ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୧୬ ଜୁଲାଇ ୨୦୨୬
ଓଡ଼ିଶା ର ସର୍ବ ବୃହତ ଧାର୍ମିକ ଉତ୍ସବ ହେଉଛି ରଥଯାତ୍ରା। ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରେ ପ୍ରତିବର୍ଷ ପୁରୀ ଠାରେ ଅନୁଷ୍ଠିତ ହୋଇଥାଏ। କୋଟି-କୋଟି ଓଡ଼ିଆଙ୍କର ତଥା ହିନ୍ଦୁମାନଙ୍କର ଆରାଧ୍ୟ ଦାରୁବ୍ରହ୍ମ ଜଗନ୍ନାଥ ନିଜର ଭକ୍ତମାନଙ୍କୁ ଅତି ନିକଟରୁ ଦର୍ଶନ ଦେବା ପାଇଁ ରଥରେ ବଡ଼ଦାଣ୍ଡ କୁ ପହଣ୍ଡି ବିଜେ କରି ଥାଆନ୍ତି। ଜଗନ୍ନାଥ ଏକୁଟିଆ ଆସି ନଥାନ୍ତି, ସାଙ୍ଗରେ ତାଙ୍କର ଭାଇ ବଳଦେବ ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ କରି ଆସି ଥାଆନ୍ତି। ଯେଉଁ ରଥ ରେ ଜଗନ୍ନାଥ ବିଜେ କରିଥାଆନ୍ତି ତାହାର ନାମ ହେଲା ନନ୍ଦିଘୋଷ, ବଳଦେବଙ୍କ ରଥର ନାମ ହେଲା ତାଳଧ୍ୱଜ, ସୁଭଦ୍ରାଙ୍କ ରଥର ନାମ ହେଲା ଦର୍ପଦଳନ। ରଥଯାତ୍ରା ଦିନ ଜଗନ୍ନାଥଙ୍କର ହଜାର-ହଜାର ସେବକ ତଥା ଲକ୍ଷ-ଲକ୍ଷ ଭକ୍ତଙ୍କର ଗହଣରେ ରଥ, ପଥ ସବୁ ଏକାକାର ହୋଇ ଯାଇଥାଏ। ବଡ଼ଦାଣ୍ଡର ଜନସମୁଦ୍ର, ହରିବୋଲ, ହୁଳହୁଳି, ନାମ ସଙ୍କିର୍ତ୍ତନ, ଧାରାବିବରଣୀ, ଭକ୍ତମାନଙ୍କର ଦର୍ଶନ ପାଇଁ ଉତ୍କଣ୍ଠା, ଭାବୁକ ଭକ୍ତଙ୍କର ଲୋତକବର୍ଷଣ ଆଦିକୁ ଦେଖିଲେ ଯେକୌଣସି ସହୃଦୟ ଦର୍ଶକର ଆତ୍ମା ଯେ ଆଧ୍ୟାତ୍ମିକତାର ରସରେ ଡ଼ୁବିଯିବ, ଏଥିରେ ସନ୍ଦେହ ନାହିଁ।
ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରେ ମୋଟ 832 ଖଣ୍ଡ କାଠ ଲାଗିଥାଏ ତଥା ଏହାର ଉଚ୍ଚତା ହେଉଛି 45 ଫୁଟ। ଏଥିରେ ପାର୍ଶଦେବତା ଭାବେ ନରସିଂହ, ରାମ, କୃଷ୍ଣ, ଗୋବର୍ଦ୍ଧନ, ହନୁମାନ, ବାସୁଦେବ, ରୂପନାରାୟଣ, ବରାହ, ଏବଂ ଶଙ୍କର୍ଷଣ ପୂଜା ପାଆନ୍ତି। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଶଙ୍ଖ, ଶ୍ୱେତ, ବଳାହକ, ହରିଦ୍ୱାଶ ଏବଂ ସାରଥି ଙ୍କ ନାମ ହେଲା ଦାରୁକ। ରଥ ଦଉଡ଼ି ର ନାମ ହେଲା ଶଙ୍ଖଚୂଢ଼। ବଳଦେବଙ୍କ ରଥ ତାଳଧ୍ୱଜରେ ମୋଟ 763 ଖଣ୍ଡ କାଠ ଲାଗିଥାଏ ଏବଂ ଏହାର ଉଚ୍ଚତା ହେଉଛି 32 ହାତ 10 