• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି

ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ମଇ ୨୦୨୩

୧୯୯୦ ମସିହାରେ ଯେତେବେଳେ ମୁଁ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟରେ ଯୋଗ ଦେଲି, ସେତେବେଳେ ମୋ ଅଫିସଟି ଗ୍ରୀନପାର୍କର ଏକ ଭଡ଼ାଘରେ ଚାଲୁଥିଲା । ହାଉଜ୍ ଖାସ୍ ରେ ଡକ୍ଟର ଜେପି ଦାସଙ୍କ ଘର ଥିଲା ଠିକ୍ ମୋ ଅଫିସ୍ ସାମ୍ନାରେ ଏବଂ ଅନେକ ସମୟରେ ପରାମର୍ଶ ପାଇଁ ମୁଁ ଯାଇ ତାଙ୍କୁ ଭେଟୁଥିଲି । ପଞ୍ଜାବୀ ଭାଷାର ଦୁଇଜଣ ଦିଗ୍ଗଜ ଲେଖକ ଅମ୍ରିତା ପ୍ରୀତମ୍ ଏବଂ କର୍ତ୍ତାର ସିଂହ ଦୁଗ୍ଗଲଙ୍କ ଘର ଥିଲା ମୋ ଅଫିସ୍ ର ଖୁବ ନିକଟରେ ।

ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ଯୋଗ ଦେବା ବେଳକୁ ଏହାର ଓଡ଼ିଆ ପରାମର୍ଶଦାତା କମିଟି ଦୀର୍ଘ ୧୩ ବର୍ଷ ଧରି ଗଠନ ହୋଇନଥିଲା । ମୋ ପୂର୍ବବର୍ତ୍ତୀ ପଦାଧିକାରୀ ଜଣେ ଭଦ୍ରଲୋକ ଥିଲେ, କିନ୍ତୁ ସାହିତ୍ୟ ବା ପ୍ରକାଶନ କ୍ଷେତ୍ରରେ ତାଙ୍କର କୌଣସି ପୂର୍ବ ଅଭିଜ୍ଞତା ନଥିଲା । ତେଣୁ ଓଡ଼ିଶା ସାହିତ୍ୟ ଏକାଡେମୀର ସହଯୋଗ ନେଇ ମୁଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କଲି । ମୋ ସୌଭାଗ୍ୟକୁ ସେତେବେଳେ ଆଇଏଏସ୍ ଅଧିକାରୀ ଇନ୍ଦୁଭୂଷଣ କର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଥିଲେ । ଆମେ ଦୁହେଁ ମିଶି ଦିଲ୍ଲୀଠାରେ ଏକ ଜାତୀୟ ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜନ କରିବା ପାଇଁ ଯୋଜନା କଲୁ । ଏହି ସମାରୋହକୁ ଏକ ଜାତୀୟ ସ୍ୱରୂପ ଦେବା ପାଇଁ ଅନ୍ୟ ଭାଷାର ପ୍ରତିଷ୍ଠିତ ସାହିତ୍ୟିକମାନଙ୍କୁ ଭେଟି ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରିବା ନିମନ୍ତେ ଇନ୍ଦୁବାବୁ ଓ ମୁଁ ଦିଲ୍ଲୀ ନଗର ସାରା ଘୂରିବୁଲିଲୁ । ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ଏହା ଥିଲା ସର୍ବପ୍ରଥମ ପ୍ରୟାସ ।

ଆମେ ଇନ୍ଦିରା ଗୋସ୍ୱାମୀ, ଶିଶିର କୁମାର ଦାସ, କେଦାରନାଥ ସିଂହ ଏବଂ ଆହୁରି ଅନେକ ପ୍ରତିଷ୍ଠିତ ଲେଖକଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିଲୁ । ସର୍ବଶେଷରେ ଆମେ ଯାଇ ପହଞ୍ଚିଲୁ ଅମ୍ରିତା ପ୍ରୀତମଙ୍କ ଘରେ । ସନ୍ଧ୍ୟାବେଳ । ଜଣେ ଭଦ୍ରଲୋକ ବାହାରକୁ ଆସିଲେ । ମୋ ଅନୁମାନ ଅନୁସାରେ ସେ ଥିଲେ ଇମରୋଜ, ଯାହାଙ୍କ ସହ ଅମ୍ରିତା ପ୍ରୀତମ୍ ଅନେକ ବର୍ଷ ଧରି ଏକାଠି ରହୁଥିଲେ । ସେ ଆମକୁ ସ୍ୱାଗତ କଲେ ଏବଂ ଭିତରକୁ ଡାକିନେଲେ । କୋଠରୀ ଭିତରେ ଥିଲା ମୃଦୁ ଆଲୋକ । ଇନ୍ଦୁବାବୁ ପୂର୍ବରୁ ଅମ୍ରିତା ପ୍ରୀତମ୍ ଙ୍କୁ ଖବର ଦେଇଥିଲେ । ଆମେ ତାଙ୍କୁ ଭେଟିଲୁ। କି ଅପୂର୍ବ ସୁନ୍ଦରତା, କି କୋମଳ କଣ୍ଠସ୍ୱର ! ଅମ୍ରିତା ଥିଲେ ଲେଖିକା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ବାନ୍ଧବୀ । ବହୁବାର ଓଡ଼ିଶା ଆସିଥିଲେ ମଧ୍ୟ । ସେ ଆମ ସାହିତ୍ୟ ସମାରୋହକୁ ଆସିବା ପାଇଁ ସ୍ୱୀକୃତି ଦେଲେ ଏବଂ ଆସିଥିଲେ ମଧ୍ୟ । ତାଙ୍କ ଘରେ କଫି ଓ ପକୋଡ଼ା ଖାଇ ବେଶ୍ ଖୁସି ମନରେ ସେଦିନ ଆମେ ଫେରିଥିଲୁ ।

