• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅହିଂସା ଓ ଗାନ୍ଧିଜୀ

ଅହିଂସା ଓ ଗାନ୍ଧିଜୀ
Share on FacebookShare on Xshare on Whatsappshare on Linkedin

ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧ ଜୁନ ୨୦୨୩

ଦେଶ ସ୍ୱାଧୀନତା ପାଇଁ ଶେଷ ପର୍ଯ୍ୟନ୍ତ ଗାନ୍ଧିଜୀ ଯେଉଁ ଦୁଇଟି ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ହେଉଛି ‘ଅହିଂସା’ ଓ ‘ସତ୍ୟାଗ୍ରହ’ । କୌଣସି ବ୍ୟକ୍ତି ହେଉ ବା ସମାଜ ହେଉ କିମ୍ବା ଦେଶର ସର୍ବାଙ୍ଗୀନ ଉନ୍ନତି ହେଉ ଗାନ୍ଧିଜୀ ଏକାଦଶ ବ୍ରତ ଅବଲମ୍ବନ କରିବା ଉପରେ ପ୍ରାଥମିକତା ଦେଇଥିଲେ, ଯେଉଁଥିରେ କି ଅହିଂସା ର ସ୍ଥାନ ଥିଲା ସର୍ବାଗ୍ରେ। ଏହି ଏକାଦଶ ବ୍ରତ ହେଲା –

‘ଅହିଂସା, ସତ୍ୟ,ଆସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ,
ଶରୀର ଶ୍ରମ, ଅସାଦ, ସର୍ବତ୍ର ଭୟ ବର୍ଜନ,
ସର୍ବଧର୍ମ ସମାନତ୍ଵ, ସ୍ବଦେଶୀ, ସ୍ପର୍ଶଭାବନା
ବିନମ୍ର ବ୍ରତ ନିଷ୍ଠାସେ ୟେ ଏକାଦଶ ସେବ୍ୟ ହେ ।’

ଅହିଂସା ମୋ ବିଶ୍ୱାସର ଆଦି ଓ ଅନ୍ତିମ ଆଧାର ବୋଲି ଗାନ୍ଧିଜୀ Young India ପତ୍ରିକାରେ ୧୯୨୨ ମସିହାରେ ମାର୍ଚ୍ଚ ୨୩ ତାରିଖରେ ପ୍ରକାଶ କରିଥିଲେ । ଯିଏ ହିଂସାରେ ଅଧିକ ଲିପ୍ତ ରୁହେ, ସତ୍ୟଠାରୁ ସେ ସେତିକି ଦୂରେଇ ଯାଏ । ଅହିଂସା ବିନା ସତ୍ୟକୁ ଖୋଜି ପାଇବା କଷ୍ଟକର । ସତ୍ୟ ଓ ଅହିଂସା ପରସ୍ପରର ପରିପୂରକ । ସତ୍ୟକୁ ଆବିଷ୍କାର କରିବା ପାଇଁ ଅହିଂସା ହିଁ ମାର୍ଗ । ଅହିଂସା ଆମର କର୍ତ୍ତବ୍ୟ ଓ ଧର୍ମ । ଆମେ ଯଦି ସାଧନ ସମ୍ପର୍କରେ ଯତ୍ନଶୀଳ ହେବା, ଶୀଘ୍ର ହେଉ ବା ବିଳମ୍ବରେ ହେଉ ଆମେ ନିଶ୍ଚୟ ଆମର ଲକ୍ଷ୍ୟ ହାସଲ କରିପାରିବା ବୋଲି ଗାନ୍ଧିଜୀଙ୍କ ଦୃଢ଼ ବିଶ୍ୱାସ ଥିଲା।

