ଗୀତାଞ୍ଜଳି କର, କଟକ, ୧ ମଇ ୨୦୨୩
ଦୁର୍ଲଭ ଜନ୍ମରେ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରମାତ୍ମାଙ୍କୁ ପ୍ରାପ୍ତି। ଭୌତିକ ପ୍ରାପ୍ତିର ସୁଖବଳୟରୁ ବାହାରି ଆସି ପରମାତ୍ମାଙ୍କୁ ପ୍ରତିକ୍ଷଣରେ ଅନୁଗାମୀ ହୋଇପାରିଲେ ପ୍ରାପ୍ତିର ସ୍ବୀକାରୋକ୍ତି ଆସେ । ତେଣୁ ପରମାତ୍ମlଙ୍କ ପାଇଁ ବ୍ରତ, ଉପବାସ ଇତ୍ୟାଦି କାୟ ମନୋବାକ୍ୟରେ କରିପାରିଲେ ଧୀରେ ଧୀରେ ସମସ୍ତ ଅମା ଅନ୍ଧାର ଦୂରୀଭୂତ ହୋଇ ଜୀବନ ଆଲୋକମୟ ହୋଇଯାଏ । ଧର୍ମ, ଅର୍ଥ, କାମ, ମୋକ୍ଷ ପରି ଚତୁର୍ଦ୍ଦଶ ଫଳ ଲାଭର ସାମର୍ଥ୍ୟ ଆସେ । ତେଣୁ ବ୍ରତ, ଉପବାସ ଭକ୍ତିମାର୍ଗକୁ ତ୍ୱରାନ୍ୱିତ କରିବାର ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏକାଦଶୀ ତିଥି ଗୁଡ଼ିକ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରଖେ । ଚବିଶି ଏକାଦଶୀରୁ ବୈଶାଖ ଶୁକ୍ଳପକ୍ଷ ଏକାଦଶୀ ମୋହିନୀ ଏକାଦଶୀ ନାମରେ ନାମିତ । ଏକାଦଶୀ ବ୍ରତ ମହିମାରେ ଏହି ଏକାଦଶୀର ମହତ୍ତ୍ୱ ଅଧିକ । ଏହି ବ୍ରତରେ ବ୍ରତଧାରୀର ସମସ୍ତ ମୋହ ନଷ୍ଟ ହୋଇ ଅନେକ ମହାପାତକ ଦୋଷ ବିବର୍ଜିତ ହୋଇଥାଏ । ପୌରାଣିକ ମତାନୁସାରେ ତ୍ରେତୟା ଯୁଗରେ ମୋହିନୀ ଏକାଦଶୀ ବ୍ରତ ମହିମା ମହର୍ଷି ବଶିଷ୍ଠ ପ୍ରଥମେ ଶ୍ରୀରାମଚନ୍ଦ୍ରଙ୍କୁ କହିଥିଲେ । ଦ୍ୱାପର ଯୁଗରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ ବୈଶାଖ ମାସର ଶୁକ୍ଳ ଏକାଦଶୀର ମହତ୍ତ୍ୱ ବର୍ଣ୍ଣନା କରିବାକୁ । ଶ୍ରୀକୃଷ୍ଣ ମୃଦୁ ହସଟିଏ ଦେଇ କହିଲେ ହେ ଧର୍ମରାଜ ଯୁଧିଷ୍ଠିର ଏଇ କଥା ତ୍ରେତୟାରେ ଶ୍ରୀରାମ ବଶିଷ୍ଠଙ୍କୁ ପଚାରିଥିଲେ । ଏବେ ତୁମେ ଶୁଣିବାକୁ ଇଛା ପ୍ରକଟ କରିଛ । ତେବେ ଶୁଣ । ସେତେବେଳେ ବଶିଷ୍ଠ କହିଲେ.. ହେ ରାମ ତୁମ ନାମ ନେଲେ ସକଳ ଦୁରିତ ନାଶ ହୁଏ ବୋଲି ଜଣାଅଛି ତଥାପି ଲୋକମାନଙ୍କ ହିତ ଲାଗି ମୋହିନୀ ଏକାଦଶୀ ସର୍ବ ପାପହାରିଣୀ ତଥା ଅତି ଉତ୍ତମ ବ୍ରତ ବୋଲି ଜାଣ । ନୂଆ ବ୍ରତଧାରୀ ଏହି ବ୍ରତରୁ ଆରମ୍ଭ କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାନ୍ତି। କାରଣ ଏହି ବ୍ରତ ପ୍ରଭାବରେ ବ୍ୟକ୍ତି ସମସ୍ତ ମହାଜାଲ ତୁଟାଇ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇଯାଏ । ଏବେ ଶୁଣ ସେହି ବ୍ରତ କଥାର ମହିମା ସମ୍ପର୍କରେ ।
