• About
  • Contact
Wednesday, August 19, 2026
Wednesday, August 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆୟୁର୍ବେଦ ଓ ମୁଁ (ଭାଗ ୨୧)

ଆୟୁର୍ବେଦ ଓ ମୁଁ (ଭାଗ ୨୧)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୭ ଅପ୍ରେଲ ୨୦୨୫

ଦୂରରୁ ରେଳଗାଡ଼ିର ଶବ୍ଦ ହେଲା।

ସଂଗେ ସଂଗେ ଫୋନ୍ ବାଜିଉଠିଲା।
“ହେଲୋ – ଡଃ. ଶିରୋମଣି ଜୀ – କୈସେ ହେଁ?”

ଡଃ. ଶିରୋମଣିଙ୍କ ସହ ମୋର ପରିଚୟ ଆଜିଠୁ ଦେଢ଼ବର୍ଷ ତଳେ ଲକ୍ଷ୍ମୀ ନଗର, ଦିଲ୍ଲୀର ସିଜିଏଚ୍ଏସ୍ ଡିସ୍ପେନ୍ସାରୀରେ। ସେ ସେଠାର ଆୟୁର୍ବେଦିକ ଡାକ୍ତର। ମୋର ସ୍ପଣ୍ଡାସାଇଟିସ୍ ବେମାରି ଓ ଥଣ୍ଡା ରୋଗ କଥା ଜାଣି ଔଷଧ ଦେଲେ। ପରେ ପୁଅ ବି ନିଜ ମାଲିସ୍ ପାଇଁ ସେଠୁ ତେଲ ଆଣିଲା।

ଭଦ୍ରଲୋକ ପୁରୀ ପ୍ରତିବର୍ଷ ଆସୁଥିଲେ। ମୋଠୁ ପୁରୀର ଲୋକ ଜାଣି ଖୁସି ହେଲେ।

“ମୋ ପାଇଁ ପୁରୀରେ ଦୁଇଦିନ ରହିବାର ବ୍ୟବସ୍ଥା କରିଦେବେ?” ଡ.ଶିରୋମଣି ପଚାରିଲେ।

“ଏଇ କଥା? ଆମ ଘରେ ରହିବେ। ଭଲ ନଲାଗିଲେ ଲଜିଂ ବା ସରକାରୀ ଗେଷ୍ଟ ହାଉସ୍ ବା ସର୍କିଟ୍ ହୋଉସର ଆୟୋଜନ ମୁଁ କରିଦେବି।” ମୁଁ କହିଲି।

ଡଃ. ଶିରୋମଣି ଟିକେଟ୍ କଲେ। ଆସିବା ଟିକେଟ୍ ଉଡ଼ାଜାହାଜରେ। ଫେରିବା ରେଳରେ। ତା’ପରେ କରୋନା ଆସିଲା। ଲକ୍ ଡାଉନ୍ ହେଲା। ରେଳ, ଉଡ଼ାଜାହାଜ, ବସ୍, ସବୁ ବନ୍ଦ। ତାଙ୍କୁ ଟିକେଟ୍ ବାତିଲ କରିବାକୁ ହେଲା। ଏବେ ସେ ସସ୍ତ୍ରୀକ ପୁରୀ ଆସି ଫେରିଯାଇଛନ୍ତି।

