• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମୁନା ଭାଈଙ୍କ ସ୍ମରଣେ

ମୁନା ଭାଈଙ୍କ ସ୍ମରଣେ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ମାର୍ଚ୍ଚ ୨୦୨୪

ଭଦ୍ରକ ମ୍ୟୁନିସପାଲଟିର ପୂର୍ବତନ ଅଧ୍ୟକ୍ଷ ମାନସ କୁମାର ମହାନ୍ତିଙ୍କର ଗତ ଫେବୃଆରୀ ୨୯ ତାରିଖ ଦିନ ଆକସ୍ମିକ ବିୟୋଗ ଘଟିଛି । ଫଳରେ ସମଗ୍ର ଭଦ୍ରକ ସହରରେ ଗଭୀର ଶୋକର ଛାୟା ଖେଳି ଯାଇଛି । କାରଣ ଭଦ୍ରକ ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ପୌରାଧ୍ୟକ୍ଷ ଭାବରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ଅନ୍ୟପକ୍ଷରେ ତାଙ୍କର ଦେହାନ୍ତ ମଧ୍ୟ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା । ତେଣୁ ଭଦ୍ରକବାସୀଙ୍କ ମନରେ ସ୍ୱାଭାବିକ ଭାବେ ଗଭୀର ଶୋକଚ୍ଛ୍ଵାସ ପ୍ରକାଶ ପାଇଲା ।

ମାନସ କୁମାର ମହାନ୍ତି ଭଦ୍ରକ ଅଞ୍ଚଳରେ ମାନସ ମହାନ୍ତି ନାମରେ ଖ୍ୟାତ ଥିଲେ । ଗୁରୁଜନମାନେ ତାଙ୍କୁ ‘ମାନସ’ ବା ଡାକ ନାମ ‘ମୁନା’ ବୋଲି ସମ୍ବୋଧନ କରୁଥିବା ବେଳେ କନିଷ୍ଠମାନେ ତାଙ୍କୁ ଆଦରରେ ‘ମୁନା ଭାଈ’ ବୋଲି ଡାକୁ ଥିଲେ । ସେ ମୋ ଠାରୁ ବୟସରେ ପାଞ୍ଚ/ଛଅ ବର୍ଷ ବଡ଼ ଥିଲେ ଏବଂ ମୋର ମଧ୍ୟ ସମ୍ପର୍କୀୟ ଥିଲେ ।

