• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଚରଖା ଓ ଗାନ୍ଧିଜୀ

ଚରଖା ଓ ଗାନ୍ଧିଜୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧୫ ନଭେମ୍ବର ୨୦୨୨

ହାତବୁଣା ଖଦଡ଼ ଓ ହାତକଟା ସୂତା ଗାନ୍ଧୀ ଦର୍ଶନ ଓ ଗାନ୍ଧୀ ନୀତିର ବୈଶିଷ୍ଟ୍ୟତା। ୧୯୨୧ ମସିହା ମାର୍ଚ୍ଚ ୩୧ ତାରିଖରେ ବିଜୟୱାଡା ଠାରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟି ଅଧିବେଶନରେ ପ୍ରଣୀତ ହେଲା ଯେ ୧୯୨୧ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା କୋଟିଏ କଂଗ୍ରେସ କର୍ମୀ ସଂଗୃହୀତ ହେବେ, ତିଳକ ସ୍ୱରାଜ ପାଣ୍ଠି ପାଇଁ ଏକ କୋଟି ଟଙ୍କା ଚାନ୍ଦା ସଂଗ୍ରହ ହେବ ଓ ଘରେ ଘରେ ଚରଖା ବସିବ । ଏକ ଲକ୍ଷ ଚରଖା ଚାଲିବ ବୋଲି ନିଧାର୍ଯ୍ୟ ହେଲା। ଯୋଜନା ଅନୁଯାୟୀ ୩୦ ଜୁନ୍ ସୁଦ୍ଧା ଏକ ଲକ୍ଷ ଚରଖା ଚାଲୁ ହେଲା। ପରବର୍ତ୍ତୀ କଂଗ୍ରେସ ଅଧିବେଶନ ୧୯୨୧ ମସିହା ଜୁଲାଇ ୨୮ରେ ବମ୍ବେରେ ବସିଲା ଓ ସମସ୍ତ କର୍ମୀଙ୍କୁ ସୂତାକଟା ଓ ଖଦୀବୁଣା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଗଲା । ଖଦୀ କାମକୁ ତ୍ୱରାନିତ କରିବା ପାଇଁ କଂଗ୍ରେସ ସଂସ୍ଥାରୁ ଅଲଗା ହୋଇ ଅଖିଳ ଭାରତ ଚରଖା ସଂଘ ନାମକ ଏକ ଅଣରାଜନୈତିକ ସଂସ୍ଥା ଗଠନ କରିବାକୁ ୧୯୨୫ ମସିହା ସେପ୍ଟେମ୍ବର ୨୧ତାରିଖରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ ହେଲା। ଏହା ସହିତ କାଳକ୍ରମେ ପ୍ରାଦେଶିକ ଶାଖାମାନ ଗଠନ ହେଲା । କେନ୍ଦୁପାଟଣା, ବୋଲଗଡ ଆଦି ସ୍ଥାନରେ ଖଦୀ କେନ୍ଦ୍ର ଖୋଲିଲା ।

