• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୫)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଡିସେମ୍ବର ୨୦୨୩

ସେଦିନ ରାତିରେ ବୋଉ ଦୁଆରେ ରୋଷେଇ କରୁଥାଏ। ମୁଁ ପାଖରେ ଵସିଥାଏ। ବାଆ ଆସି ଚୁଲି ପାଖରେ ବସି ପଡ଼ି କହିଲା ଆଲୋ ଚିନାମାଳୀ ମା ଶୁଣଗୋ କାଲି ସକାଳୁ ସକାଳୁ ଆମେ ତଳବରଡ଼ା ଜିମୁଁ। ସବୁ ଭାଇଆ ଲୋକମାନଙ୍କୁ କହି କରି ଆସିଲିଣି। କାଲି ଯାଇ ଚିନାମାଳୀ ର ବିହାଘର କଥା ଟାକୁ ପକା କରି ଆସିବି। କାଲି ସକାଳେ ଭାଇଆ ଓ କୁଣିଆଁ ମାନଙ୍କ ପାଇଁ ଭାତ ତୁଅଣ କରିଦେବୁ। ଆଜି ରାତିରେ ମାଣ୍ଡିଆ ପିଠା, ଆରିସା କାକରା କରିଦିଅ। କାଲି ଆମେ ତାକୁ ନେଇ ପୁଅ ଘରକୁ ଜିମୁଁ। ମା ତାର କାମରେ ଲାଗିପଡିଲା ଆଉ ମୁଁ ବାଆକୁ ଖାଇବାକୁ ଦେଇ ମାଣ୍ଡିଆ ପିଠା ତିଆରି କରିବା ପାଇଁ ବୋଉକୁ କାମରେ ସାହାର୍ଯ୍ୟ କଲି। ତାପର ଦିନ ବୋଉ ମୋତେ ଭୋରୁ ଭୋରୁ ଡାକି କରି କହିଲା ଆଲୋ ଚିନା ଯା କାମ ସାରି ଗ୍ରାମଶ୍ରୀ ପାଖରେ ଭୋଗ ଲାଗିବ ଦେହୁରୀ ଙ୍କୁ ଭୋଗ ଦେଇ କରି ଆସିବୁ। ତାଙ୍କୁ ବାଆ କାଲି କହିଛନ୍ତି। ଗ୍ରାମଶ୍ରୀ ଙ୍କ ପାଖରେ ପୂଜା ସାରି ମୁଁ ଆସିଲା ବେଳକୁ କୁଣିଆଁ ଓ ଭାଇଆ ମାନେ ଆସି ପହଞ୍ଚି ଯାଇଥିଲେ। ସମସ୍ତେ ଖାଇପିଇ ତଳବରଡା ବାହାରିଗଲେ। ମୁଁ ଚମ୍ପା ଘର ଆଡ଼େ ବାହାରି ପଡ଼ିଲି। ରାସ୍ତାରେ ଠିକ କାମିନୀ ଆଈ ଘର ପାଖରେ ଚମ୍ପା ଦେଖା ହେଲା। ସେ ଆମ ଘରକୁ ଆସୁଥିଲା। ସାଙ୍ଗ ହୋଇ ଆମେ ଦୁଇଜଣ ଜଙ୍ଗଲ ଆଡ଼େ ଚାଲିଲୁ।

ଜଙ୍ଗଲରେ ପହଞ୍ଚି ଶାଗ ତୋଳି ସାରିବା ପରେ ଝରଣା ଆଡେ ବାହାରିଲୁ। ବାଟରେ ଚମ୍ପା କହିଲା ବୁଝିଲୁ ଆଜି ସିଏ ଆସିଛି। ସିଏ କିଏ କିଲୋ ବୋଲି ପଚାରିବାରୁ ସେ ମୋତେ ଚିମୁଟି ଦେଇ କହିଲା ଜମା ଜାଣିନୁ ଯେପରି। ଛୋପରେଇ ହେଉଛି। ହଉ ଝରଣା ପାଖକୁ ଚାଲେ। ଜାଣିବୁ କିଏ ଆସିଛି। ତାପରେ ଆମେ ସାଙ୍ଗ ହୋଇ ଚାଲିଲୁ ଝରଣା ଆଡ଼େ। ଝରଣା ନିକଟରେ ପହଞ୍ଚି ମୁଁ ଦେବକୁ ଦେଖି ପଚାରିଲି କଣ ଦେବ କେବେ ଆସିଛ? କଣ ଗାଁ ରେ ମନ ଲାଗୁନି କି? ହଁ ଚମ୍ପା ଠି ତ ମନ ଫେବିକଲ ଅଠା ରେ ପେଷ୍ଟ ହୋଇ ଯାଇଛି। କେବେ ତାକୁ ତୁମ ଘରକୁ ନଉଛ। ଭାରି ହଇରାଣ ହେଉଛି ବିଚରା। ଏତେ ଗୁଡ଼ାଏ ପ୍ରଶ୍ନ ରେ ହଡବଡେଇ ଯାଇଥିବା ଦେବ କୁନ୍ତୁକୁନ୍ତୁ ହୋଇ କହିଲା ନାଇଁ ମ ଦିଦି ଅପା ଡାକିଥିଲା। କଣ ଗୋଟାଏ କାମ ଅଛି। ପିଇସା