• About
  • Contact
Tuesday, August 18, 2026
Tuesday, August 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗୋବନ୍ଦାଣ ପର୍ବ ଓ କୁଡୁମୀ ସମ୍ପ୍ରଦାୟ 

ଗୋବନ୍ଦାଣ ପର୍ବ ଓ କୁଡୁମୀ ସମ୍ପ୍ରଦାୟ 
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୯ ଅକ୍ଟୋବର ୨୦୨୨

କୁଡୁମୀ ବା ମହାନ୍ତ ସମ୍ପ୍ରଦାୟର ଲୋକମାନେ ସାଧାରଣତଃ କର୍ମଠ, ମିତବ୍ୟୟୀ ଓ ଧର୍ମପରାୟଣ। କୃଷିକାର୍ଯ୍ୟ ସେମାନଙ୍କ ମୁଖ୍ୟ ଜୀବିକା । ପରିବାରର ପୁରୁଷ ଓ ମହିଳା ସମସ୍ତେ ନିଜକୁ ଚାଷ କାମରେ ନିୟୋଜିତ କରିଥାନ୍ତି । କୃଷିକାର୍ଯ୍ୟ ସହିତ ଗୋରୁଗାଈ, ମହିଷି ଆଦି ପାଳନ କରିବା ସହିତ ନିଜର ପରମ୍ପରା ଓ ପର୍ବପର୍ବାଣି ମାନଙ୍କରେ ସେମାନଙ୍କ ପୂଜାର୍ଚ୍ଚନାକୁ ଅଗ୍ରାଧିକାର ଦେଇଥାନ୍ତି । ମହାନ୍ତ ସଂପ୍ରଦାୟର ଲୋକମାନେ ପାଳନ କରୁଥିବା ବିଭିନ୍ନ ପର୍ବପର୍ବାଣିମାନଙ୍କ ମଧ୍ୟରୁ ଗୋବନ୍ଦାଣ ବା ଗୋବର୍ଦ୍ଧନ ପୂଜା ଅନ୍ୟତମ । ଗୋରୁଗାଈ, ମହିଷ ଆଦି ଗୃହପାଳିତ ଜୀବମାନେ ବାଘ, ସାପ କବଳରୁ ରକ୍ଷା ପାଆନ୍ତୁ ଏବଂ ସେମାନଙ୍କୁ କୌଣସି ରୋଗ ବୈରାଗ ନ ହେଉ ଏହା ଏହି ପୂଜାର ମୂଳ ଉଦ୍ଦେଶ୍ୟ । କାର୍ତ୍ତିକ ଅମାବାସ୍ୟା ତିଥିରେ ମା କାଳୀ, ଭଗବତୀ ଓ ଶିବଙ୍କୁ ଏମାନେ ପୂଜା କରନ୍ତି । କୁଡୁମୀ ବା ମହାନ୍ତମାନଙ୍କ ଏହି ଗୋବନ୍ଦାଣ ପୂଜା ବା ଗୋବର୍ଦ୍ଧନ ପୂଜାକୁ ନେଇ ସୁନ୍ଦର ଲୋକକଥା ଟିଏ ଅଛି ।

