• About
  • Contact
Wednesday, July 15, 2026
Wednesday, July 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ–୧)

ଆମେ ପାଉଡି ଭୂୟାଁ (ଭାଗ–୧)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୪ ଡିସେମ୍ବର ୨୦୨୨

ମୋର ଦିବଂଗତ କକେଇ, ବିଶିଷ୍ଟ ଜନନେତା,ସୁସାହିତ୍ୟିକ, ସଂସ୍କୃତି ପୁରୁଷ ସ୍ବର୍ଗତ ଶରତ କୁମାର କରଙ୍କ ଦ୍ବାରା ୧୫ ଅଗଷ୍ଟ ୧୯୫୮ରେ ପ୍ରକାଶିତ ଓ ସମ୍ପାଦିତ ନିର୍ଭୀକ ସମ୍ବାଦପତ୍ର ଯାହାକି ଶ୍ରୀଯୁକ୍ତ କରଙ୍କ କାର୍ଯ୍ୟବ୍ୟସ୍ତତା ପାଇଁ ବନ୍ଦ ହୋଇଯାଇଥିଲା,ନିକଟରେ ଶ୍ରଦ୍ଧେୟ ସାନଭାଇ ଶୋଭନ ର ଉଦ୍ୟମ କ୍ରମେ ଏକ ଡିଜିଟାଲ ମ୍ୟାଗାଜିନ୍ ଭାବେ ପ୍ରକାଶିତ ହେଉଛି। ମୁଁ ଶୁଣିଛି ସେ ସମୟରେ ମୋର ଆଦର୍ଶ ଭାବେ ପରିଗଣିତ ପତ୍ରିକାର ସମ୍ପାଦକ ସ୍ବର୍ଗତ ଶରତ କୁମାର କର ଏକ ଧାରାବାହିକ ଏହି ପତ୍ରିକାରେ ଲେଖୁଥିଲେ। ତାହା ସରିବା ପାଇଁ ପାଖାପାଖି ଚାରିବର୍ଷ ସମୟ ନେଇଥିଲା। ମୋତେ ଲାଗିଲା ଯଦି ଆଦିମ ଜନଜାତି ପାହୁଡି ଭୂୟାଁ ମାନଙ୍କ ଉତ୍ପତ୍ତି, ସଂସ୍କୃତି, ପରମ୍ପରା,କୃଷି ପଦ୍ଧତି, ପର୍ବପର୍ବାଣୀ ଓ ସ୍ବୟଂ ଶାସନ ବ୍ୟବସ୍ଥା କୁ ଯଦି ଏକ ଧାରାବାହିକ ଉପନ୍ୟାସ ଭାବେ ଏହି ପତ୍ରିକାରେ ପ୍ରକାଶିତ କରାଯାଏ ତେବେ ଏହି ଜନଜାତିର କଥାକୁ ପାଠକମାନେ ଜାଣିବା ସହିତ ଏହା ସେହି ବିଶିଷ୍ଟ ଜନନେତା ଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।ଆସନ୍ତୁ ଜାଣିବା ସେହି ରାଜକୀୟ ଜନଜାତି ସମ୍ପର୍କରେ ” ଆମେ ପାହୁଡି ଭୂୟାଁ” ଶୀର୍ଷକ ଉପନ୍ୟାସରୁ।

