• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଛୋଟ ମୋର ଗାଆଁଟି (ଭାଗ ୧୬)

ଛୋଟ ମୋର ଗାଆଁଟି (ଭାଗ ୧୬)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩ ମାର୍ଚ୍ଚ ୨୦୨୫

ଛୋଟ ମୋର ଗୀଆଁଟି।

ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାଆଁଟି।

ମୋର ସପ୍ତମ ଶ୍ରେଣୀ ବହିରେ ଥିଲା ଏ କବିତାଟି। ମୁଁ ଜାଣିନଥିଲି ଯେ ଦିନେ ମୁଁ ଖୋର୍ଦ୍ଧାରେ ପଢ଼ିବି।

ପଞ୍ଚମ ଶ୍ରେଣୀରେ ମୁଁ ସ୍କଲାରସିପ୍‌ ପାଇଥିଲି। ଷଷ୍ଠରେ ନନା ବିଶ୍ଵମ୍ଭର ବିଦ୍ୟାପୀଠରେ ପୁରୀରେ ନାଁ ଲେଖାଇଦେଲେ। ସେତେବେଳେ ପୁରୀରେ ପୁଅମାନଙ୍କ ପାଇଁ ବଡ଼ ସ୍କୁଲ ଦୁଇଟି। ପୁରୀ ଜିଲ୍ଲା ସ୍କୁଲ ଓ ବିଶ୍ଵମ୍ଭର ବିଦ୍ୟାପୀଠ। ବିଶ୍ଵମ୍ଭର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପଦ୍ମନାଭ ଦାଶ ଥିଲେ ନନାଙ୍କ ବନ୍ଧୁ।

ହେଲେ, ଆମ ଘରଠୁ ବିଦ୍ୟାପୀଠ ଥିଲା ଅନେକ ବାଟ। ମଝିରେ ଥିଲା ଗୋଟେ ବାଲି ରାସ୍ତା। ନନା ବୋଉ ସକାଳୁ ଉଠୁନଥିଲେ। ମା’ ମତେ ପ୍ରସ୍ତୁତ କରି ସ୍କୁଲ ପଠାଏ। ସବୁଦିନ ସ୍କୁଲ ପହଞ୍ଚେ ସାଢ଼େ ସାତଟାରେ।

କିଛିଦିନ ପରେ ପ୍ରଧାନ ଶିକ୍ଷକ ଗେଟ୍‌ ସାମ୍‌ନାରେ ବୁଲିଲେ। ଦିନେ ମତେ ଧରିଲେ ପଚାରିଲେ, “କାହିଁକି ଡେରି ହେଲା?”

ମୁଁ ପ୍ରଧାନ ଶିକ୍ଷକଙ୍କୁ ଡରି ଧୀରେ ଧୀରେ ସ୍କୁଲର ପଛପଟେ ଯିବା ଆରମ୍ଭ କଲି। ହାବେଳି ଗଳି ଉ.ପ୍ରା. ବିଦ୍ୟାଳୟ ପରେ ସ୍କୁଲର ଅଧା କାନ୍ଥରୁ ମୁଁ ଡେଇଁପଡ଼େ। ପାଖରେ ପ୍ରଥମେ ଆସେ ଆମ ସେକ୍ସନ୍‌ “ଡି”। ଆମ ପ୍ରଧାନ ଶିକ୍ଷକ ଷଷ୍ଠ ଶ୍ରେଣୀରେ ଥାଆନ୍ତି ବିନାୟକ ସାର୍‌। ମୁଁ କିଛି ମାସ ପାଠ ଛାଡ଼ି ବୁଲିଲି। ନନା ପୁଣି ଥରେ ଯାଇ ରିଆଡ଼ମିସନ କରାଇଲେ। ଷଷ୍ଠ ଶେଷ ବେଳକୁ କକେଇ ମତେ ନେଇଗଲେ। ତାଙ୍କ ଘର ଆହୁରି ଦୂର ହେଲା। ସେଠି ସମସ୍ତେ ସକାଳୁ ଉଠୁଥିଲେ। ନାନୀ ସେଇଠି ରହୁଥାଏ। ଆମେ ଦୁହେଁ ସକାଳୁ ଚାଲି ଚାଲି ସ୍କୁଲ ଯାଉ। ନାନୀ ଗାର୍ଲସ୍‌ ସ୍କୁଲରେ ତ ମୁଁ ବିଶ୍ଵମ୍ଭର ରେ। ଏମିତି ମୁଁ ଷଷ୍ଠ ପାଶ୍‌ କରିଗଲି। ନନାଙ୍କ ପାଖକୁ ଖରାଛୁଟିରେ ଚାଲିଗଲି। ସପ୍ତମରେ ପୁଣି ସେଇ ଅବସ୍ଥା। ଶ୍ରେଣୀ ଶିକ୍ଷକ କାଶୀନାଥ ଖୁଣ୍ଟିଆ ମତେ ବହୁତ ବାଡ଼େଇଲେ। ମୁଁ ପଢ଼ା ଛାଡ଼ିଦେଲି।

