ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୭ ନଭେମ୍ବର ୨୦୨୪
ଚିରକାଳ କବିତାରେ ବଞ୍ଚୁଥିଲ
ସଙ୍ଗୀତରେ ବଞ୍ଚୁଥିଲ।
ତୁମେ ଥିଲ ତୁମ ପରି
ହୃଦୟ ଭିତରେ
ଲୁଚାଇ ରଖିଥିବା
ସୁକୁମାର ଅଭିମାନ କଥା
କାହାରିକୁ କହିଗଲ ନାହିଁ
ନିଜ ସଙ୍ଗେ ନେଇ ଗଲ ଶ୍ମଶାନକୁ।
ସବୁ ଛାଡ଼ି ଚାଲିଗଲ
ପ୍ରିୟ ବହି, ସ୍ମୃତିର ଆଲବମ୍ ?
ହଠାତ୍ ତୁମେ ଚାଲିଯାଇ
ଜିଦ୍ଖୋର୍ ଜୀବନକୁ
ଶାସ୍ତି ଦେଇଗଲ।
ତୁମେ ଥିଲ ତୁମ ପରି
ଶରତ ଋତୁର ନିର୍ମଳ ଆକାଶ
ସ୍ଵଚ୍ଛ ଓ ପବିତ୍ର।
ସ୍ବର୍ଗୀୟ ବଳୟ ତଳେ
ସ୍ନେହସିକ୍ତ ମନ ଆଇନାରେ
ପୁରାଣର କେଉଁ ଦେବୀ ପରି
ତୁମେ ଦିଶୁ ଥିଲ।
ଘରର ଐଶାନ୍ୟ କୋଣରେ
ସତର୍କ ଦୀପଟିଏ ପରି ଅହର୍ନିଶି ଜଳୁଥିଲ।
ତୁମେ ଘରେ ଥାଅ ବୋଲି
ଅପୂର୍ବ ଭଲ ଲାଗିବାରେ
ଘର ମହକି ଉଠୁଥିଲା
ମନ୍ଦିର ପରି।
ଆଜି ବି ସ୍ମୃତିର ବଳୟ ଭିତରେ
ସୁନା ରଙ୍ଗର ପକ୍ଷୀଟିଏ
ତୁମ ନାଁ ଧରି ଘୂରି ବୁଲୁଛି
ଘରର ଚତ୍ଵରରେ।