• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ – ୧୧)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୩୧ ମଇ ୨୦୨୩

ସେଦିନ ପାଗଟା ମେଘୁଆ ଥିଲା । ସୁଲୁସୁଲୁ ପବନ ସହ ମଝିରେ ମଝିରେ ଅଳ୍ପ ବର୍ଷା ମଧ୍ୟ ହୋଇ ଛାଡି ଯାଇଥିଲା । ପାହାଡିଆ ଅଞ୍ଚଳରେ ଏହି ଭଳି ବର୍ଷା ହେବ ତାପରେ ପୁଣି ଟାଣୁଆ ଖରା । ବାପା ବିଲଆଡେ ଯାଇଥିଲେ ଓ ବୋଉ ବାଡ଼ିରେ କଣ କରୁଥିଲା । ଚିନାମାଳୀ ତରବରରେ ଗୋଧୋଇ ବାହାରି ଗଲା । ଗଲା ବେଳେ ବୋଉକୁ ଡାକମାରି କହିଦେଇ ଗଲା ବୋଉ ମୁଁ ପୋଖରୀକି ଗାଧେଇବା ପାଇଁ ଯାଉଛି ବାପା ବିଲରୁ ଆସିଲେ ତାଙ୍କୁ ପଖାଳ ଓ ଶାଗଭଜା ଦେବୁ । ଗାଧୁଆ ତୁଠରେ ଚମ୍ପା ଦେଖାହେଲା । ତାକୁ ଦେଖି ଚମ୍ପା କହିଲା କଣ ଆଜି କ’ଣ ମହାରାଣୀ ଜଙ୍ଗଲକୁ ପାରିଧି କରିବାକୁ ଯିବେନି କି । ଆପଣଙ୍କ ମହାରାଜା ତ କେତେବେଳୁ ଜଙ୍ଗଲକୁ ଗଲେଣି । କୃତ୍ରିମ ରାଗ ଦେଖାଇ ଚିନାମାଳୀ କହିଲା ତୁ ବହୁତ ଦୁଷ୍ଟ ହୋଇଗଲୁଣି । ତୋ ରାଜା ଆସୁ ତା ଆଗରେ ତୋ କଥାସବୁ କହିବି ଯେ । ଏତିକି କହି ତା ଗାଲକୁ ଟିକିଏ ଚିମୁଟି ଦେଲା ସେ । ହସିଦେଇ ଚମ୍ପା କହିଲା କହୁନୁ ମୁଁ କଣ ତାକୁ ଡରିଛି କି । ଏଥର ଚିନାମାଳୀ କହିଲା ତାହେଲେ ମନର ରାଜା ଖୋଜି ସାରିଲୁଣି ତାହେଲେ । ମୁଁ ତୋ ସହିତ କଥା ହେବି ନାହିଁ । ଏତିକି କହି ସେ ସେଠାରୁ ଦୌଡ଼ି ପଳାଇଲା । ତରବର ହୋଇ ଗାଧୋଇ ଘରେ ପହଞ୍ଚିବା ବେଳକୁ ବାପା ଗାଧୋଇ ଆସି ଦାଣ୍ଡ ପଟେ ଲୁଗା ଶୁଖାଉଥିଲା । ଆଉ ଲୁଗା ଶୁଖାଇବ କଣ ଓଦା ଲୁଗାଗୁଡା ଗୋଟେ ମାଞ୍ଚିଆ ଉପରେ ରଖି ସେ ବାପାକୁ ଖାଇବାକୁ ଦେବାକୁ ରୋଷେଇ ଘରକୁ ପଶିଗଲା ।

