ମାନସ ରଞ୍ଜନ ମହାପାତ୍ର, ପୁରୀ, ୧ ଫେବୃଆରୀ ୨୦୨୩
ପ୍ରାୟ ୪୫ ବର୍ଷ ହେଇଯିବ ମୁଁ ପାଶୋରି ଦିଦିକୁ ଦେଖିନାହିଁ ।
୧୯୨୧ ମସିହାର କଥା । ମୁଁ ସର୍ବୋଦୟ ନଗରରେ ମୋ କକେଇଙ୍କ ଘରେ ଘରେ ରହୁଥାଏ । ମୋ ନନା ରହୁଥାନ୍ତି ରାମଚଣ୍ଡି ସାହିରେ ଓ ସହର ସାରା ବୁଲି ବୁଲି ଶସ୍ତାରେ ଭଡ଼ାଘରଟିଏ ଖୋଜୁଥାନ୍ତି । ଆମର ନିଜଘର ନଥିଲା । ମୁଁ ଓ ମୋର ବଡ ଭଉଣି କକେଇ ଙ୍କ ଘରେ ରହୁଥିଲୁ । ମଝିରେ ମଝିରେ ମୁଁ ନନା ଓ ବୋଉଙ୍କ ପାଖକୁ ଯାଇ ବୁଲି ଆସୁଥିଲି ।
ଥରେ ମୁଁ ଘରକୁ ଯାଇଥିବା ବେଳେ ବୋଉ ପାଖରେ ଜଣେ ବୁଢ଼ୀଲୋକଙ୍କୁ ଦେଖିଲି । ଅତି ବେଶିରେ ସେ ସାଢ଼େ ଚାରି ଫୁଟ୍ ଉଚ୍ଚତାର ହେବ । ବୋଉ ମତେ ଚିହ୍ନେଇ ଦେଲା, ଇଏ ପାଶୋରି ଦିଦି । ବାହାସାହା ହେବା ଆଗରୁ, ପନ୍ଦର ବର୍ଷ ବୟସରୁ ପାଶୋରି ଦିଦିକୁ ଜାଣିଛି । ପାଶୋରି ଦିଦିର ଘର ପଶ୍ଚିମ ବଙ୍ଗରେ । ବାଳୁତ କାଳରୁ ସେ ବିଧବା । ପୁରୀର ଗୋଟିଏ ମଠରେ ରହି ଦିନ କାଟୁଥିଲା । ପରେ ଯେତେବେଳେ ମହନ୍ତ ମରିଗଲେ, ତାଙ୍କର ଚେଲାମାନେ ସମ୍ପତ୍ତି ବାଡ଼ି ବିକ୍ରି କରିଦେଲେ । ବିଚାରି ପାଶୋରି ଦିଦି ପୁଣି ବେଘର ହୋଇଗଲା । କହିବାକୁ ଗଲେ ତ ସେ ଭିକ ମାଗୁଥିଲା କିନ୍ତୁ ରାସ୍ତା ଘାଟରେ ବୁଲି ବୁଲି ନୁହେଁ । କେବଳ ବଙ୍ଗାଳୀ ପର୍ଯ୍ୟଟକ ମାନଙ୍କ ପାଖକୁ ଯାଇ ସେ ସାହାଯ୍ୟଭିକ୍ଷା କରୁଥିଲା । ସମ୍ଭବତଃ କୋଉଠି କିଛି କାମ ଦାମ ବି କରୁଥିଲା । ସେତେବେଳେ ତାକୁ ପ୍ରାୟ ୬୫ ବର୍ଷ । ପୁରୀରେ ସେ ସମୟରେ କୌଣସି ଵୃଦ୍ଧାଶ୍ରମ ନଥିଲା । ମୋ ନନା ବି କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେ । ପୁରା ପରିବାରକୁ ଅନେକ ସମୟରେ ଭୋକ ଉପାସରେ ରହିବାକୁ ପଡୁଥିଲା । କିନ୍ତୁ ତାରି ଭିତରେ ବି ଯଦି ଖାଇବା ବଳେ କେହି ଆସି ପହଞ୍ଚେ, ଆମ ଆମ ଖାଦ୍ୟରୁ କାଢ଼ି ତାଙ୍କୁ ଖାଇବାକୁ ଦେଇଥାଉ ।