ଆଙ୍ଗୁଳି। ପାଶ୍ୱ ଦେବତା ଭାବରେ ପ୍ରଣମାରୀ, ଗଦାନ୍ତକାରୀ, ହରିହର, ତ୍ରୈମ୍ବୁକ, ବାସୁଦେବ, ନାଚାମ୍ବର, ଅଘୋର, ତ୍ରିପୁରାରୀ, ଶିବ ଆଦି ପୂଜା ପାଆନ୍ତି। ଏହି ରଥର ସାରଥି ହେଲେ ମାତଳୀ ତଥା ଅଶ୍ୱମାନେ ହେଲେ ତୀବ୍ର, ଘୋର, ଦୀର୍ଘ, ଶ୍ରମ, ସ୍ୱର୍ଣନାଭ ତଥା ରଥର ଦଉଡ଼ି ର ନାମ ହେଲା ବାସୁକୀ। ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନର ଘୋଡ଼ାମାନଙ୍କ ନାମ ହେଲା ରୋଚିକା, ମୋଚିକା, ଜିତା, ଅପରାଜିତା। ଏହାଙ୍କ ସାରଥି ଙ୍କ ନାମ ଅର୍ଜୁନ ତଥା ଦଉଡ଼ି ର ନାମ ସ୍ୱର୍ଣଚୂଡ଼ ଅଟେ। ଏହି ରଥରେ ମୋଟ 711ଖଣ୍ଡ କାଠ ଲାଗିଥାଏ ଏବଂ ଏହାର ଉଚ୍ଚତା ହେଉଛି 44’ 06”। ପାର୍ଶ୍ୱଦେବତାମାନେ ହେଲେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ଶୂଳିନୀ, ଶ୍ୟାମାକାଳୀ, ମଙ୍ଗଳା, ବିଜୟା, ରୁଦ୍ରାଣୀ।
ସ୍କନ୍ଧ ପୁରାଣ, ପଦ୍ମ ପୁରାଣ, ତଥା ବ୍ରହ୍ମ ପୁରାଣରେ ଜଗନ୍ନାଥଙ୍କର ରଥଯାତ୍ରା ସମ୍ପର୍କରେ ବହୁ ତଥ୍ୟ ଜାଣିବାକୁ ମିଳିଥାଏ। ରଥଯାତ୍ରାର ସବିଶେଷ ବିଧି, ମାହାତ୍ମ୍ୟ ଓ ଆଚାରର ସର୍ବାଧିକ ବିସ୍ତୃତ ବର୍ଣନା ସ୍କନ୍ଧ ପୁରାଣର ଉତ୍କଳଖଣ୍ଡରେ ମିଳେ। ଏହି ପୁରାଣ ଅନୁସାରେ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ବରଂ ଭଗବାନଙ୍କ ସର୍ବସାଧାରଣମାନଙ୍କ ମଧ୍ୟକୁ ଆସି କୃପା ବର୍ଷା କରିବାର ଲୀଳା ଭାବରେ ବର୍ଣନା କରାଯାଇଛି। ରାଜା ଇଦ୍ରଦ୍ୟୁମ୍ନ ଭଗବାନ ବିଷ୍ଣୁଙ୍କ ଆଦେଶରେ ନୀଳାଚଳରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ। ପ୍ରତିଷ୍ଠା ପରେ ଭଗବାନ ରାଜାଙ୍କୁ କହିଥିଲେ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ତାଙ୍କୁ, ବଳଭଦ୍ର, ସୁଭଦ୍ରାଙ୍କୁ ରଥରେ ବସାଇ ଗୁଣ୍ଡିଚା ମନ୍ଦିରକୁ ନେବାକୁ। ପୁନଶ୍ଚ ତାଙ୍କର ସନ୍ଦେଶ ଥିଲା ଯେ ଯେଉଁମାନେ ଶ୍ରଦ୍ଧାର ସହିତ ରଥ ଟାଣିବେ, ରଥଯାତ୍ରା ଦେଖିବେ, ତାଙ୍କୁ ଦର୍ଶନ କରିବେ, ତାଙ୍କ ନାମକୁ ଜପ କରିବେ ସେମାନେ ଅଶ୍ୱମେଧ ଯଜ୍ଞ ଭଳି ମହାପୂଣ୍ୟ ଲାଭ କରିବେ, ପାପରୁ ମୁକ୍ତ ହୋଇ ମୋକ୍ଷ ପ୍ତାପ୍ତ ହେବେ। ଏହି କାରଣରୁ ରାଜା ଇଦ୍ରଦ୍ୟୁମ୍ନ ରଥଯାତ୍ରାର ଆୟୋଜନ କରିଥିଲେ ବୋଲି ବର୍ଣନା ମିଳେ। ବ୍ରହ୍ମ ପୁରାଣରେ ମୁଖ୍ୟତଃ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ, ରାଜା ଇଦ୍ରଦ୍ୟୁମ୍ନଙ୍କ କାହାଣୀ, ଦାରୁବ୍ରହ୍ମଙ୍କ ଆବିର୍ଭାବ ଏବଂ ଜଗନ୍ନାଥଙ୍କ ପୂଜାର ମହିମା ବର୍ଣିତ ହୋଇଛି। ପଦ୍ମ ପୁରାଣରେ ପୁରୁଷୋତ୍ତମ କ୍ଷେତ୍ର ତଥା ଜଗନ୍ନାଥ ଭକ୍ତିର ମହିମା ଆଦିର ସୁବିସ୍ତୃତ ବର୍ଣନା ମିଳେ ଏବଂ ଏଥିରେ ଉଲ୍ଲେଖ ଅଛି ଯେ ପୁରୁଷୋତ୍ତମ କ୍ଷେତ୍ର ସବୁ ତୀର୍ଥମାନଙ୍କ ଭିତରେ ଶ୍ରେଷ୍ଠ ତୀର୍ଥ ଅଟେ।
ଭକ୍ତ ଏବଂ ଭଗବାନଙ୍କ ସମ୍ପର୍କ ଅତି ନିବିଡ଼ ଅଟେ। କେହି କାହାରିକୁ ଛାଡ଼ି ପାରନ୍ତି ନାହିଁ। କେତେବେଳେ ଭକ୍ତ ଧାଏଁ ଭଗବାନଙ୍କ ପାଖକୁ ତ କେତେବେଳେ ଭଗବାନ ନିଜର ମନ୍ଦିର ଛାଡ଼ି ଚାଲିଆସନ୍ତି ବଡ଼ଦାଣ୍ଡ କୁ ନିଜର ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ପୁଣି କେତେବେଳେ ଭକ୍ତ ଦର୍ଶନ କରିବାକୁ ଆସି ପାରିନି ବୋଲି ଠାକୁର ତା’ର ଆସିବା ଯାଏଁ ବଡ଼ଦାଣ୍ଡରେ ରଥ ଉପରେ ଅପେକ୍ଷା କରନ୍ତି। ମୁସଲମାନ ଭକ୍ତ ଶାଲବେଗ ଙ୍କ ଆସିବା ଯାଏ ଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ନ ଚାଲିବା, ଏହାର ପ୍ରକୃଷ୍ଠ ଉଦାହରଣ ଅଟେ। ପୁନଶ୍ଚ ଦାସିଆ ବାଉରୀ ର ହାତରୁ ବଡ଼ ଦାଣ୍ଡ ର ରଥ ଉପରୁ ଜଗନ୍ନାଥ ନିଜ ଶ୍ରୀହସ୍ତରେ ନଡ଼ିଆ ନେଇଥିବାର ଉଲ୍ଲେଖ ମଧ୍ୟ ମିଳେ। ଜଗନ୍ନାଥଙ୍କ ପାଖରେ ସମସ୍ତେ ସମାନ। ଧନୀ-ଦରିଦ୍ର, ଉଚ୍ଚ- ନୀଚ, ଜାତି-ଅଜାତି, ସୁସ୍ଥ- ଅସୁସ୍ଥ, ଜ୍ଞାନୀ-ମୂର୍ଖ ର ଭେଦ-ଭାବନା ତାଙ୍କ ପାଖରେ ନ ଥାଏ। ସେ ଭକ୍ତର ନିଶ୍ଚଳା ଭକ୍ତି ହିଁ ଚାହାଁନ୍ତି। ଯାହା ପାଖରେ ଏପରି ଭକ୍ତି ଥିବ ଜଗନ୍ନାଥ ତାହାରି ଅଟନ୍ତି। ରଥ ଉପରେ ତାଙ୍କ ଦର୍ଶନ ମାତ୍ରକେ ସମସ୍ତ ପାପ ନଷ୍ଟ ହୋଇଯାଇଥାଏ ବୋଲି ଶାସ୍ତ୍ରୀୟ ପ୍ରମାଣ ମିଳେ –
“रथारूढ़ं जगन्नाथं यः पश्यति नरः सदा।
सर्वपापविनिर्मुक्तो विष्णुलोकं स गच्छति।“
