ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୯ ଜୁନ୍ ୨୦୨୩
ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ନଗଡ଼ା ନିକଟରେ ଥିବା ତୁମୁଣୀ ଗାଁର ବାସିନ୍ଦା ମାନେ ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ କାହିଁକି ବୋଲି ଜାଣିବାକୁ ଚାହିଁଛନ୍ତି ଓଡ଼ିଶା ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଯାଜପୁର ଜିଲ୍ଲାପାଳ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମେତ ଅନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏପରିକି ତୁମୁଣୀ ଯାଇ ତୁରନ୍ତ ସ୍ଥିତି ଅନୁଧ୍ୟାନ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ତୁମୁଣି ଏଭଳି ଏକ ଗାଁ, ଯେଉଁଠି କିଛି ଜନଜାତିର ଲୋକମାନେ ବସବାସ କରନ୍ତି । ଯାହାକି ପୂର୍ବରୁ ଅପପୃଷ୍ଟିର ଶିକାର ହୋଇ ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ନଗଡ଼ା ର ନିକଟରେ ଅବସ୍ଥିତ । ପାଠ ପଢିବା ପାଇଁ ଏହି ଗାଁର ପିଲାମାନଙ୍କୁ ବହୁ ଦୁରକୁ ଯିବାକୁ ପଡ଼େ, ଏଣୁ ଏଠାରେ ସାକ୍ଷରତା ହାର ମଧ୍ୟ କମ ରହିଛି । ସ୍ୱାସ୍ଥ୍ୟ ସେବା ପାଇଁ ପାଖାପାଖି ୧୫ କିଲୋମିଟର ଦୂରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି ଗାଁର ବାସିନ୍ଦା ମାନେ ନିର୍ଭରଶୀଳ । ପାନୀୟ ଜଳର ମଧ୍ୟ ଅଭାବ ରହିଛି ଏହି ଗାଁରେ । ଏପରିକି ଏହି ଗାଁର ମହିଳା ଓ ଶିଶୁ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଠିକ ଭାବେ ଚାଲୁ ନାହିଁ । ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଥିବାରୁ ଗ୍ରାମବାସୀ ବହୁ ସମୟରେ ଅନ୍ଧାରରେ ରହୁଛନ୍ତି । କାମ କରି ପେଟ ପୋଷୁଥିବା ବହୁ ଲୋକଙ୍କ ପାଖରେ ନିଜର ଶ୍ରମ କାର୍ଡ଼ ମଧ୍ୟ ନାହିଁ । ଏକ ପ୍ରକାର ଏହି ଗାଁ ଟି ସରକାରଙ୍କ ଦ୍ୱାରା ଯୋଗାଯାଉଥିବା ସମସ୍ତ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ବୋଲି ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରିଥିବା ଆବେଦନକାରୀ ଦର୍ଶାଇଛନ୍ତି ।
ଯାଜପୁର ଭଳି ଏକ ବିକାଶ ସମୃଦ୍ଧ ଜିଲ୍ଲା ତଥା ଉପକୂଳ ଓଡ଼ିଶାର ଆଗୁଆ ଜିଲ୍ଲାରେ ଏଭଳି ଅଭାବନୀୟ ସ୍ଥିତି କାହିଁକି ? ଅପପୃଷ୍ଟିର ଗାଁ ଭାବେ ନଗଡ଼ା ସରକାରଙ୍କ ନଜରକୁ ଆସିବା ପରେ, ନିକଟରେ ଥିବା ଏହି ତୁମୁଣୀ ଗାଁ ଉପରେ ଜିଲ୍ଲା ପ୍ରଶାସନର ନଜର ପଡ଼ିଲା ନାହିଁ କିପରି ? ଆଗୁଆ ଓ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଯଦି ସାଧାରଣ ମୌଳିକ ସୁବିଧା ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି ତେବେ ପଛୁଆ ଜିଲ୍ଲାର ଗାଁ ଗୁଡ଼ିକର ଅବସ୍ଥା କ’ଣ ହୋଇଥିବ ? କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଲୋକାଭିମୁଖୀ ଯୋଜନା ଏହି ଗାଁରେ ପହଞ୍ଚିବାରେ ଅସୁବିଧା ରହିଲା କେଉଁଠି ? ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ନଜର ଆଢ଼ୁଆଳରେ ଏପରି ଗାଁ ରହିବାର କାରଣ କ’ଣ ? ମୋ ସରକାର ଲୋକଙ୍କ ଘରେ ପ୍ରଶାସନକୁ ପହଞ୍ଚାଇବାର ବନ୍ଦୋବସ୍ତ କରିଥିବା ବେଳେ ତୁମୁଣୀ ଜନସାଧାରଣ ପ୍ରଶାସନ ପାଇଁ ଅପହଞ୍ଚ ହୋଇଗଲେ କିପରି ? ପରିଶେଷରେ ନୂଆ ଓଡ଼ିଶାର ପରିଚୟ କ’ଣ ହେବ ? ନଗଡ଼ା ଠାରୁ ଆରମ୍ଭ କରି ତୁମୁଣୀ ପର୍ଯ୍ୟନ୍ତ ଗାଁ କ’ଣ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ନୂଆ ପରିଚୟ ହୋଇପାରିବ କି?