ସେତେବେଳକୁ ଦି ଟା ବାଜିସାରିଲାଣି । ଯାହା ରନ୍ଧା ହେଇଥିଲା, ପାଶୋରି ଦିଦି ସହିତ ଆମେ ଏକାଠି ବସି ଖାଇଲୁ । ଆମ ପରି ସେ ବି ଭୋକିଲା ଥିଲା । ସେ ଆମ ସମସ୍ତଙ୍କର ଶୁଭ ମନାସିଲା ଓ ସନ୍ଧ୍ୟାବେଳେକୁ ଯାଇ ଆମ ଘରୁ ଗଲା ।
୧୯୭୨ ମସିହା ମେ’ ମାସ । ମୁଁ ପୁଣି ଥରେ ପାଶୋରି ଦିଦିକୁ ମୋର ବ୍ରତଘର ଉତ୍ସବରେ ଭେଟିଲି ।
ଉପନୟନ ସଂସ୍କାର ପରେ ବ୍ରତଭିକ୍ଷା କରାଯାଏ । ଉପସ୍ଥିତ ଲୋକମାନଙ୍କୁ ଯାଇ ଭିକ୍ଷା ମାଗିବାକୁ ପଡ଼େ । ବ୍ରାହ୍ମଣ ପରିବାରର ଏହା ଏକ ପରଂପରା । କୁହାଯାଏ, ଏହି ପବିତ୍ର ଉତ୍ସବ ପରେ, ବ୍ରହ୍ମଚାରୀ ଭିକ୍ଷାକରି ଯାହା ପାଏ ତା’ ଗୁରୁକୁଳରେ ପଇଠ ହୁଏ । ସେଦିନ ବ୍ରତ ଭିକ୍ଷାରେ ପାଶୋରି ଦିଦି କୋଡିଏ ପଇସା ଦେଇଥିଲା । ତା’ ପାଇଁ ଜଣେ ନିଃସମ୍ବଳ ମଣିଷ ପାଇଁ ମୋର କୋଡିଏ ପଇସା ଯଥେଷ୍ଟ ଥିଲା । ସେତେବେଳେ କୋଡ଼ିଏ ପଇସାରେ ବେଳାଟେ’ ପେଟପୁରା ଖାଇ ହେଇ ପାରୁଥିଲା ।
ଆମର ପରବର୍ତ୍ତି ସାକ୍ଷାତ୍ କାର ଆମ ଘରେ ହିଁ ହୋଇଥିଲା । ବାଙ୍କିମୁହାଣ ଓ ଡ଼ିଏବି ଅଫିସ୍ ମଝିରେ ଥିବା ଗୋଟିଏ ଜୀର୍ଣ୍ଣପ୍ରାୟ ଘର ଭିତରେ । ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସେ ବି ଆମପରି ଆମ ପାଖାପାଖି ଗୋଟିଏ ଦରଭଙ୍ଗା ଘରେ ରହିବାକୁ ଜାଗା ପାଇଛି । କିଛି ବର୍ଷ ଏମିତିରେ ବିତିଗଲା । ସେ ଘର ମରାମତି କରାଗଲା । ଘରମାଲିକ ରେଡ଼କ୍ରସ ସଂସ୍ଥାକୁ ଘରଟିକୁ ଦାନକରିଦେଲେ । ସେଠି ଗୋଟିଏ ଶିଶୁ ଚିକିତ୍ସାଳୟ ଖୋଳହେବାର ଯୋଜନା ହେଲା । ପାଶୋରି ଦିଦି ରହୁଥିବା ବାସସ୍ଥାନଟିରେ ଚନ୍ଦନହଜୁରୀ ଶିଶୁ ଚିକିତ୍ସାଳୟ ମଥା ଟେକିଲା । ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଘରମାନଙ୍କରେ ପାଶୋରି ଦିଦି ରହିବା କଥାଟିକୁ କେହି ଗ୍ରହଣ କରି ପାରିନଥିଲେ ।
