• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ -୮)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅପ୍ରେଲ ୨୦୨୩

ସେଦିନ ରାତିରେ କାମିନୀ ଆଈଙ୍କ ଘରେ ଗାଁ ର ସବୁ ଧାଙ୍ଗଡୀ (ଅବିବାହିତା ଝିଅଙ୍କୁ ଭୂୟାଁ ମାନେ ଧାଙ୍ଗଡୀ କହନ୍ତି) ଏକାଠି ହୋଇଥିଲେ। ଚମ୍ପା କହିଲା ଆଲୋ ଆଈ ଆର ଗାଁ ର ଧାଙ୍ଗଡୀ ଟେ ବାଂଶପାଳ ର କାଦକଳା ର ଗୋଟିଏ ଧାଙ୍ଗଡା (ଅବିବାହିତ ପୁଅ କୁ ଧାଙ୍ଗଡା କହନ୍ତି) ସହ ପଳେଇଛି। ବୁଢ଼ୀ ତା କଥା ଶୁଣି କହିଲା ତା କଥା କଣ କହୁଛୁ । ତୁ ଭି ଆଉ ଅଳ୍ପ କିଛି ବର୍ଷ ପରେ ଗୋଟିଏ ଧାଙ୍ଗଡା ଖୋଜିବୁନି କି । ଚମ୍ପା ଲାଜେଇ ଯାଇ କହିଲା ଆଈ ତୁ ନା ବହୁତ ଖରାପ ଲୋକ । ଆଛା ଆଈ କହିଲୁ ତୋ ବିହାଘର (ବାହାଘର) କେମିତି ହୋଇଥିଲା । ତୋର ବାପା ଘରକୁ ପ୍ରସ୍ତାବ ନେଇ ଆସିଥିଲେ ନା ତୋର ଘଇତା ମାନେ ମୋ ବବା ତତେ ଉଠାଇ ଆଣିଥିଲେ । ବୁଢ଼ୀ ହସିଦେଇ କହିଲା କିରା କହିବା ଲୋ ନାତୁଣୀ ମାନେ । ତୁମର ବବାଟା (ଜେଜେ ବା ଅଜା) ବହୁତ ରସିକ ଥିଲା । ମୋତେ ଉଠେଇ ନେଇ ଯାଇ ଝିଙ୍କା ବିବାହ କରିଥିଲା । ସବୁ ଧାଙ୍ଗଡୀ ମାନେ ଏକ ସଙ୍ଗେ କହି ଉଠିଲେ । ସେଟା କି ରକମର ବିହାଘର ଲୋ ଆଈ । ଆମେ ତ ନାହିଁ ବୁଝି ପାରିବାର । ଆଈ କହିଲା ଆଲୋ ସେ ପ୍ରକାରର ବିବାହ ଆମ ଭୂୟାଁମାନଙ୍କ ଜାତିରେ ହୁଏ । ଆଜି ତୁମ ମାନଙ୍କୁ ସେସବୁ କଥା ବୁଝାଇ କହିବି ।

ସାଧାରଣତଃ ଭୂୟାଁ ପୁଅ ଓ ଝିଅମାନେ ଅନ୍ୟଗ୍ରାମରେ (ନିଜ ଗ୍ରାମକୁ ଛାଡି) ବିବାହ କରିବାକୁ ପସନ୍ଦ କରନ୍ତି । ଝିଅମାନେ ୧୬ବର୍ଷ ଓ ପୁଅମାନେ ୧୮ ବର୍ଷ ରୁ ୨୦ ବର୍ଷ ମଧ୍ୟରେ ବିବାହ କରିଥାନ୍ତି । ଭୂୟାଁ ଝିଅମାନେ ବିଳମ୍ବରେ ବିବାହ କରିବାକୁ ପସନ୍ଦ କରିନଥାନ୍ତି । ସାଧାରଣତଃ ଭୂୟାଁ ଯୁବକମାନଙ୍କ ମୁହଁରେ ଦାଢି ପ୍ରାୟ ନଥାଏ । ଝିଅମାନେ ଦାଢି ରଖିଥିବା ପୁଅମାନଙ୍କୁ ବୟସ୍କ ବୋଲି ଭାବନ୍ତି ଓ ଜିବନସାଥୀରୂପେ ଗ୍ରହଣ କରିବାକୁ ରାଜି ହୁଅନ୍ତି ନାହିଁ । ହିନ୍ଦୁମାନଙ୍କ ଭଳି ପାଉଡିଭୂୟାଁମାନଙ୍କ ମଧ୍ୟରେ ସମଗୋତ୍ରୀ ବିବାହକୁ ବାରଣ କରାଯାଇଥାଏ । ସେହି କାରଣରୁ ଗୋଟିଏ ଗ୍ରାମ ବା ପୀଢରେ ରହୁଥିବା ଯୁବକଯୁବତୀଙ୍କ ବିବାହ କରାଯାଇନଥାଏ । ବିବାହ ପରିପ୍ରେକ୍ଷିରେ ଦୁଇ ପ୍ରକାର ଗ୍ରାମ ବିଚାରକୁ ଆସେ । ପ୍ରଥମ ବନ୍ଧୁ ଗାଁ ଓ ଦ୍ବିତୀୟ ଅନ୍ୟଗ୍ରାମ । ଭୂୟାଁମାନଙ୍କ ମଧ୍ୟରେ ଛଅ ପ୍ରକାରର ବିବାହ ଦେଖିବାକୁମିଳେ । ୧ ଧରିପଳା ବିବାହ ୨ ଝିଙ୍କା ବା ଘିଂଚା ବିବାହ ୩ ଫୁଲଖୋସି ବିବାହ ୪ ମାଗି ବିବାହ ୫ ଆମ୍ବ ଲେସେରା ବିବାହ ୬ କାଦ ଲେସେରା ବିବାହ ।

ଧରିପଳା ବିବାହ
ବିବାହ ଯୋଗ୍ୟ ଭୂୟାଁ ଯୁବକ ପଡୋଶୀଗ୍ରାମରେ ଥିବା ବନ୍ଧୁ ଘରକୁ ଯାଏ । ସେଠାରେ ସେ କିଛିଦିନ ରହେ । ଏହି ରହଣିମଧ୍ୟରେ ସେ ତାର ଜୀବନସାଥୀ ଖୋଜେ । ଯଦି ସେ ତା ମନପସନ୍ଦର ଝିଅ ସେହି ଗାଁରେ ପାଏ ତେବେ ସେ ତାହା ସହିତ ଗୋପନରେ କଥାବାର୍ତ୍ତା କରିବା ଆରମ୍ଭ କରିଦିଏ । ସେ ଝିଅଟିର ଓଢଣୀ ବା ପଣତକୁ ଟାଣି ବା ତା ଊପରକୁ ଫୁଲଫିଙ୍ଗିକରି ଝିଅଟିକୁ ଆକର୍ଷିତ କରିବାକୁ ଚେଷ୍ଟାକରେ । ଏହିସବୁ କାର୍ଯ୍ୟ ବହୁ ଗୋପନରେ ଚାଲେ । ଯଦି ଝିଅଟି ରାଜି ହୁଏ ତେବେ ସେମାନଙ୍କର ପ୍ରେମ ଆଗକୁ ଆଗକୁ ବଢେ । ଏହିଭଳି ୩ ରୁ ୪ ଦିନ ଯିବାପରେ ଝିଅଟି ସେହି ପୁଅ ସହିତ ପଳାଇ ଯିବାର ନିଷ୍ପତି ନିଏ । ପୁଅଟି ଝିଅକୁ ତାର ନିଜ ଘରକୁ ନନେଇ ଜଣେ ବନ୍ଧୁଙ୍କ ଘରେ ରଖେ । ସେହି ସଂପର୍କିୟ ଜଣଙ୍କ ପୁଅର ଘରେ ଏହି ଖବର ଦିଅନ୍ତି । ଅନ୍ୟପକ୍ଷରେ ରେ ଝିଅର ଝିଅଟିର ବାପ, ମା ଓ ପରିବାରବର୍ଗ ଝିଅ କୁଆଡେ ଗଲାବୋଲି ପଡୋଶୀ ଗାଁ ମାନଙ୍କରେ ଖୋଜନ୍ତି । ଝିଅର ସନ୍ଧାନ ପାଇବାପରେ ସେହି ପୁଅଟିକୁ ଜାମାତାଭାବେ ଗ୍ରହଣ କରନ୍ତି । ଏହି ସମୟରେ ପୁଅଟିକୁ ସେମାନେ ପଚାରିଥାନ୍ତି ତୁ କାହିଁକି ଆମ ଝିଅକୁ ନେଇ ପଳାଇ ଆସିଲୁ । ତୁମେ ଯଦି ମନଦିଆନିଆ ହୋଇଥିଲ ଆମ ଘରେ କାହିଁକି କହିଲ ନାହିଁ ଇତ୍ୟାଦି । ପୁଅଟି ସମସ୍ତ କଥା ଶୁଣେ ଓ ତାର ଭାବି ଶଶୁରଙ୍କୁ ବୁଝାଇବାକୁ ଚେଷ୍ଟା କରେ । ଏହାପରେ ଝିଅର ବାପା ମା ତାଙ୍କ ଝିଅକୁ ପଚାରନ୍ତି ତୁ ଏହି ପୁଅକୁ ଭଲ ପାଇ ଆସିଛୁ ନା ଏ ପୁଅ ତୋତେ ଜୋର ଜବରଦସ୍ତ ଉଠାଇ ଆଣିଛି । ଝିଅଟି କହେ ସେ ତାର ଇଛାରେ ତାକୁ ଭଲପାଇ ଆସିଛି ବୋଲି । ବାପା ମା ପୁଣି ପଚାରନ୍ତି ତୁ ଏ ପୁଅକୁ ବିବାହ କଲେ ଖୁସି ରେ ରହିବୁକି । ସେ ଯଦି ହଁ କରେ ତେବେ ସେମାନେ ଝିଅଟିକୁ ତା ସହିତ ରହିବାକୁ ଛାଡିଦେଇ ପଳାନ୍ତି ଏବଂ ଉଭୟ ପରିବାର ମିଶି ବିବାହର ଆୟୋଜନ କରନ୍ତି ଏବଂ ଉଭୟ ସ୍ବାମୀ ଓ ସ୍ତ୍ରୀ ଭାବେ ସାମାଜିକ ସିକୃତି ପାଆନ୍ତି । ଧରିପଳା ବିବାହ ଅନ୍ୟଏକ ପ୍ରକାରରେ ମଧ୍ୟ ହୋଇଥାଏ ।

ଧରିପଳା ବିବାହ
ଗୋଟିଏ ଭୂୟାଁ ଗାଁର ଯୁବକମାନେ ଅନ୍ୟ ଏକ ବନ୍ଧୁ ଗାଁକୁୁ ଯାଆନ୍ତି ଓ ସେ ଗାଁର ଲୋକମାନେ ସେମାନଙ୍କୁ ଦରବାର ଘରେ ଆତିଥ୍ୟତା ପ୍ରଦାନ କରିଥାନ୍ତି । ସେହି ଗ୍ରାମର ଧାଙ୍ଗଡୀମାନେ (ଅବିବାହିତା ଝିଅମାନେ) ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥାନ୍ତି । ଯୁବକମାନେ ଖାଇସାରିବାପରେ ଦରବାର ଘର ସମ୍ମୁଖରେଥିବା ନୃତ୍ୟପ୍ରାଙ୍ଗଣକୁ ଯାଇ ସନ୍ଧ୍ୟାପର୍ଯ୍ୟନ୍ତ ଧାଙ୍ଗଡୀମାନଙ୍କସହ ନାଚିଥାନ୍ତି ।