ବହୁତ ଦିନ ତଳର କଥା। କୌଣସି ଏକ ମହାନ୍ତ ଗାଁର ମୁଖିଆ ତାର ଗାଈ ଓ ମହିଷିମାନଙ୍କୁ ନେଇ ନଦୀ ଆରପଟେ ଥିବା ଜଙ୍ଗଲକୁ ଚରାଇବା ପାଇଁ ଯାଇଥାଏ । ବେଳ ବୁଡିଲା ପୂର୍ବରୁ ଜଙ୍ଗଲରୁ ଗାଈମହିଷିକୁ ନେଇ ଫେରିଲାବେଳକୁ ପ୍ରବଳ ବର୍ଷା ହେବାରୁ ନଦୀରେ ବନ୍ୟା ଆସିଲା। ସନ୍ଧ୍ୟା ନଇଁ ଆସୁଥାଏ । ବର୍ଷାରେ ସେ ପୁରା ଭିଜି ଯାଇଥାଏ । କୌଣସି ବାଟ ନପାଇ ସେ ଗୋଟିଏ ମହିଷିର ଲାଂଜକୁ ଧରି ନଦୀପାର ହେବାକୁ ଲାଗିଲା । ମଝି ନଦୀରେ ପହଞ୍ଚିବାପରେ ନଦୀର ପ୍ରଖର ସ୍ରୋତରେ ସେ ଭାସିଗଲା । ମହିଷି ସାଙ୍ଗରେ ସେ ଭାସି ଚାଲିଥାଏ। ତା ଆର ଦିନ ସକାଳେ ସେ ଗୋଟିଏ ଜଜନମାନବଶୂନ୍ୟ ଦୀପରେ ଲାଗିଲା । ମହିଷି ସହ ସେ ନିଃସଙ୍ଗ, ନିକାଞ୍ଚନ ଦ୍ୱୀପରେ ଦୁଃଖରେ ଦିନ କାଟିବାକୁ ଲାଗିଲା । ତାକୁ ତାର ଘରଲୋକ, ସାହିପଡିଶା, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ କଥା ମନେପଡୁଥାଏ । ତାକୁ କିଛି ରୁଚୁ ନଥାଏ । କିଛିଦିନ ପରେ ସବୁ ଦେହସୁହା ହୋଇଗଲା । ଦ୍ବୀପରୁ ଫଳମୂଳ ଖାଇଏବଂ ମହିଷିର କ୍ଷୀର ପିଇ ଜୀବନ କଟାଇଲା । ଏହିପରି ବାରବର୍ଷ ବିତିଗଲା । ଦିନେ ସେ ନଦୀକୁ ପାଣି ପିଇବାକୁ ଯାଇଛି ନଦୀ ପାଣିରେ ନିଜର ପ୍ରତିବିମ୍ବକୁ ଦେଖି ସେ ନିଜକୁ ନିଜେ ଚିହ୍ନିପାରିଲାନାହିଁ । ଅଯତ୍ନରେ ତାର ଦାଢ଼ି, ମୁଣ୍ଡର କେଶ,ନଖ ବଢ଼ିଯାଇ ସେ ଗୋଟେ ବଣମଣିଷ ପରି ଦେଖାଯାଉଥାଏ । ସ୍ତ୍ରୀ ଓ ପିଲାମାନଙ୍କ କଥା ତାର ବହୁତ ମନେ ମନେପଡ଼ିଲା । ସେ କିପରି ଘରକୁ ଫେରିବ ସେହି କଥା ଚିନ୍ତା କରିବାକୁ ଲାଗିଲା । ରାତିରେ ସେ ମହିଷିଟିର ପାଖରେ ଶୁଏ । ଦିନେ ସେ ରାତିରେ ଉଠି ଦେଖିଲା ମହିଷିଟି ତାପାଖରେ ନାହିଁ । କିନ୍ତୁ ସକାଳ ହେଲା ବେଳକୁ ମହିଷିଟି ଆସି ତାପାଖରେ ଘୁମେଇଁ ଶୋଇଥାଏ କିନ୍ତୁ ତାର ଦୁଇ ଶିଂଘରେ ସୋରିଷ ଫୁଲ ଲାଗିଥାଏ । ମହାନ୍ତ ଲୋକଟି ଆଶ୍ଚର୍ଯ୍ୟ ହେଲା କିନ୍ତୁ ଅନୁମାନ କଲା ନିଶ୍ଚୟ ପାଖରେ ଜନବସତି ଅଛି ଏବଂ ମହିଷିଟି କାହାର ସୋରିଷ କିଆରୀରେ ପଶି ସୋରିଷ ଖାଇଲାବେଳେ ସୋରିଷ ଫୁଲ ତା ଶିଂଘରେ ଲାଗିଯାଇଛି ବୋଲି । ସେହିଦିନ ରାତିରେ ସେ ନଶୋଇ ଚାହିଁରହିଲା ଏବଂ ମହିଷିଟି ସୋରିଷ ଖାଇବାକୁ ଦ୍ୱୀପ ଆରପାରିକୁ ଗଲାବେଳେ ସେ ତାର ଲାଂଜ ଧରି ସମୁଦ୍ର ପାରିହୋଇ ସେହି ଦ୍ୱୀପରେ ପହଞ୍ଚିଲା। ସେହି ଦ୍ଵୀପରେ ଥିବା ଗୋଟେ ଗାଁରେ ପହଞ୍ଚିଲା । ଗାଁର ଲୋକମାନେ ତାକୁ ଭୂତଭାବି ମାରିବାକୁ ଗୋଡ଼ାଇଲେ । କିନ୍ତୁ ସେ ଲୋକମାନଙ୍କୁ ତାର ସମସ୍ତ ଦୁଃଖ କାହାଣୀ କହିବାପରେ ଲୋକମାନେ ତାକୁ ଖାଇବାକୁ ଓ ପିନ୍ଧିବାକୁ ଦେଲେ ଓ ତାର ଘରକୁ ଖବର ପଠାଇଲେ । ମହାନ୍ତ ଲୋକଟି ତାର ଘରେ ପହଞ୍ଚିଲା ଓ ପରିବାରକୁ ଦେଖି ଆନନ୍ଦରେ ଆତ୍ମହରା ହୋଇ ମହିଷିଟିର ଚାରିପଟେ ପରିବାର ଓ କୁଟୁମ୍ବମାନଙ୍କ ସହ ନାଚିବାକୁ ଲାଗିଲା । ମହିଷିଟି ତାର ଜୀବନ ବଞ୍ଚାଇଥିବାରୁ ସେହିଦିନଠାରୁ ତାକୁ ପରିବାର ଓ ଅନ୍ୟ ଭାଇମାନଙ୍କ ସହ ପୂଜା କରିବାକୁ ଲାଗିଲା । ସେହିଦିନଠାରୁ ବନ୍ଦନା ବା ଗୋବର୍ଦ୍ଧନ ପୂଜା ପ୍ରଚଳିତ । କାର୍ତ୍ତିକ ମାସର ତ୍ରୟୋଦଶୀ ଠାରୁ ଭାତୃ ଦ୍ବିତୀୟା ପର୍ଯ୍ୟନ୍ତ ପାଞ୍ଚଚଦିନଧରି ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଗତକାଲି ମହାନ୍ତ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରିଛନ୍ତି । ଏହି ପୁଜାକୁ ମହାନ୍ତ ସମ୍ପ୍ରଦାୟର ଲୋକେ କିପରି ପାଳନ କରନ୍ତି ତାହା ନିମ୍ନରେ ବର୍ଣ୍ଣନା କରୁଛି।