ମୋ ଜେଜେବାବା ଆୟୁର୍ବେଦିକ୍ ଡାକ୍ତର ଥିଲେ। ବଡ଼ କକେଇ ବି। ଘରେ ଅମୃତାଂଜନ, ଭାସ୍କର ଲବଣ ଓ ମେଥି ମୋଦକ ତିଆରି କରନ୍ତି। ଧୀରେ ଧୀରେ ଆୟୁର୍ବେଦିକ ଔଷଧର ଚାହିଦା କମିଗଲା। ପ୍ରଥମେ ଲୋକେ ଘରୁ ଆସି ଔଷଧ କିଣିନେଇ ଯାଉଥିଲେ। ପରେ ବଡ଼କକେଇ ବୁଲି ବୁଲି ରେଳରେ ବିକିଲେ। ଦିନ ନଅଟା ବେଳକୁ ଚୁଲିରେ ମହମ ତରଳାନ୍ତି। ତା ସହ ବିଭିନ୍ନ ପ୍ରକାରର ଔଷଧ ତିଆରି ସାମଗ୍ରୀ ମିଶାଇ ତରଳାନ୍ତି ଓ ଛୋଟ ଛୋଟ ଶିଶିରେ ଢାଳନ୍ତି। ସେତକ ଥଣ୍ଡା ହୁଏ ଓ ଅମୃତାଂଜନ ତିଆରି ହୋଇଯାଏ। ତା’ପରେ ସେ ଶିଶିର ଠିପି ଲଗାନ୍ତି ଓ ଲେବୁଲ ଲଗାନ୍ତି। ରାତିରେ ଭାସ୍କର ଲବଣ ତିଆରି ହୋଇଥାଏ। ସେ ସବୁକୁ ଶିଶିରେ ପ୍ୟାକ୍ କରି ସେ ଗାଧୋଇ ପକାନ୍ତି ଓ କିଛି ଗୋଟିଏ ପାଟିରେ ପକାଇ (ଖାଇ) ଚା କପେ ପିଇ ବାହାରି ପଡ଼ନ୍ତି ଦୁଇଟା ପଇଁଚାଳିଶରେ ବାହାରୁଥିବା ତାଳଚେର ଲୋକାଲ୍ ଗାଡ଼ିରେ। ସେଥିରେ ଯାଉଥିବା ଗାଁ ଗହଳିର ଲୋକେ କକେଇଙ୍କ ଔଷଧ କିଣନ୍ତି। ଘରେ ତିଆରି ଔଷଧ ବାହାରଠାରୁ ଶସ୍ତା ଦାମର। ସେଥିରେ ସେ ଡେଲାଂଗ ଯାଏଁ ଯାଆନ୍ତି। ଟିକେଟ୍ ଦୈନିକ କରିପାରନ୍ତି ନାହିଁ। ମୋଟରି ଷ୍ଟେସନରେ ଚେକିଂ ହେବାର ସମ୍ଭାବନା ଥାଏ।

ଡେଲାଙ୍ଗରେ ଓହ୍ଲାଇ ବଡ଼କକେଇ ସେଦିନ ଉପାର୍ଜିତ ପଇସାରେ ପରିବାପତ୍ର କିଣନ୍ତି। କେବେ କେବେ ନାନୀ ଓ ମୋ ପାଇଁ ବୁଟ ଭଜା, ଭଜା ମୁଗ ଧରି ଫେରନ୍ତି। ତା’ପରେ ଚା କପେ ପିଇ, ଚାଉଳ ଭଜାଟିକେ ଖାଇ, ଭାସ୍କର ଲବଣ ତିଆରି, କେବେ କେବେ ସେଇ ମୋଦକ ତିଆରିରେ ଲାଗନ୍ତି। ରାତି ଦଶଟା ହେଇଯାଏ। ଆମେ ସବୁ କକେଇଙ୍କ ସହ ଖାଉ। ବୋଉ ରୋଷେଇ କରେନାହିଁ। ତା’ପାଇଁ ନନା ବଜାରରୁ ଖାଇବାକୁ କିଣିକରି ଆଣନ୍ତି। ନନା ଆସିବା ବେଳକୁ ଅଧରାତି।
ତାଳବଣିଆରେ ସାନକକେଇଙ୍କ ଘର ହେଇଗଲା ପରେ ମା, ବଡ଼କକେଇ ଓ ନାନୀ, କେବେ କେବେ ମୁଁ ତାଳବଣିଆରେ ରହିଲୁ। ବଡ଼କକେଇଙ୍କୁ ଷ୍ଟେସନ ସେଠୁ ପାଖ। ସେ ଦୁଇଟା ପଚିଶ ବେଳକୁ ଗଲେ ଷ୍ଟେସନ ପଛପଟୁ ରେଳ ଧରିପାରନ୍ତି। ଏମିତି ତାଙ୍କ ଜୀବନ ବିତୁଥାଏ। ଘର-ରେଳ-ଡେଲାଂଗ, ଷ୍ଟେସନ ଓ ପୁରୀ ଭିତରେ ଗଡ଼ିଚାଲିଥାଏ ତାଙ୍କ ଜୀବନ।