ଦୀନବନ୍ଧୁ ଭାଇନା ଥିଲେ ନନାଙ୍କ ଜେଲ୍‌ ସାଙ୍ଗ। ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସେ ଓ ନନା ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ଥିଲେ। ସେ ମାସରେ ଥରେ ଅଧେ ପୁରୀ ଆସନ୍ତି। ତାଙ୍କ ଘର ଥାଏ ଖୋର୍ଦ୍ଧାରେ।

ଦୀନବନ୍ଧୁ ଭାଇନାଙ୍କ ବାହାଘର କାହାଣୀ ବଡ଼ ଚମକପ୍ରଦ। ଅନେକ ଦିନ ପର୍ଯ୍ୟନ୍ତ ସେ ଅବିବାହିତ ଥିଲେ। ବଂଗ ଦେଶର ଦୁର୍ଭିକ୍ଷ ସମୟରେ ଝିଅଟିଏ ପୁରୀ ଚାଲିଆସି ସିଂହଦ୍ୱାରରେ ଭିକ୍ଷା ମାଗୁଥାଏ। ମୋର ଜଣେ ଦେଠେଇ ଥିଲେ। ଲୋକନାଥ ମନ୍ଦିର ପାଖରେ ତାଙ୍କର ବହୁତ ବଡ଼ ବଗିଚା ଥାଏ। ଦଦେଇ ଟାଟା କମ୍ପାନୀରେ ଚାକିରି କରୁଥିଲେ। ତାଙ୍କ ଗାଁର ବଳି ମହାପାତ୍ର ନାମକ ଭଦ୍ରଲୋକ ବଗିଚା କଥା ବୁଝୁଥିଲେ। ଦଦେଇ ସନ୍ଦେହ କଲେ, ଦେଠେଇ ଓ ବଳି ମହାପାତ୍ରଙ୍କ ଭିତରେ କିଛି ଅନୈତିକ ସଂପର୍କ ଗଢ଼ିଉଠିଛି। ସେଇ ସନ୍ଦେହରୁ ଦଦେଇ ଓ ଦେଠେଇଙ୍କ ଭିତରେ କଳି ହେଲା। ଗୋଟିଏ ବଗିଚାରେ ଥିଲେ ବି ଦୁହେଁ ଅଲଗା ଅଲଗା ଘରେ ରହିଲେ। ନନା ଥିଲେ ଦୁହିଁଙ୍କର ପ୍ରିୟ। ଦେଠେଇ ଟିକେ ମୋଟି ଥିଲେ। ତାଙ୍କୁ ଆମେ ସମସ୍ତେ କୋଦେଇ ଦେଠେଇ ଡାକୁଥିଲୁ। ଥରେ ସକାଳବେଳା ନନା ଓ କୋଦେଇ ଦେଠେଇ ପତିତପାବନଙ୍କ ଦର୍ଶନ କରିବାକୁ ଗଲାବେଳେ ଝିଅଟିକୁ ଦେଖିଲେ।