ଆଜିକୁ ପ୍ରାୟ ଚାଳିଶ ବର୍ଷ ତଳେ ଅଶୀ ଦଶକରେ ମୁନା ଭାଈ ପ୍ରଥମେ ଭଦ୍ରକ ଏନ.ଏ.ସି. ର ଅଧ୍ୟକ୍ଷ ହୋଇଥିଲେ । ସେତେବେଳେ ମୁଁ ସାମ୍ବାଦିକତା ବୃତ୍ତିକୁ ଆପଣେଇ ଭୁବନେଶ୍ୱର ସହରକୁ ଚାଲି ଆସିଥିଲି । ମୁଁ ଭୁବନେଶ୍ୱର ସହରରେ ରହିବା ସତ୍ତ୍ୱେ ଭଦ୍ରକ ନିବାସୀ ମୁନା ଭାଈଙ୍କ ସହିତ ମୋର ଘନିଷ୍ଠତା ଅତୁଟ ରହିଥିଲା । କାରଣ ପ୍ରତି ସପ୍ତାହରେ ମୁଁ ସେତେବେଳେ ଭୁବନେଶ୍ୱରରୁ ଆମ ଭଦ୍ରକ ସହରସ୍ଥିତ ବାସ ଭବନ “କାନ୍ତ କୁଟୀର” କୁ ଯାଉଥିଲି । “କାନ୍ତ କୁଟୀର” ରେ ମୋର ବାପା, ବୋଉ, ଭାଇ, ଭଉଣୀ, ପତ୍ନୀ ଏବଂ ପିଲାମାନେ ଅବସ୍ଥାନ କରୁଥିଲେ । ସେହି ସମୟରେ ବୈଦ୍ୟୁତିକ ଗଣମାଧ୍ୟମର ଆଜି ଭଳି ବିକାଶ ଓ ବିସ୍ତାର ହୋଇ ନଥିଲା । ଲ୍ୟାଣ୍ଡ ଫୋନ୍ ଓ ରେଡ଼ିଓ ହିଁ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଥିଲା । ତେଣୁ ସପ୍ତାହାନ୍ତ ଭଦ୍ରକ ଗସ୍ତ ଅବସରରେ ତଦାନୀନ୍ତନ ଅଭିଭକ୍ତ ବାଲେଶ୍ୱର ଜିଲ୍ଲା ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକ, ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ (ସେତେବେଳେ ସେ ବିଧାୟକ ହୋଇ ନଥିଲେ), ମୁନା ଭାଈ ପ୍ରଭୃତିଙ୍କ ସହିତ ସାକ୍ଷାତ ଆଲୋଚନା ମୋର ନିୟମିତ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା । ଆମ ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜନୀତି ଚର୍ଚ୍ଚା । ରାଜଧାନୀରୁ ପ୍ରକାଶିତ ଏକ ପ୍ରତିଷ୍ଠିତ ଖବର କାଗଜର ମୁଁ ସେତେବେଳେ ଭୁବନେଶ୍ୱରର ମୁଖ୍ୟ ରିପୋର୍ଟର ଥାଏ । ସେହି ଦୃଷ୍ଟିରୁ ରାଜଧାନୀର ସଦ୍ୟ ରାଜନୈତିକ ପାଣିପାଗ ସମ୍ପର୍କରେ ଅବଗତ ହେବା ଆମ ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ପୌରାଧ୍ୟକ୍ଷ ଭାବରେ ଭଦ୍ରକ ସହରର ସଫେଇ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିବା, ଟାଉନହଲ ଓ ମଦିନା ମଇଦାନରେ ପାଠାଗାର ପ୍ରତିଷ୍ଠା, ଅପର୍ତ୍ତିବିନ୍ଧା ଓ ଡାହାଣୀଗଡିଆ ଛକରେ ଟ୍ରାଫିକ ଆଇଲ୍ୟାଣ୍ଡ ବ୍ୟବସ୍ଥା, ଶିକ୍ଷାନୁଷ୍ଠାନ ଗୁଡ଼ିକର ଉନ୍ନତିକରଣ ଲାଗି ଆର୍ଥିକ ସହାୟତା ପ୍ରଦାନ ଭଳି ଉନ୍ନୟନମୂଳକ କାର୍ଯ୍ୟ ଲାଗି ଅବଶ୍ୟ ଭଦ୍ରକ ସହରବାସୀ ମୁନା ଭାଈଙ୍କୁ ମନେ ରଖିବେ । ତେବେ ଅଶୀ ଦଶକରେ ଭଦ୍ରକ ଏନ.ଏ.ସି.ର ଅଧ୍ୟକ୍ଷ ଭାବରେ ସେ ଏଭଳି ଗୋଟିଏ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ସେ ସ୍ମରଣୀୟ ହୋଇ ରହିବେ । ସେହି କାର୍ଯ୍ୟକ୍ରମଟି ହେଉଛି ଭଦ୍ରକର ଗର୍ବ ଗୌରବ ତଥା ଓଡ଼ିଶା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ର ସ୍ରଷ୍ଟା କାନ୍ତକବିଙ୍କ ସ୍ମୃତି ରକ୍ଷା ।