ବଡ଼କକେଇ ଅବିବାହିତ ଥିଲେ। ଏକଦା ସେ କଲିକତାରେ ଥିଲାବେଳେ ଗୋଟେ ବଂଗାଳି ଝିଅ ବାହା ହୋଇଥିଲେ ବୋଲି ଶୁଣାଯାଏ। ସେ ଝିଅ ମରିଗଲା। ବଡ଼କକେଇ ପୁରୀ ଫେରିଆସିଲେ । କଲିକତାରେ ସେ ବାଲିଗଂଜ କେମିକାଲରେ ଅମୃତାଂଜନ ତିଆରି ଶିଖିଥିଲେ। ଭାସ୍କର ଲବଣ ଓ ମେଥି ମୋଦକ ତିଆରି ସେ ଜେଜେବାପାଙ୍କଠାରୁ ଶିଖିଥିଲେ।

ବଡ଼କକେଇଙ୍କ ରେଳରେ ଔଷଧପତ୍ର ବିକ୍ରୀ ବେଶିଦିନ ଚାଲିପାରିଲା ନାହିଁ। ଲୋକେ କିଣିଲେ ନାହିଁ। ନୂଆ ନୂଆ ଏଲୋପାଥିକ୍ ଔଷଧମାନ ବଜାରରେ ମିଳିଲା। ରେଳରେ ଚେକିଂ ବଢ଼ିଲା। କକେଇ ଟିକେଟ୍ କିଣିପାରିଲେ ନହିଁ। ଏତିକିବେଳକୁ ଷ୍ଟେସନ୍ ଛକରେ ନୀଳକଣ୍ଠ ମନ୍ଦିର ତିଆରି ହେଲା। ମନ୍ଦିର ତିଆରିରେ ମୁଖ୍ୟ କାର୍ପଟଦାର ଥିଲେ ପ୍ରଭାକର ମିଶ୍ରେ। ବଡ଼କକେଇ କେବଳ ଆୟୁର୍ବେଦିକ୍ ଡାକ୍ତର ନଥିଲେ, ସେ ସଂସ୍କୃତରେ ଥିଲେ ଆଚାର୍ଯ୍ୟ। ସେଇଠି ସେ ହେଲେ ପୂଜକ।

ମନ୍ଦିର କିଛିକାଳ ଚାଲିଲା। ମୋ ସ୍ତ୍ରୀ ଓ ପିଲେ ଗଲେ ସେ ଖୁସି ହୁଅନ୍ତି। ଭୋଗ, ନଡ଼ିଆ, କଦଳୀ ବି ଦିଅନ୍ତି। ପଇସା ଯାଚନ୍ତି। ମୋ ସ୍ତ୍ରୀ ଓ ପିଲାମାନେ ପଇସା ନିଅନ୍ତି ନାହିଁ।

ଏମିତି ସଂଚି ସଂଚି ଦକ୍ଷିଣା ପଇସାରୁ ବଡ଼କକେଇ କେତେ ହଜାର ଟଙ୍କା ରଖିଥିଲେ। ଗାଁରେ ଘର ତିଆରି ହେବ ବୋଲି ସାନକକେଇଙ୍କୁ ଦେଲେ। ଗୋଟିଏ ଲୋଭ ଥିଲା। ଗାଁ ଘରେ ସିଏ ରହିବେ। ସାନ କକେଇଙ୍କର ତିନୋଟି ପୁଅ। ସେ ଭିତରୁ ବଡ଼ଟିକୁ ପୁଅକରି ବ୍ରତ କରି ଗାଁ ଘରେ ରହିବାକୁ ତାଙ୍କ ଇଚ୍ଛା ଥିଲା।

