ଆଲୋକ କୁମାର ପ୍ରଧାନ, ପୁରୀ, ୧ ମଇ ୨୦୨୩
କେଉଁ ତୃଷ୍ଣା ର କଟକେ ଅଟକି ଗୋବିନ୍ଦଚନ୍ଦ୍ର ମୁଁ ହେଲି
ତୃଷ୍ଣା ନଦୀ ର ତୀର ତିମିର ରେ ହାଡିପା କୁ ଗୁରୁ କଲି ।
ମିଆଦି ତୃଷ୍ଣା ର ଗଡ଼ିଗଲା ଦିନ ଶେଷ ଆଶା କବରରେ
ଯେଉଁଠି ତୃଷ୍ଣା କୁଆଁ ମେଲି ଦିଶେ ଭଷା ବଉଦରୁ ଧାରେ।
ଜୀବନ ପୃଷ୍ଠାର ଦୁଇପାଖେ ଲେଖା ତୃଷ୍ଣା ର ଆତ୍ମଲିପି
ଯେଉଁଠି ସମୟ ଧାଉଁ ଥାଏ ଖାଲି ନିଜ କଥା ଗପିଗପି।
ସମୟ ପୃଷ୍ଠା ଲେଖିଦିଏ ଆପେ ତୃଷ୍ଣା ବୋଲକରା ଗପ।
ସେ ଗପ ଦେହରେ ଅକ୍ଷର ସବୁ ପୂଣ୍ୟ ପୁଟ ଚଢ଼ା ପାପ।
ପାପପୂଣ୍ଯ ର ପଦୁଅଁ ପତରେ ବିନ୍ଦୁଏ ଭରଷା ଦେହେ
ଟୋପାଏ ନିଃଶ୍ବାସ ଜୀବନ ନାଁ ରେ ଢଳଢଳ ଯହିଁ ହୁଏ
ଇଡିବା ଡରକୁ ଏଡେଇ କୋଉ ଜିଇଁ ହୁଏ ଆଡ ହୋଇ
ତଥାପି ତୃଷ୍ଣା କୂଳଖାଉଥାଏ ସଦମ୍ଭେ ଚାରି ପା ହୋଇ।
ସବୁ ଖିଆଲର ଖିଲଟାଏ ହୋଇ ଚକେ ଗଲେ ବାରହାତ
ତୃଷ୍ଣା ପଣତ ଚାଖଣ୍ଡେ ନିଅଣ୍ଟ ଯେତେ ଲମ୍ବେଇଲେ ହାତ।