ସନ୍ଧ୍ୟାବେଳେ ଝିଅମାନେ ଏହି ଯୁବକମାନଙ୍କପାଇଁ ରାତ୍ରିଭୋଜନର ବ୍ୟବସ୍ଥା କରିଥାନ୍ତି । ରାତ୍ରିଭୋଜନପରେ ଯୁବକମାନେ ପୁଣି ଧାଙ୍ଗଡୀ ମାନଙ୍କ ସହ ବହୁରାତି ପର୍ଯ୍ୟନ୍ତ ବେଳେ ବେଳେ ରାତି ପାହିଲା ପର୍ଯ୍ୟନ୍ତ ନାଚିଥାନ୍ତି । ଏହି ଚାଙ୍ଗୁନୃତ୍ୟ ସମୟରେ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଗଢିଉଠେ । ଯୁବକଟି ତାର ମନର ପ୍ରେମ ଭାବନାକୁ ତାର ପ୍ରେମିକାକୁ ଫୁଲତୋଡା ଦେଇ ବ୍ୟକ୍ତ କରେ ଓ ଯୁବତୀଟି ତା ହୃଦୟର ପ୍ରଣୟଭାବକୁ କଅଁଳିଆ ମକାର ଅଗ୍ରଭାଗକୁ ଦେଇ ତାର ପ୍ରେମିକ ନିକଟରେ ପରିପ୍ରକାଶ କରିଥାଏ । ଏହାପରେ ଭୂୟାଁ ମାନଙ୍କ ଭାଷାରେ ଫୁଲମିତ ବସିବାପରେ ସେହି ଯୁବତୀଟିକୁ ଅନ୍ୟ କୌଣସି ଯୁବକ ପ୍ରେମ କରନ୍ତିନାହିଁ । ଏହିପରି ଚାରିପାଞ୍ଚ ଦିନ ପର୍ଯ୍ୟନ୍ତ ନୃତ୍ୟ ଲାଗିରହେ । ଶେଷଦିନ ଯୁବତୀମାନେ ଯୁବକମାନଙ୍କୁ ରାତ୍ରିଭୋଜନ ପାଇଁ ନିମତ୍ରଣ କରିଥାନ୍ତି ।ଏହିଭୋଜିରେ କୁକୁଡା ମରାଯାଇଥାଏ । ଚାଙ୍ଗୁ ନାଚ ରେ ଉଭୟ ଯୁବକ ଓ ଯୁବତୀମାନେ ମତ୍ତଥାନ୍ତି । ନାଚ ସରିବାପରେ ରାତ୍ରିଭୋଜନ ହୁଏ । ଏହି ରାତ୍ରିଭୋଜନରେ ଅତିଥି ଯୁବକମାନଙ୍କ ସହ ସେହି ଗ୍ରାମର କିଛି ଯୁବକଥାନ୍ତି ।

ତାପରଦିନ ସକାଳୁ ଯୁବକମାନେ ବିଦାୟ ନେଇଥାନ୍ତି । ଯୁବତୀମାନେ ନିଜ ଗାଁ ସୀମା ପର୍ଯ୍ୟନ୍ତ ଯାଇ ସେମାନଙ୍କୁ ବିଦାୟ ଦେଇଥାନ୍ତି । ଏହି ବିଦାୟବେଳର ଦୃଶ୍ୟରେ ଯୁବକ ଓ ଯୁବତୀମାନେ ନିଜର ମନର ଭାବନାକୁ ଗୀତରେହିଁ ପ୍ରକାଶ କରିଥାନ୍ତି । ଗୀତ ଶୁଣିବା ପରେ ଲାଗେ ପ୍ରତ୍ୟେକ ଯୁବକ ଓ ଯୁବତୀ ଜଣେ ଜଣେ ଆଶୁ କବି ବୋଲି । ସେ ଗୀତରେ ଥାଏ ସେମାନଙ୍କ ମନର ପ୍ରେମ ଭାବନା, ସାମାଜିକ ଆଦବ କାଇଦା, ପରମ୍ପରା ର ପ୍ରତିଫଳନ ।

