ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଡିସେମ୍ବର ୨୦୨୨
କୋଣାର୍କ ଉଛବ – ୨୦୨୨ ଅବସରରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆୟୋଜିତ ହୋଇଯାଇଛି କୋଣାର୍କ ସାହିତ୍ୟ ଆସର। ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ତାଙ୍କର ସାରସ୍ୱତ ସାଧନା ଓ ଓଡ଼ିଆ ସାହିତ୍ୟ ପ୍ରତି ଥିବା ଅବଦାନ ନେଇ କୋଣାର୍କ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।
ଗତ ୪ ତାରିଖରେ ଆୟୋଜିତ ହୋଇଥିବା ଏହି ସାହିତ୍ୟ ଆସର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବୟିତ୍ରୀ ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର । ଏହି କାର୍ଯ୍ୟକ୍ରମର ୨ଟି ଅଧିବେଶନରେ ଓଡ଼ିଆ ସାହିତ୍ୟରେ “ଗୀତି କବିତାର ସାମ୍ପ୍ରତିକ ସ୍ଥିତି” ଶୀର୍ଷକ ଆଲୋଚନା ଅନୁଷ୍ଠିତ ହେବାସହ ପୁସ୍ତକ ଉନ୍ମୋଚନ, କବିତା ପାଠ, ଅଣୁ ଗଳ୍ପ ପଠନ ଓ ବ୍ୟଙ୍ଗ କବିତା ଆସର ମଧ୍ୟ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ହୋଇଥିଲା ଏହି ବାର୍ଷିକ ସାହିତ୍ୟ ଆସର । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ରୁ ଅଧିକ ସାହିତ୍ୟ ପ୍ରେମୀ ଏହି ଆସରରେ ଯୋଗ ଦେଇଥିଲେ । ଏହି ଅବସରରେ ୧୦ ଜଣ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବ୍ୟଙ୍ଗ କବିତା ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା ।