• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ-୫)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଫେବୃଆରୀ ୨୦୨୩

ସେ ଦିନ ସକାଳେ ବାପା ବିଲକୁ ହଳ ନେଇ ଯିବାପରେ ଚିନାମାଳୀ ସାଥୀ ଝିଅମାନଙ୍କ ସହ ଜଙ୍ଗଲକୁ ଛତୁଓ ଶାଗ ଆଣିବା ପାଇଁ ବାହାରିଗଲା। ଚମ୍ପା, ମାଳତୀ, ସେବତୀ ଓ ଅନେକ ସାଙ୍ଗ ମାନେ କଥା ହୋଇ ଜଙ୍ଗଲ ଆଡ଼କୁ ଯାଉଥିଲେ। ରାସ୍ତାରେ ଗାଁ ର ଦୁଇଜଣ ଧାଙ୍ଗଡା ହାଣ୍ଡିଆ ପିଇ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରୁଥିଲେ। ଝିଅମାନଙ୍କୁ ଦେଖି ସେମାନେ ତାଙ୍କ ଆଡ଼କୁ ଦୈାଡି ଆସିଲେ। ଜଣେ ଧାଙ୍ଗଡା ଗୋଟିଏ ଝିଅର ଓଢ଼ଣାକୁ ଧରି ଟଣା ଓଟରା କରିବାରୁ ଅନ୍ୟ ଝିଅମାନେ ବହୁତ ଜୋରରେ ପାଟିକରି ସାହାର୍ଯ୍ୟ ମାଗିବା ସହ ସେହି ଯୁବକ ଦ୍ବୟ ଙ୍କୁ ପ୍ରତିରୋଧ କରିବାକୁ ଲାଗିଲେ। ଏହି ସମୟରେ ଦେବଦୂତ ଭଳି ମନ୍ମଥ ସେଠାରେ ପହଞ୍ଚି ନିଶାସକ୍ତ ଯୁବକ ଦୁଇଜଣଙ୍କ କବଳରୁ ସେହି ଝିଅକୁ ଉଦ୍ଧାର କରିବା ସହ ସେମାନଙ୍କୁ ତାଗିଦ୍ କରି ଗାଁ କୁ ପଠାଇ ଦେଲା। ସେତେବେଳକୁ ଗାଁ ଲୋକମାନେ ଜମା ହୋଇଯାଇଥିଲେ। ସମସ୍ତେ ସେମାନଙ୍କୁ ଗାଳି ଦେଲେ ଏବଂ ରାତିରେ ଏ କଥା ଦରବାର ଘରେ ସମସ୍ତେ ବସି ଆଲୋଚନା କରିବାର କାର୍ଯ୍ୟକ୍ରମ ରଖିଲେ।ତା ପରେ ଝିଅମାନଙ୍କ ସହ ମନ୍ମଥ ଜଙ୍ଗଲ ମୁହାଁ ହେଲା।

ଜଙ୍ଗଲ ରେ ପହଞ୍ଚି ଛତୁ ଓ ଶାଗ ତୋଳି ସାରିବା ପରେ ସମସ୍ତେ ଝରଣା ଆଡ଼କୁ ମୁହାଁଇଲେ । ସାଙ୍ଗରେ ଆଣିଥିବା ଚାରକୋଳିକୁ ସବୁ ଝିଅମାନଙ୍କୁ ବାଣ୍ଟିକରି ଦେବାପରେ ମନ୍ମଥ ଗୋଟିଏ ବଡ଼ ପଥର ଉପରେ ବସି କଥା ଆରମ୍ଭ କଲା । ଆଲୋ ଚିନାମାଳୀ ତତେ ମୁଁ କାଲି କହିଥିଲି ଆଜି ଆମ ଗାଁ ଓ ପୀଢ ବିଷୟରେ କହିବାକୁ। ଯାହାହେଉ ଅନ୍ୟ ଝିଅମାନେ ମଧ୍ୟ ଅଛନ୍ତି। ସମସ୍ତେ ମନ ଦେଇ ଶୁଣ।