ତାଙ୍କ ପିଲାବେଳର ଗୋଟିଏ ଘଟଣା ଏଠାରେ ଉଲ୍ଲେଖ କରାଯାଇପାରେ । ଗାନ୍ଧିଜୀଙ୍କ ପିତା କରମଚାନ୍ଦ ଗାନ୍ଧୀ ଏକ ସତଚରିତ ବ୍ୟକ୍ତି ଥିଲେ । ଘରଭିତରେ ଛୋଟିଆ ଚୋରି କାମ କଲାପରେ ନିଜର ଭୁଲ ବୁଝିପାରି ଗାନ୍ଧିଜୀ ତାଙ୍କ ବାପାଙ୍କୁ ଏକ ଚିଠି ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କ ବାପା ସେତେବେଳେ ଶଯ୍ୟାଶାୟୀ ଥାଆନ୍ତି । ପୁଅର ଚିଠିଟି ପଢ଼ି କରମଚାନ୍ଦଙ୍କ ଆଖିରେ ଲୁହ ଭରିଗଲା ଓ ଚିଠିଟିକୁ ଚିରିଦେଲେ । ବାପାଙ୍କ ଆଖିରେ ଲୁହ ଓ କୋହ ମୋହନ ଦାସଙ୍କ ମନରେ ଗଭୀର ପ୍ରଭାବ ପକାଇଲା ଓ ନିଜର ଭୁଲ ପାଇଁ ଅନୁତପ୍ତ ହେଲେ ।ଜାଣି ପାରିଲେ ଅସତ୍ୟକୁ ପ୍ରକାଶ କଲେ ମଣିଷ ସତ୍ୟର ନିକଟବର୍ତ୍ତୀ ହୁଏ। ଗାନ୍ଧିଜୀଙ୍କ ବିଚାରରେ ଅହିଂସା ନିଷ୍କ୍ରିୟତା ନୁହେଁ । ଅନ୍ୟାୟକୁ ନିରୀହ ଭାବେ ମାନି ଯିବା ଅହିଂସାର ଅର୍ଥ ନୁହେଁ ।

ଗାନ୍ଧିଜୀଙ୍କ ପରିକଳ୍ପନାର ଅହିଂସା ହେଉଛି ଏକ ସକ୍ରିୟ ଶକ୍ତି ଏହା ଏକ ସାମାଜିକ ମୂଲ୍ୟବୋଧ , ସମାଜରେ ହେଉଥିବା ହିଂସା, ଅନ୍ୟାୟ ଓ ଅନୀତିକୁ ବିରୋଧ କରିବା ହେଉଛି ଗାନ୍ଧୀଙ୍କ ପରିକଳ୍ପିତ ଅହିଂସାର ବୀଜମନ୍ତ୍ର । ଅହିଂସା ପ୍ରଥମେ ବ୍ୟକ୍ତିଠାରୁ ଆରମ୍ଭ ହୁଏ ଓ ଶେଷରେ ଏହାର ପ୍ରଭାବ ଚାରିଆଡ଼େ ବିସ୍ତାର ହୁଏ। Young India ପତ୍ରିକାରେ ୧ ଅକ୍ଟୋବର ୧୯୩୧ରେ ଗାନ୍ଧିଜୀ ଲେଖିଥିଲେ . ଯେଉଁଠି ଧକ୍କା ଖାଇବାର ଅଛି ଓ ଯେଉଁଠି ପ୍ରତିପକ୍ଷର ସାମ୍‌ନା କରିବାକୁ ଅଛି ତାକୁ ପ୍ରେମ ଦ୍ବାରା ହିଁ ଜୟ କରିବାକୁ ହେବ ।

ଅହିଂସାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ, ସେ ରାଜନୈତିକ କ୍ଷେତ୍ର ହେଉ, ଅର୍ଥନୈତିକ କ୍ଷେତ୍ର ହେଉ ବା ସାମାଜିକ କ୍ଷେତ୍ର ହେଉ । ଅହିଂସା ନୀତି ଉପରେ ଗାନ୍ଧିଜୀ ଉଲ୍ଲେଖ କରି କହିଥିଲେ – ପୃଥ‌ିବୀକୁ ମୋର କିଛି ନୂଆ କଥା ଶିଖାଇବାର ନାହିଁ । ସତ୍ୟ ଓ ଅହିଂସା ପାହାଡ଼ ପର୍ବତ ପରି ପୁରୁଣା । ସାମାଜିକ କ୍ଷେତ୍ରରେ ଅଂହିସାକୁ ପ୍ରୟୋଗ କରିବା ଥିଲା ଗାନ୍ଧିଜୀଙ୍କର ମୌଳିକତା । ଗାନ୍ଧୀଜୀଙ୍କ ଭାଷାରେ ଅହିଂସା ଧର୍ମ କେବଳ ମୁନି ଋଷି ମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଅହିଂସା ମାନବ ଜାତିର ଧର୍ମ । ୨୮ ଜାନୁୟାରୀ ୧୯୩୯ ରେ ହରିଜନ ପତ୍ରିକାରେ ଗାନ୍ଧିଜୀ ପ୍ରକାଶ କରିଥିଲେ ଦୟା ଓ ବଦାନ୍ୟତା ପରି ଅହିଂସା ପ୍ରଥମେ ନିଜ ଘରୁ ଆରମ୍ଭ ହୋଇଥାଏ । ପରସ୍ପର ମଧ୍ୟରେ ସହନଶୀଳତା ହିଁ ଅହିଂସା । ଅହିଂସା ଜୀବନର ଧର୍ମ ଏହା ଉପରେ ଗଭୀର ବିଶ୍ବାସ ରଖିବାକୁ ହେବ । ଯେଉଁମାନେ ତୁମ ପ୍ରତି ହିଂସା ଆଚରଣ କରୁଛନ୍ତି, ସେମାନଙ୍କ ପ୍ରତି ତୁମକୁ ଏହା ପ୍ରୟୋଗ କରିବାକୁ ହେବ । ଏହି ନିୟମ ଲୋକମାନଙ୍କ ପାଇଁ ଯେତିକି ପ୍ରଯୁଜ୍ୟ ରାଷ୍ଟ୍ରମାନଙ୍କ ପାଇଁ ବି ସେତିକି ପ୍ରଯୁଜ୍ୟ । ଯଦି ଅହିଂସା ଉପରେ ଗଭୀର ବିଶ୍ବାସ ଅଛି ତାହେଲେ ଆପେ ଆପେ ସବୁ ସମାଧାନ ହୋଇଯିବ ।’