ସମ୍ଭବତଃ ସେହି ସମୟରେ ଭଦ୍ରକ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ.ଏ.ସି) ତା’ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରୁଥାଏ । ସେହି ଅବସରରେ କାନ୍ତକବିଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ଭଦ୍ରକ ସହରର ଚାନ୍ଦବାଲି ବାଇପାସ ଛକ ଠାରେ ପୌରସଂସ୍ଥା ପକ୍ଷରୁ ସ୍ଥାପନ କରାଯାଇଥିଲା ।

ପ୍ରାୟ ଚାଳିଶ ବର୍ଷ ତଳେ ମୁନାଭାଈ ତାଙ୍କର ପୌରାଧ୍ୟକ୍ଷ ହେବାର ପ୍ରଥମ ପାଳିରେ ଲୋକାର୍ପିତ କରିଥିବା କାନ୍ତକବିଙ୍କ ପ୍ରତିମୂର୍ତ୍ତି ହିଁ ହେଉଛି ସମଗ୍ର ଓଡ଼ିଶାରେ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠିତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପ୍ରଥମ ପ୍ରତିମୂର୍ତ୍ତି । ଅବଶ୍ୟ ପରବର୍ତ୍ତୀ ସମୟରେ ରାଜଧାନୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ଇତିମଧ୍ୟରେ ସ୍ଥାପିତ ହୋଇ ସାରିଛି । ତେବେ କାନ୍ତକବିଙ୍କ ନିଜ ସହର ଭଦ୍ରକରେ ତାଙ୍କର ପ୍ରଥମ ପ୍ରତିମୂର୍ତ୍ତି ଲୋକାର୍ପଣ କରିବା ଭଳି ବିରଳ ସୌଭାଗ୍ୟର ଅଧିକାରୀ ହୋଇ ପାରିଥିଲେ ମୁନାଭାଈ, ଯାହାକି ମୁନା ଭାଈଙ୍କୁ ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ନିଶ୍ଚିତ ସ୍ମରଣୀୟ କରି ରଖିବ ।

କାନ୍ତକବିଙ୍କର ଏହି ପ୍ରତିମୂର୍ତ୍ତି ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ମୁଁ ଗତବର୍ଷ ୨୦୨୩ ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଦିନ ମୁନା ଭାଈଙ୍କୁ ଫୋନ କରିଥିଲି । ସେ ମୋତେ ଦର୍ଶାଇଥିଲେ ଯେ, ଉକ୍ତ ପ୍ରତିମୂର୍ତ୍ତି ତିଆରି ପାଇଁ ସଂସୃତି ବିଭାଗ ଛଅ ହଜାର ଟଙ୍କାର ଅନୁଦାନ ଭଦ୍ରକ ପୌରସଂସ୍ଥାକୁ ପ୍ରଦାନ କରିଥିଲା । ସେହି ଅର୍ଥରାଶିରେ ଆଗରପଡ଼ା ଅଞ୍ଚଳର ଜଣେ ନବାଗତ ସ୍ଥପତିଙ୍କ ଦ୍ୱାରା ପ୍ରତିମୂର୍ତ୍ତିଟି ଗଢ଼ାଯାଇଥିଲା । ତେବେ ପ୍ରତିମୂର୍ତ୍ତିଟି ସ୍ଥାପନ ପାଇଁ ଆବଶ୍ୟକ ପେଡେଷ୍ଟାଲ ଓ ଚତୁଃର୍ପାଶ୍ୱସ୍ଥ ତାରବାଡ ପ୍ରଭୃତି କାର୍ଯ୍ୟ ପୌରସଂସ୍ଥା ଦ୍ୱାରା ସଂପାଦିତ ହୋଇଥିଲା । ତେବେ କେଉଁ ତାରିଖରେ ପ୍ରତିମୂର୍ତ୍ତିଟି ଲୋକାର୍ପିତ ହୋଇଥିଲା, ତାହା ସେ ମ୍ୟୁନିସିପାଲଟି ରେକର୍ଡରୁ ଦେଖି କହିବେ ଏବଂ ପୌରସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏହି କାର୍ଯ୍ୟ ସଂପନ୍ନ ହୋଇ ଥିଲାବୋଲି ସେ ଜଣାଇଥିଲେ ।