ସୁନ୍ଦର ଝିଅଟିଏ। ସାତ ଆଠ ବର୍ଷର ହେବ। ଦେଠେଇଙ୍କୁ ଲାଗିଲା, ଯଦି ସେଇଠି ଝିଅଟିକୁ ଛାଡ଼ି ଚାଲିଯିବେ, ହୁଏତ ଦୁଷ୍ଟ ପ୍ରକୃତିର ଲୋକେ ତାକୁ ନେଇ ବେଶ୍ୟା ବୃତ୍ତିରେ ଲଗାଇଦେବେ। ସେ ନନାଙ୍କୁ ତାଙ୍କ ସାଇକେଲ୍‌ରେ ଆଣି ଝିଅଟିକୁ ତାଙ୍କ ବଗିଚାରେ ଛାଡ଼ିଦେବାକୁ କହିଲେ।

ଧୀରେ ଧୀରେ ଝିଅଟି ବଡ଼ ହେଲା। ବିବାହ ଯୋଗ୍ୟା ହେବା ପରେ ଦେଠେଇ ତା ପାଇଁ ବରପାତ୍ର ଖୋଜିଲେ।

ଜାତିପ୍ରଥା ସେତେବେଳେ ପ୍ରବଳ। ଜାତି, ଗୋତ୍ର ଜଣାନାହିଁ। ଝିଅଟିକୁ ବାହା ହେବା ପାଇଁ କେହି ରାଜି ହେଲେ ନାହି। ନନା ଦୀନବଂଧୁ ଭାଇନାଙ୍କୁ ପଚାରିଲେ। ଦୀନବଂଧୁ ଭାଇନାଙ୍କୁ ସେତେବେଳକୁ ଚାଳିଶ ବର୍ଷ ଉପରେ। ଝିଅଟିର ବୟସ ଷୋହଳ। ଦୀନବଂଧୁ ଭାଇନାଙ୍କ ନନା ବୋଉ ଚାଲିଯାଇଥିଲେ। ତାଙ୍କ ବଡ଼ ଭାଇନା ଏ ବିଷୟରେ ସିଦ୍ଧାନ୍ତ ଦୀନବଂଧୁ ଭାଇନାଙ୍କ ହାତରେ ଛାଡ଼ିଦେଲେ।

ବାହାଘର ଠିକ୍‌ ହୋଇଗଲା। ହେଲେ, ରୀତିନୀତି ଅନୁସାରେ କନ୍ୟାଦାନ କରିବ କିଏ? ଦଦେଇ ରାଜି ହେଲେ ନାହିଁ। ନନାଙ୍କୁ କନ୍ୟାଦାନ କରିବାକୁ ପଡ଼ିଲା। ସେଇ ହିସାବରେ ସେ ଝିଅ ମୋର ଭଉଣୀ ହୋଇଗଲେ। ଦୀନବଂଧୁ ଭାଇନା ହୋଇଗଲେ ଭିଣୋଇ।

ଦୀନବଂଧୁ ଭାଇନାଙ୍କର ଦୁଇଟି ଝିଅ ଥିଲେ-ଛୋଟି ଓ ଗଜି। ନାନୀ ଗଜିକୁ ଦଶମାସ ବେଳେ ମରିଗଲେ। ଦୀନବଂଧୁ ଭାଇନାଙ୍କୁ ଲୋକେ ବାହା ହେବାକୁ କହିଲେ। ସେ କିନ୍ତୁ ବାହାହେବାକୁ ମନାକଲେ। ତାଙ୍କ ବୟସ ୪୫ ବି ସେତେବେଳକୁ ହୋଇନଥିଲା। ଯେଉଁ ବୟସରେ ଅନେକ ଲୋକ ବାହା ହେଉଥିଲେ ସେହି ବୟସରେ ଦୀନବଂଧୁ ଭାଇନା ଝିଅ ଦୁଇଜଣଙ୍କୁ ମାଆ ଭଳି ପାଳି ବଡ଼କଲେ। ତାଙ୍କର ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡରେ ଜଳଖିଆ ଦୋକାନଟିଏ ଥିଲା। ସେଇ ହିଁ ଥିଲା ତାଙ୍କ ରୋଜଗାରର ଜରିଆ। ସେତେବେଳେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସରକାର ଭତ୍ତା ଦେବା ଆରମ୍ଭ କଲେ। ଦୀନବଂଧୁ ଭାଇନା ପୁରୀ ଆସିବା ବେଳେ ମୋତେ ଆମ ହୋଟେଲରେ ବସୁଥିବା ଦେଖିଲେ।

