ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ସେପ୍ଟେମ୍ବର ୨୦୨୪
ହଠାତ୍ ଦିନେ ସକାଳୁ ଆମ ଘର ପାଖରେ ଜିପ୍ ଗାଡ଼ିଟିଏ ଆସି ପହଞ୍ଚିଲା । ଦୁଇଜଣ ବୟସ୍କ ଲୋକ ସେଥୁରୁ ବାହାରିଲେ । ଗାଡ଼ି ପଛରେ ଛୋଟ ଟ୍ରଲିଟିଏ ଲାଗିଥିଲା ।
ଆମ ଅଂଚଳକୁ ଯେ ଗାଡ଼ିମୋଟର ଆସୁନଥିଲା, ତାହା ନୁହେଁ । କିନ୍ତୁ ଏମିତି ଟ୍ରଲି ଲଗା ଜିପ୍ ଗାଡ଼ି ପ୍ରାୟତଃ ଆସୁନଥିଲା । ସେମାନେ ଆମ ଘରକୁ ଆସିଲେ । ନନା, ବୋଉ, ମା ଓ ବଡ଼ କକେଇ ତାଙ୍କ ସହ ଆଦରର ସହିତ କଥାବାର୍ତ୍ତା କରୁଥାନ୍ତି । ଆମେ କିଛି ବୁଝି ପାରୁନଥାଉ । ନନା ସ୍ଵତନ୍ତ୍ର ପାର୍ଟିର ସାଧାରଣ ସଂପାଦକ ଥାଆନ୍ତି । ସେ ଦୁଇଜଣ ବୟସ୍କ ଲୋକ କିନ୍ତୁ ରାଜନୀତିର ଲୋକଙ୍କ ଭଳି ଲାଗୁନଥାନ୍ତି । ଫୁଲପ୍ୟାଣ୍ଟ୍ ସାର୍ଟ ପିନ୍ଧିଥାନ୍ତି । ସେତେବେଳେ ରାଜନୀତିରେ ଥିବା ଲୋକେ ଧୋତି ପଂଜାବୀ ପିଂଧୁଥୁଲେ ।
ସେଦିନ ସଂଜରେ ଆମେ ଜଗନ୍ନାଥ ମନ୍ଦିର ଗଲୁ । ନନା ଅନେକ ଲୋକଙ୍କୁ ଡାକିଥାନ୍ତି । ଆମର ଅନେକ ସଂପର୍କୀୟ ଲୋକେ ବି ଥାଆନ୍ତି । ଆମେ ସବୁ ଅବଢ଼ା ଖାଇଲୁ ।
ତା ପରଦିନ ମାଆ ମତେ ଓ ନାନୀକୁ କହିଲା, “ଆମ କକେଇଙ୍କର ବାହାଘର ହେବ । ଯିଏ ଆସିଥିଲେ, ତାଙ୍କ ଭିତରୁ ଜଣେ ଥିଲେ ଭାବୀ ଶ୍ଵଶୁର ଶ୍ରୀ ତାରାଋନ୍ଦ ରଥ ଓ ଅନ୍ୟ ଜଣଙ୍କ ତାଙ୍କ ସାନ ଭାଇ ଗୋରାଚାନ୍ଦ ରଥ ।
ସେମାନେ ମତେ ଓ ନାନୀକୁ ବହୁତ ସ୍ନେହ କଲେ । ମୁଁ ସେତେବେଳେ ଋହାଳି ଡେଇଁଥାଏ, ହେଲେ ସ୍କୁଲରେ ଆଡ୍ମିଶନ ନେଇନଥାଏ । ନାନୀ ବୋଧେ ପ୍ରଥମ ଶ୍ରେଣୀ ସାରିବାକୁ ଯାଉଥାଏ । ୧୯୬୬ ମସିହା । ତା’ର କିଛି ମାସ ପରେ କକେଇଙ୍କୁ ବେଶ କରାହେଲା । ଗୋଟିଏ କାରରେ ମୁଁ ମାର୍କଣ୍ଡି ବେଶ ପକେଇ କକେଇଙ୍କ ସହ ବସିଲି । ଆମ ସହ ଗୋଟେ ବସ୍ରେ ମୋ ମାଉସୀ ପୁଅ ଗୋପୀ ଭାଇନା ଓ ପିଉସୀ ପୁଅ ବାବାଜି ଭାଇନାଂକ ସହ ଅନେକ ଲୋକ ପୁରୀରୁ ସମ୍ବଲପୁର ଗଲେ । କକେଇ ସେତେବେଳକୁ ସମ୍ବଲପୁରରେ ଓ.ଏ.ଏସ୍. ଅଫିସର । ତାଙ୍କ ଶ୍ଵଶୁର ବି ସେଇଠି ଓ.ଏ.ଏସ୍. ଅଫିସର ଥିଲେ ।