ଏନବିଟିର କୌଣସି ନା କୌଣସି କାମରେ ମୁଁ ପ୍ରାୟତଃ ଅମ୍ରିତା ପ୍ରୀତମଙ୍କ ଘରକୁ ବାରମ୍ବାର ଯାଇଛି। ଅନେକ ସମୟରେ ମୁଁ ଇମରୋଜଙ୍କୁ ଭେଟିଛି, ଯିଏ ସର୍ବଦା ନିଜକୁ ଲୋକଙ୍କ ଦୃଷ୍ଟିରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ ଏବଂ ଚିତ୍ର କରିବାରେ ମଗ୍ନ ରହୁଥିଲେ । ଯେତେବେଳେ ବି କେହି ଯୁବ ଓଡ଼ିଆ ଲେଖକ ଦିଲ୍ଲୀରେ କୌଣସି ପ୍ରସିଦ୍ଧ ସାହିତ୍ୟିକଙ୍କୁ ଭେଟିବାରେ ସାହାଯ୍ୟ କରିବାକୁ ମୋତେ ଅନୁରୋଧ କରୁଥିଲେ, ମୁଁ ଉପରୋକ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ନିମନ୍ତେ ସେମାନଙ୍କୁ ପଠାଉଥିଲି ।

ଅମ୍ରିତା ପ୍ରୀତମ୍ ଙ୍କ ଦେହାନ୍ତ ଖୁବ୍ ଶୀଘ୍ର ହୋଇଯାଇଥିଲା କହିଲେ ଭୁଲ୍ ହେବନାହିଁ । ସେ ଯେତେବେଳେ ୧୯୮୧ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ, ମୁଁ ସେତେବେଳେ ‘ଆଲୋକ’ ପତ୍ରିକାରେ ତାଙ୍କ ପାଇଁ ଏକ ଆଲେଖ୍ୟ ଲେଖିବା ସହିତ ତାଙ୍କର ଏକ କବିତାର ଅନୁବାଦ ମଧ୍ୟ କରିଥିଲି । ତାଙ୍କ ଜ୍ଞାନପୀଠ ପାଇବା ଘଟଣାକୁ ନେଇ ସେ ସମୟରେ ଖୁବ୍ ହୋହଲ୍ଲା ମଧ୍ୟ ହୋଇଥିଲା । ପରେ ମୁଁ ବୁଝିପାରିଥିଲି ଏହିଭଳି ବହୁ ପୁରସ୍କାର କେବଳ ସାହିତ୍ୟିକ ଉତ୍କର୍ଷ ଆଧାରରେ ନୁହେଁ, ଅନ୍ୟାନ୍ୟ ବିଭିନ୍ନ ଆଧାରରେ ଦିଆଯାଇଥାଏ । କିନ୍ତୁ ନିଃସନ୍ଦେହରେ ଅମ୍ରିତା ପ୍ରୀତମ୍ ଥିଲେ ଜଣେ ବହୁତ ଭଲ ସାହିତ୍ୟିକ।

କିଛିବର୍ଷ ପୂର୍ବେ, ଅମ୍ରିତା ପ୍ରୀତମଙ୍କ ଦେହାନ୍ତ ପରେ ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ନିରାକାର ଦାସ ସେହି ମହାନ୍ ଲେଖିକାଙ୍କ ସ୍ମୃତିରେ ଏକ ସଭା ଆୟୋଜନ କରିବାକୁ ବାହାରିଲେ ଏବଂ ସେଥିରେ ଇମରୋଜ ଯୋଗ ଦିଅନ୍ତୁ ବୋଲି ଚାହିଁଲେ । ଏଥିପାଇଁ ସେ ମୋତେ କହିଲେ । ମୁଁ ଇମରୋଜଙ୍କୁ ଏହି ଅନୁରୋଧ ନେଇ ଫୋନ୍ କଲି । କିନ୍ତୁ ବେଶ୍ ଶାନ୍ତ ଓ ଭଦ୍ରତା ସହକାରେ ଇମରୋଜ କହିଲେ – “ମାନସଜୀ, ଅମ୍ରିତା ଜୀବିତ ଥିବାବେଳେ ମୁଁ ତାଙ୍କ ସହ କୁଆଡ଼େ ଯାଉନଥିଲି, କାରଣ ମୁଁ ଚାହୁଁଥିଲି ତାଙ୍କ ବିଶିଷ୍ଟତାର ଶ୍ରେୟ ସେ ଏକୁଟିଆ ହିଁ ପାଆନ୍ତୁ । ଏବେ ତାଙ୍କ ମୃତ୍ୟୁ ପରେ ବି ମୁଁ ସେହି ଶପଥ ଅତୁଟ ରଖିଛି । ତାଙ୍କ ମହାନତାରୁ ମୁଁ ଭାଗ ନେବାକୁ ଚାହୁଁନାହିଁ ।”