ଯେଉଁ ଭକ୍ତ ରଥରେ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରନ୍ତି, ତାଙ୍କର ସମସ୍ତ ପାପ ମୁକ୍ତ ହୋଇଯାଏ ଏବଂ ସେ ବିଷ୍ଣୁଲୋକ କୁ ପ୍ରାପ୍ତ ହୁଅନ୍ତି।
ରଥଯାତ୍ରାରେ ଜଗନ୍ନାଥ ନିଜର ଭକ୍ତମାନଙ୍କ ଉପରେ ଅନୁଗ୍ରହ ର ବର୍ଷା କରନ୍ତି ବୋଲି ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ‘ଜଗନ୍ନାଥ ଅଷ୍ଟକମ୍’ ସ୍ତୋତ୍ର ରେ କହିଛନ୍ତି –
“रथारूढ़ो गच्छन्पथि
मिलितभूदेवपटलैः
स्तुति प्रादुर्भावं प्रतिपदमुपाकर्ण्य
सदयः।
दयासिन्धुर्बन्धुः सकल जगतां
सिन्धुसुतया
जगन्नाथः स्वामी नयनपथ गामी भवतु मे।“
ହେ ଆନନ୍ଦସ୍ୱରୂପ ! ରଥଯାତ୍ରା ବେଳେ ରଥ ଉପରେ ବିରାଜମାନ କରି, ଜନସାଧାରଣ, ବ୍ରାହ୍ମଣ, ସନ୍ଥ, ସାଧୁ ଏବଂ ଭକ୍ତମାନଙ୍କର ସ୍ତୁତିବାଚନ ତଥା ମନ୍ତ୍ର ଶୁଣି ଆପଣ ପ୍ରସନ୍ନଚିତ୍ତ ହୋଇ ସେମାନଙ୍କୁ ପ୍ରେମପୂର୍ବକ ଅବଲୋକନ କରନ୍ତି ନାହିଁ ଯେ ସେମାନଙ୍କ ଉପରେ ପ୍ରେମର ବର୍ଷା କରିଥାଆନ୍ତି, ଏପରି ଜଗନ୍ନାଥ ସ୍ୱାମୀ ସାଗରପୁତ୍ରୀ ଲକ୍ଷ୍ମୀଙ୍କ ସହିତ ମୋର ପଥପ୍ରଦର୍ଶକ ହୁଅନ୍ତୁ ଏବଂ ମୋତେ ଶୁଭଦୃଷ୍ଟି ପ୍ରଦାନ କରନ୍ତୁ। ଜଗନ୍ନାଥ ପରମ୍ପରା ରେ ପ୍ରଚଳିତ ଗୋଟିଏ ଶ୍ଲୋକ ରେ କୁହାଯାଇଛି ରଥରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ଆଉ ନ ଥାଏ –
“दोले तु दोलगोविन्द
चापे तु मधुसूदन।
रथे तु वामनं दृष्ट्वा
पुनर्जन्म न विद्यते।“
ଦୋଳଯାତ୍ରାରେ ଦୋଳଗୋବିନ୍ଦଙ୍କ ଦର୍ଶନ, ଚନ୍ଦନଯାତ୍ରାରେ ମଧୁସୂଦନଙ୍କ ଦର୍ଶନ, ଏବଂ ରଥଯାତ୍ରାରେ ବାମନ ରୂପୀ ଜଗନ୍ନାଥଙ୍କର ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ।
ହେ ମହାବାହୁ ! ହେ ଚକାଆଖି ! ତୁମର ସୁନ୍ଦର ସୃଷ୍ଟି ର ରକ୍ଷା ତୁମେ କର। ଜଗତଜନଙ୍କ ହୃଦୟରେ ସ୍ନେହ, ପ୍ରେମ, କରୁଣା, ସେବା, ଦାନ, ତିତିକ୍ଷା, ସମାନତା ଆଦିର ଉଦ୍ରେକ ହଉ। ସଂସାର ସୁଖୀ ହେଉ ଏବଂ ତୁମର ପବିତ୍ର ନାମର ଜପ ସମସ୍ତେ ଆଦରର ସହିତ କରନ୍ତୁ।