ଗାଁ ଘର ତିଆରି ହେଲା। କେହି ରହିଲେ ନାହିଁ। ଧୀରେ ଧୀରେ ବଡ଼କକେଇ ବେମାର ହେଲେ। ଗାଁ ଘର ତିଆରିବେଳେ କେବେକେବେ ଯାଉଥିଲେ। ମନ୍ଦିର କାମରେ ଯେତିକି ସମୟ ଦେବାକଥା ଦେଇପାରିଲେ ନାହିଁ। ତାଙ୍କ ସହକାରୀ ଭାବେ ଛୋଟ ପିଲାଟିଏ କାମ କରୁଥିଲା। ସେ ଯୁବକ ହୋଇଗଲା। ମନ୍ଦିର ପାଖେ ବଖରାଟିଏ ଭକ୍ତଙ୍କ ଚାନ୍ଦା ପଇସାରେ ତିଆରି ହେଲା। ବାହା ହେଲା। ଦିନେ ବଡ଼କକେଇ ପହଂଚିବା ବେଳକୁ ସେ ମୁଖ୍ୟ ପୂଜକ ଜାଗାରେ ବସିଛି। ବଡ଼କକେଇଙ୍କୁ ମନ୍ଦିରରେ ପଶିବାକୁ ଦେଲାନି।

ବଡ଼କକେଇ ବେମାର ହୋଇଗଲେ। ଜୀବନଯାକ ସାନକକେଇ, ଖୁଡ଼ି ଓ ପିଲାମାନଙ୍କ ସେବା ସେ ଓ ମା କଲେ। ତାଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରିଲା ନାହିଁ। ଦିନେ ସେ ଶେଯରେ ପଡ଼ି ପଡ଼ି ଚାଲିଗଲେ।
ସେ ମନ୍ଦିର ଏବେ ଭାଂଗିଗଲାଣି। ଯେଉଁ ଯୁବକଟି ମୁଖ୍ୟ ପୂଜକ ଜାଗାଟି ଦଖଲ କରିଥିଲା ତା’ର ତିନୋଟି ପୁଅ ଓ ଦୁଇଟି ଝିଅ। ଦୁଇଟି ପୁଅ ଅନ୍ୟ ମନ୍ଦିରରେ ପୂଜା କରନ୍ତି। ଗୋଟିଏ ରିକ୍ସାବାଲା, ଗୋଟେ ନୋଳିଆ ଝିଅକୁ ବାହା ହୋଇଥିଲା। ଏବେ ସେ ନିରାଶ୍ରୟ। ତା ପିଲାମାନେ କେଉଁଠି କେଉଁ ଦୋକାନରେ କାମ କରନ୍ତି; ଝିଅମାନେ କାହା ସହିତ ପଳେଇଗଲେ କି ବାହାହେଲେ, ଜଣାନାହିଁ।

ମନ୍ଦିର ତ ନାହିଁ। ଲୋକେ ଧର୍ମ କିଣିବାକୁ ଆଗ୍ରହୀ। କର୍ପୋରେଟ୍ ଦୁନିଆରେ ଧର୍ମ ଏକ ସଫଳ ବ୍ୟବସାୟ। ଆୟୁର୍ବେଦ ବି ଏକ ବ୍ୟବସାୟ, ଯେଉଁଠି ମୋ ବଡ଼କକେଇ ଓ ଡଃ. ଶିରୋମଣିଙ୍କ ଭଳି ଲୋକେ ଅଦରକାରୀ, ଅବାଂଛିତ!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.