ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୦୬ ଅପ୍ରେଲ ୨୦୨୪
ରାୟ ବାହାଦୁର ନନ୍ଦ କିଶୋର ଦାସ ଓଡ଼ିଆ ଅସ୍ମିତାର ଅଭିଭବକ ତଥା ଜଣେ ଦିଗ୍ ଗଜ ଦିଗ୍ ଦର୍ଶକ ଥିଲେ ବୋଲି ରାଜଧାନୀରେ ପାଳିତ ତାଙ୍କ ୧୩୦ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ଆୟକର କମିଶନର ତଥା ସମାଜ ସେବୀ ଶ୍ରୀ ଶୋଭନ କର ମତ ବ୍ୟକ୍ତ କରିଛନ୍ତି । ବାସ୍ତବରେ ଏଭଳି ଜଣେ ଯୋଗଜନ୍ମା ବ୍ରିଟିଶ୍ ପ୍ରଶାସନରେ ଚାକିରି କରି ମଧ୍ୟ ଓଡ଼ିଆ ଭାଷା ଆନ୍ଦୋଳନ ତଥା ଓଡ଼ିଆ ମାନଙ୍କ ଉତ୍ଥାନ ପାଇଁ ଅହରହ ଉଦ୍ୟମ କରିଥିବା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ କର କହିଥିଲେ ।
ଭୁବନେଶ୍ବର ସ୍ଥିତ ଶରତ କର ଓ ଅନିମା କର ଫାଉଣ୍ଡେସନ ଏବଂ ମାହାଙ୍ଗା ମୈତ୍ରୀ ମଞ୍ଚ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଓଡ଼ିଶା ମାଟିର ଏହି ଦିବଂଗତ ବରପୁତ୍ର ଙ୍କ ସ୍ମୃତି ରକ୍ଷା ଦିଗରେ ଯଥାକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ରାଜଧାନୀ ରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ, ଏକ ପ୍ରମୁଖ ମାର୍ଗ କୁ ନନ୍ଦକିଶୋର ମାର୍ଗ ରେ ନାମିତ କରିବା ଏବଂ ନନ୍ଦ କିଶୋର ଦାସଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପ୍ରକାଶନ ଆଦି ପାଇଁ ଉଦ୍ୟମ କରାଯିବାକୁ ଆହ୍ବାନ ଦେଇଥିଲେ । ଏଥିନେଇ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯିବାକୁ ମଧ୍ୟ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମୂଲ୍ୟ କୁମାର ସ୍ବାଇଁ, ଅଜିତ୍ କୁମାର ସାହୁ, ପ୍ରକାଶ ବେହେରା, ରୁଦ୍ର ନାରାୟଣ ସିଂହ, ଶ୍ରୀକାନ୍ତ ରାଉତ, ବିଚିତ୍ରାନନ୍ଦ ସାହୁ ଓ କାଳିଆ ପ୍ରଧାନ ପ୍ରମୁଖ ମହାନ୍ ଓଡ଼ିଆ ପ୍ରାଣ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ପ୍ରତିଛବି ରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।