ସେଦିନ ଜଙ୍ଗଲକୁ ଯାଉଯାଉ ବହୁତ ଡେରି ହୋଇଗଲା । ଜଙ୍ଗଲ ରେ ପହଞ୍ଚି କଣ୍ଟା ଶାଗ ତୋଳି ସାରି ସେ ଝରଣା କୂଳକୁ ବାହାରି ଗଲା । ବାଟରେ ବାରିକ ଦାଦା ଦେଖା ପଡ଼ିଗଲେ । ସେ ମନ୍ମଥ ସହ ଯାଉଥିଲେ । ତାକୁ ଦେଖି ପଚାରିଲେ କଣ ମା ଶାଗ ନେଉଛୁ । ଘରେ ବସିବି କଣ ଭାବିଲି ଜଙ୍ଗଲ ଆଡେ ଘେରାଏ ବୁଲି ଆସେ । ଜଙ୍ଗଲରେ ମନୁଆଁ (ମନ୍ମଥ) ସହ ଭେଟ ହୋଇଗଲା । ହସି ଦେଇ ଚିନାମାଳୀ କହିଲା ହଁ ଭଲ କଲେ ନା । ତିନିଜଣ ଝରଣା କୂଳରେ ବସି ବିଭିନ୍ନ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ମନ୍ମଥ ପଚାରିଲା ଦାଦା ଆପଣଙ୍କ ଆଡ କଥା ଟିକିଏ କୁହନ୍ତୁ । ସେଠାକାର ଭୂୟାଁମାନେ ଜଙ୍ଗଲ କୁ କିପରି ଜଗାରଖା କରୁଛନ୍ତି, ଜଙ୍ଗଲକୁ ନେଇ କଣ ସବୁ କଥାଣୀ ସବୁ ରହିଛି । ବାରିକ ଦାଦା କହିଲେ ହଉ ତୁମେମାନେ ଶୁଣିବାକୁ ଆଗ୍ରହ କରିଛ ମାନେ ମୁଁ ନିଶ୍ଚୟ କହିବି । ସେ କଥା ଆରମ୍ଭ କରିବାକୁ ଯାଉଛନ୍ତି ମନ୍ମଥ ଅଟକାଇ କହିଲା ଦାଦା ମୁଁ ଘରୁ ପଖାଳ ପାଣି ଆଣିଥିଲି । ଆସ ଖାଇନେବା । ତାପରେ ତୁମେ କଥା ଆରମ୍ଭ କରିବ । ତା କଥା ଶୁଣି ଚିନାମାଳୀ କହିଲା ମୁଁ ମଧ୍ୟ ପଖାଳ ପାଣି ଆଣିଛି । ତାହେଲେ ଭଲ ହେଲା । ତୋର ମୋର ଗୋଟିଏ ଜାଗାରେ ଖାଇବା ଓ ଦାଦାଙ୍କୁ ଗୋଟିଏ ଜାଗାରେ ଦେଇଦେବା ବୋଲି କହି ମନ୍ମଥ ଝରଣା କୂଳକୁ ହାତ ଧୋଇବାକୁ ଚାଲିଗଲା। ଅନ୍ୟମାନେ ମଧ୍ୟ ତା ପଛେ ପଛେ ହାତ ଧୋଇବାକୁ ଝରଣା କୂଳକୁ ଗଲେ ।

ଖାଇ ସାରିବା ପରେ ବାରିକ ଦାଦା କଥା ଆରମ୍ଭ କଲେ । ବୁଝିଲ ପିଲେ ଆମ ପାଳଲହଡାରେ ପାଖାପାଖି ୪୪ଟି ଗାଁ ରେ ପାଉଡି ଭୂୟାଁମାନେ ରହନ୍ତି । ସବୁ ଗାଁ ର କଥା କହିଲେ ତ ଗୋଟିଏ ବହି ହେବ। ମୁଁ ତୁମକୁ ଆଜି ଦୁଇଟି ଗାଁ, ଇତି ଓ ଗଣେଶ୍ବରପୁର ର କଥା କହିବି ।

ଇତି ଗାଁର କଥା
ଇତି, ଏହା କୌଣସି ଚିଠିର ଶେଷକଥା ନୁହେଁ ପରନ୍ତୁ ଜଙ୍ଗଲନିବାସୀ ମୂଳ ଅଧିବାସୀମାନଙ୍କ ଦ୍ବାରା ଅନୁସୃତ ପାରମ୍ପରିକ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାର ପ୍ରାକକଥନ କହିଲେ ଅତ୍ୟୁକ୍ତି ହେବନି। ପାଳଲହଡା ବ୍ଲକର ଏକ ଉପାନ୍ତ ଗାଁ ଟିଏ । ଆରଣ୍ୟକ ସଂସ୍କୃତିର ଆଦ୍ୟ ଉଦଘୋଷକଭାବେ ଗାଁର ଲୋକମାନଙ୍କର ସାମାଜିକ ବ୍ୟବସ୍ଥା, ପରମ୍ପରା, ସଂସ୍କୃତିରେ ଜଙ୍ଗଲକୁ ନେଇଥିବା ବିଭିନ୍ନ ପୁରାତନ ରୀତିନୀତି ଅନ୍ୟ ଗାଁମାନଙ୍କ ପାଇଁ ମାର୍ଗଦର୍ଶକଭାବେ କାମ କରେ ।