ଖଣ୍ଡାଧାର ଜଳପ୍ରପାତରୁ ନିମ୍ନରେ ବୋହି ଯାଉଥିବା ଝରଣାର ଧାରର କଡ଼ରେ ଥିବା ଶାଳଗଛକୁ ଆଉଜି ମନ୍ମଥ ତାର ପ୍ରେମିକା ଚିନାମାଳୀକୁ କହୁଥିଲା ତୁଟା ସବୁବେଳେ ବଡ଼ ଅବୁଝା। କଣ କରିବା କହ ଆମେ ତ ଭୂୟାଁ ଲୋକ। ପାହାଡ଼ ଉପରେ କମାଣ କାଟି ଭଳିକି ଭଳି ଫସଲ କଲେ ଆମେ ବଞ୍ଚିବା । ଟିକିଏ ଡେରି ହୋଇଗଲା ବୋଲି ଏତେ ରାଗ। ହଁ ତୁ ରାଗୁଥା। ମୋ ମନ କହୁଛି ତୁ ମତେ ବହୁତ ଭଲ ପାଉ। ବେଶୀ ରାଗୁ କିନ୍ତୁ ମନେମନେ ବହୁତ ଭଲ ପାଉ। ବଡାମ୍ ଦେବତା ଜାଣନ୍ତି ତୋର ମୋର ବିହାଘରଟା ହେବ କି ନାହିଁ। ମନ୍ମଥ ପାଟିରେ ତା ହାତକୁ ଚାପିଧରି ଚିନାମାଳୀ କହିଲା ସେମିତି କଥା ନାହିଁ କହିବୁ ଏକା। ବଞ୍ଚିଲେ ଏକ ସଙ୍ଗେ ବଞ୍ଚିବା। ମଲେ ଏକ ସଙ୍ଗେ ମରିବା। ଛାଡ଼ ସେ କଥା ଶୁଣ, କାଲି ଗାଁ ର ଦରବାରରେ ସମସ୍ତେ ବସି ଆଗିଲା ଗୁରୁବାର ଦିନ ବିଶ୍ରୀ ଓଷା ହେବ ବୋଲି କଥା ହେଉଥିଲେ। ସେ ଓଷା କଣ ଓ ଏଥିରେ ଯେଉଁ କଥାଣି ଗାଉଁଣି ବୋଲନ୍ତି ସେ ସବୁ କଥା ମୋତେ ଆଜି ବୁଝାଇ କହିବୁ ଏକା।ପାଖ ଗଛରେ ଲଟିଥିବା ଲତା କୁ ଭାଙ୍ଗି ଆଣି ଚିନାମାଳୀର ଅଣ୍ଟା ରେ ଗୁଡ଼ାଇ ପାଖକୁ ଟାଣି ଆଣି ମନ୍ମଥ କହିଲା ତେବେ ମୋ ବବା ଠାରୁ ଶୁଣିଥିବା ବିଶ୍ରୀ ମା ଙ୍କ ମହିମା ସମ୍ପର୍କରେ ଆଜି ତତେ କହିବି।