ପୂଜାର ପ୍ରଥମଦିନରେ ଗାଁର ପୁରୁଷ ଓ ମହିଳାମାନେ ପୂଜକ ବା ଦେହୁରୀଙ୍କୁ ଗୋଠପୂଜା ସ୍ଥଳକୁ ପାଛୋଟି ନିଅନ୍ତି । ସେଠାରେ ଗୋଠର ମଝିରେ ଅରୁଆ ଚାଉଳ ଉପରେ କୁକୁଡା ଅଣ୍ଡାଟିଏ ରଖାଯାଏ । ଅଣ୍ଡାଉପରେ ସିନ୍ଦୁର ଲଗାଇ ଦେହୁରୀ ପୂଜା କରନ୍ତି । ଅପରାହ୍ନରେ ଗାଁର ସମସ୍ତ ଗାଈବଳଦକୁ ଏକତ୍ରିତ କରାଯାଇ ଅଣ୍ଡା ମଡ଼ାଯାଏ । ଯାହାର ବଳଦ ଅଣ୍ଡାଟିକୁ ମାଡ଼ିଦିଏ ସେହି ଲୋକଟିକୁ କାନ୍ଧରେ ବସାଇ ଗାଁଯାକର ଲୋକେ ତାଙ୍କ ଘରେ ପହଞ୍ଚନ୍ତି । ସେହି ଲୋକଟି ସବୁଠାରୁ ଭାଗ୍ୟବାନ ବୋଲି ସମସ୍ତେ ଭାବନ୍ତି । ସେହି ଲୋକଟି ତାର ସାଧ୍ୟମତେ ଗାଁର ଲୋକମାନଙ୍କୁ ଆତିଥେୟତା ପ୍ରଦାନ ପୂର୍ବକ ଖାଦ୍ୟ ପାନୀୟରେ ଆପ୍ୟାୟିତ କରେ । ସନ୍ଧ୍ୟା ହେବାପୂର୍ବରୁ ଗୋରୁଗାଈଙ୍କୁ ଗୁହାଳରେ ବାନ୍ଧି ଦିଆଯାଏ। ସେମାନଙ୍କ ଶିଂଘରେ ତେଲ ଓ ସିନ୍ଦୁର ଲେପନ କରାଯାଏ । ଈଷ୍ଟଦେବତାଙ୍କୁ ସ୍ମରଣପୂର୍ବକ ଘିଅର ଦୀପମାନ ଜଳାଯାଏ। ସନ୍ଧ୍ୟା ହେବାପରେ ଗ୍ରାମର ସମସ୍ତେ ଗାଁ ମୁଖିଆଙ୍କ ଘରେ ଏକାଠି ହୋଇ ମାର୍ଦଳ, ଢୋଲ ଓ ଧମସା ଧରି ଗ୍ରାମ ପରିକ୍ରମା କରିବାକୁ ବାହାରନ୍ତି । ଏହି ସମୟରେ ବାଜାର ତାଳେ ତାଳେ ନାଚି ନାଚି ପ୍ରତ୍ୟେକ ଲୋକର ଗାଈ ଜଗାଇବାକୁ ଯାଆନ୍ତି । ଏହି ଶୋଭାଯାତ୍ରାରେ ବାହାରିଥିବା ଦଳଙ୍କୁ କୁଡୁମୀ ବା ମହାନ୍ତମାନଙ୍କ ଭାଷାରେ ଧିଙ୍ଗୁଆନ କୁହାଯାଏ । ପ୍ରତ୍ୟେକ ଲୋକର ଘରେ ପହଞ୍ଚିଲା ପରେ ଏହି ଦଳ ନିମ୍ନ ଗୀତଟି ବୋଲନ୍ତି ।

