ଆଲୋକ କୁମାର ପ୍ରଧାନ, ପୁରୀ, ୧୧ ମାର୍ଚ୍ଚ ୨୦୨୪
ଭିକରେ ପୁରେ କି ପେଟ ଭେକ ଥିଲେ ସୁଖ କି ମିଳଇ ।
ଅପୁରା ପେଟର ଦୁଃଖେ ମନ କିବା ସୁଖ ବରାଦଇ।।
ତ୍ଯାଗନଈ ଧାରେ ଧାରେ ଭୋଗ କିବା ଏକା ଧାଇଁପାରେ।
ଯେ ଯାହା ବାଟରେ ଯାଇ ମଝିବାଟୁ ପଛକୁ କି ଫେରେ?
ସ୍ମୃତିରେ କି ପ୍ରାଣଥାଏ ପ୍ରୟାଣ କି ସ୍ମୃତି ହେଉଥାଏ ।
ରୁଆଏ ସମୟ ଯହିଁ ଯୁଗଶେଷେ ଅମରତ୍ବ ପାଏ।।
ଦିନେ ଗଲେ ଯୁଗ ଯାଏ ଯୁଗେ ପାଇଁ ବାନ୍ଧି ବାନ୍ଧି ପାଗ।
କାଣିଚାଏ ଅଭାବ ତ ବରିପାରେ ଶ୍ମଶାନ ବୈରାଗ।।
ପାଖାପାଖି ଚାଲୁଥାଏ ସୁଖଦୁଃଖ ଖୁବ୍ ପାଖାପାଖି।
ଦୁଃଖ କିସ୍ତି ସୁଝିବାକୁ ସୁଖନାଆ ସଳଖି ସଳଖି।।
କେଉଁଠି ଝୁଣ୍ଟିଲେ ଲାଗେ କିଛି ଗୋଟେ ହରେଇଲା ପରି।
ଖେପାକେ ଯୋଜନ ଧାଏଁ ଖୋଳପାକୁ ପାରେନାହିଁ ଧରି।।
ସ୍ବାଭିମାନ ଶିରିପାଟା ଅଭିମାନ ପରି ମୁଣ୍ଡେ ଥିଲେ।
ମୁଣ୍ଡ ଟେକି ଜିଇଁ ହୁଏ ଜିତୁ ଜିତୁ ଯଦି ହାରିଗଲେ ।।