କାହିଁ କେତେ ଅଗନା ଅଗନି ବନସ୍ତ ପାରିହେବା ପରେ ଗୋଟିଏ ରାଇଜରେ ଜଣେ ରାଜା ଥିଲେ। ରାଜାଙ୍କର ଗୋଟିଏ ଝିଅ ଥାଏ। ରାଜା ଝିଅକୁ ବହୁତ ଭଲ ପାଉଥିଲେ। ସେ ରାଇଜରେ ଏକ ଅଜଣା ରୋଗ ବ୍ୟାପିଥାଏ। ଏଣୁ ରାଜବୈଦ୍ୟଙ୍କ ପରାମର୍ଶ ଅନୁଯାୟୀ ରାଜା ପ୍ରଜାମାନଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ , ମୁହଁ ରେ ତୁଣ୍ଡି ଭଳି କପଡା ବାନ୍ଧିବା ପାଇଁ , ହାତକୁ ଦିନରେ ବହୁବାର ସଫା କରିବା ପାଇଁ ଏବଂ ବିବାହ ଆଦି ଉତ୍ସବ ରେ ଜନସମାବେଶରେ କଟକଣା ଜାରି କରିଥାନ୍ତି। ରାଣୀଙ୍କ ଠାରୁ ରାଜକନ୍ୟା ପଡୋଶୀ ରାଜ୍ୟ ର ରାଜାଙ୍କୁ ଭଲ ପାଉଥିବାର ଖବର ଶୁଣି ରାଜା ମନ୍ତ୍ରୀ ଓ ଅମାତ୍ୟମାନଙ୍କ ପରାମର୍ଶ ଲୋଡିଲେ। ଆଲୋଚନା ପରେ ସମସ୍ତେ ଏହି ସିଦ୍ଧାନ୍ତ ରେ ପହଞ୍ଚିଲେ ଯେ ରାଜା ମଧ୍ୟ ନିୟମର ଉର୍ଦ୍ଧ୍ବରେ ନୁହଁନ୍ତି। ଏଣୁ ବିବାହରେ ପଚାଶରୁ ଉର୍ଦ୍ଧ୍ବ ଲୋକ ରହି ପାରିବେ ନାହିଁ ବୋଲି। ରାଜକନ୍ୟା ତାଙ୍କ ପ୍ରେମିକ ରାଜାଙ୍କୁ ଏହା କହିଲା ପରେ ସେ ଏକୁଟିଆ ଘୋଡ଼ାରେ ଆସି ବିବାହ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କଥା ଦେଲେ। ଚିନାମାଳୀ କଥା ଅଟକାଇ ପଚାରିଲା ସେତେବେଳେ କଣ ଏହି କରୁଣା (ମହାମାରୀ କରୋନା) ରୋଗଟା ଥିଲା ନା କଣ। ହସିଦେଇ ମନ୍ମଥ କହିଲା ନାଇଁ ସେ ରୋଗର ନାଁ କରୋନା ନୁହେଁ କିନ୍ତୁ ସେହିଭଳି ଏକ ମହାମାରୀ ରୋଗ ହୋଇଥାଇ ପାରେ। ଆଲୋ ଏବେ ଯେଉଁ କପଡା ମୁହଁ ରେ ଦେଉଛେ ଆମେ ଆମର ଆଷାଢୀ,ବିଶ୍ରୀ ଓ ଓଢ଼ଣିପକା ପର୍ବରେ ଦେଉଛେ ନା ନାହିଁ। ହଉ ଛାଡ଼ ଏଥରକ ମୂଳ କଥାକୁ ଆସିବା।