ଅହିରେ ଖୋଜା ଖୋଜାଇତେ ଗେଲ
ପୂଛା ପୂଛାଇତେ ଗେଲ
କତିଦୂରେ ଅହିରାକା ଘାରରେ
ଅହିରାକା (ପୂଜନୀୟ) ଘାରେ ଭାଲା ତୁଲସୀକା ଚଇଁରାଗୋ
ଉପରେ ତ ଘୂରେ ହଁସା ରାଜାରେ ।

ଏହାର ଅର୍ଥ ହେଉଛି ସେମାନେ ଖୋଜି ଖୋଜି ପଚାରି ପଚାରି ସେହି ପୂଜନୀୟ ବ୍ୟକ୍ତିଙ୍କ ଘରକୁ ଯାଉଛନ୍ତି ଯାହାଙ୍କ ଅଗଣାରେ ତୁଳସୀ ଚଉରାଟିଏ ଅଛି ଓ ତାହା ଚାରିପଟେ ହଂସରାଜ ବା ଗରୁଡ଼ ପ୍ରଦକ୍ଷିଣ କରୁଛନ୍ତି । ଧିଙ୍ଗୁଆନ ଦଳକୁ ପ୍ରତ୍ୟେକ ଲୋକ ନିଜର ଘରେ ଆତିଥେୟତା ଦେବାସହ ଭୁରିଭୋଜନରେ ଆପ୍ୟାୟିତ କରନ୍ତି । ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ଏହି ନାଚଗୀତରେ ସମସ୍ତେ ମତ୍ତ ରହନ୍ତି । ଝୁମର ଗୀତ ଓ ମାର୍ଦଳର ମନ୍ଦ୍ରମଧୁର ନାଦରେ ଗାଁ ଦାଣ୍ଡ ପ୍ରକମ୍ପିତ ହୁଏ ।

ଏହି ଶୋଭାଯାତ୍ରାକାରୀ ଦଳ ଧିଙ୍ଗୁଆନ୍ ପଡୋଶୀ ଗାଁକୁ ମଧ୍ୟ ଯାଇଥାନ୍ତି । ସେତେବେଳେ ସେହି ଗାଁରେ ଯାଗା ଘରେ ପ୍ରଥମେ ପହଞ୍ଚିଥାନ୍ତି । ସେହି ଭଦ୍ରବ୍ୟକ୍ତି ଛେଳି, କୁକୁଡ଼ା, ମେଣ୍ଢା ଓ କିଛି ଟଙ୍କା ଉପହାର ଆକାରରେ ସେହି ଦଳଙ୍କୁ ଦେଇଥାନ୍ତି । ତାପର ବର୍ଷ ବନ୍ଦାଣ ପୂଜା ପାଳନ ଅବସରରେ ଏହି ଭଦ୍ରବ୍ୟକ୍ତି ତାଙ୍କ ଗାଁର ଧିଙ୍ଗୁଆନ ଦଳକୁ ନେଇ ଉପହାର ନେଇ ଯାଇଥିବା ଲୋକମାନଙ୍କ ଗାଁକୁ ଯାଇ ଗାଁର ସମସ୍ତ ଗୃହକୁ ନାଟୁଆ ଦଳଙ୍କ ସହ ପରିକ୍ରମା କରନ୍ତି । ସେ ସମୟରେ ସେହି ଗାଁର ଲୋକମାନେ ନୂଆ ଛେଳି ବା କୁକୁଡ଼ା ସେମାନଙ୍କୁ ଫେରାଇ ଦିଅନ୍ତି । ସମବୟସ୍କ ମହିଳାମାନେ ମଧ୍ୟ ଦଳ ଗଠନ କରି ଧିଙ୍ଗୁଆନ୍ ଗାନକରି ବନ୍ଦାଣ ପୂଜା ସମୟରେ ଗ୍ରାମ ପରିକ୍ରମା କରିଥାନ୍ତି। ପର୍ବଶେଷରେ ଭୋଜିଭାତର ଆୟୋଜନ କରାଯାଇଥାଏ । ଗୋଠପୂଜା ପରଦିନ ଉପରବେଳା ବଳଦ ନଚାଇବାର ସମସ୍ତ ଆୟୋଜନ କରାଯାଇଥାଏ । ପ୍ରତ୍ୟେକ ଲୋକ ସେମାନଙ୍କ ଘର ଆଗରେ ଶକ୍ତ ଖୁଣ୍ଟଟିଏ ପୋତିଥାନ୍ତି । ସେହି ଖୁଣ୍ଟରେ ସୁନ୍ଦର ଭାବେ ସଜା ଯାଇଥିବା ବଳଦକୁ ବାନ୍ଧିଥାନ୍ତି । ଗାଁ ଦାଣ୍ଡର ଦୁଇପଟେ ଥିବା ଗୃହ ସମ୍ମୁଖରେ ସୁନ୍ଦରକରି ସଜା ଯାଇ ବନ୍ଧା ହୋଇଥିବା ବଳଦମାନଙ୍କୁ ଗାଁର ସମସ୍ତ ଲୋକମାନେ ମାର୍ଦଳର ତାଳେ ତାଳେ ନଚାଇଥାନ୍ତି । ଧିଙ୍ଗୁଆନ ଗୀତଗାଇ ମାର୍ଦଳ ବଜାଇବଜାଇ ଶୋଭାଯାତ୍ରାକାରୀ ଦଳ ପହଂଚିବାପରେ ଗୃହକର୍ତ୍ତା ବଳଦଟିକୁ ବନ୍ଦାପନା କରିଥାନ୍ତି । ମାର୍ଦଳ ବାଜିଲେ ବଳଦଟି ତରକି ଯାଇ ଭୟରେ ଡିଆଁଡିଇଁ କରେ । ତାକୁ ଭୟଭୀତ କରିବା ପାଇଁ ଛିଣ୍ଡାକୁଲା, ଭଂଗାଟିଣ ବଜାଇ ଲୋକମାନେ ଚାରିପଟୁ ତା ଆଡ଼କୁ ମାଡ଼ିଆସନ୍ତି ଓ ବଳଦଟି ଶିଂଘ ହଲାଇ ଫଁ ଫଁ କରି ଗୋଟିଏ ଦିଗରୁ ଅନ୍ୟପଟକୁ ଖେଦି ନେଇଯାଏ । ନାଟୁଆ ଦଳ ପଛକୁ ହଟିଯାଆନ୍ତି ଓ ପୁଣି ସୁବିଧା ଦେଖି ବଳଦ ଆଡ଼କୁ ମାଡ଼ିଆସନ୍ତି । ଏହିପରି କିଛି ସମୟ ଖେଳିବା ପରେ ଅନ୍ୟ ଏକ ଘରକୁ ଯାଇ ସେ ଗୃହ ସମ୍ମୁଖରେ ବନ୍ଧାଯାଇଥିବା ବଳଦ ସହ ଏହିପରି ଖେଳିଥାନ୍ତି । ଏହିଭଳି ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ବିଭିନ୍ନ ପ୍ରକାରର ନାଚ ସହ ଝୁମର ବୋଲାଯାଇଥାଏ । ଏହା ପରଦିନ ଅର୍ଥାତ କାଳିପୂଜା ଦିନ ପ୍ରତ୍ୟେକ ଘରେ ଲୋକମାନେ ଅଗ୍ନି ପ୍ରଜ୍ବଳିତ କରି ଧିଙ୍ଗୁଆନ ଦଳ ବା ନାଟୁଆ ଦଳଙ୍କୁ ଅପେକ୍ଷା କରିଥାନ୍ତି ।