ଆଜକୁ ପ୍ରାୟ ୨୫୦ ବର୍ଷତଳେ ତମ୍ବାରି (କଂସାରୀ ସମ୍ପ୍ରଦାୟର) ସମ୍ପ୍ରଦାୟର ଲୋକମାନେ ଏହି ପାହାଡ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳକୁ ଆସି ଗାଁଟି ପ୍ରତିଷ୍ଠା କରିଥିଲେ । ତେବେ ପାଳଲହଡା ରାଜାଙ୍କ ଶାସନାଧିନ ଗାଁଟି ରାଜାଙ୍କ ଶାସନାଧିନ ଅଞ୍ଚଳର ସୀମାରେ ଥିବାରୁ ରାଜାଙ୍କଦ୍ବାରା ଗାଁଟିର ନାମ ଇତି (ଶେଷ ଗାଁ) ରଖା ଯାଇଥିଲା ।

ତମ୍ବାରୀ ସମ୍ପ୍ରଦାୟର ଲୋକମାନେ ଗାଁ ନିକଟବର୍ତ୍ତି ତମ୍ବା ପାହାଡରୁ ତମ୍ବା ପଥର ଖନନ କରି ସେଥିରୁ ତମ୍ବା ସଂଗ୍ରହ କରି ତମ୍ବାର ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଥିଲେ । କିଛି ବର୍ଷପରେ ଭୂୟାଁ ସମ୍ପ୍ରଦାୟର ଲୋକମାନେ ବାଂଶପାଳ ଅଞ୍ଚଳରୁ ଆସି ସେଠାରେ ରହିଲେ । ତମ୍ବାରୀମାନଙ୍କ ଠାରୁ ସେହି ଗ୍ରାମରେ ଆସି ରହୁଥିବା ଭୂୟାଁମାନେ ତମ୍ବା ସଂଗ୍ରହ ପଦ୍ଧତି ଶିଖିଲେ ଏବଂ ସେମାନେ ମଧ୍ୟ ତମ୍ବାରେ ବିଭିନ୍ନ ପ୍ରକାରର ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ବିକ୍ରୟ କରିବାକୁ ଲାଗିଲେ । ଭୂୟାଁମାନେ ବିଦେଶକୁ ଯାଇ ବେପାର ବାଣିଜ କରିବା ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ଏହି ଅଞ୍ଚଳର ଅବଦାନଥିବାର ବୟସ୍କ ଲୋକମାନେ କହନ୍ତି ।

ତେବେ କିଛିଦିନ ପରେ ତମ୍ବାରୀ ସମ୍ପ୍ରଦାୟର ଲୋକମାନେ ସେହି ଗାଁ ଛାଡି ଅନ୍ୟତ୍ର ଯିବାପରେ ଗାଁରେ ଗଣ୍ଡ ସମ୍ପ୍ରଦାୟର ଲୋକମାନେ, ତାପରେ ମୁଣ୍ଡାରୀ ସମ୍ପ୍ରଦାୟର ଲୋକମାନେ, ତାପରେ ଚଷା ଓ ପାତ୍ର ଲୋକମାନେ ସେହି ଗାଁକୁ ଆସି ନିଜର ବସତି ଆରମ୍ଭ କଲେ । ଗାଁ ଚାରିପଟକୁ ମୁଖ୍ୟତଃ ଝୁଣା ପାହାଡ, ତମ୍ବା ପାହାଡ ଓ ଧର୍ମଦୁଆର ପାହାଡ ଓ ଅନ୍ୟ ବନାଞ୍ଚଳଗୁଡିକ ଘେରି ରହିଛି । ପାହୁଡୀ ଭୂୟାଁ ସମ୍ପ୍ରଦାୟର ଲୋକମାନେ ଜଙ୍ଗଲରୁ ଫଳମୂଳ, ପତ୍ର, ଔଷଧିୟ ବୃକ୍ଷରୁ ପତ୍ର, ଫଳ ଓ ଚେରମୂଳିକା ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ଧର୍ମଦୁଆର ପାହାଡ ଉପରେ ଥିବା ଧର୍ମଦେବତାଙ୍କୁ ଭୂୟାଁ ତଥା ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପୂଜା କରନ୍ତି । ସେହି ପର୍ବତରେ ଥିବା ଏକ ମନ୍ଦିରର ଦ୍ବାରକୁ ଧର୍ମଦୁଆର ବୋଲି ଗାଁ ଲୋକମାନେ କହନ୍ତି । ଜଙ୍ଗଲକୁ ନେଇ କିଛି ଅନନ୍ୟ ପରମ୍ପରା ଭୂୟାଁମାନଙ୍କ ମଧ୍ୟରେ ରହିଛି । ତାହା ହେଉଛି ଏହିପରି ।

