାଦିରେ । ପରବର୍ତ୍ତୀ ସମୟରେ ସମ୍ବାଦ, ପ୍ରଗତିବାଦୀ, ଦିନଲିପି ଇତ୍ୟାଦିରେ କବିତା ଓ କାହାଣୀମାନ ପ୍ରକାଶିତ ହେଲା । ଉଣେଇଶିଶହ ଏକାଅଶୀରେ ଛପିଲି ଝଙ୍କାରରେ ।

“ସୁଚରିତା” ପତ୍ରିକା ମୋ ସାହିତ୍ୟିକ ସାଧନାର ଅନ୍ୟତମ ବଳିଷ୍ଠ ପ୍ରେରଣା । ସେଥିରେ ବର୍ଷକୁ ଚାରି ପାଞ୍ଚଟି କବିତା ମୋର ନିଶ୍ଚୟ ଛପୁଥିଲା । ତତ୍‌କାଳୀନ ପ୍ରାୟ ସମସ୍ତ ପତ୍ରିକାର ସମ୍ପାଦକ କବିତାଟିଏ ପାଇଁ ଚିଠି ଲେଖୁଥିଲେ । ସେ ଚିଠି ମନରେ ଖୁବ୍ ଆନନ୍ଦ ଆଣି ଦେଉଥିଲା । ସେତେବେଳେ ଏ ଫେସ୍‌ବୁକ୍ ହ୍ୱାଟ୍‌ସ୍‌ଆପ୍ ମୋବାଇଲ୍ ଇଣ୍ଟରନେଟ୍ ନଥିଲା । କବିତାଟିଏ ପଢ଼ି ପାଠକଟିଏ ଯେଉଁ ଦୁଇଧାଡ଼ିର ଚିଠିଟିଏ ଲେଖୁଥିଲା, ତାହା ମନରେ ଅପୂର୍ବ ପ୍ରେରଣା ଭରି ଦେଉଥିଲା ।

ସମୟକ୍ରମେ ଯେଉଁ ସବୁ ସୁପ୍ରସିଦ୍ଧ ପ୍ରକାଶକମାନେ ମୋର କବିତା ପାଣ୍ଡୁଲିପି ଆଦରରେ ଗ୍ରହଣ କଲେ, ପ୍ରକାଶ କରିଲେ ଏବଂ ରୟାଲିଟି ଦେଲେ ସେମାନଙ୍କ ନିକଟରେ ମୁଁ ଚିର କୃତଜ୍ଞ । କଟକ ଷ୍ଟୁଡେଣ୍ଟ ଷ୍ଟୋର ଓ ଗ୍ରନ୍ଥ ମନ୍ଦିର ପ୍ରକାଶନ ସଂସ୍ଥା ଏ ଦିଗରେ ମୋର ଶ୍ରେଷ୍ଠ ପ୍ରେରଣା । “ଅଧା ଅଧା ସ୍ୱପ୍ନ ଯେତେ” କବିତା ସଂକଳନର ଉନ୍ମୋଚନ ପର୍ବ ଲାର୍କ ବୁକ୍‌ସ୍‌ର ପ୍ରକାଶକ ଶ୍ରୀଯୁକ୍ତ ମହେନ୍ଦ୍ର ମିଶ୍ର ଯେଭଳି ଭବ୍ୟ ଆକାରରେ ୨୦୦୭ ମସିହା ଭୁବନେଶ୍ୱର ପୁସ୍ତକମେଳାରେ କରିଥିଲେ ତାହା ମୋ ପାଇଁ ଚିର ସ୍ମରଣୀୟ ।

କେମିତି କେଉଁ ବାଟଦେଇ ଆସିଥିଲା କବିତା ତା’ କେବେ ପରଖିନି । ପରଖିଛି ତ ତା ସ୍ନେହକୁ ତା ସଂପର୍କକୁ । ଦୀର୍ଘ ଚଉରାଳିଶି ବର୍ଷ ଧରି ପରସ୍ପର ବାଣ୍ଟି ଚାଲିଛୁ ଦୁଃଖ ସୁଖ ସନ୍ତାପ ବ୍ୟଥା ବିଷାଦ । ଏବେ ମୋ ଜଂଜାଳ ପାଇଁ ହେଉ ବା କବିତାର ଅଭିମାନ ! ଜୀବନ ବାଟରେ ତା’ ସହ ଭେଟ କମ୍ ହେଉଛି ତ ହେଉ ! ହେଉଛି ତ ! ସଂପର୍କ ଥାଉ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଭାଇଚାରା ର ରଙ୍ଗ
Literature

ଭାଇଚାରା ର ରଙ୍ଗ

by ଦେବେନ୍ଦ୍ର କୁମାର ସାହୁ
March 4, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ମାର୍ଚ୍ଚ ୨୦୨୬ ସ୍ନେହରେ ପ୍ରେମରେ ଜୀବନ ଭିଜିଲେ କଷ୍ଟ ଦିଏ ନାହିଁ ଭବ ବନ୍ଧନ ମନିଷୀ ଚିନ୍ତକ ସେଥିପାଇଁ ସିନା...

Read more
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.