“ବାବୁ କ’ଣ ସ୍କୁଲ ଯାଉନି?” ସେ ନନାଙ୍କୁ ପଚାରିଲେ।

“ପାଠ ଛାଡ଼ି ବସିଛି ତିନିମାସ ହେଲା।” ନନା ଉତ୍ତର ଦେଲେ।

“ତାକୁ ମୋ ପାଖକୁ ପଠେଇଦିଅ, ସେଠି ରହି ପାଠ ପଢ଼ିବ।” ଦୀନବଂଧୁ ଭାଇନା କହିଲେ।

ତା‍ ପରଦିନ ମୋର ବ୍ୟାଗ୍‌ ବନ୍ଧାହେଲା। ନନା ମୋତେ ନେଇ ଖୋର୍ଦ୍ଧାରେ ଦୀନବଂଧୁ ଭାଇନାଙ୍କ ପାଖରେ ଛାଡ଼ିଆସିଲେ। ପରେ ସ୍କୁଲରୁ ଟି.ସି. ନେଇ ପଠେଇଦେଲେ। ବି.ଜେ.ବି. ହାଇସ୍କୁଲରେ ମୋର ଆଡ଼ମିଶନ ହୋଇଗଲା ସପ୍ତମରେ। ସେଇଠି ମୋର ଦେଖାହେଲା ଗୋପାଳି ସହିତ। ଏବେ ଡ: ଗୋପାଳକୃଷ୍ଣ ଦାଶ।

ଦିନେ ଶ୍ରେଣୀରେ “ଛୋଟ ମୋର ଗାଆଁଟି” କବିତା ପଢ଼େଇବା ବେଳେ ଆମ ଶିକ୍ଷକ କହିଲେ, “ଜାଣିଛ, ଏ କବିତାର କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ଘର ଏଇଠି-ଗୁରୁଜଙ୍ଗ ଗାଆଁରେ।” ଗୋପାଳି ଓ ମୁଁ ଦିନେ ଚାଲି ଚାଲି ଗୁରୁଜଙ୍ଗ ଗାଆଁକୁ ଗଲୁ। ଇଚ୍ଛା, ସଚ୍ଚି ରାଉତରାୟଙ୍କ ଗାଆଁ ଦେଖିବୁ।

ଅନେକ ବର୍ଷ ପରେ ମୁଁ ପୁଣି ଥରେ ଖୋର୍ଦ୍ଧା ଯାଇଥିଲି। ଦେଖିଲି, ଗୁରୁଜଙ୍ଗ ଏବେ ଖୋର୍ଦ୍ଧା ସହରରେ ମିଶିଗଲାଣି, ଯେମିତି ଅନେକ ଗାଆଁ ପାଖ ସହରମାନଙ୍କରେ ସହର ଗଢ଼ିବାକୁ ଆତ୍ମବଳି ଦେଇଛନ୍ତି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୬)
More

ଆମେ ପାଉଡୀ ଭୂୟାଁ (ଭାଗ ୬୮)

by ଭବେଶ ଚନ୍ଦ୍ର କର
November 28, 2025

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ନଭେମ୍ବର ୨୦୨୫ ତାପରଦିନ ସକାଳୁ ସକାଳୁ ବାବୁ ଉଠି କାମକୁ ଚାଲିଗଲେ। ସନ୍ଧ୍ୟା ସମୟରେ ଫେରିବେ ବୋଲି କହି ଗଲେ।...

Read more
ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

November 26, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୭)

November 17, 2025
Prathamashtami

Prathamashtami

November 12, 2025
ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

November 11, 2025
SARDAR of India

SARDAR of India

October 31, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.