ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୪ ଜୁନ୍ ୨୦୨୫
ତୁମ ରଥଯାତ ଦେଖିବା ପାଇଁକି,
ଭକତ ଆକୁଳେ ରହିଛି ଚାହିଁ।
ରଥାରୁଢ଼ ତୁମ ଦରଶନ ପାଇ,
ଦିବ୍ୟ ଭାବନାରେ ଯିବ ସେ ମୋହି ।।୧।।
ଝୁଲି ଝୁଲି ତୁମେ ରଥକୁ ଆସିବ,
ବଡ଼ଦାଣ୍ଡେ କେତେ ଭିଡ଼ ଲଗାଇ।
ଭକତର ଇଛା ପୂରଣ କରିବ,
ସ୍ନିଗ୍ଧକାନ୍ତି ରୂପ ଦର୍ଶନ ଦେଇ ।।୨।।
ଏଭଳି ଠାକୁର ତୁମେ ଜଗନ୍ନାଥ,
ଚହଳ ପକାଅ ଜଗତ ସାରା।
ତୁମ ରଥଯାତ ଆଦର ଲଭିଛି,
କୋଣ ଅନୁକୋଣ ବିଶ୍ୱରେ ପରା ।।୩।।
ଶିରିମୁଖରେ କି କିମିଆ ଅଛିରେ,
ଦେଖି ଦେଖି ମନ ତୋଷଇ ନାଇଁ।
ତୋ ପହଣ୍ଡିରେ କି କୁହୁକ ରହିଛି,
ତାହା କରୁଥାଏ ଭକ୍ତଙ୍କୁ ବାଇ ।।୪।।
ରଥରେ କାଳିଆ ଦର୍ଶନ ପାଇଲେ,
ଧନ୍ୟ ହୋଇଯିବ ଏଇ ଜୀବନ।
ପରମ ସୌଭାଗ୍ୟ ଲଭିବରେ ଭକ୍ତ,
ବଡ଼ଦାଣ୍ଡ ଧୂଳି କରି ମଣ୍ଡନ ।।୫।।
ରଥ ଗଡୁଥାଏ ଜନ ସମୁଦ୍ରରେ
ତୁମେ ବସିଥାଅ ନିମଗ୍ନ ହୋଇ।
ଭକତ ଟାଣନ୍ତି ରଥ ଦଉଡ଼ିକୁ,
ଶ୍ରଦ୍ଧା ଭାବ ତାଙ୍କ ହୃଦୟେ ଥୋଇ ।।୬।।
ଭକତ ତୁମର, ତୁମେ ଭକତର,
ତା’ପାଇଁ ବ୍ୟାକୁଳ ତୁମ ହୃଦୟ।
ଭକ୍ତଙ୍କ ମେଳକୁ ତୁମେ ଆସିଥାଅ,
ମର୍ତ୍ତ୍ୟେ ସୃଷ୍ଟି କରି ନୂଆ ଅଧ୍ୟାୟ ।।୭।।
ଜୟ ଜଗନ୍ନାଥ ଧ୍ୱନୀ ପଡ଼ୁଥିବ,
ଫଟାଇ ଆକାଶ ମେଦିନୀ ଭୂଇଁ।
ଜନମ ବେଦିରେ ଉଭା ହେବା ଲାଗି,
ମନ ଉଠୁଥିବ ତୁମର ଡେଇଁ ।।୮।।