ସାଧାରଣତଃ ଭୂୟାଁମାନେ ଏକତ୍ର ରହିବାକୁ ପସନ୍ଦ କରନ୍ତି, ଏଣୁ ସେମାନେ ପାହାଡିଆ, ସମତଳ ଅଞ୍ଚଳ ଓ ଝରଣା କୂଳରେ ବାସ କରନ୍ତି । ସମତଳି ଭୂୟାଁମାନେ, ହିନ୍ଦୁ ରୀତିନୀତି ଅନୁସରଣ କରିଥାନ୍ତି, ଯଥା ଧୋବା, ଭଣ୍ଡାରୀ ସେବା ଥାଏ । କିନ୍ତୁ ପାଉଡି ଭୂୟାଁମାନଙ୍କର ସେସବୁ ନଥାଏ ।  ପ୍ରତ୍ୟେକ ଭୂୟାଁ ଗାଁ ମଝିରେ ଓସାରିଆ ଦାଣ୍ଡଥାଏ ଓ ଗାଁ ର ଘରଗୁଡିକ ଦୁଇ ସାହାଡା ବା ଦୁଇଧାଡିରେ ଥାଏ । ଘରଗୁଡିକ ପୃଥକ ୨ ଭାବରେ ଚାଳକୁ ଚାଳ ନଲାଗିଲା ଭଳି ତିଆରି କରାଯାଇଥାଏ । ସେମାନେ ସାଧାରଣତଃ କୁଡିଆ ଭଳି ଛୋଟ ଘର ତିଆରି କରିଥାନ୍ତି । ଘରର କାନ୍ଥ ଗୁଡିକ କାଠପୋତାହୋଇ ଭିତର ଓ ବାହାରପଟୁ ମାଟି ଲେସା ହେବା ପରେ ରଙ୍ଗିନ୍ ମାଟି (କେଲମାଟି , ଭୁୟାଁ ମାନଙ୍କ ଭାଷାରେ) ଯଥା ନାଲି, କଳା ଓ ଧଳା ମାଟିରେ ଭୂୟାଁ ସ୍ରୀଲୋକମାନେ ଲିପିଥାନ୍ତି । ଘର ଭିତରେ ବା ଗୋଟିଏ କଡ଼କୁ ଗାଇ ଛେଳି ରହିବା ପାଇଁ ଗୁହାଳ ଘରଟିଏ କରିଥାନ୍ତି । ଘରଭିତର ଛାତକୁ କାଠରେ ଆଚ୍ଛାଦିତ କରିଥାନ୍ତି।

ସବୁ ଭୂୟାଁ ଗାଁମାନଙ୍କରେ ଏକ ପାରମ୍ପାରିକ ଗ୍ରାମ ସଙ୍ଗଠନ ବା ଗାଁ ପରିଷଦ ଥାଏ ଯେଉଁଥିରେ ଗ୍ରାମର ସମସ୍ତ ସାବାଳକ ସଭ୍ୟ ରହନ୍ତି । ଗାଁ ରେ ଥିବା ଦରବାର ଘର ଭୁୟାଁମାନଙ୍କ ଅସ୍ମିତା କହିଲେ ଅତ୍ୟୁକ୍ତି ହେବନି । ଗାଁରେ ନ୍ୟାୟନିଶାପ, ପୂଜାପର୍ବାଣି ଓ ଚାଷକାର୍ଯ୍ୟ ସଂମ୍ପର୍କିତ ସାମୁହିକ ଆଲୋଚନା ଓ ସିଦ୍ଧାନ୍ତ ଗଣତାନ୍ତ୍ରିକ ପଦ୍ଧତିରେ କିମ୍ବା ସର୍ବସମ୍ମତିକ୍ରମେ ଏହିଠାରେ ବସି ସ୍ଥିର କରିଥାନ୍ତି । ଗାଁର ମୁଖିଆ ବା ପ୍ରଧାନଙ୍କ ଘର ନିକଟବର୍ତ୍ତୀ ଝଙ୍କାଳିଆ ଛାୟାପ୍ରଦ ଗଛ ତଳେ ଏହି ଦରବାର ଘର ତିଆରି ହୋଇଥାଏ । ଗାଁ ରେ ମଧ୍ୟ ଏକ ବିଶ୍ରୀ କୋଠି ଥାଏ। ଗାଁ କୁ ଆସୁଥିବା ଅତିଥି ଓ ଧାଙ୍ଗଡା ମାନେ ଏହି ଘରେ ରାତିରେ ବିଶ୍ରାମ ନିଅନ୍ତି। ଗାଁର ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଜଣେ ପ୍ରଧାନ, ଜଣେ ଡାକୁଆ, ତିନିଜଣ (ବଡାମ ଦେହୁରୀ, ବିଶ୍ରୀ ଦେହୁରୀ ଓ ଗ୍ରାମଶ୍ରୀ ଦେହୁରୀ) ଦେହୁରୀ ଥାନ୍ତି। ଗ୍ରାମର ପ୍ରଧାନ ବଂଶାନୁକ୍ରମେ ଭାବେ କାର୍ଯ୍ୟ କରୁଥିବା ବେଳେ ଦେହୁରୀ ଓ ଡାକୁଆମାନେ ଲୋକମାନଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି। କେତେକ ଗ୍ରାମରେ ଏକ ପୂଜା ପରେ ଗାଁ ର ଜଣକୁ କାଳସୀ ଲାଗେ ଏବଂ ସେ ଏକ ବେତ ଧରି ଗାଁ ଲୋକଙ୍କ ସହ ଗ୍ରାମ ପରିକ୍ରମା କରେ ସେହି ସମୟରେ ସେ ଯାହାଙ୍କ ଦେହରେ ବେତକୁ ଛୁଆଁଏ ସେ ତିନି ବର୍ଷ ପାଇଁ ଗ୍ରାମ ର ଦେହୁରୀ ହୁଅନ୍ତି । ଅନ୍ୟ ଆଦିବାସୀ ସଂପ୍ରଦାୟ ମାନଙ୍କ ଭଳି ପାଉଡି ଭୂୟାଁ ଜନଜାତିର ଲୋକେ ସାମୁହିକ ଭାବରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରନ୍ତି। ତେଣୁ ବିଶ୍ରୀ, ବଡାମ, କରମା, କାଦବଳି, ଆଷାଢୀ, ନୁଆଖିଆ ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଳନ ର ଅବ୍ୟବହିତ ପୂର୍ବରୁ ଗାଁ ର ଦରବାରରେ ଏକାଠି ହୋଇ କେଉଁ ଦିନ ଓଷା କରାଯିବ, କିଏ କେଉଁ ଦାୟିତ୍ଵ ନିର୍ବାହ କରିବ ଓ ଚାନ୍ଦା କିଏ ଆଦାୟ କରିବ ଏହାର ଆଲୋଚନା କରନ୍ତି। ଗାଁ ର ଡାକୁଆ ବୈଠକ ପୂର୍ବରୁ ବଡ଼ ପାଟିରେ ଡ଼ାକ ଦେଇ ସମସ୍ତଙ୍କୁ ଦରବାର ଘରେ ଏକତ୍ରିତ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦିଅନ୍ତି। ଏହି ବୈଠକରେ ପାଟ ଦେହୁରୀ ସଭାପତିତ୍ବ କରନ୍ତି। କମାଣ କାଟି ଚାଷ କରିବା ପୂର୍ବରୁ ଆହୂତ ବୈଠକରେ ଓ ନ୍ୟାୟନିଶାପ ବୈଠକ ରେ ଗାଁ ର ପ୍ରଧାନ ସଭାପତିତ୍ବ କରନ୍ତି। କୋୖଣସି ବାଦବିବାଦ ର ସମାଧାନ ଗାଁ ବୈଠକ ରେ ନହୋଇ ପାରିଲେ ତାହାର ସମାଧାନ ପୀଢ ବୈଠକ ହୋଇଥାଏ।

