ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଜୁନ୍ ୨୦୨୩
୨୮ ବର୍ଷରେ ଜଣେ ମୃତ ଗର୍ଭବତୀ ମହିଳାଙ୍କୁ ନ୍ୟାୟ ମିଳିଛି । ୧୯୯୫ ମସିହାରେ ନିଜର ପତ୍ନୀଙ୍କୁ ହତ୍ୟାକରି ଆତ୍ମହତ୍ୟା ରୂପ ଦେବାପାଇଁ ଚେଷ୍ଟା କରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗୋ । ୨୮ ବର୍ଷ ପରେ ସ୍ୱତନ୍ତ୍ର ଅତିରିକ୍ତ ଦୌରାଜଜ୍-୩ ର ବିଚାରପତି ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇପିସି ଦଫା ୩୦୨( ହତ୍ୟା ) ଓ ୨୦୧ (ପ୍ରମାଣ ନଷ୍ଟ କରିବାରେ ) ଦୋଷୀ ସାବ୍ୟସ୍ତ କରାଯାଇଛି । ପତ୍ନୀହତ୍ୟା ଅଭିଯୋଗରେ ଏହି ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛି କୋର୍ଟ । ବହୁବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରଧୀନ ହୋଇ ରହିଥିଲା । ସେହିପରି ରାଜ୍ୟର ଏମପି/ଏମଏଲଏଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଲାଗି ଭୁବନେଶ୍ୱରରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବାପରେ ଏହି ମାମଲା ସେଠାରୁ ସ୍ଥାନାନ୍ତର ହୋଇଥିଲା । ପାଖାପାଖି ଏକ ବର୍ଷ ଶୁଣାଣି ହେବାପରେ ଶ୍ରୀ ଗମାଙ୍ଗୋ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବହୁ ସାକ୍ଷୀଙ୍କୁ ପ୍ରଭାବିତ କରି ଏହି ମାମଲାରୁ ଦୂରେଇ ଦିଆଯାଇଥିବା ବେଳେ ଶେଷରେ ୧୧ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଏହି ଦଣ୍ଡ ଶୁଣାଇଛନ୍ତି କୋର୍ଟ ।
କେବଳ ଏହି ଗୋଟିଏ ଘଟଣା ନୁହେଁ, ଓଡ଼ିଶାରେ ୧୯୮୦ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ଦୀର୍ଘ ୨୨ ବର୍ଷ ପରେ ଅର୍ଥାତ୍ ୨୦୦୨ ମସିହାରେ ରାୟ ପ୍ରକାଶ ପାଇଥିଲା । ଏହା ଏକ ଚର୍ଚ୍ଚିତ ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ହୋଇଥିବା ସତ୍ତ୍ୱେ ମଧ୍ୟ ଏହି ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇବାକୁ ୨୨ ବର୍ଷ ସମୟ ଲାଗି ଯାଇଥିଲା । ସେହିପରି ୧୯୯୯ ମସିହାରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ବହୁ ଚେଷ୍ଟା କରି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ଅସମର୍ଥ ହୋଇଥିଲା । ଦୀର୍ଘ ୨୨ ବର୍ଷ ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ବିଶ୍ୱାଳକୁ ଓଡ଼ିଶା ପୋଲିସ ୨୦୨୧ ମସିହାରେ ମହାରାଷ୍ଟ୍ରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏଭଳି ବିଳମ୍ବିତ ନ୍ୟାୟ ମିଳିବା ଓ ଅପରାଧ ଘଟାଇଥିବା ଅପରାଧୀଙ୍କ ବିରୋଧରେ ଦଣ୍ଡ ବିଧାନ ହେବାର ବହୁ ନଜିର ରହିଛି । ମାତ୍ର ନ୍ୟାୟ ମିଳିବା ବେଳକୁ ନ୍ୟାୟ ପାଇବା ପାଇଁ ଯିଏ ହକଦାର ସିଏ ମଧ୍ୟ ଅନେକ କ୍ଷେତ୍ରରେ ନଥାନ୍ତି । ଏପରିକି ନ୍ୟାୟ ପାଇବା ପାଇଁ ସଂଘର୍ଷ କରି କରି ଅନେକ ପରିବାର ମଧ୍ୟ ଶେଷରେ ଆଶା ଓ ବିଶ୍ୱାସ ହରାଇ ଦେଇ ଥାଆନ୍ତି । ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଲଢ଼େଇ କରି ନ୍ୟାୟ ପାଇବା ଏତେ ସହଜ ମଧ୍ୟ ହୋଇନଥାଏ । ଏଣୁ ନ୍ୟାୟ ପାଇବା ପାଇଁ ଲଢ଼ୁଥିବା ବ୍ୟକ୍ତି ବିଶେଷ ଅବା ତାର ପରିବାର ଶେଷରେ ନ୍ୟାୟ ପାଇବେ ବୋଲି ଭାବି ନଥାନ୍ତି ।
ମାତ୍ର ଶେଷରେ ବହୁ ବିଳମ୍ବରେ ଅନେକଙ୍କୁ ନ୍ୟାୟ ମିଳିଥାଏ । ତେବେ ବିଳମ୍ବରେ ନ୍ୟାୟ ପାଇବାକୁ ଅନେକ ଗ୍ରହଣ କରିପାରନ୍ତି ନାହିଁ ଓ ବିଚାର ବିଭାଗ ଉପରେ ଏଥିପାଇଁ ଦୋଷ ଲଦି ଥାଆନ୍ତି । ତେବେ ଯାହାବି ହେଉ ବିଳମ୍ବରେ ହେଉ ପଛେ ଅନେକ ସମୟରେ ବହୁ ଚର୍ଚ୍ଚିତ ଅପରାଧିକ ଘଟଣା ଓ ଏଥିପାଇଁ ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଥାଆନ୍ତି ସେଥିରୁ ନ୍ୟାୟ ମିଳିବ ବୋଲି ସମସ୍ତେ ଆଶା ହରେଇ ଦେଇଥିବା ବେଳେ ଶେଷରେ ପୀଡ଼ିତ/ପୀଡ଼ିତାର ପରିବାରକୁ ନ୍ୟାୟ ମିଳିଥାଏ । ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଏହା ପୁନର୍ବାର ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିବାର ଏକ ମାଧ୍ୟମ ହୋଇଥାଏ ।