ଏହାପରେ ପ୍ରେମିକ ଓ ପ୍ରେମିକା ପରସ୍ପରକୁ ହାଟରେ ସାକ୍ଷାତ କରିଥାନ୍ତି । କିଛିଦିନପରେ ଯୁବକଟି ଯୁବତୀର ଗାଁକୁ ଯାଇ ତାକୁ ନେଇ ଆସିଥାଏ । ଗାଁ ମୁଣ୍ଡରେ ଯୁବତୀଟି ଅପେକ୍ଷା କରେ ଓ ଯୁବକଟି ଘରକୁ ଯାଇ ଭଉଣୀ କିମ୍ବା ଭାଉଜଙ୍କୁ ଜଣାଇଥାଏ । ଖବର ପାଇବା ପରେ ଭାଉଜ ବା ନଣନ୍ଦ ପ୍ରଥମେ ବର ଓ ପରେ କନ୍ୟା ମୁଣ୍ଡରେ ହଳଦୀଟୀକା ଲଗାଇ ଦେଇ ଘରକୁ ଆଣନ୍ତି । ଏହାର ଦୁଇ ତିନିଦିନ ପରେ ନୁଆ ହୋଇ ଆସିଥିବା ବୋହୂଟି ଏକ ପ୍ରକାର ଜାଉ ତିଆରି କରେ ଏବଂ ପିତୃପୁରୁଷଙ୍କୁ ଅର୍ପଣ କରି ପୂଜାକରେ । ଏହାପରେ ପରିବାରବର୍ଗ, ବନ୍ଧୁବାନ୍ଧବ ମାନଙ୍କୁ ବୋହୂ ଖାଦ୍ୟ ବାଢିଥାଏ । ଭୂୟାଁ ସଂପ୍ରଦାୟରେ ବିବାହ ସମୟରେ ବରପକର କନ୍ୟାଘରକୁ ଧାନ, ଲୁଗାପଟା, ଖାସୀ/ବୋଦା ଏବଂ ଅଳ୍ପ ଟଂକା କନ୍ୟାମୂଲ ଆକାରରେ ଦେବାର ବିଧି ରହିଛି । କିନ୍ତୁ ଧରିପଳା ବାହାଘରରେ କନ୍ୟାମୂଲ ସଙ୍ଗେସଙ୍ଗେ ଦେବାକୁ ପଡିନଥାଏ କିନ୍ତୁ ବିବାହର ବାରବର୍ଷ ମଧ୍ୟରେ ବରକୁ କନ୍ୟାପିତାଙ୍କୁ ଦେବାକୁ ପଡିଥାଏ ।

ଝିଙ୍କା ବା ଘିଞ୍ଚା ବିବାହ
ଏହି ପ୍ରକାରର ବିବାହରେ ଭୂୟାଁ ଯୁବକ ସେ ଭଲପାଉଥିବା ଯୁବତୀ କଥା ତାର ବାପାମାଆଙ୍କ ଆଗରେ କୁହେ । ପୁଅଠାରୁ ଶୁଣିବାପରେ ବରର ବାପାମା କନ୍ୟାଘରକୁ ବିବାହ ପ୍ରସ୍ତାବ ପଠାନ୍ତି ।