ମୁଁ ସେତେବେଳେ ସ୍ୱପ୍ନରେ ମଜ୍ ଗୁଲ ଥିଲି । ମୋତେ ଲେଖକୀୟ ସ୍ୱୀକୃତି ମିଳୁଥିଲା, ତା’ ସହିତ ମୁଁ କଲେଜରେ ଛାତ୍ରମାନଙ୍କ ସହିତ ରାଜନୀତି ବି କରୁଥିଲି । ପିନ୍ଧିବାକୁ ଭଲ ପୋଷାକ ନଥିଲା, ପଢିବାକୁ ବହିପତ୍ର ନଥିଲା, ଭଲରେ ଖାଇବାଗଣ୍ଡେ ବି ମିଳୁ ନଥିଲା । ତଥାପି ଛାତ୍ର ମାନଙ୍କ ପାଇଁ ମୁଁ ଲଢ଼ୁଥିଲି ।
ସେତେବେଳେ ମୋର ବେଶପୋଷାକ କହିଲେ ଧଳା ପାଇଜାମା ଓ କୂର୍ତ୍ତା । ସାଙ୍ଗମାନେ ଭାବୁଥିଲେ ରାଜନୀତିରେ ଲୋକମାନେ ଏ ପ୍ରକାର ପୋଷାକ ପିନ୍ଧୁଥିବାରୁ ମୁଁ ଏସବୁ ପିନ୍ଧେ । କିନ୍ତୁ ପ୍ରକୃତ କଥା ତା’ ନୁହେଁ । ଦାମ୍ କମ୍ ହୋଇଥିବାରୁ ମୁଁ ଏମିତି ପୋଷାକ ପିନ୍ଧିଥାଏ । ମୋ ପାଇଁ କି ମୋର ଅନ୍ୟ ଭାଇଭଉଣୀଙ୍କ ପାଇଁ ହଳକରୁ ଅଧିକ ପୋଷାକ କିଣିଦେବାର କ୍ଷମତା ମୋ ନନାଙ୍କର ନଥିଲା ।
ଅନେକ ସମୟରେ, କଲେଜରୁ ଫେରୁଥିବା ବେଳେ ମୋର ପାଶୋରି ଦିଦି ଦେଖା ହୁଏ । ଦେଖିଲେ ସେ ମୋତେ ଖୁବ୍ ଆଶୀର୍ବାଦ କରେ ଆଉ କୁଣ୍ଢେଇ ପକେଇ କୁହେ, ତୁ ଦିନେ ବଡ଼ ମଣିଷ ହବୁ ରେ ପୁଅ । ସେତେବେଳେ ମୋତେ ଟିକିଏ ଅନେଇବୁ ।
ବହୁତଶିଘ୍ର ଡାକ୍ତରଖାନା କାମ ସରିଗଲା । ମୁ ପାଶୋରି ଦିଦିକୁ ପୁଣି ଥରେ ହରେଇଲି । ଆମଘର ମାଲିକ ମଧ୍ୟ ଘରଟିକୁ ବିକ୍ରି କରିଦେଲେ । ଆମେମାନେ ପେଣ୍ଠକଟାରେ ଘରଟିଏ ବୁଝି ସେଠିକୁ ଚାଲିଗଲୁ । ସ୍ନାତକଡିଗ୍ରୀ ପାଇଲା ପରେ ଏମ୍.ଏ. ପଢ଼ିବା ପାଇଁ ମୁଁ ରେଭେନ୍ସା କଲେଜ ଗଲି । କିନ୍ତୁ ସେଠାରେ ବେଶିଦିନ ରହିପାରିଲିନି । ପୁରୀ ଫେରିଆସି ଇଂରାଜୀରେ ଏମ୍.ଏ. ପଢ଼ିଲି ।
ମୋର ଭାଗ୍ୟ ବୋଧ ହୁଏ ସେହିଠାରେ ମୋତେ ଅପେକ୍ଷା କରୁଥିଲା । ମୁଁ ପ୍ରଥମେ କେ. ମହାପାତ୍ର -ଆଣ୍ଡ କୋ ନାମରେ ଥିବା ପୁରୀର ଗୋଟେ ପ୍ରେସରେ ସହ ସମ୍ପାଦକ ଭାବେ ଯୋଗ ଦେଲି ଓ ପରେ ମ୍ୟାନେଜର ଭାବେ କାମ କଲି । ଏହା ଦ୍ଵାରା କିଛି ଅର୍ଥ ରୋଜଗାର କରି ବାପାଙ୍କୁ କିଛି ପରିମାଣରେ ଆର୍ଥିକ ସହାୟତା କରିପାରିଲି ।
ସମୟକ୍ରମେ ଅନେକ ଘଟଣା ଗୋଟିକ ପରେ ଗୋଟିଏ ଘଟିଗଲେ । ମୋର ଅନ୍ୟ ଜାତିରେ ବିବାହ, ନନାଙ୍କ ସହିତ ମତଦ୍ବେଧ ସରକାରୀ ଚାକିରୀ, ଉମରକୋଟ୍ କୁ ଯିବା ଓ କୋରାପୁଟ୍ ରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିବା -ଏମିତି ଅନେକ କିଛି । ମୋର ସରକାରୀ ଚାକିରୀରେ ଯୋଗଦାନ କରିବାର ଅଳ୍ପ କିଛି ମାସ ପରେ ବୋଉ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ୧୯୮୪ରେ ମୃତ୍ୟୁ ବରଣ କଲା । ବୋଉ ମତେ ଥରେ କହିଥିଲା, ତୁ ଚାକିରୀ କଲା ପରେ ନିଶ୍ଚୟ ପାଶୋରି ଦିଦି ପରି ଲୋକ ମାନଙ୍କୁ ସାହାଯ୍ୟ କରିବୁ । ମୁଁ ପାଶୋରି ଦିଦିକୁ ବହୁତ ଖୋଜିଲି କିନ୍ତୁ ସେ ଯେମିତି କୁଆଡ଼େ ଉଭେଇ ଯାଇଥିଲା । ହେଇପାରେ, ହୁଏତ ଭୋକ ଉପାସରେ ପଡ଼ି ପଡ଼ି ମରିଯାଇଥିବ କୋଉଠି ।
ପରବର୍ତ୍ତୀ ସମୟରେ ମୁଁ ଏନ.ସି.ଇ.ଆର.ଟି ଓ ଏନ.ବି.ଟି. ର ଅଫିସର ଭାବେ କାମ କରୁଥିବା ବେଳେ ସାରା ଦେଶ ଭ୍ରମଣ କରିଛି ଓ ଲକ୍ଷ ଲକ୍ଷ ଲୋକଙ୍କୁ ଭେଟିଛି । କିନ୍ତୁ ପାଶୋରି ଦିଦିକୁ କୋଉଠି ଦେଖିବାକୁ ପାଇନି ।
ବଡ଼ ମଣିଷ ହେଲାପରେ ମୁଁ ତାର ଯତ୍ନ ନିଏ ବୋଲି ତାର ଇଚ୍ଛା ଥିଲା । ମୁଁ ଏତେ ବଡ ବିତ ହେଇନି । କିନ୍ତୁ, ଅନ୍ତତଃ ତାର ଯତ୍ନ ନେଇ ପାରିଲା ପରି ସାମର୍ଥ୍ୟ ମୋ ପାଖରେ ଥିଲା । ଅଥଚ ମୋର ଦୁର୍ଭାଗ୍ୟ ଯେ ମୁଁ ତାକୁ ଆଉ କେବେବି ଖୋଜି ପାଇନି । ଦିନେ ମୋର ସାନ ଭଉଣୀ ଠାରୁ ଶୁଣିଲି ଯେ ଦିନ ଦିନ ଧରି ଭୋକିଲା ପେଟରେ ଗୋଟିଏ ମନ୍ଦିର ବାରଣ୍ଡା ରେ ପଡି ପଡି ସେ ମରି ଯାଇଥିଲା ।