ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ଜାନୁଆରୀ ୨୦୨୫
ସବୁ କାହିଁକିରେ ସ୍ବର ମିଳେଇଲେ ସବୁ ଉତ୍ତର କି ମିଳେ
ସବୁ ଉତ୍ତରକୁ ପ୍ରଶ୍ନ ତିଆରିଲେ କେତେ ଦିନ କୁହ ଚଳେ
ସବୁ ଚିଠିର କି ଲେଖା ସରିଯାଏ ଲେଖା ନହେଉଣୁ ଇତି
ସବୁ ରାତିକୁ କି ଗାଢା କରିହୁଏ ଜାଳି ନୀରବରେ ବତୀ
ସବୁ ଓଠରେ କି ଆଖିହଳେ ଥୋଇ ଲୁହକୁ ଭୁଲେଇ ହୁଏ
ସବୁ ଲୁହ ପାଇଁ ଯୋଗାଡି ହୁଏକି ଝୁରିହେବା ମନଟାଏ
ସବୁ ରୁଆ ଧାନ ଫୁଲ ଉଡାଏକି ଉଠିଆକୁ ଚାହିଁ ଚାହିଁ
ସବୁ ହୃଦୟର କବାଟ ଖୋଲେ କି ସବୁ ଡାକ ଶୁଣିଦେଇ
ସବୁ ବିଶ୍ବାସର ମଞ୍ଜି କି ଗଜୁରେ ମଞ୍ଜ ଟାଣ କରି ଉଠେ
ସବୁ ଟାଣକଥା ଟାଣ ହରାଏ କି କଅଁଳ ମନର ତୁଠେ
ସବୁ ଅଳସର ବିଳାସ ତୁଠେ କି ବସେ ପଳାଶର ମେଳା
ସବୁ କଳସୀକୁ କାଖେଇ ପାରେ କି ସବୁ କଟୀର ମେଖଳା
ନା ଜରଜର ହଁ ମୁଣ୍ଡେ ଶାଢ଼ୀ ବନ୍ଧେଇ ପାରିଲେ ହେଲା
ତଥାସ୍ତୁ ସାଙ୍ଗରେ ତଥାପି ଯୋଡିଲେ ଅଚିରେ ମହତ ଗଲା।।