ଧିଙ୍ଗୁଆନ ମାନେ ବଳଦମାନଙ୍କୁ ଏହିପରି ନଚାଉଥିବା ସମୟରେ ଗାଁର ଆବାଳ ବୃଦ୍ଧ ବନିତା ଦାଣ୍ଡପିଣ୍ଡା କିମ୍ବା ବାଡ଼ି କଡ଼ରେ ଠିଆହୋଇ ଏହାକୁ ଉପଭୋଗ କରନ୍ତି । ଏହି ମୁକ୍ତାକାଶ ରଙ୍ଗମଂଚରେ ଆମ ଜନଜୀବନର ସୁଖଦୁଃଖ, ମଣିଷ ଓ ଗାଇଗୋରୁଙ୍କ ମଧ୍ୟରେ ଥିବା ସଂମ୍ପର୍କ, ରୁତୁଚକ୍ର, ଲୋକକଥା ଓ ପୌରାଣିକ କଥାବସ୍ତୁକୁ ନେଇ ପରିବେଷଣ କରାଯାଉଥିବା ବନ୍ଦାଣ ନାଟ ନୃତ୍ୟବହୁଳ ଓ ହୋଇଥାଏ । ଧିଙ୍ଗୁଆନ ଦଳ ଶୋଭାଯାତ୍ରାରେ ଯାଇ ଜଣେ ଗୃହସ୍ତର ଘରେ ଆତିଥ୍ୟ ଗ୍ରହଣ କରିବାକୁ ଯାଉଥିବା ସମୟରେ ଉଭୟ ଗଦ୍ୟ ଓ ପଦ୍ୟ ମାଧ୍ୟମରେ କିଛି ସମୟ କିଛି ପ୍ରଶ୍ନମାନ ପଚାରିଥାନ୍ତି, ଯାହାର ଉତ୍ତର ପ୍ରତିପକ୍ଷ ଦଳ ରଖିଥାନ୍ତି । ଏଠାରେ ଏକ ଉଦାହରଣର ଅବତାରଣା ପ୍ରାସଙ୍ଗିକ ମନେକରୁଛି । ଯଥା ଗୃହସ୍ଥମାନେ ଦୀପ ଜଳାଇ ଧିଙ୍ଗୁଆନ ଦଳଙ୍କୁ ଅପେକ୍ଷା କରିଥାନ୍ତି । ଧିଙ୍ଗୁଆନ ଦଳ ସେଠାରେ ପହଞ୍ଚି ଗୃହସ୍ଥକୁ ଦେଖାଇକରି ବୋଲନ୍ତି ।