ନିର୍ଧାରିତ ଦିନ ରାଜା ରାଜକନ୍ୟାଙ୍କୁ ବିହା ହେବା ପାଇଁ ଘୋଡାରେ ଚଢ଼ି ବାହାରି ପଡିଲେ। କିଛି ବାଟ ଯିବାପରେ ରାଜା ଦେଖିଲେ ରାସ୍ତା କଡ଼ରେ ବୁଢୀଟିଏ ଆଗରେ ବରପତ୍ର ଓ ଓସ୍ତ ପତର ଦୁଇଟି ରଖି ଶଢେଇରେ ବାଲି ଭର୍ତ୍ତି କରି ତାକୁ ଏକ ଖାଲି ଶଢେଇରେ ଢାଳୁଛି। ବୁଢ଼ୀ ର ଏହି ଭଳି କାର୍ଯ୍ୟ ରେ ରାଜା ଆଶ୍ଚର୍ଯ୍ୟ ହୋଇ ତା ନିକଟରେ ଘୋଡ଼ାରୁ ଓହ୍ଲାଇ ପଡ଼ି ତାକୁ ପଚାରିଲେ ବୁଢ଼ୀ ତୁମେ ଏହି ଭଳି କାହିଁକି କରୁଛ। ତୁମେ କଣ ପ୍ରଜାପତି ଘଟସୁତ୍ର ବା ବିବାହ ସମ୍ବନ୍ଧ ସ୍ଥାପନ କରାଉଛ କି। ଯଦି କରୁଛ ତେବେ କହିଲ ଦେଖି ମୁଁ ଯେଉଁ ବାହା ହେବା ପାଇଁ ଯାଉଛି ତାହା ସୁରୁଖୁରୁରେ ସମ୍ପନ୍ନ ହେବକି ନାହିଁ। ପ୍ରକୃତରେ ବୁଢ଼ୀ ବିଶ୍ରୀ ମା ଥିଲେ। ବୁଢ଼ୀ ରାଜାଙ୍କୁ ଚାହିଁ ମୁରୁକି ହସି କହିଲା ମହାରାଜ ତୁମର ସେଠାରେ ବିବାହ ହୋଇପାରିବ ନାହିଁ ଏବଂ ତୁମେ ଅପମାନିତ ହେବା ସହ ଗୋଟିଏ ଦିନ ଉପବାସରେ ରହିବ। ରାଜା ବୁଢ଼ୀର ଏହି ଭଳି ରୋକଠୋକ୍ କଥା ରେ ମନେମନେ ରାଗିଗଲେ ମଧ୍ୟ ତାହା ପ୍ରକାଶ ନକରି କହିଲେ ଦେଖ ବୁଢ଼ୀ ମା ତୁମ କଥା ଯଦି ମିଛ ହୁଏ ତେବେ ତୁମକୁ ଶୂଳୀରେ ବସିବା ପାଇଁ ପଡ଼ିବ। ଯଦି ସତ୍ୟ ହୁଏ ତେବେ ତୁମେ ମୋ ସହିତ ରାଜପ୍ରାସାଦକୁ ଯିବ ମହା ଆନନ୍ଦରେ ରହିବ। ଏହା କହି ରାଜା ବୁଢ଼ୀକୁ ସଙ୍ଗରେ ନେଇ ନିଜ ଭାବୀ ଶଶୁର ଘରକୁ ବାହାରି ଗଲେ।