ଗାଁକୁ ବିବାହ କରି ଆସୁଥିବା ବୋହୂମାନଙ୍କ ପାଇଁ ଗାଁରେ ଏକ ସୁନ୍ଦର ବ୍ୟବସ୍ଥା ରହିଛି । ବିବାହ କରି ଗାଁକୁ ଆସିବା ପରଦିନ ନୁଆହୋଇ ଆସିଥିବା ବୋହୂଟି ତାର ସ୍ବାମୀ ଓ ଥଟ୍ଟା ସମ୍ପର୍କୀୟ ବଡୁଙ୍କ(ବାପାଙ୍କର ବାପାଙ୍କୁ୍ ଭୂୟାଁମାନେ ବଡୁ କହନ୍ତି) ସହ ସକାଳୁ ଜଙ୍ଗଲ ବୁଲିବା ପାଇଁ ବାହାରନ୍ତି ଓ ସନ୍ଧ୍ୟାବେଳେ ଘରକୁ ଫେରନ୍ତି । ଜଙ୍ଗଲ ମଧ୍ୟରେ ବୟସ୍କ ଥଟ୍ଟା ସମ୍ପର୍କୀୟ ଲୋକଟି ବରକନ୍ୟା ଉଭୟଙ୍କୁ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ଜଙ୍ଗଲଜାତ ଖାଦ୍ୟ ଓ ଏହାର ଉପକାରିତା ସମ୍ପର୍କରେ ବୁଝାଇବା ସହ ବିଭିନ୍ନ ଔଷଧିୟ ବୃକ୍ଷ ଓ ଏହାର ଉପଯୋଗିତା ସମ୍ପର୍କରେ ବୁଝାଏ । ବୋହୂଟି ମଧ୍ୟ ତାର ଗାଁ ନିକଟରେ ଥିବା ଜଙ୍ଗଲରେ ଥିବା ନୁତନ ଜଙ୍ଗଲଜାତ ଖାଦ୍ୟ ଯାହାକି ଏ ଜଙ୍ଗଲରେ ନାହିଁ ସେ କଥା କହିବା ସହିତ ସେଠାରୁ ତାହା ଆଣିବ ବୋଲି କଥା ଦିଏ । ପରେ ମଧ୍ୟ ଯେତେବେଳେ ସେ ତାର ବାପଘରକୁ ଯାଏ ଫେରିବା ସମୟରେ ସେହି ଗଛର ଚାରା ସଙ୍ଗରେ ଧରି ଆସିବାସହ ଏଠାରେ ତାହାକୁ ଲଗାଇଥାଏ । ଜଙ୍ଗଲରେ ଥିବା କୃଷିକ୍ଷେତ୍ରକୁ ମଧ୍ୟ ସେମାନେ ବୁଲି ଦେଖିବା ସହ ଫେରିବା ସମୟରେ ଜଙ୍ଗଲରେ ସ୍ବାମିସ୍ତ୍ରୀ ମିଶି ଗଛଟିଏ ସେମାନଙ୍କ ଚାଷ ଜମି ନିକଟରେ ଲଗାନ୍ତି । ଯଦି ଗୋଟିଏ ଦିନରେ ଜଙ୍ଗଲ ବୁଲିବା ନସରେ ତେବେ ତା ପରଦିନ ସେମାନେ ପୁଣି ଜଙ୍ଗଲକୁ ଯାଆନ୍ତି ।ଜଙ୍ଗଲ ବୁଲିବା ସହ କୃଷିକ୍ଷେତ୍ର ବୁଲିବାକୁ ନୁଆ ହୋଇ ଆସିଥିବା ବୋହୂଟି କାହିଁକି ଯାଏ ବୋଲି ତୁମମାନଙ୍କର ମନରେ ଆସୁଥିବ । ତାର କାରଣ ହେଲା ବୋହୂଟି ବିଲ ଦେଖିଥିଲେ ବିଲକୁ ବୀହନ ନେଇ ଯିବାସହ ତା ସ୍ବାମୀ ପାଇଁ ଖାଦ୍ୟ ଓ ପାଣିନେଇ ପହଞ୍ଚାଇ ପାରିବ । ଇତି ଗାଁ ଲୋକମାନଙ୍କ ଦ୍ବାରା ଅନୁସୃତ ଏହି ବ୍ୟବସ୍ଥା ବାସ୍ତବିକ ପ୍ରଶଂସନୀୟ । ସେହିପରି ଗଣେଶ୍ବରପୁର ର କଥା ଶୁଣ ।