ଗାନ୍ଧୀଙ୍କ ଅହିଂସା ଭାବନାର ଅର୍ଥ ଅନ୍ୟାୟ ବିରୋଧରେ ସଂଗ୍ରାମ । ସବୁ ଧର୍ମର ମୂଳତତ୍ତ୍ୱ ଏକ ବୋଲି ଗାନ୍ଧିଜୀ ହୃଦୟଙ୍ଗମ କରିଥିଲେ ।

ଯେ ଯଥା ମାଂ ପ୍ରଦଦ୍ୟନ୍ତେ
ତାଂ ସ୍ତଥୈବ ଭବାମ୍ୟହମ୍

ଏହାର ଅର୍ଥ ଯେ ଯେମିତି ଆଚରଣ କରିବ ସେମିତି ଫଳ ପାଇବ । ଯେପର୍ଯ୍ୟନ୍ତ ପୃଥ‌ିବୀରେ ହିଂସା ଅଛି ସେ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ଅହିଂସା ନୀତିର ଆବଶ୍ୟକତା ରହିଛି । ସେ କହୁଥିଲେ – ‘ମୋ ପରି ପଛେ ହଜାର ହଜାର ସାଧାରଣ ଲୋକଙ୍କ ବିଲୁପ୍ତ ହେଉ- କିନ୍ତୁ ସତ୍ୟର ସର୍ବଦା ଜୟ ହେଉ । ଗାନ୍ଧିଜୀ ବି ଅନ୍ୟ ଲୋକଙ୍କ ପରି ଭୁଲ କରୁଥିଲେ ମାତ୍ର ଫରକ ଏଇଆ ଥିଲା ଗୋଟିଏ ଭୁଲକୁ ଦ୍ଵିତୀୟ ଥର କରୁନଥିଲେ । ସତ୍ୟ ହିଁ ଥିଲା ତାଙ୍କର ଈଶ୍ୱର । ସେ ଅସହଯୋଗ ଆନ୍ଦୋଳନ ହେଉ ଅବା ଆଇନ ଅମାନ୍ୟ ଆନ୍ଦୋଳନ ହେଉ ବା ଭାରତ ଛାଡ଼ ଆନ୍ଦୋଳନ ହେଉ ଅଥବା ଅସ୍ପୃଶ୍ୟତା ନିବାରଣ – ସବୁଥିରେ ଗାନ୍ଧିଜୀ ଅହିଂସା ଓ ସତ୍ୟର ପ୍ରୟୋଗ କରିଥିଲେ । ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଅର୍ଥନୈତିକ ସମାନତା ପାଇଁ ଅହିଂସା ଅପରିହାର୍ଯ୍ୟ ବୋଲି ସେ ହୃଦୟଙ୍ଗମ କରିଥିଲେ ।