ଅହିରେ ଦିଆଯେ ଜରେ ଭଲା
ଭାକୁଚୁ ନ ଭାକୁଚୁ ଗୋ
ମାନୟାଁ କା ରାହା ନହିଁ ମିଲେରେ
ଦିଆକା ରାଇତେ
ସୁରଭି ସମାଏ ଗେଲ
ସେହି ସୁରହି (ସୁରଭି)
ବା ହ୍ଲେଶିଂଗା ଲକ୍ଷରେ

ଏହାର ଅର୍ଥ ହେଲା ଏହି ଗୃହ ସମ୍ମୁଖରେ ଜାଗର ଦୀପ ଜଳୁଛି କିନ୍ତୁ କୌଣସି ଲୋକତ ଦେଖା ଯାଉନାହାଁନ୍ତି । ତେବେ ଏହିଭଳି ଜାଗର ରାତିରେ କପିଳା ଗାଈର କନ୍ୟା ସୁରଭି ଏହି ଗୃହରେ ପ୍ରବେଶ କରୁ ଓ ସେହି ସୁରଭି ଦୁଇଲକ୍ଷ ପର୍ଯ୍ୟନ୍ତ ବଂଶ ବିସ୍ତାର କରୁ ।

ଏହାର ଉତ୍ତରରେ ଗୃହକର୍ତ୍ତା  ବୋଲନ୍ତି
ଅହିରେ ମଇଁ ଯଦି ଜାନେଇ ତେଁ ଲୋ
ଧିଂଗୁଆନ୍ ଆ ଓ୍ବେଇ ତେଲା
ଚନ୍ଦନେ ବଖାରେଇ ତେଁ ଲୋ ଘାରରେ
ବଇସେ ଯେ, ଦେଇ ତେଁ ଲୋ
ଅଲଗ୍ ଅଲଗ୍ ମଚିଲା ଗୋ
ଖାଏକେ ଦେଇ ତେଁ ଲୋ ଗୁଆ ପାନରେ ।

ଅର୍ଥ ହେଉଛି ମୁଁ ଯଦି ଜାଣିଥାନ୍ତି ଯେ ମୋ ଘରକୁ ଧିଙ୍ଗୁଆନମାନେ ଆସିବେ ତେବେ ମୁଁ ଘରକୁ ଚନ୍ଦନପାଣିରେ ଲିପିବା ସହ ସେମାନଙ୍କ ବସିବାପାଇଁ ମାଂଚି ଏବଂ ଖାଇବାପାଇଁ ପାନଗୁଆ ଆଣିଥାନ୍ତି । ଏହି କଥୋପକଥନ (ଗୀତ ମାଧ୍ୟମରେ) ରେ କୁଡୁମି ବା ମହାନ୍ତ ସଂମ୍ପଦାୟର ସାମାଜିକ ଚଳଣି, ପରମ୍ପରାର ପ୍ରତିଫଳନ ପରିଲକ୍ଷିତ ହୁଏ ।

ବନ୍ଦାଣ ପର୍ବ ସମୟରେ ମହାନ୍ତ ସଂମ୍ପ୍ରଦାୟର ଲୋକମାନେ ବିଭିନ୍ନ ପ୍ରକାରର ନାଚ ପରିବେଷଣ କରିଥାନ୍ତି । ସେଗୁଡିକ ହେଲା ଖେମଟା, ଚାଲିଖେମଟା, ଝିଂକାଫୁଲିଆ, କମାରିଆ ଓ ଉଦାସିଆ ଇତ୍ୟାଦି । ଏହି ନାଚ ଗୁଡ଼ିକୁ ପର୍ବର ବହୁ ପୂର୍ବରୁ ସେମାନେ ଅଭ୍ୟାସ କରିଥାନ୍ତି । ପ୍ରାୟତଃ ପ୍ରତ୍ୟେକ ଗାଁରେ ଝୁମରିଆ ଥାନ୍ତି ଯେଉଁମାନେକି ଚାଷକାମ ପରେ ଏହି ନାଚ ଅଭ୍ୟାସ କରିଥାନ୍ତି । ମାର୍ଦଳ, ଢୋଲ ଓ ଧୁମୁସା ଆଦି ବାଦ୍ୟ ଯନ୍ତ୍ର ଏହି ସମୟରେ ବ୍ୟବହାର କରାଯାଇଥାଏ।

