ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ଜାନୁଆରୀ ୨୦୨୫
ନଈ ବୋହିଯାଏ ଆମ ଗାଁ ନଈ
କେତେ ବଣ ବିଲ ଡେଇଁ
କେତେ ସ୍ୱପ୍ନର ଭିଜାଭିଜା ଦିନ
ସବୁକୁ ସାଥୀରେ ନେଇ।
ବାସ୍ନା ବିଭୋର ଗୋଧୂଳୀ ବେଳାର
ଦୂର ପକ୍ଷୀଟିଏ ଗାଉଥାଏ ରହିରହି।
କାଶତଣ୍ଡିର ତୂଳିରେ ଆଙ୍କିଛି
ଅଶିଣ ଅନେକ ଛବି
ପୁଲକିତ ଆଜି ନଈକୂଳ ପଠା
ସ୍ମୃତିର ଗଜଲ ଗାଇ।
ମନେ ପଡେ ଆଜି ଜହ୍ନ ରାତିର
କଇଁ ଫୁଲ ଗାଁ ନଈ।
ଜହ୍ନିଫୁଲର ମହକ ଭିତରେ
ଭାସିଉଠେ ଗାଁ ଛାଇ
ସେ ଛାଇ ଦେଇଛି କେତେ ପତିଆରା
କେତେ ଆନନ୍ଦ ନେଇ।