ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୪
ଆରାଧନା ଲାଗି ରହିଛି ସାଇତା
ଫୁଲ, ତୁଳସୀ ଆଉ ଚନ୍ଦନ,
ଲାଗି ହେବା ପାଇଁ ସଜଡ଼ା ହୋଇଛି
ଚଉଷଠି କିସମ ବ୍ୟଞ୍ଜନ ||୧||
କି ଦେଇ ପୂଜିବି ହେ ପ୍ରଭୁ ତୁମକୁ
ତୁମେତ ସର୍ବତ୍ର ବିଦ୍ୟମାନ,
ବିଶ୍ୱ ବ୍ରହ୍ମାଣ୍ଡରେ ମୁଁ ଛାର ମଣିଷ
କାହିଁ ଅବା ମୋର ଅବସ୍ଥାନ ||୨||
ତୁମ ଆଶିଷରୁ ହୋଇଛି ଏ ଭୂଇଁ
ମର୍ତ୍ତ୍ୟ ମଣ୍ଡଳର ଶ୍ରେଷ୍ଠ ଧାମ,
ବିପଦ, ଆପଦ ତରିବା ପାଇଁକି
ଭରଷା କେବଳ ତୁମ ନାମ ||୩||
ଜ୍ଞାନ, ବିଜ୍ଞାନର ଶିଖରକୁ ଚଢ଼ି
ମଣିଷ ହେଉଛି ମଦମତ୍ତ,
ଜୀବନ, ମରଣ ରହସ୍ୟକୁ ପରା
ଭେଦି ପାରୁନାହିଁ ଏଯାବତ ||୪||
ଧନ, ଯଉବନ, କ୍ଷମତା ଆସନ
ତାକୁ କରିଅଛି ପୂରା ଅନ୍ଧ,
ଗର୍ବ, ଅହଙ୍କାରେ ମାତବର ହୋଇ
ସିଏ ମାନୁ ନାହିଁ ବାଡ଼ ବନ୍ଧ ||୫||
ଲୋଡ଼ା ନାହିଁ ମୋର ଧନ, ଯଶ, କୀର୍ତ୍ତି
ଚାହୁଁନାହିଁ ରାଜ ସିଂହାସନ,
ତୁମରି ଆଶିଷ ରହିଥିଲେ ପ୍ରଭୁ
ଧନ୍ୟ ହୋଇଯିବ ଏ ଜୀବନ ||୬||