ବେଳ ବୁଡ଼ିବା ବୁଡ଼ିବା ହେଉଥାଏ ରାଜା ରାଜଉଆସ ନିକଟରେ ପହଞ୍ଚିଗଲେ। ରାଜକନ୍ୟାଙ୍କ ବାପା ନିଜର ଭାବି ଜ୍ବାଇଁ ପାଇଁ ଅତିଥି ଶାଳାରେ ରେ ରହିବାର ଆୟୋଜନ କରିଥିଲେ। ବୁଢ଼ୀ ରାଜ ଅନ୍ତଃପୁର ରେ ରହିଲା। ରାଜା ସେଦିନ ସେଠାରେ ବିଶ୍ରାମ ନେଇ ତା ପରଦିନ ରାଜକନ୍ୟାଙ୍କ ଘରେ ପହଞ୍ଚିଲେ।ବରକୁ ଭବ୍ୟ ସ୍ଵାଗତ କରି ରାଜପ୍ରସାଦ ମଧ୍ୟ କୁ ନିଆଗଲା। ବିବାହର ଆୟୋଜନ ଚାଲିଥାଏ। ରାଜା ରାଜକନ୍ୟା ଙ୍କ ଭାଇ ସହ ରାଜଅନ୍ତଃପୁରରେ ଆଳାପ ଆଲୋଚନା ରେ ବ୍ୟସ୍ତ ଥାଆନ୍ତି। ଏହି ସମୟରେ ରାଜକନ୍ୟାଙ୍କ ମାଆ ଜ୍ବାଇଁ ପାଇଁ ସର୍ବତ ଧରି ଆସିଲେ। ତାଙ୍କୁ ଦେଖି ରାଜା ହସିଦେଲେ। ଏହି ସମୟରେ ରାଜପୁତ୍ର ପଛକୁ ବୁଲି ଚାହିଁ ଦେଲେ। ଦେଖିଲେ ତାଙ୍କ ମା ଜ୍ବାଇଁଙ୍କ ପାଇଁ ସର୍ବତ ଧରି ଆସିଛନ୍ତି। ସେ ବୁଲି କରି ନିଜର ଭାବି ଭିଣୋଇ ଅର୍ଥାତ୍ ରାଜାଙ୍କୁ ଚାହିଁ ଦେଖିଲେ ଏବଂ ରାଜା ରାଣୀ ଙ୍କୁ ଚାହିଁ ହସୁଥିବାର। ତାଙ୍କ ମନକୁ ଆସିଲା ଏ ଲୋକ ଚରିତ୍ରହୀନ ଓ ଲମ୍ପଟ ନିଶ୍ଚୟ। ତାର ଖରାପ ନଜର ମୋ ମା ଉପରେ ପଡ଼ିଲାଣି। ସେ ଜାଣିଛି ମୋ ମାଆ ତାର ଶାଶୁ ବୋଲି। ତା ସତ୍ବେ ମଧ୍ୟ ସେ ମାଆ ଉପରେ ଖରାପ ନଜର ପକାଉଛି। ନା ଏ ଯୁବକ ସହ ମୋ ଭଉଣୀ ର ବିବାହ ଅସମ୍ଭବ। ଏହିପରି ଭାବି ସେ ନିଜର ଭାବି ଭିଣୋଇଙ୍କୁ ଗଳା ଧକ୍କା ମାରି ରାଜପ୍ରସାଦରୁ ବାହାର କରିଦେଲେ।ଅପମାନରେ ଜର୍ଜରିତ ରାଜା ରାଜକୁମାର ଏହିପରି କରିବାର କାରଣ ବୁଝିନପାରି ସେ ରାତିଟି ଅତିଥି ଶାଳାରେ ଉପବାସରେ କଟାଇଲେ। ବୁଢ଼ୀ ର ଭବିଷ୍ୟତ ବାଣୀ ସତ୍ୟ ହୋଇଥିବାରୁ ସେ ତା ପରଦିନ ତାକୁ ରାଜଅନ୍ତଃପୁରରୁ ଆଣିବା ପାଇଁ ଗଲେ। କିନ୍ତୁ ବୁଢ଼ୀ ସେତେବେଳକୁ ଅଦୃଶ୍ୟ ହୋଇ ଯାଇଥିଲା। ବିଫଳ ମନୋରଥ ରାଜା ଏକ ଭାରାକ୍ରାନ୍ତ ମନ ନେଇ ରାଜ୍ୟକୁ ଫେରିଲେ। ଝରଣା କୂଳରେ ଥିବା ଏକ ଗଛର ଚେରରେ ମୁଣ୍ଡ ରଖି ମନ୍ମଥ ଠାରୁ ଗପ ଶୁଣୁଥିବା ଚିନାମାଳୀ ଉପରକୁ ଦୁଇହାତ ଯୋଡ଼ି ମା ବିଶ୍ରୀ ଙ୍କୁ ପ୍ରଣାମ କରୁଥିଲା। ତା ହାତକୁ ଧରି ମନ୍ମଥ କହିଲା ଚାଲ୍ ଘରକୁ ଯିବା ସୂରୁଜ ଦେବତା କେତେବେଳୁ ବୁଡ଼ିଗଲେଣି। ହାଇ ମାରି ଘରକୁ ଫେରିବାକୁ ବାହାରି ଥିବା ଚିନାମାଳୀ କହିଲା ତୋତେ ଆମ ଭୂୟାଁ ଜାତିର ଏତେ କଥା ଜଣାଅଛି। କାଲି ଠାରୁ ମୋତେ ସେସବୁ ନିଶ୍ଚୟ କହିବୁ।କହିବାର କଥା ଦେଇ ଦୁଇ ଜଣ ହାତରେ ହାତ ଛନ୍ଦି ଘରକୁ ଫେରିଲେ। କ୍ରମଶଃ…

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ
More

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

by Nirvik Bureau
July 12, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଜୁଲାଇ ୨୦୨୬ ଶରତ କର ଓ ଅନିମା କର ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଆଧ୍ୟାତ୍ମିକ ପୁସ୍ତକ ସଂକଳନ "ବ୍ରହ୍ମ ଅଚ୍ୟୁତ" କଟକ...

Read more
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
Vipul’s Voice:Burden of the Known

Vipul’s Voice:
Burden of the Known

June 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.