ମୁଁ ପରିବାର ସହ ଭୁବନେଶ୍ୱରରେ ଅବସ୍ଥାନ କରିବା ପରେ ମୁନା ଭାଈଙ୍କ ସହିତ ମୋର ସାକ୍ଷାତ ଆଲୋଚନା ଅବଶ୍ୟ ସଂକୁଚିତ ହୋଇ ଯାଇଥିଲା । ତେବେ ଏହି ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଭିତରେ ଆମେ ପରସ୍ପର ସହିତ ଟେଲିଫୋନ ବାର୍ତ୍ତାଳାପ ଜାରି ରଖିଥିଲୁ । ବିଶେଷକରି ସେ ମୋର ଟିଭି ଆଲୋଚନାର ଅନ୍ୟତମ ପ୍ରଶଂସକ ଥିଲେ । ବିଭିନ୍ନ ରାଜନୈତିକ ଘଟଣାବଳୀର ଆଲୋଚନା ସମୟରେ ସେ ମୋର ନିରପେକ୍ଷ ଓ ମାର୍ଜିତ ବକ୍ତବ୍ୟ ଉପସ୍ଥାପନା ଶୈଳୀକୁ ବେଶ ପସନ୍ଦ କରୁଥିଲେ । ମାତ୍ର ବର୍ତ୍ତମାନର ଟିଭି ଆଲୋଚନାରେ ପୂର୍ବଭଳି ଅଧିକ ପରିମାଣରେ କାହିଁକି ଭାଗ ନେଉ ନାହିଁ ବୋଲି ମୋତେ ପ୍ରଶ୍ନ କରୁଥିଲେ । ପ୍ରତ୍ୟୁତ୍ତରରେ ମୁଁ କେବଳ ଏତିକି କହୁଥିଲି ଯେ, ଟିଭି ଆଲୋଚନାରେ ସ୍ୱାଧୀନ, ନିରପେକ୍ଷ ବା ନିଷ୍ପକ୍ଷ ବକ୍ତବ୍ୟ ଉପସ୍ଥାପନର ସୁଯୋଗ ହ୍ରାସ ପାଇଛି । ଏଭଳି ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ସ୍ମୃତି ଆଜି ମନରେ ଉଙ୍କି ମାରୁଛି ।

ମୁନା ଭାଈଙ୍କ ଗମ୍ଭୀର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ମୁଁ ଆଦୌ ଅବଗତ ନଥିଲି । ତେଣୁ ତାଙ୍କ ଦେହାନ୍ତ ଖବର ହଠାତ୍ ମୋର ସାନଭାଇ ଗୋପୀକଲ୍ୟାଣ, ଉମାକଲ୍ୟାଣ ଓ ବଡ଼ ଭଉଣୀ କାନ୍ତା (ମୁନା ଭାଈଙ୍କ ବଡ଼ ଭାଉଜ)ଙ୍କ ଠାରୁ ପାଇବା ପରେ ମୁଁ ସ୍ତବ୍ଧ ହୋଇ ଯାଇଥିଲି । ଦଶ ବର୍ଷ ଧରି ଭଦ୍ରକ ପୌରସଂସ୍ଥାର ଅଧ୍ୟକ୍ଷ ମୁନା ଭାଈଙ୍କ ନିରହଂକାର ଚେହେରା ମୋ ସ୍ମୃତିରେ ଝଲସି ଉଠିଥିଲା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି । ତାଙ୍କର ଅମର ଆତ୍ମା ମୋକ୍ଷପ୍ରାପ୍ତି ହେଉ ବୋଲି ଈଶ୍ୱରଙ୍କ ଠାରେ ପ୍ରାର୍ଥନା ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.