ବାରମାସରେ ହେଉଥିବା ବିଭିନ୍ନ ଫସଲ, ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ତଥା ମଣିଷ ସମାଜ ପ୍ରତି ସେମାନଂକ ଅବଦାନ ଓ ଧର୍ମୀୟ ଭାବନାକୁ ନାଚଗୀତମାଧ୍ୟମରେ ଉପସ୍ଥାପନ କରାଯାଉଥିଲେ ମଧ୍ୟ ଏଥିରେ ସାମାଜିକଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ ସନ୍ଦେଶକୁ ଆମେମାନେ ଅଣଦେଖା କରିପାରିବାନାହିଁ । କୃଷିଭିତ୍ତିକ ସଭ୍ୟତାର ମୂଳମନ୍ତ୍ର ଶାନ୍ତି, ପ୍ରେମ ଓ ଆନନ୍ଦ ଏହି ପର୍ବରେ ପରିଦୃଷ୍ଟ ହୁଏ । ପରସ୍ପରର ସହଯୋଗ ସହିତ ଏକ ଦୃଢ ଅର୍ଥନୈତିକ ବ୍ୟବସ୍ଥା ଓ ବିକଶିତ ଗ୍ରାମର ପ୍ରତିଷ୍ଠାର ଆବଶ୍ୟକତା ଯେ ରହିଚି ତାହା ଏହି ପର୍ବମାଧ୍ୟମରେ ସୂଚିତ କରାଯାଏ। ଏହି ପର୍ବ କେବଳ ମହାନ୍ତ ବା କୁଡୁମୀ ସଂମ୍ପ୍ରଦାୟର ସଂଗଠନକୁ ସୁଦୃଢ଼ କରେନାହିଁ ବରଂ ଏହା ସହିତ ଅନ୍ୟ ଜନଗୋଷ୍ଠୀ ବା ଆଦିବାସୀ ତଥା ପାରମ୍ପରିକ ବନବାସୀମାନଂକର ଏହି ଜାତି ସହିତ ଥିବା ସଂମ୍ପର୍କକୁ ସୁଦୃଢ଼ କରାଏ।

ଶେଷରେ ଏହି ପରିଶ୍ରମୀ, କର୍ମତତ୍ପର, କଷ୍ଟସହିଷ୍ଣୁ ମହାନ୍ତ ମାନଂକର ପରମ୍ପରା, ସଂସ୍କୃତିକୁ ସମ୍ମାନ ଦେବାସହ ବନ୍ଦାଣ ପର୍ବ ସମ୍ପର୍କରେ ଅନ୍ଧାରିଖମଣ ଓ ସେହିଭଳି କିଛି ଗାଁରେ ପର୍ବ ସମୟରେ ମୋର ଅନୁଭୂତି ତଥା କିଛି ବୟସ୍କ ଲୋକମାନଙ୍କ ଠାରୁ ପର୍ବ ସମ୍ପର୍କରେ ଶୁଣିଥିବା ତଥ୍ୟର ଉପସ୍ଥାପନ ଏହିଠାରେ ଶେଷ କରୁଛି ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୮)

by ଭବେଶ ଚନ୍ଦ୍ର କର
August 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅଗଷ୍ଟ ୨୦୨୬ ଏହା ଭିତରେ ମୋ ପୁଅ ସୁରଥ କେତେବେଳେ ଦୁଇବର୍ଷ ର ହୋଇଗଲାଣି ଜଣା ପଡ଼ିଲା ନାହିଁ। ଏବେ...

Read more
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.