ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୭ ଅଗଷ୍ଟ ୨୦୨୪
ଦିନ ସରେ ନାହିଁ ଏଠି
ରାତି ଉଦଭାସିତ ଆଲୋକରେ
କାମର ବିରାମ ନାହିଁ
ଶବ୍ଦହୀନ ଗଭୀର ରାତିରେ ।। ୧ ।।
ସକାଳ ସିନ୍ଦୁରା ଫାଟେ
ମନ୍ଦିରରେ ଉଚ୍ଚାରିତ ଓଁକାର ଧ୍ୱନୀରେ
ସଂଧ୍ୟା ହୁଏ ଉପଗତ
ଭଜନ, କୀର୍ତ୍ତନ ଆଉ ପ୍ରାର୍ଥନା ମଧ୍ୟରେ ।। ୨ ।।
ପଥର ଜୀବନ ପାଏ
ଶିଳ୍ପୀର ନିଖୁଣ ନିହାଣ ମୁନରେ
ରାତିର ଅନ୍ଧାର ହଜେ
ନର୍ତ୍ତକୀର ରୁଣୁଝୁଣ ନୁପୁର ନିକ୍ଵଣରେ ।। ୩ ।।
ବୁଣାକାର ଆନନ୍ଦ ଲଭେ
ତା’ର ଅନୁପମ ବସ୍ତ୍ର ତିଆରିରେ
କଳାକାର ହୁଏ ଆତ୍ମହରା
ନାଟକରେ ଭୂମିଷ୍ଠ ଚରିତ୍ର ଭିତରେ ।। ୪ ।।
ଦର୍ଶକ ବିଭୋର ହୁଏ
ପଥର ମୂର୍ତ୍ତିର ରୂପ ଲାବଣ୍ୟରେ
ଶ୍ରୋତା ହୁଏ ମନ୍ତ୍ରମୁଗଧ
ସୁଗମ ସଂଗୀତର ମଧୁର ମୁର୍ଚ୍ଛନାରେ ।। ୫ ।।
ବିବିଧ କଳାର ଉତ୍କର୍ଷ
ଦୃଶ୍ୟମାନ ହୁଏ ଯେଉଁ ଇଲାକାରେ
ଉତ୍କୃଷ୍ଟ କଳାର ରାଜ୍ୟ
ଉତ୍କଳ ରୂପେ ବିଦିତ ତାହା ଦୁନିଆଁରେ ।। ୬ ।।