ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ନଭେମ୍ବର ୨୦୨୨
ରାଧା ଭାବ ମୋତେ ଛୁଇଁଲା ବେଳକୁ କାଳ ହେଲା ଚନ୍ଦ୍ରଶେଣା।
ଫୁଲଗୁଣାଟିକେ ଦେଖାଗଲା ବୋଲି ତିନ୍ତେଇଲା ଉଲୁଗୁଣା।।
ପାଉଁଜି ସ୍ବରର ପିଛିଳ ରାଗିଣୀ ମୁକ୍ତ ହେଲା ବଂଶୀ ସୁରେ।
ସେ ବଇଁଶୀ ସୁର ସାଇଲା ତ ମାନ, ମହତ ରହିଲା ଦୂରେ।।
ପ୍ରେମରେ ପ୍ରେମରେ ପ୍ରେମ ଭାଷା ସବୁ ରାଧା ହେଲେ ବୁଝିହୁଏ।
ହସକୁ ଲୁହରେ ଲୁହକୁ ହସରେ ଲୁଚେଇ ବି ପ୍ରେମ ହୁଏ।
ନିନ୍ଦାକୁ ନିଦରେ ନେଇ ଲତା କୁଞ୍ଜେ ଆଖି ଲାଗିଗଲେ ଦଣ୍ଡେ।
ସଲଜ୍ଜ ପ୍ରେମର ସନ୍ତକ ସାଇତି ଭଉଁରୀ କି ହସେ ଗଣ୍ଡେ।।
ଗୋପରୁ ମଥୁରା ଦାଣ୍ଡରେ ପଡ଼ିଲା ରାଧା ରାଧା ଖାଲି ରାଧା।
ରାଧା ଭୋଗିଲା କି ଷୋଳ ଅଣା ପ୍ରେମ ସବୁଠି ରହିଲା ଅଧା।
ରାଧା ଅଧା ଭୋଗି ପୁରା ଭୋଗିବାକୁ ପ୍ରେମିକରେ ବିଦାକରି ।
ପାପ ପୀତାମ୍ବରୀ ଦେହରେ ଗୁଡ଼ାଇ ଛାତିକୁ ପଥର କରି।।
କେ କହେ ରାଧାର ଜୀବନ ଜିଇଁଲେ କୃଷ୍ଣମୟ କୃଷ୍ଣମୟ।
ଥରେ ରାଧା ହୋଇ ଭୋଗିଛ ବିରହ, ପୂର୍ଣତ୍ବ ବି ଶୂନ୍ୟମୟ।