ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୮ ଡିସେମ୍ବର ୨୦୨୪
ହଠାତ୍ ଦିନେ ସୂର୍ଯ୍ୟାସ୍ତରେ
ଯିବାକୁ ପଡ଼ିବ ବୋଲି
କେମିତି ଜାଣନ୍ତା।
ନିରୁତା କବିଟିଏ
କ’ଣ ଅବା ଦିଅନ୍ତା କାହାକୁ।
ସବୁବେଳେ କହୁଥିଲା
ଫଗୁଣ ଖେଳୁଛି ଦୋଳି
ସୁନାରୀ ଗଛରେ।
ସିଏ କ’ଣ ଜାଣିଥିଲା
ଏମିତି ଚାଲିଯିବ ବୋଲି ଅବେଳରେ
ଏଥର ପୂଜା ଆସି ପୂଜା ଚାଲିଗଲା
ଏଥର ଅଶିଣରେ
ଗଙ୍ଗଶିଉଳି ଫୁଟି ଝରିଗଲା।
କାଶତଣ୍ଡିରେ ଭରିଗଲା
ସାଳନ୍ଦୀ।
ଏଥର ନବରାତ୍ରରେ
ଆକାଶରେ ସଞ୍ଜତାରା ଉଇଁ ସାରିଥିଲା।
ଲକ୍ଷ୍ମୀ ପୂଜା ପାଇଁ
ସବୁ ପ୍ରସ୍ତୁତି ସରିଯାଇଥିଲା।
ନିଶବ୍ଦ ରାତିରେ ବାରମ୍ବାର ଡାକୁଥିଲା
କିଏ ଜଣେ ମାଆ, ମାଆ।
ଏଥର ନବରାତ୍ରରେ
ଉପାସନା ସରିଥିଲା
କେହି ଜଣେ ଆସିବା ଆସିବା
ପରି ମନେ ହେଉଥିଲା।
ସ୍ବର୍ଗଦ୍ୱାରରୁ ନା ହରିଦ୍ୱାରରୁ
କିଏ ଜାଣେ।