• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଯୁଗପୁରୁଷ ଉତ୍କଳଗୌରବ ମଧୁସୂଦନଙ୍କ ସ୍ମରଣେ

ଯୁଗପୁରୁଷ ଉତ୍କଳଗୌରବ ମଧୁସୂଦନଙ୍କ ସ୍ମରଣେ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୮ ଅପ୍ରେଲ ୨୦୨୫

ଆଜି ଉତ୍କଳର ପବିତ୍ର ମାଟିରୁ ବହୁ ବରେଣ୍ୟ, ତ୍ୟାଗୀ, ବୀରପୁତ୍ର, ମହାନୁଭବ, ମହାମାନବଗଣ ହଜି ଯାଇଛନ୍ତି ଓ ସେମାନଙ୍କର ବଳିଷ୍ଠ ନେତୃତ୍ୱ ବଳରେ ଉତ୍କଳଜନନୀ ଆଜି ଗର୍ବିତ। ତନ୍ମଧ୍ୟରୁ ଯୁଗପୁରୁଷ କୁଳବୃଦ୍ଧ ମଧୁସୂଦନ ଦାସ ଅନ୍ୟତମ। ସେ ପ୍ରାତଃସ୍ମରଣୀୟ। ସେ ଥିଲେ ବିଚକ୍ଷଣ ବୁଦ୍ଧିମାନ। ଅଖ୍ୟାତ ପଲ୍ଲୀର ସୁଖ୍ୟାତ ସନ୍ତାନ, ଉତ୍କଳ ମାଟିର କୃତୀ, କିର୍ତ୍ତିମାନ। ଯେତେବେଳେ ଉତ୍କଳ ଜନନୀ ଛିନ୍ନମସ୍ତା, ଆମର ସାମାଜିକ ଅର୍ଥନୀତି ବିପର୍ଯ୍ୟସ୍ତ, ରାଜନୈତିକ, ସାଂସ୍କୃତିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଏବଂ ସାଧାରଣ ମଣିଷ ଦୁଃଖ, ଦୈନ୍ୟ, ଅଭାବ, ଅନାଟନ, ହତାଶ ଭିତରେ କବଳିତ ହୋଇ ରହିଥିବାବେଳେ, ଏପରି ଏକ ଚରମ ଦୁର୍ଦ୍ଦୀନରେ ଏହି ମହାନ ପୁରୁଷ ମଧୁସୂଦନଙ୍କ ଆବିର୍ଭାବ ହୋଇଥିଲା – ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ।

ଗାଁ ଚାଟଶାଳିରୁ ପାଠପଢା ଆରମ୍ଭ ଓ ପରେ ରେଭେନ୍ସା କଲେଜିଏଟ ସ୍କୁଲ ଏବଂ ଉଚ୍ଚଶିକ୍ଷା ପାଇଁ କଷ୍ଟସାଧ୍ୟ ଅଭିଯାନରେ କଲିକତା ଯାଇ ଅକ୍ଲାନ୍ତ ଉଦ୍ୟମ କରି ସେଠାରୁ ଏମ.ଏ. ପାଶ୍, ବି.ଏଲ. ଡିଗ୍ରୀ ହାସଲ କରିବା ଭିତରେ ଅଧ୍ୟାପନା, କଲିକତା ହାଇକୋର୍ଟରୁ ଓକିଲାତି କରି ଜଣେ ସୁନାମଧନ୍ୟ ଓକିଲଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସେଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ଉଚ୍ଛେଦ ପାଇଁ ହାଇକୋର୍ଟରେ ଲଢି କୃତକାର୍ଯ୍ୟ ହୋଇ ଓଡିଶାର ଦୁଃଖ, ଦୁର୍ଦ୍ଦଶା କଥା ମନେପକାଇ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଏବଂ ନିଜେ ଓଡିଆ ଜାତିର ସେବା କରିବା ପାଇଁ କଲିକତା ଛାଡି କଟକକୁ ନିଜର କର୍ମଭୂମି ଭାବି ଅବସ୍ଥାପିତ ହୋଇଥିଲେ।