ଅମ୍ରିତା ପ୍ରୀତମଙ୍କ ଇଚ୍ଛାପତ୍ର

ସମ୍ପୂର୍ଣ୍ଣ ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ସହକାରେ
ଆଜି ମୁଁ ଲେଖୁଛି ମୋ ଇଚ୍ଛାପତ୍ର:

ମୋ ମୃତ୍ୟୁ ପରେ
ଖିନ୍ ଭିନ୍ କରିଦେବ ମୋ କୋଠରୀ
ଖୋଜିବ ପ୍ରତ୍ୟେକ ବସ୍ତୁ
ଯାହା ପଡ଼ିଛି ଇତଃସ୍ତତ
ତାଲା ନପଡ଼ି ମୋ ଘରେ ସବୁଆଡ଼େ।

ବାଣ୍ଟିଦେବ ମୋ ସ୍ୱପ୍ନ
ସେଇ ନାରୀମାନଙ୍କୁ ଯେଉଁମାନେ
ରୋଷେଇଘର ଓ ଶୋଇବାଘର ଭିତରେ
ହଜାଇ ଦେଇଛନ୍ତି ସେମାନଙ୍କ ପୃଥିବୀ
ବର୍ଷ ବର୍ଷ ତଳୁ ଭୁଲିଯାଇଛନ୍ତି
ସ୍ୱପ୍ନ ଦେଖିବା କ’ଣ ।
ବିଞ୍ଚିଦେବ ମୋ ହସ
ବୃଦ୍ଧାଶ୍ରମର ଅନ୍ତେଃବାସୀମାନଙ୍କୁ
ଯେଉଁମାନଙ୍କର ପିଲାମାନେ ହଜିଯାଇଛନ୍ତି
ଆମେରିକାର ଚକଚକିଆ ସହର ଭିଡ଼ରେ ।

କିଛି ରଙ୍ଗ ପଡ଼ିରହିଛି ମୋ ଟେବୁଲ ଉପରେ
ସେଥିରେ ରଙ୍ଗାଇଦେବ ସେଇ ଝିଅର ଶାଢ଼ୀ
ଯାହାର ଧଡ଼ି ଭିଜିଯାଇଛି ତା ସ୍ୱାମୀର ରକ୍ତରେ
ଯାହାକୁ ତ୍ରିରଙ୍ଗାରେ ଆବୃତ୍ତ କରି ଗଲାକାଲି
ଶୁଆଇ ଦିଆଯାଇଛି ଶେଷଶଯ୍ୟାରେ ।

ସବୁ କବିଙ୍କୁ ଦେଇଦେବ ମୋର ଲୁହ
ଶପଥ କରି କହିପାରେ ମୁଁ
ପ୍ରତ୍ୟେକ ବିନ୍ଦୁରୁ ନିଶ୍ଚିତ
ଜନ୍ମ ନେବ ଗୋଟିଏ କବିତା ।
ଦେଶର ପ୍ରତ୍ୟେକ ଯୁବକଙ୍କୁ ଏକାଠି କରି
ସେମାନଙ୍କ ଦେହରେ ଭରିଦେବ
ମୋର ବିଦ୍ରୋହାଗ୍ନି
ବିପ୍ଳବର କ୍ଷଣରେ ଖୁବ୍ ଲୋଡ଼ାହେବ
ସେମାନଙ୍କର ।
ମୋର ଉଲ୍ଲାସ ସେଇ ସୁଫି ସନ୍ଥର ପ୍ରାପ୍ୟ
ଯିଏ ସବୁକିଛି ଛାଡ଼ିଦେଇ ବାହାରି ପଡ଼ିଛି
ଖୋଜିବାକୁ ଈଶ୍ୱରଙ୍କୁ ।

ଶେଷରେ,
ଯାହା ରହିଯିବ ଅବଶେଷ
ମୋର ଈର୍ଷା
ମୋର ଲୋଭ
ମୋର କ୍ରୋଧ
ମୋର ମିଥ୍ୟା
ମୋର ସ୍ୱାର୍ଥପରତା
ଏ ସମସ୍ତଙ୍କୁ
ଜାଳିଦେବ ମୋ ସହ… ।

ଅମ୍ରିତା….

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.