ସରସ୍ବତୀ ନଦୀର ତଟଦେଶରେ ଭଦ୍ରାବତୀ ନାମକ ନଗରରେ ଧୃତିମାନ ନାମରେ ରାଜା ରାଜୁତି କରୁଥିଲେ । ସେ ଥିଲେ ଚନ୍ଦ୍ରବଂଶୀ ତଥା ସତ୍ୟପ୍ରତିଜ୍ଞ । ଏହି ନଗରରେ ଧନପାଳ ନାମରେ ଜଣେ ବୈଶ୍ୟ ବସବାସ କରୁଥିଲା । ଯିଏ କି ଧନଧାନ୍ୟରେ ପରିପୂର୍ଣ୍ଣ ତଥା ସୌଭାଗ୍ୟଶାଳୀ ଥିଲା ।
ସେ ସଦାବେଳେ ପୁଣ୍ୟକର୍ମରେ ହିଁ ଲାଗି ରହୁଥିଲା । ଗରିବ ଗୁରୁବାଙ୍କ ପାଇଁ ଘର, ପୋଖରୀ, କୂଅ ମଠ, ବଗିଚା, ଜଳଛତ୍ରର ବ୍ୟବସ୍ଥା କରାଉଥିଲା । ଭଗବାନ ବିଷ୍ଣୁଙ୍କ ପ୍ରତି ଅନୁରାଗୀ ରହି ସଦାବେଳେ ଶାନ୍ତ ସ୍ଵଭାବରେ ରହୁଥିଲା । ତାର ପାଞ୍ଚଟି ପୁତ୍ର ଥିଲେ । ସୁମନା, ଦ୍ୟୁତିମାନ, ମେଧାବୀ, ସୁକୃତ, ଓ ଧୃଷ୍ଟବୁଦ୍ଧି । ସାନପୁତ୍ର ଧୃଷ୍ଟବୁଦ୍ଧି ସବୁ ଭାଇମାନଙ୍କଠାରୁ ଅଲଗା ଥିଲା । ସର୍ବଦା ପାପକର୍ମ ଜୁଆଖେଳ ଆଦି ଦୁଃବ୍ୟସନରେ ଆସକ୍ତି ରଖୁଥିଲା । କୌଣସି ଧାର୍ମିକ କାମରେ ତାର ମନ ଲାଗୁନଥିଲା । ଦୁଷ୍ଟାତ୍ମା ପୁତ୍ର ଅନ୍ୟାୟ ମାର୍ଗରେ ପରିଚାଳିତ ହୋଇ ପିତା ଧନପାଳଙ୍କର ଧନକୁ ଅପବ୍ୟୟ କରୁଥିଲା ।
ମହାପାପୀ ଧୃଷ୍ଟବୁଦ୍ଧି ଦିନେ ବେଶ୍ୟା କାନ୍ଧରେ ହାତ ପକାଇ ଛକରେ ବୁଲୁଥିବାର ଦେଖାଗଲା । ରୁଷ୍ଟପିତା ଧୃଷ୍ଟବୁଦ୍ଧିଙ୍କୁ ପରିତ୍ୟାଗ ପୂର୍ବକ ଘରୁ ବାହାର କରିଦେଲେ । ବନ୍ଧୁପରିଜନମାନେ ତିରସ୍କାର କରି ତଡି ଦେଲେ । ଏହାପରେ ଦିନରାତି ଦୁଃଖ ଓ ଶୋକରେ ବୁଡ଼ି ରହି ସେ ବୁଲିବାକୁ ଲାଗିଲା । ସମୟ ଚକ୍ରରେ ତାର ଭଲ ସମୟ ଆସିଲା । ସେ ମହର୍ଷି କୌଣ୍ଡିନ୍ୟଙ୍କ ଆଶ୍ରମରେ ପହଁଚିଲା । ସେତେବେଳେ ବୈଶାଖ ମାସ ଥିଲା । ତପୋବନ୍ତ କୌଣ୍ଡିନ୍ୟ ଗଙ୍ଗାନଦୀରେ ସ୍ନାନ ସାରି ଫେରୁଥିଲେ । ପୀଡିତ ଧୃଷ୍ଟବୁଦ୍ଧି କୌଣ୍ଡିନ୍ୟଙ୍କ ପାଖକୁ ଗଲା ଏବଂ ହାତଯୋଡ଼ି କହିଲା ହେ ବ୍ରହ୍ମନ, ହେ ଦ୍ୱିଜଶ୍ରେଷ୍ଠ ମୋ ଉପରେ ଦୟାକରି କୌଣସି ବ୍ରତ ମହିମା ବର୍ଣ୍ଣନା କରନ୍ତୁ ଯାହାର ପୁଣ୍ୟ ପ୍ରଭାବରେ ମୋତେ ମୁକ୍ତି ମିଳିଯିବ ।
