• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆଦର୍ଶ ମହାପୁରୁଷ ଗୋଦାବରୀଶ ମିଶ୍ର

ଆଦର୍ଶ ମହାପୁରୁଷ ଗୋଦାବରୀଶ ମିଶ୍ର
Share on FacebookShare on Xshare on Whatsappshare on Linkedin

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୬ ଜୁଲାଇ ୨୦୨୩
ଗୋଦାବରୀଶ ମିଶ୍ର ଅବିଭକ୍ତ ପୁରୀ ଜିଲ୍ଲା ସଂପ୍ରତି ଖୋର୍ଧା ଜିଲ୍ଲାର ବାଣପୁର ନିକଟ ଶ୍ରୀନିବାସପୁର ଶାସନର ଏକ ବ୍ରାହ୍ମଣ ପରିବାରରେ ଲିଙ୍ଗରାଜ ମିଶ୍ର ଏବଂ ଅପସରା ଦେବୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ସେ ପୁରୀ ଜିଲ୍ଲା ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ଏବଂ ରେଭେନ୍ସା କଲେଜରୁ ୧୯୧୦ ମସିହାରେ ଦର୍ଶନଶାସ୍ତ୍ରରେ ବି. ଏ., ୧୯୧୨ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ. ଏ. ପାସ୍ କରିଥିଲେ । ଆର୍ଥିକ ଅନଟନରେ ରହି କଲେଜରେ ଦେୟ ପୈଠ କରିବା ପାଇଁ ସେ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ ।

ଗୋଦାବରୀଶ ମିଶ୍ର ୧୯୧୩ ରୁ ୧୯୧୯ ମସିହା ପର୍ଯ୍ୟନ୍ତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ହୋଇଥିଲେ । ତା’ପରେ ସେ ୧୯୧୯ ରୁ ୧୯୨୧ ମସିହା ପର୍ଯ୍ୟନ୍ତ ସିଂହଭୁମ୍ ଜିଲ୍ଲାର ଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିବାପରେ ସେ ୧୯୨୨ ମସିହାରେ ନିଜ ଗାଁକୁ ଫେରିଥିଲେ ଏବଂ ନୂତନ ବିଦ୍ୟାଳୟ, କ୍ଷୁଦ୍ର ଶିଳ୍ପ, ଚାଷଜମି କାର୍ଯ୍ୟ ଏବଂ ସାମାଜିକ କଲ୍ୟାଣ ସଂଗଠନ ପ୍ରତିଷ୍ଠା କରିବାରେ ନିଜକୁ ନିୟୋଜିତ କରିଥିଲେ ।

୧୯୨୮ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ (ସମାଜ ଖବରକାଗଜ ର ପ୍ରତିଷ୍ଠାତା) ଙ୍କର ମୃତ୍ୟୁ ପରେ ପ୍ରାୟ ଦୁଇ ବର୍ଷ ଧରି ଓଡ଼ିଶାର ବହୁଳ ପ୍ରସାରିତ ସେହି ଖବରକାଗଜ “ସମାଜ”ର ସମ୍ପାଦକ ଦାୟିତ୍ଵ ବହନ କରିଥିଲେ । ଏତତ୍ ଭିନ୍ନ ଓଡ଼ିଆ ଭାଷାର ସୁରକ୍ଷା ଏବଂ ଭାଷା ଭିତ୍ତିକ ସ୍ଵତନ୍ତ୍ର ଓଡିଶା ନିର୍ମାଣରେ ସେ ୧୯୧୯ ରୁ ୧୯୫୫ମସିହା ପର୍ଯ୍ୟନ୍ତ “ଉତ୍କଳ ସମ୍ମିଳନୀ” ସହ ଜଡିତ ଥିଲେ । ପୁଣି, ସେ ୧୯୫୫ ମସିହାରେ ବ୍ରହ୍ମପୁରରେ ଆୟୋଜିତ ଉତ୍କଳ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ ରେ ସଭାପତି ହୋଇଥିଲେ । ସେ ଗୋପବନ୍ଧୁଙ୍କ “ପଞ୍ଚସଖା” ଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

ଯଦିଓ ସେ ଜଣେ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମ ନେଇ ଥିଲେ, ତଥାପି ଗୋଦାବରୀଶ ମିଶ୍ର ସମାଜବାଦୀ ଚିନ୍ତାଧାରା ରେ ବେଶୀ ବିଶ୍ୱାସ ରଖିଥିଲେ । ସେ ଜାତିଗତ, ବର୍ଣ୍ଣଗତ ଭେଦଭାବର ବିରୁଦ୍ଧାଚରଣ କରୁଥିଲେ । ସେ ତାଙ୍କର ପବିତ୍ର ଉପଵୀତ ଧାରଣ କରି ନଥିଲେ ଏବଂ ମୁହଁରେ ଦାଢ଼ି ରଖିଥିଲେ, ଯାହା ତତ୍ କାଳୀନ ବ୍ରାହ୍ମଣ ଜାତିର ସମ୍ପୂର୍ଣ୍ଣ ନୀତି ବିରୁଦ୍ଧ ତଥା ପ୍ରଚଳିତ ସାମାଜିକ ପରମ୍ପରାର ଘୋର ବିରୋଧୀ ଥିଲା ।

ସେ ୧୯୨୧ ମସିହାରେ ଗାନ୍ଧିଜୀଙ୍କ ଆହ୍ବାନ କ୍ରମେ ଅସହଯୋଗ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ସେ ମଧ୍ୟ ସିଂହଭୁମ୍ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ଥାଇ ଚକ୍ରଧରପୁର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭାରତର ମୁକ୍ତି ସଂଗ୍ରାମର ଏହି ମହାନ ଅଭିଯାନର ନେତୃତ୍ୱ ନେଇଥିଲେ ।