୧୯୨୩ ମସିହାରେ ‘ଗାନ୍ଧୀ ସେବା ସଂଘ’ ଗଠନ କରାଗଲା । ଏହାର ଲକ୍ଷ୍ୟ ଥିଲା ଗାନ୍ଧୀ ଆଦର୍ଶ ଓ ନୀତିକୁ ଅବଲମ୍ବନ କରି ଜୀବନ ବିତେଇବା ଓ ଗଠନମୂଳକ କାର୍ଯ୍ୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା । ଗାନ୍ଧୀ ସେବା ସଂଘ ବିଭିନ୍ନ ପ୍ରଦେଶରେ ଖୋଲିଲା । ଓଡ଼ିଶାରେ ଖଦୀକାମ ପ୍ରସାର କରିବା ପାଇଁ ଶ୍ରୀ ଜୀବରାମ କଲ୍ୟାଣୀଜୀ ତାଙ୍କର ସଂଚିତ ଅର୍ଥରୁ ଏକ ଲକ୍ଷ ଟଙ୍କା ଗାନ୍ଧୀଜୀଙ୍କ ପରାମର୍ଶରେ ଗାନ୍ଧୀ ସେବାସଂଘକୁ ଅର୍ପଣ କଲେ ଓ ତଦନୁଯାୟୀ ଓଡ଼ିଶାରେ ଗାନ୍ଧୀ ସେବା ସଂଘ କାର୍ଯ୍ୟ ଆରମ୍ଭ କଲା । ଗୋପବନ୍ଧୁ ଚୌଧୁରୀ ଏହାର ପରିଚାଳନା ଦାୟିତ୍ବରେ ରହିଲେ । ସୂତାକଟା, ହାତତନ୍ତରେ ଖଦଡ଼ ବୁଣା, ଖଦଡ଼ ବ୍ୟବହାର, ବିକ୍ରୀ, ପ୍ରଚାର ଓ ପ୍ରସାର ହେଲା ଖଦୀକାମର ଅଂଶ ବିଶେଷ। ଓଡିଶାର ବିଭିନ୍ନ ଯାଗାରେ ଗାନ୍ଧୀ ସେବାସଂଘର କେନ୍ଦ୍ରମାନ ଖୋଲିଲା । ପୂର୍ବରୁ ଅଖିଳ ଭାରତ ଚରଖା ସଂଘ ଓଡ଼ିଶା ଶାଖା ଜରିଆରେ ଏ ସବୁ କାର୍ଯ୍ୟ କରି ଆସୁଥିଲା । ଖଦୀର ଅର୍ଥ ସ୍ବାବଲମ୍ବ । ନିଜେ ଶ୍ରମ କରି ଖଦୀ ଉତ୍ପନ୍ନ କରିବାକୁ ଗାନ୍ଧିଜୀ କର୍ମୀ ମାନଙ୍କୁ ପରାମର୍ଶ ଦେଉଥିଲେ। ୧୯୨୪ ମସିହାରେ ଚାରିଆଡେ ଅରଟ, ସୂତାକଟା, ଲୁଗାବୁଣା ଓ ଖଦଡ଼ ବ୍ୟବହାର ଉପରେ ଗୁରୁତ୍ବ କ୍ରମଶଃ ବଢ଼ିଲା ।

୧୯୩୪ରୁ ୧୯୪୨ ମସିହା ମଧ୍ୟରେ ଓଡ଼ିଶାରେ ଗାନ୍ଧୀ ସେବା ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୩ଟି ଖଦୀ କେନ୍ଦ୍ର କାର୍ଯ୍ୟ କରୁଥିଲା । ୧୯୩୮ରେ ୧୨ଟି କେନ୍ଦ୍ରରେ ୫୪୦ଟି ଅରଟ ଚାଲିଲା ଓ ଏହାଦ୍ୱାରା ପାଖାପାଖି ୮୫୨୦ ଗଜ ଖଦୀ ବୁଣା ହୋଇପାରିଲା। ୧୯୩୮ ମାର୍ଚ୍ଚ ମାସରୁ ଜୁଲାଇ ମାସ ମଧ୍ୟରେ କେବଳ ବରୀ କେନ୍ଦ୍ରରେ ସାଢେ ୭ ଲକ୍ଷ ଗଜ ସୂତା ଓ ଡେଲାଙ୍ଗ ବେରବୋଇରେ ୫୯,୨୩୦ ଗଜ ସୂତା କଟା ସମ୍ଭବ ହୋଇ ପାରିଲା। ଖଦଡ଼ ବ୍ୟବହାର ଓ ପ୍ରସାର ଫଳରେ ଚାରିଆଡେ ଲୋକ ଖଦଡ଼ ପିନ୍ଧିଲେ, ଘରେ ଘରେ ତାକୁଡି ଅରଟ ଚାଲିଲା । ଲୋକମାନେ ସୂତାକାଟି ରୋଜଗାରକ୍ଷମ ହେବାସହ ଓ ସ୍ୱାବଲମ୍ବୀ ହୋଇପାରିଲେ । ଗାନ୍ଧିଜୀ କହିଲେ ଯେ ଖଦୀ କେବଳ ଲୁଗା ନୁହେଁ, ଏହା ସ୍ୱରାଜ ପ୍ରାପ୍ତିର ଅନ୍ୟନାମ ଓ ନୂତନ ସମାଜ ଗଠନର ମୂଳଦୁଆ । ଏହାର ମୂଲ୍ୟ ଅମୂଲ, ଆଦର୍ଶ ବହୁତ ବଡ଼ । ମନରେ ଥାଏ – ଖଦୀ ପଛେ ମହଙ୍ଗା ହେଉ, କଟାଳୀ ଯେପରି ମଜୁରୀ ପାଉ ।