କୌଣ୍ଡିନ୍ୟ କହିଲେ ବୈଶାଖ ମାସର ଶୁକ୍ଳପକ୍ଷ ଏକାଦଶୀ ଯାହା ମୋହିନୀ ଏକାଦଶୀ ନାମରେ ପବିତ୍ର ବ୍ରତ ଅଟେ । ସେଥିପାଇଁ ଉପବାସ କଲେ ପ୍ରାଣୀର ଅନେକ ଜନ୍ମର ମେରୁ ପର୍ବତ ସମ ମହାପାତକ ନଷ୍ଟ ହୁଏ । ବଶିଷ୍ଠ କହିଲେ ହେ ଶ୍ରୀରାମ.. କୌଣ୍ଡିନ୍ୟ ମୁନିଙ୍କର ବଚନ ଶୁଣି ପାପାତ୍ମା ଧୃଷ୍ଟବୁଦ୍ଧି ବିଧିପୂର୍ବକ ମୋହିନୀ ଏକାଦଶୀ ବ୍ରତ ପାଳନ କରି ନିଷ୍ପାପ ହେଲା ଓ ଦିବ୍ୟ ଦେହ ଧାରଣ କରି ଶ୍ରୀବିଷ୍ଣୁ ଧାମକୁ ଗଲା । ଏହି ବ୍ରତର ପଠନ ଓ ଶ୍ରବଣ ଦ୍ୱାରା ସହସ୍ର ଗୋଦାନ କରିବାର ଫଳ ମିଳେ । ଵିଧି ଅନୁସାରେ ବ୍ରତ ପାଳନ କରି ପରଦିନ ଅର୍ଥାତ ଦ୍ୱାଦଶୀ ତିଥିରେ ପାରାୟଣ କରି ଅନ୍ନ ଜଳ ଗ୍ରହଣ କରାଯାଏ । ନିସ୍ଵାର୍ଥପର ବ୍ରତ ପାଳନରେ ହିଁ ମନୁଷ୍ୟ ସଚ୍ଚିଦାନନ୍ଦଙ୍କୁ ପ୍ରାପ୍ତ କରେ ।
ମୋହିନୀ ଏକାଦଶୀ ଶାସ୍ତ୍ରରେ ସବୁ ଏକାଦଶୀଠାରୁ ଅନନ୍ୟ ବୋଲି କୁହାଯାଇଛି । ଏହି ଦିନରେ ଭଗବାନ ବିଷ୍ଣୁ ମୋହିନୀ ଅବତାର ନେଇ ଅସୁରମାନଙ୍କୁ ସଂହାର କରିଥିଲେ । ତେଣୁ ବ୍ରତ ପାଳନ କରି ବ୍ରତଧାରୀ ସବୁ ପାପ ଧୋଇବାରେ ସକ୍ଷମ ହୁଏ। ନିଜ ଶତ୍ରୁଙ୍କୁ ଦମନ କରିବାକୁ ପଥ ପରିଷ୍କାର କରେ । କେବଳ ଏତିକି ନୁହଁ ଏହି ବ୍ରତରେ ସମ୍ପୂର୍ଣ୍ଣ ପରିବାରରେ ସମସ୍ତେ ସୁଖ,ଶାନ୍ତି ପ୍ରାପ୍ତ ହୋଇ ଧନୀ, ଐଶ୍ୱର୍ଯ୍ୟଶାଳୀ, ଧୈର୍ଯ୍ୟବନ୍ତ ହୁଅନ୍ତି ।
ତାତ୍ତ୍ଵିକ ଦୃଷ୍ଟିକୋଣରୁ ବ୍ରତ, ଉପବାସ ରେ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ନିହିତ ହୋଇଛି । ଏହା ବ୍ୟକ୍ତିର ମାନସିକ ସ୍ତରକୁ ସଜାଗ ରଖି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରେ ଯାହା ସକାରାତ୍ମକ ଦିଗ ପ୍ରତି ଆହ୍ୱାନ ଦିଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ବ୍ରତଧାରୀ ଉପବାସ ରହି ନିଜର ଶାରୀରିକ ସ୍ୱାସ୍ଥ୍ୟ, ମନୋବଳ ଓ ବୁଦ୍ଧିର ବିକାଶ ପଥ ନିରୂପଣ କରିପାରେ । ଏହାସହିତ ବ୍ୟକ୍ତି ସଦାଚାରୀ, ବିବେକବାନ ତଥା ପୂର୍ଣ୍ଣ ସମର୍ପିତ ପଥରେ ଅନୁଧାବିତ ହେବାକୁ ସର୍ବଦା ବିଚାର କରେ । ବିଚାରରୁ ବାକ୍ୟ, ବାକ୍ୟରୁ କର୍ମ । ତେଣୁ ସତକର୍ମ କରି ଅଖଣ୍ଡ ସୁଖର ଅଧିକାରୀ ହୋଇଥଏ ମଣିଷ ।