ଉଭୟପଟ ସମ୍ମତି ପ୍ରକାଶ କଲାପରେ ବର ତାର ସାଥୀମାନଙ୍କୁ ନେଇ ଓ କନ୍ୟା ତାର ସାଥୀମାନଙ୍କୁ ନେଇ ଜଙ୍ଗଲକୁ ଯାଆନ୍ତି । ଯୁବତୀମାନେ ଜଙ୍ଗଲକୁ ଆସିବାପରେ ବର ଭଲପାଉଥିବା ଯୁବତୀଟିକୁ ରଖିନିଏ ଏବଂ ବରର ସାଙ୍ଗମାନେ ଜଙ୍ଗଲରେ ଲୁଚିଯାନ୍ତି । କନ୍ୟାର ସାଙ୍ଗମାନେ ବରର ସାଙ୍ଗମାନଙ୍କୁ ମାରିବାକୁ ଗୋଡାନ୍ତି । ସେମାନଙ୍କ ଉପରକୁ କାଦୁଅ, ମାଟିଫିଙ୍ଗି ନାଟକୀୟ କଳିଗୋଳରେ ବ୍ୟସ୍ତ ରୁହନ୍ତି । ଏହି ସମୟମଧ୍ୟରେ ବର ତାର ମନୋନୀତ କନ୍ୟାକୁ ଧରି ଘରେ ପହଞ୍ଚେ । ଏହାପରେ ଝିଅର ସାଙ୍ଗ ଝିଅମାନେ ଝିଅଘରେ ପହଞ୍ଚି ଝିଅକୁ ବାଘ ନେଇଗଲା ବୋଲି କହନ୍ତି । ଖବର ପାଇବାପରେ ଝିଅର ବାପା ମା, ପରିବାରବର୍ଗ ଜଙ୍ଗଲକୁ ଆସି ମିଛିମିଛିକା ଖୋଜନ୍ତି ଏବଂ ସେହିଦିନ କିମ୍ବା ତାପରଦିନ ବରଘରେ ପହଞ୍ଚି ମିଛ କଳିତକରାଳ କରନ୍ତି । ଏହାପରେ ଉଭୟପଟର ସହମତିପରେ ବରପଟ ଏକ ବର୍ଷମଧ୍ୟରେ କନ୍ୟାମୂଲ ଦେବାପାଇଁ ରାଜିହେବାପରେ ବିବାହ ଅନୁଷ୍ଠିତ ହୁଏ ।

ମାଗି ବିବାହ
ଏ ପ୍ରକାରର ବିବାହରେ ବରପକ୍ଷ କନ୍ୟାପକ୍ଷ ସହ ମଧ୍ୟସ୍ଥି ମାଧ୍ୟମରେ ବିବାହ କଥାବାର୍ତ୍ତା ହୋଇଥାଏ। ମଧ୍ୟସ୍ଥିଙ୍କୁ ଭୂୟାଁମାନଙ୍କ କଥିତ ଭାଷାନୁଯାୟୀ କେନ୍ଦ୍ରା କୁହାଯାଏ । ଯୁବକର ମା ଓ ଅନ୍ୟ ସଂପର୍କୀୟ ସ୍ତ୍ରୀ ଲୋକମାନେ ଝଅ ମନୋନୟନ କରିବାପରେ ଯୁବକର ମତାମତ ଲୋଡନ୍ତି । ଯୁବକ ଯଦି ରାଜିହୁଏ ତେବେ ବରଘରର ଲୋକେ କନ୍ୟାଘରକୁ ଧାନ, ପିତ୍ତଳ ମୁଦି ଓ ଘୁଷୁରୀ ନେଇ ଯାଆନ୍ତି ।ବରଘରର ଲୋକେ କନ୍ୟାଘରେ ପହଞ୍ଚିଲେ କନ୍ୟାଘରର ସ୍ତ୍ରୀଲୋକମାନେ ବରଘରୁ ଯାଇଥିବା ଲୋକମାନଙ୍କ ଗୋଡ ହଳଦୀପାଣିରେ ଧୋଇଦିଅନ୍ତି ଓ ସେମାନଙ୍କ ବାଡିନେଇ ଘରେ ରଖିଦିଅନ୍ତି ।ଏହିଭଳିକରି ସେମାନେ ବିବାହ ପ୍ରସ୍ତାବକୁ ସ୍ବୀକାର କରନ୍ତି । ସେମାନଙ୍କ ବସିବାପାଇଁ ଗୋଟିଏ ପଟିଆ ପକାଇ ଦିଆଯାଏ ଓ ସେମାନଙ୍କୁ ପିକା ଟାଣିବାକୁ ଦିଆଯାଏ ।