କାଳକ୍ରମେ ଚାରିଆଡ଼େ କଟାଳି ସଂଖ୍ୟା ବଢ଼ୁଥାଏ । କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ ଯେ ପ୍ରତି କେନ୍ଦ୍ରରେ ସେମାନେ ଦୁଇଟି ଲୋକ ବାଛିବେ ଓ ତନ୍ତବୁଣା ଶିଖାଇବାକୁ ସେମାନଙ୍କୁ କଟକ ପଠାଇବେ । ଖଦୀର ପ୍ରସାର ପାଇଁ ଗୋପବନ୍ଧୁ ଚୌଧୁରୀ ଗୋଟିଏ ବାଉଁଶ ତିଆରି ଶସ୍ତା ଅରଟ ପ୍ରଚଳନ କରାଇଲେ । ପ୍ରତି ଚରଖାର ଦାମ୍ ଦଶ ଅଣା ଥିଲା, ୧୯୩୮ରେ ଗାନ୍ଧୀ ସେବାସଂଘ ତରଫରୁ ବରୀରେ ଗୋପବାବୁ ଗୋଟିଏ ଖଦୀ ସରଞ୍ଜାମ କର୍ଯ୍ୟାଳୟ ବସାଇଲେ । ଖଦୀର ବିଭିନ୍ନ ସରଞ୍ଜାମ ତିଆରି ହୋଇ ଅନ୍ୟାନ୍ୟ କେନ୍ଦ୍ରକୁ ପଠାଗଲା । ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ସରଞ୍ଜାମ କାର୍ଯ୍ୟାଳୟ ଧ୍ବଂସ ପାଇଗଲା ।

ସୂତାକଟା, ଖଦୀ ଓ ଅନ୍ୟାନ୍ୟ ଗଠନମୂଳକ କାମ କରି ସମସ୍ତଙ୍କୁ ସ୍ବାବଲମ୍ବୀ କରିବା ଥିଲା ଗାନ୍ଧିଜୀଙ୍କ ଲକ୍ଷ୍ୟ । ବରୀରେ ଗ୍ରାମସେବା ତାଲିମକେନ୍ଦ୍ର ଆୟୋଜନ କରାଯାଇ ଆଶ୍ରମରେ ସମସ୍ତଙ୍କୁ ଦିନକୁ ଅତି କମ୍ ରେ ୨/୩ ଘଣ୍ଟା ସୂତା କାଟିବା ପାଇଁ ପରାମର୍ଶ ଦିଆଗଲା । ୧୯୪୫ ମସିହାରେ ଗାନ୍ଧିଜୀ ଜେଲରୁ ଫେରିଲା ପରେ ରଚନାତ୍ମକ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେଲା । ଗାନ୍ଧୀଜୀ ଖଦୀ ସଂସ୍ଥାକୁ ବିକେନ୍ଦ୍ରୀକରଣ କରାଇବା ପାଇଁ ନିଷ୍ପତ୍ତି ନେଲେ । ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତି ପ୍ରଦେଶରେ ଖଦୀ କାମ ପାଇଁ ସ୍ୱତନ୍ତ୍ର ସଂସ୍ଥା ଖୋଲା ହେବାକୁ ସ୍ଥିର ହେଲା । ପ୍ରତି ପ୍ରଦେଶରେ ‘ଚରଖା ସଂଘ’ ଅଖିଳ ଭାରତ ଚରଖା ସଂଘର ପ୍ରାଦେଶିକ ଶାଖା ହୋଇ ରହିବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା । ୧୯୪୫ରେ ଗାନ୍ଧୀ ଜୟନ୍ତୀ ଦିନ ଗାନ୍ଧିଜୀଙ୍କୁ ସୂତା ଭେଟି ଦେବାକୁ ସ୍ଥିର ହେଲା । ୧୯୪୬ରେ ଉତ୍କଳ ଖଦୀମଣ୍ଡଳ ଗଠନ ହେଲା । ୧୯୪୭ରେ ଗାନ୍ଧୀଜୀ ‘ଉତ୍କଳ ଖଦୀମଣ୍ଡଳ’ ଗଠନକୁ ସ୍ବୀକୃତି ଦେଲେ । ୧୯୪୭ ଅକ୍ଟୋବର ୨୧ ତାରିଖରେ କଟକରେ ସୂତାକଟା କେନ୍ଦ୍ରଟିଏ ଖୋଲିଲା । ପ୍ରତିଦିନ ୧୫ ଜଣ ଲୋକ ସେଠାରେ ସୂତାକଟା ଶିଖଲେ । ସେ ସମୟରେ ଭଦ୍ରଖରେ ଜୀବରାମଜୀ କଲ୍ୟାଣୀଜୀଙ୍କର ‘ବାଳାଶ୍ରମ’ରେ ସୂତାକଟା ଓ ତନ୍ତରେ ଲୁଗାବୁଣା ଶିକ୍ଷା ଦିଆଯାଉଥାଏ । କୋରାପୁଟ ଜିଲ୍ଲାର କୁଜେନ୍ଦ୍ରୀ ଗ୍ରାମରେ ଏହି କାମ ଚାଲିଥାଏ, ଓଡିଶାରେ ୧୩ଟି ସ୍ଥାନରେ ‘ସାବଲମ୍ବୀ କେନ୍ଦ୍ର’ ଚାଲିଲା। ଉତ୍କଳ ଖଦୀମଣ୍ଡଳ ନିଷ୍ପତ୍ତି ଅନୁଯାୟୀ ଖଦୀକୁ ସାବଲମ୍ବୀ କରିବା ପାଇଁ ସବୁ ଶକ୍ତି ବିନିଯୋଗ କରାଗଲା ଓ ମଜୁରି ଦେଇ ସୂତା କଟା ବନ୍ଦ କରାଗଲା । କର୍ମୀମାନେ ଭଲସୂତା ତିଆରି ଶିଖନ୍ତୁ ଓ ଲୁଗା ବୁଣା ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଆହ୍ୱାନ ଦିଆଗଲା । ୧୯୪୮ରୁ ଉତ୍କଳ ଖଦୀମଣ୍ଡଳ କାମ ଚାଲିଲା, କର୍ମୀ ଖଦୀ ବୁଣି ବିକିବେ,ଦୈନିକ ୬ ଘଣ୍ଟା ବୁଣିବେ, ମାସକୁ ଯେପରି ୬୦ ଗଜ ବୁଣିବେ, ସରକାରୀ ଖଦୀବୋର୍ଡ ଗଠନ ହେଲା ପରେ ବେସରକାରୀ ଉତ୍କଳ ଖଦୀମଣ୍ଡଳ ନିଷ୍କ୍ରିୟ ହୋଇଗଲା, କିନ୍ତୁ ଖଦୀର ପ୍ରସାର ସେତେବେଳକୁ ବଢିଯାଇଥିଲା ଗାନ୍ଧୀ ନୀତିରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ କର୍ମୀ ହୃଦୟଙ୍ଗମ କରିଥିଲେ ଯେ, ଖଦୀ ହେଉଛି ଅପରିହାର୍ଯ୍ୟ। ଖଦୀ କାମ ବଢ଼ିଲେ ଚାରିଆଡେ ଅହିଂସା ବାତାବରଣ ସୃଷ୍ଟି ହେବା ସହ ଲୋକ ସ୍ୱାବଲମ୍ବୀ ହୋଇପାରିବେ ।