ଦରବାରଘର ସମ୍ମୁଖରେ ଅତି ପ୍ରଶସ୍ତ ନୃତ୍ୟଭୂମି,ପଟାଭାଡି (ବଡବଡ କାଠଗଣ୍ଡି ଦ୍ବାରା) ଥାଏ । ଦରବାରଘର ସମ୍ମୁଖରେ ଦିନରାତି ଅଖଣ୍ଡ ଧୂନି ଜଳୁଥାଏ । ଏଥିପାଇଁ କାଠଯୋଗାଇବାର ଦାୟିତ୍ବ ଭୂୟାଁ ଧାଙ୍ଗଡାମାନଙ୍କ ଉପରେ ନ୍ୟସ୍ତଥାଏ । ଦିନର ସମସ୍ତ କାର୍ଯ୍ୟସାରିବାପରେ ଧାଙ୍ଗଡାଧାଙ୍ଗିଡୀମାନେ ଅଣ୍ଟାରେ ହାତକୁ ହାତ ଛନ୍ଦି ଦଳଗତଭାବେ ନୃତ୍ୟକରିଥାନ୍ତି । ଯୁବକମାନେ ଚାଙ୍ଗୁ ବଜାଇଥାନ୍ତି। ସେମାନେ ବିଭିନ୍ନ ପଶୁପକ୍ଷୀଙ୍କୁ ଅନୁସରଣକରି ଯଥା ସାପ ପାଳି, ମିରିଗ ପାଳି, ଭାଲୁ ପାଳି, ବାଘ ପାଳି, ମୟୁରପାଳି ନୃତ୍ୟ କରିଥାନ୍ତି । ଭୂୟାଁ ମାନଙ୍କ ଚାଙ୍ଗୁ ନୃତ୍ୟକୁ ଦେଖିବାପରେ ଆମ ରାଇଜର ଜଣେ କବି (କବିବର ରାଧାନାଥ ରାୟ ତାଙ୍କର ପାର୍ବତୀ କାବ୍ୟରେ) ଲେଖିଛନ୍ତି

“ଆଦ୍ୟ ଆବିର୍ଭାବ ଅଗ୍ନିଦେବଙ୍କର
ଘଟିଥିବ ମେଘାସନେ,
ରଶ୍ମିରେଖା ତହୁଁ ଧାଇଁ ଆସିଥିବ
ପଲକେ ଗନ୍ଧମାର୍ଦନେ,
ଦଣ୍ଡଦେବୀ ଅଧିଷ୍ଠିତ ସେଇ ଶୈଳେ
ଶାଳ କାଷ୍ଠ କରି ଗଦା,
ଅନଳ ଲଗାଇ ହୋଇଥିବେ ମତ୍ତ
ସଂଗୀତେ ଭୂୟାଁ ପ୍ରମଦା ।”

ଏହି ଦରବାର ଘର ସମ୍ମୁଖରେ ଏକ କାଷ୍ଠ ଖୁଣ୍ଟ ପୋତାଯାଇଥାଏ । ତାହାକୁ ଗାଁ ଶିରୀ ଖୁଣ୍ଟ କହନ୍ତି । ପର୍ବପର୍ବାଣିମାନଙ୍କରେ ପିଠଉକନା ସହ ଏହାଉପରେ, ବାଉଁଶ, ଛତା ବାନ୍ଧି ଦିଆଯାଏ । ଏହାକୁ ଠାକୁରାଣୀ ଛତ୍ର କୁହାଯାଏ । ଏହି ଗାଁ ଶିରୀଖୁଣ୍ଟକୁ ପ୍ରତି ଦଶ ବର୍ଷରେ ବଦଳାଯାଇଥାଏ । ଏକ ବିଶେଷ ପୂଜାର୍ଚନାପରେ ଜଙ୍ଗଲରୁ ଆଣିଥିବା ଶାଳକାଠର ଖୁଣ୍ଟକୁ ଗାଁର ଦେହୁରୀ ଦରବାର ଘର ସମ୍ମୁଖରେ ପୋତିଥାନ୍ତି ।

କେତେଗୁଡିଏ ଭୂୟାଁ ଗାଁକୁ ନେଇ ଗୋଟିଏ ଭୂୟାଁପୀଢ ଓ କେତେଗୁଡିଏ ପୀଢକୁ ନେଇ ଗୋଟିଏ ମହାପୀଢ ଗଠନ କରାଯାଇଥାଏ । ଭୂୟାଁପୀଢର ମୂଖ୍ୟ ଙ୍କୁ ସର୍ଦ୍ଦାର ଓ ମହାପୀଢର ମୂଖ୍ୟ ଙ୍କୁ ମହାସର୍ଦ୍ଦାର କୁହାଯାଏ। ପୀଢବୈଠକରେ ସର୍ଦ୍ଦାର ଓ ମହାପୀଢ ବୈଠକରେ ମହାସର୍ଦ୍ଦାର ସଭାପତିତ୍ବ କରନ୍ତି । ସର୍ଦ୍ଦାର ଓ ମହାସର୍ଦ୍ଦାରଙ୍କ ଅନୁପସ୍ଥିତିରେ ନାଏକ ଓ ମହାନାଏକ ସଭାପତିତ୍ବ କରନ୍ତି । ପୀଢ ବୈଠକରେ ଗ୍ରାମରୁ କେଉଁମାନେ ଯୋଗଦେବେ ତାହା ପୀଢ ବୈଠକର ପୂର୍ବରୁ ଗାଁରେ ଗାଁ ପ୍ରଧାନଙ୍କ (ଗ୍ରାମର ପରମ୍ପରିକ ମୂଖ୍ୟ) ସଭାପତିତ୍ବରେ ଗାଁ ବୈଠକ ବସି ସ୍ଥିର କରାଯାଏ । ପୁରୁଷ ଓ ମହିଳାଙ୍କୁ ସଭ୍ୟ ମନୋନୟନ ପ୍ରକ୍ରିୟାରେ ସମାନ ଗୁରୁତ୍ବ ଦିଆଯାଏ । ମନୋନୀତ ସଭ୍ୟସଭ୍ୟାଙ୍କ ବ୍ୟତିତ ଅନ୍ୟ କେହି ଚାହିଁଲେ ଯୋଗ ଦେଇ ଦିଅନ୍ତି । ପୀଢ ବୈଠକ ପାଇଁ ଗାଁର ପ୍ରତ୍ୟେକ ଘରୁ ସଂଗ୍ରହ କରାଯାଇଥିବା ଚାଉଳ ଓ ଟଙ୍କା ମନୋନୀତ ସଭ୍ୟମାନଂକ ହାତରେ ପୀଢ/ମହାପୀଢ ବୈଠକକୁପଠାଯାଏ ।

ପୀଢ ବୈଠକରେ ସର୍ବପ୍ରଥମେ ପୂର୍ବ ବୈଠକର ବିବରଣୀ, ଆୟବ୍ୟୟ ହିସାବ ଉପସ୍ଥାପନ କରାଯାଏ । ଏହାପରେ ପୀଢକୁ ଲିଖିତ ବା ମୌଖିକ ଭାବେ କରିଥିବା ଅଭିଯୋଗଗୁଡିକଉପରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଏ । ପୀଢରେ ଉପସ୍ଥିତ ସଭ୍ୟମାନଙ୍କର ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ସମ୍ମୁଖରେ ନିଜର ଭୂଲ ସ୍ବିକାର କରେ ଓ ତାକୁ ସ୍ବଳ୍ପ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ । ଅଭିଯୋଗକାରୀ ଓ ତାର ପ୍ରତିପକ୍ଷ ସଭାରେ ପରସ୍ପରର ହାତକୁ ଧରି ନିଜ ମୁଣ୍ଡରେ ମାରି ନମସ୍କାର କରନ୍ତି ।  ନମସ୍କାର କରିବା ବେଳେ ସାଧାରଣତଃ ଭୂୟାଁମାନେ ଜୁହାରବୋ କହନ୍ତି । ଏହାପରେ ଗାଁ ବୈଠକରେ ସମାଧାନ ନହୋଇପାରିଥିବା ବିଷୟର ଆଲୋଚନା କରାଯାଏ । ତାପରେ ପୀଢ ଅଧିନରେ ଥିବା ଗାଁ ମାନଙ୍କରେ ପରମ୍ପରା ଓ ସଂସ୍କୃତିର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଏ । ଅନ୍ୟ ସମ୍ପ୍ରଦାୟର ଲୋକ ଅନୁମତି ନେଇ ବୈଠକରେ ଜଣେ ଶ୍ରୋତା ହିସାବରେ ବସି ପାରିବେ। ପୀଢ ଭଳି ମହାପୀଢ ବୈଠକ ମଧ୍ୟ ଲୋକଙ୍କର ସହଭାଗିତା ରେ ହେବା ସହ ପୀଢରେ ସମାଧାନ ନହୋଇପାରିଥିବା ଉପରୋକ୍ତ ବିଷୟମାନ ମହାପୀଢ ବୈଠକରେ ଆଲୋଚନା କରାଯାଏ । ପରମ୍ପରା ଓ ସଂସ୍କୃତିର ଅବକ୍ଷୟ ଭଳି ଗୁରୁତ୍ବପୂର୍ଣ ବିଷୟମାନ ମହାପୀଢ ବୈଠକରେ ଆଲୋଚନା କରାଯାଏ । ପୀଢ ଓ ମହାପୀଢର ପରବର୍ତ୍ତୀ ବୈଠକର ଦିନ ମଧ୍ୟ ପ୍ରତ୍ୟେକ ବୈଠକରେ ସ୍ଥିର କରାଯାଏ । ଏତିକି କହି ମନ୍ମଥ ଚିନାମାଳୀର ସାଙ୍ଗ ଚମ୍ପା ଆଡ଼କୁ ଚାହିଁ ପଚାରିଲା କ’ଣ କିଲୋ ଚମ୍ପା ଏ ସବୁ କଥା ଭଲ ଲାଗୁଛି ତ । ଚମ୍ପା ଚିନାମାଳୀ ଆଡ଼କୁ ମୁହଁ ବୁଲେଇ କହିଲା କିବୋ କେମନ୍ତ ଲାଗବା (କହୁନୁ ଲୋ ତତେ କେମିତି ଲାଗିଲା) । ହସିଦେଇ ଚିନାମାଳୀ କହିଲା ବହୁତ ଭଲୋ ଲାଗିଲା (ଆମମାନଙ୍କ କଥିତ ଭାଷାରେ ତାହା ମୋତେ ବହୁତ ଭଲ ଲାଗିଲା) । ମନ୍ମଥ ସେମାନଙ୍କ କଥା ଶୁଣି କହିଲା ହଉ ଚାଲ ଘରକୁ ଯିବା କାଲି ବୁଢାଖମଣର (ସୁନ୍ଦରଗଡ଼ ଜିଲ୍ଲାର ଡୁଲେଇସୁରା ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ଗାଁ) ଝରା ଭାଇ ଓ ବିଲୁଆ ଭାଇ ଆସିବେ ମୋ ନାନୀ ଘରକୁ। ତାଙ୍କ ଠାରୁ ଆମ ଜାତି ବିଷୟରେ ଅଧିକ ଜାଣିବା। ଏହା ଶୁଣି ସମସ୍ତେ ଉଠି ଗାଁ ମୁହାଁ ହେଲେ।

ପାଠକୀୟ ସୂଚନା (ଏ ଘଟଣାଟି ପାଉଡି ଭୂୟାଁ ଜନଜାତିର ନୁହେଁ ଏହା ସମତଳି ଭୂୟାଁ ମାନଙ୍କ ଗାଁ ରେ ନିକଟରେ ଘଟିଛି ଏବଂ ପାଉଡି ଭୂୟାଁ ଜନଜାତିର ଲୋକମାନେ ଏହି ଘଟଣା ର ସମାଧାନ କରିଛନ୍ତି।) – ନିକଟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ବ୍ଲକ ର ଶଲେଇକେନା ଗାଁ ର ୧୧ଟି ସନ୍ତାନ ର ଜନନୀ ଜାନକୀ କିଛି ସାମାଜିକ କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ଙ୍କ ପ୍ରରୋଚନାରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ବୟସ ଯଥାକ୍ରମେ ୫୭ ଓ ୩୭ ବର୍ଷ ହୋଇଥିବା ବେଳେ ସେମାନଙ୍କ ସବୁଠାରୁ ବଡ଼ ଝିଅ ର ବୟସ ୧୭ ବର୍ଷ ଓ ସାନର ବୟସ ୩୦ ଦିନ। ସ୍ତ୍ରୀ ଅସ୍ତ୍ରୋପଚାର କରିଥିବା ଜାଣିବା ପରେ ସ୍ବାମୀ ରବି ଦେହୁରୀ ତାକୁ ଘରୁ ତଡ଼ି ଦେବା ସହ ଘରକୁ ଆସିଲେ ଜିବନ ରୁ ମାରିଦେବା ର ଧମକ ଦେଇଥିଲେ। ବାଧ୍ୟ ହୋଇ ଜାନକୀ ନିଜର ଦଶଟି ପିଲାଙ୍କ ସହ ନିକଟସ୍ଥ ଆମ୍ବ ତୋଟା ରେ ୭୨ ଘଣ୍ଟା ଆଶ୍ରୟ ନେବା ଘଟଣା ଜିଲ୍ଲା ତଥା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଭୂୟାଁ ପୀଢର ସର୍ଦ୍ଦାର ଓ ଆଉ କିଛି ଭୂୟାଁ ନେତାମାନେ ରବିକୁ ଦେଖା କରି ସ୍ତ୍ରୀ କୁ ଘରୁ ତଡ଼ି ଦେବାର କାରଣ ପଚାରିବା ରୁ ସେ ଜାନକୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ରୁ ତା ହାତରୁ ପିତୃପୁରୁଷ ଖାଦ୍ୟ ଗ୍ରହଣ କରିବେ ନାହିଁ ଓ ସେ ଏହି ଘରେ ରହିଲେ ପିତୃପୁରୁଷ ଅସନ୍ତୁଷ୍ଟ ହେବେ ବୋଲି ତାକୁ ଘରୁ ବାହାର କରିଦେବା କଥା କହିବାରୁ ପୀଢର ନେତା ମାନେ ଏହିଭଳି କିଛି ପାରମ୍ପରିକ ବ୍ୟବସ୍ଥା ଭୂୟାଁ ମାନଙ୍କ ନାହିଁ ବୋଲି ବୁଝାଇ ଜାନକୀ କୁ ଘରକୁ ଆଣିବା ପାଇଁ ତାଗିଦ୍ କରି କହିଥିଲେ। ଗତ ରବିବାର ଦିନ ରବି ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଘରକୁ ଫେରାଇ ଆଣିଲା। ଏଠି ମନରେ ଏକ ପ୍ରଶ୍ନ ଆସେ ଜିଲ୍ଲା ରେ ଅନେକ ସାମାଜିକ ସଂଗଠନ ଭୂୟାଁ ମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଦେଶୀ ଓ ସରକାରୀ ଅନୁଦାନ ପାଇ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ସେମାନଙ୍କ ବିକାଶ ଯେ ହୋଇ ନାହିଁ ଏହି ଘଟଣା ତାର ଏକ ଜ୍ୱଳନ୍ତ ପ୍ରମାଣ ବୋଲି ଜିଲ୍ଲା ଲୋକ କହୁଛନ୍ତି । ଏ ଘଟଣା କୁ ନେଇ କିଛି ଭୂୟାଁ ସର୍ଦ୍ଦାର, ମହାସର୍ଦାର ଓ ନେତା ମାନଙ୍କୁ ଏ ଲେଖକ ଯୋଗାଯୋଗ କରି ପଚାରିବାରୁ ସେମାନେ ଉଦବେଗ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ମହାପୀଢ ବୈଠକ ଡକାଇ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଥିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.