ମହାତ୍ମା ଗାନ୍ଧୀ ଏବଂ ପଣ୍ଡିତ ଗୋପାବନ୍ଧୁ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ । ସେ ୧୯୨୪ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ଜିଲ୍ଲା ବୋର୍ଡର ସଦସ୍ୟ ଥିଲେ । ପାଞ୍ଚ ବର୍ଷର ମଧ୍ୟ ବିରତି ବ୍ୟତୀତ ସେ ୧୯୩୭ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ରହି ଥିଲେ । ଏହି ସମୟ ମଧ୍ୟରେ ରାଜନୈତିକ ମତଭେଦ ହେତୁ ସେ ଓଡ଼ିଶା କଂଗ୍ରେସରେ କୌଣସି ପଦବୀ ଗ୍ରହଣ କରିନଥିଲେ । ଗୋଦାବରୀଶ ମିଶ୍ର ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୯୫୨ ମସିହାରେ ବିଧାନ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଧାନସଭାରେ ଜଣେ ପ୍ରତିଷ୍ଠିତ ପ୍ରଶାସକ ତଥା ବିରୋଧୀ ଦଳର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୩୯ ମସିହାରେ କଂଗ୍ରେସ ଦଳ ତ୍ୟାଗ କରି “ଫରୱାର୍ଡ ବ୍ଲକ” ରେ ଯୋଗ ଦେଇଥିଲେ । ସେ ୧୯୪୧ ରୁ ୧୯୪୪ ମସିହା ପର୍ଯ୍ୟନ୍ତ ପାରଳାଖେମୁଣ୍ଡିର ମହାରାଜା ମନ୍ତ୍ରଣାଳୟରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୪୩ ମସିହାରେ ମନ୍ତ୍ରୀ ଥିବା ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ, କଟକରେ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ସହିତ ପୁରୀ, ବାଲେଶ୍ୱର ଏବଂ ସମ୍ବଲପୁର ଆଦି ସ୍ଥାନ ମାନଙ୍କରେ ବିଭିନ୍ନ କଲେଜ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ତାଙ୍କ ସାହିତ୍ୟଚର୍ଯ୍ୟାରେ ଅନେକ ପ୍ରବନ୍ଧ, କାହାଣୀ, ଉପନ୍ୟାସ, କବିତା, ଜୀବନୀ ଏବଂ ଅନୁବାଦ ଅନ୍ତର୍ଭୁକ୍ତ । ସେହିସବୁ ସାହିତ୍ୟ କୃତି ମଧ୍ୟରେ ରାଷ୍ଟ୍ର ପ୍ରତି ସଚେତନତା ସୃଷ୍ଟି କରିବାରେ ତାଙ୍କର କବିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତାଙ୍କର ନାଟକ ପୁରୁଷୋତ୍ତମ ଦେବ, ମୁକୁନ୍ଦ ଦେବ ଏବଂ ଆତ୍ମଜୀବନୀ “ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ” ଆଦି ଓଡିଆ ସାହିତ୍ୟରେ ତାଙ୍କର ମହତ୍ଵପୂର୍ଣ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଜଣେ ସୁଦକ୍ଷ ସାହିତ୍ୟ ପତ୍ରିକା ସମ୍ପାଦକ ଥିଲେ । ସେ ୧୯୨୪ ମସିହାରେ ବାଣପୁରରୁ “ଲୋକମୁଖ” ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ । ସେ ମଧ୍ୟ ଶଶି ଭୂଷଣ ରଥଙ୍କ ଦ୍ୱାରା ପ୍ରକାଶିତ ଏକ ଇଂରାଜୀ ପତ୍ରିକା – ଇଷ୍ଟକୋଷ୍ଟ ପାଇଁ ସ୍ତମ୍ଭ ମାନ ଲେଖି ଜଣେ ବିଶିଷ୍ଟ ସ୍ତମ୍ଭକାର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା ।

ପୁରୁଷୋତ୍ତମ ଦେବ, ମୁକୁନ୍ଦ ଦେବ, ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ, ଗୋଦାବରୀଶ ପରିକ୍ରମା, ପିଲାଙ୍କ କାହିଁକି, ଚଟଣୀ, ଅଠରଶହ ସତର ଏବଂ ଗୋଦାବରୀଶ ଗ୍ରନ୍ଥାବଳୀ ଆଦି ତାଙ୍କର ଅମୂଲ୍ୟ ଓ ଶାଶ୍ଵତ ସାହିତ୍ୟ କୃତୀ। ଓଡ଼ିଶାର ସେହି ସାରସ୍ବତ ସାଧକ, ପ୍ରତିଭା ଦୀପ୍ତ ଆଦର୍ଶ ମହାପୁରୁଷ ଗୋଦାବରୀଶ ମିଶ୍ର ମାତ୍ର ୬୯ ବର୍ଷ ବୟସରେ ୧୯୫୬ ମସିହା ଜୁଲାଇ ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ଆଜି ତାଙ୍କ ପୁଣ୍ୟ ତିଥି ଅବସରରେ ଓଡ଼ିଆ ଜାତି ପକ୍ଷରୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

Saswat Ranjan Das

Saswat Ranjan Das

Saswat Ranjan Das is an engineer by profession but is a passionate lover of Odia literature, language and culture.

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.