ଗାନ୍ଧୀଜୀ କହୁଥିଲେ ରଚନାତ୍ମକ କାର୍ଯ୍ୟ କରିବା ଅର୍ଥ ପୂର୍ଣ୍ଣ ସ୍ଵରାଜ ହାସଲ କରିବା । ଅର୍ଥନୈତିକ କ୍ଷେତ୍ରରେ ଖଦୀ ମେରୁଦଣ୍ଡ ସଦୃଶ ଥିଲା । ଏହା ଅର୍ଥନୈତିକ ସ୍ବାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଶିକ୍ଷିତ ବର୍ଗ ଓ ଜନତାଙ୍କ ମଧ୍ୟରେ ଥିବା ପ୍ରାଚୀରକୁ ଭାଙ୍ଗିବାରେ ଖଦୀ ନିର୍ଣ୍ଣାୟକ ଭୂମିକା ବହନ କରିଥିଲା । ଗାନ୍ଧୀଜୀଙ୍କର ସ୍ଵରାଜ ଭାବନା ଥିଲା ଗତିଶୀଳ । ନିଜର କର୍ତ୍ତବ୍ୟ ସଂପାଦନ କଲେ ଏହା ଆପେ ଆପେ ଆସିଥାଏ ବୋଲି ବିଶ୍ୱାସ ଥିଲା । ଗାନ୍ଧୀଜୀଙ୍କ ସ୍ଵଦେଶୀ ବାର୍ତ୍ତା ହେଉଛି ଇଂରେଜ ଜିନିଷ ବର୍ଜନ କରିବା ସହିତ ନିଜ ଦେଶର ଜିନିଷ ବ୍ୟବହାର କରିବା । ଖଦୀ ଉତ୍ପାଦନ ଉପରେ ଗାନ୍ଧୀଜୀ ସର୍ବଦା ଗୁରୁତ୍ବ ଦେଉଥିଲେ । ଆତ୍ମ ନିର୍ଭରଶୀଳତା ମାଧ୍ୟମରେ ସାବଲମ୍ବୀ ହେବା ସ୍ଵଦେଶୀ କାର୍ଯ୍ୟକ୍ରମର ଲକ୍ଷ୍ୟ । ଖଦୀ ଅହିଂସା ଆନ୍ଦୋଳନର ପ୍ରତୀକ । ସ୍ଵଦେଶୀ ଘୃଣାର ପରିଭାଷା ନୁହେଁ, ଏହା ଏକ ନିଃସ୍ୱାର୍ଥପର ସେବା ତତ୍ତ୍ୱ । ଗାନ୍ଧୀଜୀ କହୁଥିଲେ ନିଜର କର୍ତ୍ତବ୍ୟ ବା ସ୍ଵଧର୍ମ ପାଳନ କରି ମୃତ୍ୟୁବରଣ କରିବା ଶ୍ରେୟସ୍କର । ଚରଖା ସ୍ୱଦେଶୀ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ଓ ସ୍ଵଦେଶୀ ଏକ ଜୀବନ ଧାରା । ଗାନ୍ଧୀଜୀଙ୍କ ମତରେ ସ୍ଵଦେଶୀ ସତ୍ୟାଗ୍ରହୀଙ୍କର ଆଚାର ସଂହିତାର ଏକ ଅଂଶ । ସ୍ଵଦେଶୀ କୁ ସାମାଜିକ ମୂଲ୍ୟବୋଧରେ ପରିଣତ କରିବା ଗାନ୍ଧୀଜୀଙ୍କର ଥିଲା ପ୍ରୟାସ। ସ୍ଵଦେଶୀ ଦେଶପ୍ରେମର ଏକ ନିଦର୍ଶନ, ଏହା ପ୍ରତିଶୋଧ ପରାୟଣ ମନୋଭାବ ନୁହେଁ। ଖଦୀ ଓ କୁଟୀର ଶିଳ୍ପ ସ୍ବଦେଶୀ ଭାବନାର କବଚ ସଦୃଶ। ଗାନ୍ଧିଜୀଙ୍କ ଭାଷାରେ ଶୋଷଣର ଭାବନା ସ୍ଥାନରେ ସେବାର ଭାବନାକୁ ସ୍ଥାପନା କରିବା ହେଉଛି ଚରଖାର ବାର୍ତ୍ତା । ଏହାଦ୍ୱାରା ସମାଜ ଶୋଷଣ ମୁକ୍ତ ହୋଇପାରିବ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.