ଭୋଜନାଦି ସମାପନ ପରେ ସେମାନେ ରାତ୍ରୀ ରହଣି କରନ୍ତି । ତା ପରଦିନ ସକାଳେ ବରପିତା ଓ ତାଙ୍କ ସହ ଯାଇଥିବା ବନ୍ଧୁମାନେ କନ୍ୟାପିତାଙ୍କୁ ବନ୍ଧୁ ବୋଲି ସମ୍ଭୋଧନ କରନ୍ତି ଓ କୁହନ୍ତି ସେମାନେ ଗୋଟିଏ ଫଳ ଖାଇବାକୁ ଆସିଥିଲେ ତାହା ସେମାନଙ୍କୁ ଦେଇପାରିବକି । କନ୍ୟାପିତା ଏହାର ଉତ୍ତରରେ କୁହେ ଯଦି ଉଭୟ ପଟର ଖର୍ଚ୍ଚବହନ କରିପାରିବ ତେବେ ଆସ । ଏହାପରେ ସେମାନେ ଆଣିଥିବା ଧାନ, ମୁଦି ଓ ଘୁଷୁରୀ କନ୍ୟା ପିତାଙ୍କୁ ଦିଅନ୍ତି ।ଏହାପରେ ଝିଅକୁ ମୁଦି ପିନ୍ଧାଇ ଦିଆଯାଏ । ବିବାହର ଦିନ ସ୍ଥିର କରାଯାଏ । ନିର୍ଦ୍ଧାରିତ ଦିନ ଶୋଭାଯାତ୍ରାରେ କନ୍ୟାକୁ ବରଘରକୁ ଅଣାଯାଏ । କନ୍ୟାସଙ୍ଗେ ଆସିଥିବା ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କ ପାଦ ବରଘରର ସ୍ତ୍ରୀଲୋକମାନେ ଧୋଇଦିଅନ୍ତି । ଉଭୟ ବରକନ୍ୟା ସେଦିନ ଉପବାସ ରହିଥାନ୍ତି । ସଂନ୍ଧ୍ୟାବେଳେ ଭଣ୍ଡାରୀ ସେମାନଙ୍କ ନଖ କାଟିଦିଏ ଓ କନ୍ୟାକୁ ଅଳତା ପିନ୍ଧାଇ ଦିଏ । ବରକନ୍ୟା ହଳଦିଆଲୁଗା ପିନ୍ଧନ୍ତି । ମାଟିରେ ତିଆରି କରାଯାଇଥିବା ବେଦୀରେ ଦେହୁରୀ ମନ୍ତ୍ରପାଠ ପୂର୍ବକ ସୂର୍ଯ୍ୟଦେବତା, ବାସୁକୀମାତା ଓ ବଡବଡୁଆଙ୍କର ପୂଜାକରି ବରକନ୍ୟାଙ୍କ ପାଇଁ ଆଶୀର୍ବାଦ ମାଗନ୍ତି । ପ୍ରାୟତଃ ଏହିପ୍ରକାରର ବିବାହ ହିନ୍ଦୁମାନଙ୍କ ବିବାହ ଭଳି । ଏହି ପ୍ରକାରର ବିବାହରେ ଅଧିକ କନ୍ୟାମୂଲ ଦେବାକୁ ପଡିଥାଏ । କନ୍ୟାମୂଲ ବାବଦକୁ ବରପିତା ୧ଟି ଗାଈ, ହଳେ ବଳଦ,  ୪ଟି ଛେଳି, ନୁଆ ଲୁଗାପଟା, କିଛି ଟଙ୍କା ଓ କିଛି ଧାନ ଦେଇଥାନ୍ତି ।

ଆମ୍ବଲେସରା ବିବାହ