ଯାଇଥିଲେ ଆମ ଗାଁ କୁ। କଣ ଗୋଟାଏ ପୀଢ଼ ମିଟିଂ ଥିଲା। ତାଙ୍କ ସହିତ କାଲି ରାତିରେ ଆସିଛି। ହଁ ବାହାଘର ବିଷୟରେ ବାପା ଏହାରି ଭିତରେ ଆସିବେ। ଚମ୍ପା ବାପା ଙ୍କ ସହିତ କଥା ହେବା ପାଇଁ। ଏହା ଶୁଣି ଚିନାମାଳୀ ପଚାରିଲା ଆଛା ଦେବ ତୁମ ବାରକୋଟ ରେ ଯେଉଁ ପାଉଡି ଭୂୟାଁ ମାନେ ରହୁଛନ୍ତି ସେମାନେ କେତୋଟି ପୀଢ଼ ଅଧିନରେ ଆସୁଛନ୍ତି। ମୋ ପ୍ରଶ୍ନ ର ଉତ୍ତର ରେ ଦେବ କହିଲା ଆମର ସେଠି ଦୁଇଟି ପୀଢ଼ ଥିଲା। ଏବେ କିନ୍ତୁ ଦୁଇଟା ଯାକ ମିଶି ଗୋଟିଏ ପୀଢ଼ କରାଯାଇଛି। ତାର ନାମ ମା ରମ୍ଭା ଦେବୀ ପୀଢ଼। ଅରୁଣ ଭାଇ ତାର ସର୍ଦ୍ଦାର ଅଛନ୍ତି। ଆମ ଗାଁ ରେ ସେହି ପୀଢ଼ର ତିନି ଦିନିଆ ଆନ୍ତଃ ଜିଲ୍ଲା ପୀଢ଼ ବୈଠକ ଡକାଯାଇଥିଲା। ମୁଁ ତାହା କଥା ଶୁଣି ପଚାରିଲି ମିଟିଂ କୁ କେଉଁମାନେ ସବୁ ଆସିଥିଲେ ଓ କଣ ସବୁ ଆଲୋଚନା କରାଗଲା। ମୋ କଥା ର ଉତ୍ତର ରେ ଦେବ କହିଲା ସେ ପୀଢ଼ ବୈଠକ କୁ କେନ୍ଦୁଝର ର ବାଂଶପାଳ, ପାଳଲହଡ଼ା, ବଣାଇଁ ଓ ଆମ ବାରକୋଟ ର ପାଉଡି ଭୂୟାଁ ଭାଇମାନେ ସବୁ ଆସିଥିଲେ। ସମସ୍ତେ ଆସିଲା ବେଳେ ସଙ୍ଗରେ ତିନି ଦିନ ର ଖାଇବା ପାଇଁ ଚାଉଳ ଓ ଟଙ୍କା ଧରି ଆସିଥିଲେ। ଏହି ବୈଠକ ରେ ବିଭିନ୍ନ ଗାଁ ରେ ସମାଧାନ ନ ହୋଇ ପାରିଥିବା ବିବାଦର ଆଲୋଚନା ଓ ସମାଧାନ କରାଯାଇଥିଲା। ଏଥର ବୈଠକ ରେ ଜଙ୍ଗଲ କୁ ନେଇ ଥିବା ବିଭିନ୍ନ ପର୍ବପର୍ବାଣୀର ପୁନଃ ପ୍ରଚଳନ ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ଏହା ଶୁଣି ମୁଁ କହିଲି ଆଚ୍ଛା ତୁମେ ସବୁ ସେ ବୈଠକକୁ ଯାଇଥିଲ। ଦେବ ଚଟାପଟ କହିଲା ହଁ ଯାଇଥିଲୁ ଯେ ବହୁତ ଗାଳି ଶୁଣିଲୁ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଗାଳି କିଏ ଓ କାହିଁକି କଲା। ମୋ ପ୍ରଶ୍ନ ର ଉତ୍ତର ରେ ସେ କହିଲା ବଣାଇଁ ର ବିଲୁଆ ବବା, ବାରିକ ବବା, ଓ ଆମ ପୀଢର ଅରୁଣ ଦାଦା ଆମେ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଯାଇ ଥିବାରୁ ପାଟି କଲେ। ସେମାନେ କହିଲେ ଆମର ପ୍ରଥା ଅନୁସାରେ ସମସ୍ତେ ଧୋତି ପିନ୍ଧି ଆସିବା କଥା। ତୁମେ ଆଜି କାଲିର ପିଲାମାନେ ମାନୁନାହଁ। ଯାଅ ଏଇ ଗାଁ ର ପିଲାମାନେ ଧୋତି ପିନ୍ଧି କରି ଆସ। ଆମେ ଧୋତି ପିନ୍ଧି ଗଲା ପରେ ଆମକୁ ବୈଠକ ରେ ବସିବା ପାଇଁ ଅନୁମତି ଦେଲେ। ଏମିତି କଥା ହେଉ ହେଉ କେତେବେଳେ ସୂର୍ଯ୍ୟ ଦେବତା ବୁଡ଼ିବାକୁ ବସିଲେ ଜଣା ପଡ଼ିଲାନି।

ଜଙ୍ଗଲ ରୁ ଫେରି ଘରେ କଣ ଟିକେ କାମଦାମ ସାରି ସବୁ ଝିଅମାନେ କାମିନୀ ଆଈ ଘରେ ଏକାଠି ହୋଇଗଲୁ। ବିଷ୍ଣୁ ମାମୁଁ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଆସି ପହଞ୍ଚିଲେ। ତାପରେ କଥା ଆରମ୍ଭ କରି ମାମୁଁ କହିଲେ ଭୂୟାଁମାନଙ୍କ ଦେହୁରୀ ମନୋନୟନ କିପରି କରାଯାଏ ଏହା ତୁମମାନଙ୍କୁ ଆଜି କହିବି। ପ୍ରତି ଭୂୟାଁ ଗ୍ରାମରେ ପ୍ରଧାନଙ୍କ ସମେତ ପାଟ ଦେହୁରୀ ବା ଗ୍ରାମଶିରୀ ଦେହୁରୀ, ବଡାମ୍ ଦେହୁରୀ, ମା ବିଶ୍ରି ଦେହୁରୀ ଓ ଡାକୁଆ ଗ୍ରାମ ଲୋକମାନଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି। ଗାଁରେ ଘଟୁଥିବା ଛୋଟ ବଡ କଳିକଜିଆ ଗାଁରେ ବସି ଲୋକମାନେ ସମାଧାନ କରନ୍ତି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ମତାନ୍ତର ଓ ମନାନ୍ତର ସମାଧାନ ମଧ୍ୟ ଗାଁ ଲୋକମାନେ କରନ୍ତି। ମଦ୍ୟପାନ କରି ଗାଁରେ ଗଣ୍ଡଗୋଳ କରୁଥିବା ଲୋକମାନଙ୍କୁ ମଧ୍ୟ ଗ୍ରାମସଭାରେ ଆଲୋଚନା ପରେ ଦଣ୍ଡିତ କରାଯାଏ। ଦୋଷୀ ମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ। ତେବେ ଦୁଇବର୍ଷ ତଳେ ଗୋଟିଏ ଭୂୟାଁ ଗ୍ରାମରେ ବିଶ୍ରୀ ଦେହୁରୀ ମନୋନୟନ ପ୍ରକ୍ରିୟା ସମୟରେ ସେହି ଗ୍ରାମରେ ମୁଁ ଥିଲି।

ନିର୍ଦିଷ୍ଟ ଦିନ ଗାଁର ଜଣେ ଲୋକ ଉପବାସରେ ରହିଲେ। ତାଙ୍କୁ କାଳିସି ଲାଗିଲା। ସେ ଏକ ପାଣିଢାଳକୁ ଧରି ଗାଁ ଲୋକମାନଙ୍କ ସହ ଗ୍ରାମ ପରିକ୍ରମା କଲେ। ଏହି ବୁଲିବା ସମୟରେ କାଳସୀ ସେହି ଗ୍ରାମର ବାରିକ ଭାଇଙ୍କ ଘରକୁ ଯାଇ ପାଣିଢାଳି ତାଙ୍କୁ ଦେହୁରୀ ଦାୟିତ୍ବ ପ୍ରଦାନ କଲେ। ସେହିଦିନ ଗ୍ରାମସଭା ବସି ଛଅ ବର୍ଷପାଇଁ ତାଙ୍କୁ ବିଶ୍ରୀ ଦେହୁରୀ ଦାୟିତ୍ବ ପ୍ରଦାନ କରାଗଲା।ଏହାର କିଛିଦିନପରେ ଗାଁରେ ବିଶ୍ରୀ ଓଷାକାର୍ଯ୍ୟ ରେ ସେ ଦେହୁରୀ କାର୍ଯ୍ୟ ନିର୍ବାହ କଲେ। ଏଠାରେ କହି ରଖିବି ଯେ ସମ୍ମାନନୀୟ ବାରିକ ବେହେରା ମହୋଦୟ ଭୌମ୍ୟସମାଜ ନାମକ ଏକ ପାରମ୍ପରିକ ଭୂୟାଁ ସଂଗଠନର ସଭାପତି ଅଛନ୍ତି। ଦେହୁରୀମାନେ ମୂଖ୍ୟତଃ ପୂଜାକାର୍ଯ୍ୟ କରନ୍ତି। ମହିଳାମାନଙ୍କୁ ଦେହୁରୀ ରହିବାକୁ ବାରଣ କରାଯାଏ। ହଉ ତେବେ ଆଜି ପାଇଁ କଥାକୁ ଏଇଠି ରଖିବା। ରାତ୍ରି ବହୁତ ହେଲାଣି। ଏହାପରେ ସମସ୍ତେ ଶୋଇବାକୁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.