ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ଅକ୍ଟୋବର ୨୦୨୫
ଥରେ ବାପା ହୁଅ
ଦେଖିବ କେମିତି କମିଯିବ
ଆଖି ପାଉନଥିବା ଦିଗ୍ ବଳୟର ଦୂରତା
ପାଖକୁ ଆସିବାକୁ ଡରିବେ ଭୋକ,ଭୟ
ଆଉ ନିପାରିଲାପଣ
ସାହସ କୁଳେଇବେନି ପଛଘୁଞ୍ଚା ଦେବାର
ଇଛା
ଆଉ କାହା କଥା କୁହ
ଆଖିଭର୍ତ୍ତି ଲୁହ ମାନେ ବି ଖୁବ ଭୋଗିବେ
ଗୋଟେ ମୁହଁ ଲୁଚା ନୀରବତା।
ଅଚଳ ପାଦ ଉଠିଯାଉଥିବ
ଚାଲ୍ କହିବା ପୂର୍ବରୁ
ପରଳପକା ଆଖିକୁ ଦେଖା ଯାଉଥିବ
ଯୋଜନ ଦୁରର ସୁଖ
ନିଜଭାଷାରେ ଠିକ୍ ରେ କଥା କହୁ ନ ଥିବା ପାଟିରୁ
ଅନର୍ଗଳ ବାହାରିବ ସବୁ ଭାଷାର ବ୍ୟାକରଣ
କିଏ ବୁଝୁ କି ନ ବୁଝୁ
ବାପା ହେଲାପରେ
ବାପା ମାନେ ହିଁ ସମର୍ଥ
ହେବାକୁ
ସବୁ ବାଆ କୁ ବତା
ସବୁ କଥାର ଗୋଟେ ସଠିକ୍ ଉଚ୍ଚାରଣ।
ବାପା ହେଲା ପରେ ତ
ଲୁଚେଇ ହୁଏ ସବୁ ନ ଲୁଚେଇ ପାରିବାର କଳା
ମେଞ୍ଚେ ହସର ମୁଖା ତଳେ
ବଞ୍ଚେଇ ରଖିବାକୁ ହୁଏ ନିଜର
ସବୁତକ ସଉକ ପିଲାଙ୍କ ସଉକରେ
ନିଜ ହସ ଟିକକର ସମାଧି ଉପରେ
ଖୋଲି ଦେବାକୁ ହୁଏ ଟୋଟେ ହସର ବିପଣୀ
ପିଲାଙ୍କ ପାଇଁ ସୂର୍ଯ୍ୟୋଦୟ ଯୋଗାଡ଼ୁ ଯୋଗାଡ଼ୁ
କିଏ ପଚାରିଦେଲେ
ବାପା ମାନେ ହିଁ
କହି ପାରନ୍ତି
ଏବେ ତ….
ପିଲାଙ୍କ ପାଦରେ ବଳ ଦେବାର ବେଳ
ତାଙ୍କ ଆଖି ପାଇଁ ଯୋଗାଡ଼ି ଦେବାକୁ
ଫୁଲପକା ସତେଜ ସକାଳ
ପାପୁଲିରେ ପାପୁଲିଏ ଆଶାର ବଉଳ
ମୋ ପାଇଁ ବେଳ କାଇଁ
ସଞ୍ଜ ଆସି ନଇଁଲାଣି
ରତରତ ଲେଉଟାଣି ବେଳ।