ଏହି ବିବାହରେ ପରସ୍ପରକୁ ପସନ୍ଦ କରୁଥିବା ଭୂୟାଁ ଯୁବକ ଯୁବତୀ ଜଙ୍ଗଲରେ କୌଣସି ଏକଦିନ ଦେଖା ହେବାପରେ ଯୁବକଟି ଯୁବତୀ ଉପରକୁ ଆମ୍ବରସ ଫୋପାଡେ ଏବଂ ଯୁବତୀଟିର ଅଳଙ୍କାର ନେଇଯାଏ । ଯୁବତୀଟି କୌଣସିମତେ ଘରେ ପହଞ୍ଚେ । ତାର ମା ତା ଦେହରେ ଅଳଙ୍କାର ନଦେଖି କହେ ତୋର କୌଣସି ଯୁବକସହ ସଂମ୍ପର୍କ ଅଛି ଏବଂ ତୁ ଅଳଙ୍କାର ହଜାଇଛୁ । ତୁ ତା ସହ ଘରସଂସାର କରୁନୁ କାହିଁକି । ଏହାପରେ ଗାଁର ବୟସ୍କା ମହିଳା ଓ ଗାଁର ଝିଅମାନେ ଯୁବତୀଟିକୁ ସେହି ଯୁବକର ଗାଁକୁ ବିବାହ ପାଇଁ ନେଇ ଯାଆନ୍ତି ଓ ଏହାପରେ ବରଘର କନ୍ୟାଘରକୁ ଡକାଇ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଏ । ଏହି ପ୍ରକାରର ବିବାହ ଏବେ କମ ଦେଖିବାକୁ ମିଳୁଛି ।

କାଦ ଲେସେରା ବିବାହ
ଏହି ପ୍ରକାର ବିବାହ ଆମ୍ବ ଲେସରା ବିବାହ ପରି କେବଳ ଏଠାରେ ବର ଆମ୍ବରସ ପରିବର୍ତ୍ତେ କାଦୁଅ ଫୋପାଡେ । ନଚେତ ଅନ୍ୟ ସମସ୍ତ ରିତିନିତୀ ଆମ୍ବଲେସରା ବିବାହପରି । ଏତିକି କହି ବୁଢୀ କହିଲା ଆଲୋ ନାତୁଣୀ ମାନେ ଆଜି ଏତିକିରେ କଥା ସାରିବା । ରାତି ବେଶୀ ହେଲାଣି। ଚାଲ ଶୋଇବା । କାଲି ଭୋରୁ ଭୋରୁ ଜଙ୍ଗଲ ଯିବି । ଚିନାମାଳୀ କହି ଉଠିଲା ଆଈ ମୁଁ ବି ତୋ ସାଙ୍ଗରେ ଜଙ୍ଗଲକୁ ଯିବି । ବୁଢ଼ୀ କହିଲା ନାଇଁ ଲୋ ନାତୁଣୀ କାଲି ପା ଓଷା। ଆମେ ବୁଢୀମାନେ ସବୁ ଜଙ୍ଗଲ ଯାଇ ପୂଜା କରିବୁ । ଏ ଓଷାର ନାଁ କଣ ବୋଲି ଜୋଛନା ପଚାରିଲାରୁ ବୁଢୀ କହିଲା ଆଲୋ ଓଷାର ନାଁ ଓଢଣୀ ପକା । କାଲି ରାତିରେ ତୁମମାନଙ୍କୁ ସେ ଓଷା ବିଷୟରେ କହିବି । ଏତିକି କହି ବୁଢୀ ବିଛଣା ପକାଇବାକୁ ଭିତରକୁ ଗଲା।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.