ମତେ ଭାରି ଆଦରରେ ସମସ୍ତେ କାଖଉଥାନ୍ତି । ମୁଁ ମାର୍କଣ୍ଡି ନା ! ଆମେ ସବୁ ହୀରାକୁଦ ଦେଖିବାକୁ ଗଲୁ । କକେଇଙ୍କ ବାହାଘର ପରେ ଆମେ ଖୁଡ଼ିକୁ ନେଇ ପୁରୀ ଆସିଲୁ । ଆମ ଘରର ଛାତ ଉପରେ ଭୋଜି ହେଲା । ସେତେବେଳେ ମହାପ୍ରସାଦ ହିଁ ଭୋଜି ହେଉଥିଲା । କିଛି ମାସ ପରେ କକେଇ ମତେ ଓ ନାନୀକୁ ସଂବଲପୁର ନେଇଗଲେ । ମା ବି ଆମ ସହ ଗଲା । ନାନୀର ସେଠି ଦ୍ଵିତୀୟ ଶ୍ରେଣୀରେ ସ୍କୁଲରେ ନାମ ଆଡ଼ମିଶନ୍ ହେଲା । ମୁଁ ସ୍କୁଲ ନାନୀ ସାଂଗରେ ଯାଉଥୁଲି । ହେଲେ ମୋର ଆଡ଼ମିଶନ୍ ହେବା କଥା ମୋର ମନେନାହିଁ ।
କକେଇ ବନ୍ଦୋବସ୍ତ ଅଧିକାରୀ ଥାଆନ୍ତି । ତାଙ୍କ କ୍ୟାମ୍ପ କେଉଁଠି ଗଲିଥାଏ । ରାତିରେ ଘରକୁ ଆସନ୍ତି । ଦିନଯାକ ମୁଁ ଖୁଡ଼ିକ ସହ ଖେଳୁଥାଏ । ରାତିରେ ଶୋଇପଡ଼େ । ନିଦ ଖୋଲିଲା ବେଳକୁ ମା ପାଖରେ ଶୋଇଥାଏ । ନାନୀ ଗୋଟେ ପଟେ ଓ ମୁଁ ଆଉ ଗୋଟେ ପଟେ । ମୁଁ କେମିତି ଖୁଡ଼ିକ ପାଖରୁ ମା ପାଖକୁ ଆସିଲି, ବୁଝିପାରେ ନାହିଁ । ପରଦିନ ସକାଳୁ କକେଇ ଜଳଖୁଆ କରି ବାହାରିଯାଆନ୍ତି । ମୁଁ ପୁଣି ଖୁଡ଼ିକ ସହ ଖେଳିବା ଆରମ୍ଭ କରିଦିଏ । ତା ଭିତରେ ଦିନେ ଚିତଉ ହେଲା । ଆମେ ସବୁ ଖାଇଲୁ । ଏମିତି ଆମର କିଛି ମାସ ଗଲା । ଦିନେ ହଠାତ୍ ଖୁଡ଼ି ମିଳିଲେ ନାହିଁ । ନାନୀ ମତେ ନେଇ ଆଉ ଗୋଟେ ଘରକୁ ଗଲା । ଖୁଡ଼ି ସେଇଠି ଥିଲେ । କେତେ ମାସ ପରେ ଶୁଣିଲି ଖୁଡ଼ିକର ପୁଅଟିଏ ହେଲା ଓ ମରିଗଲା । ମୁଁ ଓ ନାନୀ ଗଲୁ । ଖୁଡ଼ି ଆମକୁ ଧରି ଅନେକ କାନ୍ଦିଲେ । ଆମେ ବି କାନ୍ଦିଲୁ । ପୁଅ ଜନ୍ମ ହେବା ପରେ ଆମେ ଦେଖୁନଥୁଲୁ- ମଲା ପରେ ବି ଖୁଡ଼ି କେବେ ଘରକୁ ଫେରିଲେ ମୋର ମନେନାହିଁ ।