ଗଣେଶ୍ବରପୁର ଗାଁ ଟି ଗୋଟିଏ ଛୋଟ ଭୂୟାଁ ଗାଁ ଟିଏ । ସେଠାରେ ଥିବା ଭୂୟାଁମାନଙ୍କ ଜଙ୍ଗଲ ସହ ଥିବା ଆତ୍ମିକ ସମ୍ପର୍କକୁ ନେଇ ଗାଁ ନିକଟରେ ଥିବା ଏକ ପାହାଡକୁ ନେଇଥିବା ଲୋକକଥା ଅନୁଯାୟୀ ପ୍ରାୟ ୧୨୦ ବର୍ଷ ତଳେ ଗାଁକୁ ଗଣେଶ୍ବର ଦେହୁରୀ ନାମକ ଜଣେ ଭୂୟାଁ ଲୋକ ଆସିଥିଲେ ତାଙ୍କ ନାମାନୁସାରେ ଗ୍ରାମର ନାମ ଗଣେଶ୍ବରପୁର ରଖାଯାଇଛି । ଗାଁ ଲୋକମାନଙ୍କ କହିବାନୁସାରେ ପୁରାକାଳରେ କିଛି ଋଷି ଏହି ପାହାଡରେ ରହିବା ପାଇଁ ବଡାମଦେବତାଙ୍କୁ ପ୍ରାର୍ଥନା କଲେ । ବଡାମ ଦେବତା ନିର୍ଦ୍ଦେଶ ଦେଲେ ଯଦି ଗୋଟିଏ ରାତି ମଧ୍ୟରେ ସେମାନେ ମନ୍ଦିରଟିଏ ତୋଳିପାରିବେ ତେବେ ରୁଷିମାନେ ସେହି ପାହାଡରେ ଅବସ୍ଥାନ କରିବେ । ସେହି ଅନୁଯାୟୀ ରୁଷିମାନେ ମନ୍ଦିର ତିଆରି କରିବାରେ ଲାଗିପଡିଲେ କିନ୍ତୁ ରାତି ପାହିଗଲା କିନ୍ତୁ ମନ୍ଦିର ତିଆରି ସରିଲା ନାହିଁ । ତେଣୁ ରୁଷିମାନେ ସେ ସ୍ଥାନ ପରିତ୍ୟାଗ କଲେ କିନ୍ତୁ ସେମାନେ ତିଆରି କରିଥିବା ଅର୍ଦ୍ଧନିର୍ମିତ ମନ୍ଦିର ଏବେ ମଧ୍ୟ ପାହାଡର ଅଗ୍ରଭାଗରେ ଅଛି । ଯେଉଁ ବର୍ଷ ବର୍ଷାର ପରିମାଣ କମ ହୁଏ ସେହିବର୍ଷ ମନ୍ଦିରର ପଥର କବାଟ ଆପେ ଆପେ ଖୋଲିଯାଏ । ସେହି ବର୍ଷ ଜଙ୍ଗଲରେ ପୂର୍ବ ବର୍ଷଠାରୁ ତିନିଗୁଣା ଅଧିକ ଜଙ୍ଗଲ ଖାଦ୍ୟ ଲୋକମାନେ ଜଙ୍ଗଲରୁ ପାଇଥାନ୍ତି ।

ବାରିକ ଦାଦା ଆଉ କିଛି କହିବା ପୂର୍ବରୁ ମନ୍ମଥ କହିଲା ଦାଦା ଆଜି ପାଇଁ କଥା ଏହିଠାରେ ରହୁ । ସୂର୍ଯ୍ୟ ଦେବତା ଅସ୍ତ ଗଲେଣି । ଚାଲ ଘରକୁ ଯିବା । ଚିନାମାଳୀ କହିଲା ହଁ ଚାଲ ଯିବା । ହଁ ଦାଦା ଆଜି ରାତିରେ ଆଈ ଘରକୁ ଆସିବ ନା । ସେଠି ଆଉ କିଛି ଗାଁ ର କଥା କୁହନ୍ତ । ବାରିକ ଦାଦା କହିଲେ ହଉ ଚାଲ ଯିବା । ରାତିରେ ଆଉ କିଛି ଗାଁ ର କଥା ତୁମମାନଙ୍କୁ କହିବି । ହଁ ମନ୍ମଥ ତୁ ମଧ୍ୟ ସେଠାକୁ ଆସିବୁ । ଏହାପରେ ସମସ୍ତେ ଗାଁ ମୁହାଁ ହେଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.