ସ୍ୱାଭିମାନୀ ଓଡିଆ ଜାତିର ଜାତୀୟତାକୁ ସଂପୁର୍ଣ୍ଣ ଭାବେ ଲୋପକରି ଏକ ଗୋଡାଣିଆ, ଖୋସାମତିଆ ସଂସ୍କୃତି ସୃଷ୍ଟି କରିବା ପାଇଁ ଇଂରେଜମାନେ ଓଡିଶାର କିଛି ଅଂଶ ମାନ୍ଦ୍ରାଜ ପ୍ରଦେଶରେ, କିଛି ଅଂଶ ବେଙ୍ଗଲରେ, କିଛି ଅଂଶ ବିହାରରେ ରଖିବାରୁ ଓଡିଶା ପ୍ରଦେଶ ବିଛୁରିତ ଅବସ୍ଥାରେ ରହିଥିଲା ଏବଂ ଇଂରେଜମାନଙ୍କର ପ୍ରଭାବରେ ଓଡିଆ ଭାଷାର ଚଳନି ଉପରେ ବିପଦ ଦେଖାଦେଇଥିଲା। ଏହି ସମସ୍ୟା ମଧୁବାବୁଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା। ଗୋଟିଏ ଜାତିକୁ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଓଡିଶାର ଅତୀତ ଗୌରବମୟ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ କିପରି କର୍ମବୀର ହେବାକୁ ପଡିବ ତାହା କବିତା ମାଧ୍ୟମରେ ବୁଝାଇଥିଲେ। ଆମ ଭିତରେ ଦେଶପ୍ରେମର ବହ୍ନି ପ୍ରଜ୍ଜ୍ୱଳିତ କରିବାକୁ ଯାଇ ତାଙ୍କ କଣ୍ଠରେୁ ନିସ୍କୃତ ହୋଇଥିଲା :-

“ଜାତି ଇତିହାସ ଜାତିର ନିର୍ଝର
ତହୁଁ ବହେ ସଦା ଜାତି ପ୍ରାଣଧାର
ସେ ଧାରରୁ ନୀର ପିଉଛି ଯେ ନର
ନିଶ୍ଚୟ ହେବ ସେ ଜାତି କର୍ମବୀର”।

ତାଙ୍କ ମତରେ ସ୍ୱଦେଶ ପ୍ରେମ ମନୁଷ୍ୟର ପ୍ରକୃତ ଧର୍ମ, ଏହା ହିଁ ମନୁଷ୍ୟତା। ଉତ୍କଳ ସମ୍ମିଳନୀ ମାଧ୍ୟମରେ ଓଡିଆମାନଙ୍କ ପ୍ରାଣରେ ଜାତୀୟତାଭାବ ଉଦ୍ରେକ କରିବା ପାଇଁ ମଧୁସୂଦନ ଆପ୍ରାଣ ଉଦ୍ୟମ କରିଥିଲେ। ଜାତୀୟ ଜୀବନର ମର୍ଯ୍ୟାଦା ବୃଦ୍ଧି କରିବା ସକାଶେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡିଶା ଗଠନ କରିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ ଉତ୍କଳ ସମ୍ମିଳନୀରେ ଆହ୍ୱାନ ଦେଇଥିଲେ :-

“ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ
କୋଟିପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁନୀରେ”।

ଜାତୀୟ ଚେତନାର ଜାଗରଣ ପାଇଁ ସେ କବିତାର ନର୍ଝର ବୁହାଇ ଦେଇଛନ୍ତି। ସୁପ୍ତ ଓଡିଆମାନଙ୍କ ପ୍ରାଣରେ ଜାତୀୟ ଚେତନାର ଉଦ୍ରେକ କରିବାକୁ ଯାଇ ତାଙ୍କୁ ମନେପକାଇ ଦେଇଛନ୍ତି:-

“ତୋ ପୂର୍ବ ପୁରେଷେ ଜୟ କରିଥିଲେ
ଗଙ୍ଗାଠାରୁ ଗୋଦାବରୀ
ତାଙ୍କରି ଔରଷେ ଜାତ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି”।

ସମସ୍ତ ଓଡିଆମାନଙ୍କୁ ଉତ୍କଳୀୟତାର ମହାମନ୍ତ୍ରରେ ଉଦବୁଦ୍ଧ କରାଇବା, ଶିକ୍ଷା ବ୍ୟବସ୍ଥାରେ ସଂପ୍ରସାରଣ କରିବା, ଓଡିଆ ଭାଷାର ସୁରକ୍ଷା କରିବା, ସ୍ୱତନ୍ତ୍ର ଉତ୍କଳପ୍ରଦେଶ ଗଠନ କରିବା, କୃଷିର ବିକାଶ କରିବା, ଶିଳ୍ପାୟନ ପାଇଁ ସମସ୍ତେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା, ସର୍ବପରି ସମସ୍ତଙ୍କ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରିବା ଥିଲା ତାଙ୍କର ଲକ୍ଷ୍ୟ।

