ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଜୁଲାଇ ୨୦୨୬
ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଆଧ୍ୟାତ୍ମିକ ପୁସ୍ତକ ସଂକଳନ “ବ୍ରହ୍ମ ଅଚ୍ୟୁତ” କଟକ ମହାନଗର ନିଗମ ଅନ୍ତର୍ଗତ ଶତାବ୍ଦୀ ଭବନ ପ୍ରେକ୍ଷାଳୟରେ ଓଡ଼ିଶାର ବହୁ ବିଶିଷ୍ଟ ବୁଦ୍ଧିଜୀବୀ ବିଦ୍ୱାନ ପଣ୍ଡିତମାନଙ୍କ କରକମଳ ରେ ଲୋକାର୍ପିତ ହୋଇଯାଇଛି ।
ଇଷ୍ଟର୍ଣ୍ଣ ମିଡ଼ିଆ ଲିଃ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ପ୍ରଜ୍ଞାନ ବାଚସ୍ପତି ତଥା “ନିତ୍ୟନୂତନ” ର ସମ୍ପାଦକ ପଣ୍ଡିତ ଡ଼ଃ ପ୍ରବୋଧ କୁମାର ମିଶ୍ର ଯଥାକ୍ରମେ ଉଦ୍ ଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରାଙ୍କ ସମେତ ସନ୍ଥ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପଟ୍ଟଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଭବ୍ୟ ଉତ୍ସବକୁ ଉଦ୍ ଘାଟନ କରିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କଟକ ଜିଲ୍ଲା ଅନ୍ତର୍ଗତ ନେମାଳ ସ୍ଥିତ ଶ୍ରୀ ଶ୍ରୀ ବ୍ରହ୍ମ ଅଚ୍ୟୁତ ସାରସ୍ଵତ ସମାଜର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ତଥା ସାରସ୍ଵତ ସମ୍ମାନ ପ୍ରଦାନ ସମାରୋହରେ ଡକ୍ଟର ଗୋବିନ୍ଦ ଭୂୟାଁ ଅଧ୍ୟକ୍ଷତା କରିଥିଲେ ।
ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟ – ସଂସ୍କୃତି ସଂଗଠକ ତଥା “ନିର୍ଭୀକ” ସମ୍ପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ, ସାହିତ୍ୟିକ ଡ଼ଃ ସନ୍ତୋଷ ଉପାଧ୍ୟାୟ , ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପୃଷ୍ଟି ଯୋଗଦେଇ ଓଡ଼ିଆ ଅସ୍ମିତାର ପ୍ରତୀକ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହିମା ଏବଂ ସିଦ୍ଧ ମହାପୁରୁଷ ବ୍ରହ୍ମଦର୍ଶୀ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ କୃତି ଓ ଅଖଣ୍ଡ କୀର୍ତ୍ତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ଅଚ୍ୟୁତଙ୍କ ମାଳିକା ବର୍ଣ୍ଣିତ ସମାଜ ସଚେତକ ଭବିଷ୍ୟ ବାଣୀ, ପୋଥି ପୁରାଣ ର ତତ୍ତ୍ଵ ଓ ତଥ୍ୟ ଆଜିବି ପ୍ରାସଙ୍ଗିକତା ବଜାୟ ରଖିଛି ବୋଲି ଅତିଥି ମାନେ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।
ରାଜ୍ୟର ବହୁ ସ୍ୱନାମଧନ୍ୟ କବି, ସାହିତ୍ୟିକ, ଲେଖକ, ଗବେଷକ ମାନଙ୍କ ଶ୍ରୀ ଜଗନ୍ନାଥ ସଂସ୍କୃତି ତଥା ଶ୍ରୀ ଅଚ୍ୟୁତାନନ୍ଦଙ୍କ କଥା ଓ ଗାଥା ସମ୍ପର୍କିତ ଆଲେଖ୍ୟରେ ସମୃଦ୍ଧ ଶ୍ରୀ ଆଶୀର୍ବାଦ ଦାସଙ୍କ ଦ୍ଵାରା ସଂକଳିତ “ବ୍ରହ୍ମ ଅଚ୍ୟୁତ” ଆଧ୍ୟାତ୍ମିକ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ – ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳ ସିଂ ଏବଂ ଇଂ. ଗୁରୁ ପ୍ରସାଦ ପୃଷ୍ଟି ସଭାରେ ସ୍ଵକୀୟ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅଧିବକ୍ତା ଆକାଶ ଭୂୟାଁ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂକଳକ ଶ୍ରୀ ଆଶୀର୍ବାଦ ଦାସ ପୁସ୍ତକ ସମ୍ପର୍କ ରେ ସମ୍ୟକ୍ ସୂଚନା ଦେବା ସହିତ ଅନୁଷ୍ଠାନର ଆଭିମୁଖ୍ୟ ବର୍ଣ୍ଣନା କରି ସଭିଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ।
ଇତ୍ୟବସରରେ ନେମାଳ ସ୍ଥିତ ଶ୍ରୀ ଶ୍ରୀ ବ୍ରହ୍ମ ଅଚ୍ୟୁତ ସାରସ୍ଵତ ସମାଜ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଆଧ୍ୟାତ୍ମ୍ୟ ପ୍ରେମୀ ସାହିତ୍ୟ – ସଂସ୍କୃତି ସଂଗଠକ ତଥା “ନିର୍ଭୀକ” ସମ୍ପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ, ସୁଲେଖିକା ଗୀତାଞ୍ଜଳି ପୃଷ୍ଟି ଏବଂ ସମାଜସେବୀ ଡକ୍ଟର ସନ୍ତୋଷ ଉପାଧ୍ୟାୟ ଙ୍କୁ ସଭା ମଞ୍ଚରେ “ଶ୍ରୀ ଅଚ୍ୟୁତ ସାରସ୍ଵତ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତତ୍ ଭିନ୍ନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନ୍ୟାନ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରାୟ ଅର୍ଦ୍ଧଶତକରୁ ଉର୍ଦ୍ଧ୍ବ କୃତୀ ପ୍ରତିଭା ମାନଙ୍କୁ “ସମ୍ମାନ ସନନ୍ଦ” ପ୍ରଦାନ କରାଯାଇଥିଲା।
ଶେଷରେ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର ଘଡେ଼ଇ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ସାରସ୍ଵତ ସମାରୋହ ଅୟମାରମ୍ଭ ରେ ୭ ବର୍ଷୀୟା କୁନି ନୃତ୍ୟଶିଳ୍ପୀ ଶାଶ୍ଵତିକା ସିଂହଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକ ଙ୍କ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇଥିଲା।