ଅହିଂସାରେ ଘୃଣାର ସ୍ଥାନ ନାହିଁ । ଏହା ପ୍ରେମର ଅସ୍ତ୍ର । ହିଂସା ଆଚରଣ ମାନବ ସମାଜକୁ ସହନଶୀଳତା ଓ ବିନୟଭାବରୁ ଦୂରେଇ ଦିଏ । ଏକଦା ଇଟାଲୀର ଏକଛତ୍ରବାଦୀଶାସକ ବେନିଟୋ ମୁସୋଲିନଙ୍କୁ ଭେଟିବା ବେଳେ ଗାନ୍ଧିଜୀ କଥାଛଳରେ ତାଙ୍କୁ କହିଥିଲେ – “ହିଂସାରେ ଯେଉଁ ବ୍ୟବସ୍ଥାର ଜନ୍ମ, ତାହାର ପରିସମାପ୍ତି ମଧ୍ୟ ହିଂସାରେ” ଆମ ଚାରିପଟେ ଘଟୁଥିବା ନିତିଦିନର ଘଟଣାବଳୀରୁ ଏହାର ମାର୍ମିକ ଅର୍ଥ ଆମେ ହୃଦୟଙ୍ଗମ କରୁଛେ । ‘ସତ୍ୟ ହିଁ ଈଶ୍ୱର’ – ଥିଲା ଗାନ୍ଧୀଙ୍କର ବାଣୀ । ସତ୍ୟ, ଅହିଂସାକୁ ପାଥେୟ କରି ଶକ୍ତିଶାଳୀ ବିଦେଶ ଶାସନ କବଳରୁ ଦେଶକୁ ମୁକ୍ତ କରିବାରେ ସଫଳ ହୋଇପାରିଥିଲେ ଗାନ୍ଧିଜୀ । ଅହିଂସା ଛଡ଼ା ତାଙ୍କ ପାଖରେ ଅନ୍ୟ ଅସ୍ତ୍ର କିଛି ନଥିଲା । ସଂସାରରେ ସତ୍ୟ ଓ ଅହିଂସା ସବୁଠାରୁ ସକ୍ରିୟ ଶକ୍ତି । ଏଥିରେ ପରାଜୟ ନାହିଁ । ଅହିଂସା କାପୁରୁଷତା ନୁହେଁ, ଏହା ସବଳ ବ୍ୟକ୍ତିଙ୍କ ଅସ୍ତ୍ର ।

ଓଡ଼ିଶାର ଗାନ୍ଧୀ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଭାଷାରେ – ସ୍ଥୁଳ ହିଂସା ମଣିଷକୁ କାଟେ, ମାତ୍ର ସୁକ୍ଷ୍ମ ହିଂସା ମଣିଷର ସମାଜକୁ ବିଗାଡ଼େ ମଣିଷକୁ ଶୋଷେ ବା ମଣିଷକୁ ପ୍ରକୃତିର ସବୁ ଦାନରୁ ବଂଚିତ କରେ । ଗାନ୍ଧିଜୀଙ୍କ ବିନା ଏ ପୃଥିବୀକୁ ଧ୍ବଂସ ମୁଖରୁ ରକ୍ଷା କରିବାର କୌଣସି ବିକଳ୍ପ ନାହିଁ ।

ଗାନ୍ଧିଜୀଙ୍କ ଭାଷାରେ ପ୍ରେମ ଉପରେ ଆଧାରିତ ଶକ୍ତି ଦଣ୍ଡ ଭୟ ଦ୍ୱାରା ହାସଲ କରାଯାଇଥିବା ଶକ୍ତି ଅପେକ୍ଷା ହଜାରଗୁଣ ଅଧିକ ଶକ୍ତିଶାଳୀ । ଆଖି ପାଇଁ ଆଖି ନୀତି ଦିନେ ସାରା ବିଶ୍ୱକୁ ଅନ୍ଧ କରିଦେବ । ସମସ୍ତଙ୍କ ମଙ୍ଗଳରେ ନିଜ ମଙ୍ଗଳ ନିହିତ ଏହାହିଁ ଥିଲା ଏହି ମହାମାନବଙ୍କ ବାଣୀ । ସଂପ୍ରତି ପରିସ୍ଥିତିରେ ଗାନ୍ଧୀଙ୍କ ବାଣୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ । କେବଳ ଭାରତବର୍ଷ ନୁହେଁ,ସମଗ୍ର ବିଶ୍ୱବାସୀ ଅହିଂସା ନୀତିକୁ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ ଏହି ମାନବବାଦ,ସତ୍ୟ ଓ ଅହିଂସାର ପୂଜାରୀ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.