ସେ ଥିଲେ ପ୍ରଥମ ଓଡିଆ ଗ୍ରାଜୁଏଟ, ଏମ୍.ଏ., ପ୍ରଥମ ଓଡିଆଭାବେ ବିଲାତ ଯାତ୍ରା କରିଥିଲେ, ପ୍ରଥମ ଓଡିଆ ଓକିଲ, ପ୍ରଥମ ଓଡିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ତ୍ୟାଗ କରିବାରେ ପ୍ରଥମ ଭାରତୀୟ। ଜଣେ ବିଧାୟକ ଭାବରେ ମଧୁସୂଦନଙ୍କ ସ୍ଥାନ ଥିଲା ସ୍ୱତନ୍ତ୍ର। ସେ ସମ୍ବିଧାନରେ ବିଶ୍ୱାସ କରୁଥିଲେ କିନ୍ତୁ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯ଼େତେବେଳେ ଦରକାର ହେଉଥିଲା ସରକାରଙ୍କୁ କଠୋର ସମାଲୋଚନା କରିବା ପାଇଁ ପଛାଉନଥିଲେ। ବିହାର ଓଡିଶା ପ୍ରଦେଶର ମନ୍ତ୍ରୀ ଥିବା ସମୟରେ ସେ ଦୁଇଟି ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଥିଲେ। ପ୍ରଥମ ଆଇନ ଦ୍ୱାରା ପ୍ରତିନିଧିମାନଙ୍କୁ ‘ରିକଲ’ ବା ଫେରାଇ ଆଣିବା ବ୍ୟବସ୍ଥା ଏବଂ ଦ୍ୱିତୀୟ ଆଇନଟି ଦ୍ୱାରା ଜିଲ୍ଲାବୋର୍ଡ ଓ ଲୋକାଲ ବୋର୍ଡ ଆଦି ସ୍ୱାୟତ ଶାସିତ ଅନୁଷ୍ଠାନମାନଙ୍କରେ ଅନୁନ୍ନତ ସଂପ୍ରଦାୟର ଲୋକମାନଙ୍କ ପାଇଁ ପ୍ରତିନିଧିତ୍ୱ ବ୍ୟବସ୍ଥା କରାଯାଇଥିଲା।

ଉତ୍କଳ ଜନନୀର ସୁରକ୍ଷା ପାଇଁ ଏବଂ ଉତ୍କଳବାସୀଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ ପାଇଁ ସଦା ଚିନ୍ତିତ ଥିଲେ। ଖ୍ରୀଷ୍ଟ୍ରିୟାନ ଧର୍ମ ଗ୍ରହଣ କରି ମଧ୍ୟ ଓଡିଆ ଜାତିର ସ୍ୱାଭିମାନ ପାଇଁ ଓଡିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ନିଜର ପ୍ରିୟ ଠାକୁରଭାବରେ ଅବିହିତ କରି ନିଜେ ହୃଦୟ କନ୍ଦରରେ ଗ୍ରହଣ କରିଥିଲେ। ଶ୍ରୀମନ୍ଦିର ଓ ଗଜପତି ବଂଶର ସ୍ୱାଭିମାନ ସହିତ ଓଡିଆ ଜାତିର ସମ୍ମାନ ରକ୍ଷା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ବିଟ୍ରିଶ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ହାତକୁ ନେବା ପାଇଁ ଯେଉଁ କୁଚକ୍ରାନ୍ତ ଚଳାଇଥିଲେ, ସରକାରଙ୍କ ବିରୁଦ୍ଧରେ ଗଜପତିଙ୍କ ତରଫରୁ ମକଦ୍ଦମା ଲଢି ବ୍ରିଟିଶ ସରକାରଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ତାଙ୍କର ଇଶ୍ୱର ବିଶ୍ୱାସରେ ଜାତୀୟତାଭାବ ପ୍ରତିଫଳିତ ହୋଇଥିଲା ଯଥା :-

“କୋଟିଏ ଓଡିଆ ଗୋଟିଏ ସ୍ୱରରେ
ଡାକ ତ୍ରାହି ଜଗନ୍ନାଥ
ଅନ୍ଧାର ଘୁଂଚିବ ନିଶ୍ଚୟ ଦେଖିବ
ଜାତିର ଉନ୍ନତିପଥ”।

ମଧୁସୂଦନଙ୍କ ଇଶ୍ୱର ବିଶ୍ୱାସ ଧର୍ମର ସଂକୀର୍ଣ୍ଣତାର ଗଣ୍ଡିଭିତରେ ଆବଦ୍ଧ ହୋଇନଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜାତୀୟତାଭାବ ସୃଷ୍ଟି କରିବା ହିଁ ତାଙ୍କର ମୂଳଲକ୍ଷ୍ୟ ଥିଲା। ଓଡିଆ ଭାଷା, ସାହିତ୍ୟ, ସମାଜସେବା ମାଧ୍ୟମରେ ଓଡିଶାବାସୀଙ୍କ ଜାତୀୟତା ତଥା ଦେଶାତ୍ମକବୋଧର ଉନ୍ନତି ପାଇଁ ସେ ଯେଉଁ କର୍ମ କରିଯାଇଛନ୍ତି ତାହା ଚିର ସ୍ମରଣୀୟ। ମଧୁବାରିଷ୍ଟର ନାମରେ ପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ବିରଳ ବ୍ୟକ୍ତିତ୍ୱ। ଆଜିର ଏହି ପୁଣ୍ୟ ଜୟନ୍ତୀରେ, ତାଙ୍କର କୃତି ଓ କୀର୍ତ୍ତୀ ପାଇଁ ସମଗ୍ର ଓଡିଆ ଜାତି ତାଙ୍କୁ ବିନମ୍ର ଶ୍ରଦ୍ଧାଜ୍ଞଳୀ ଜଣାଉଅଛି।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.