ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅପ୍ରେଲ ୨୦୨୫
ବାଉଳି ଆଉ ନକୁଳି। ଭାଇଭଉଣୀ ପିଠୋଉ ବାଟି ଦୁଇଟି କଲେ ଚକୁଳି।
ଏଇଟା ଥିଲା ମୋ ଝିଅର ପ୍ରିୟ ଗୀତ। ସେ ଗାଉଥିଲା ତା ଦରୋଟି ସ୍ୱରରେ ଏମିତି।
“ବାଉନି ଆଉ ନତୁନି। ଦି’ ଭାଇଭଉଣୀ ପିଥଉ ବାତି ଦୁଇତି ତନେ ଚତୁନି।” ଝିଅର ପାଟି ଲାଗୁଥିଲା।
ଝିଅ କଥା ଶୁଣି ପୁଅ ବି କହେ, “ନନା, ସିଏ ଚକୁଲିକୁ ‘ଚତୁନି’ କହୁଛି।” ମୋ ସ୍ତ୍ରୀ ଓ ମୁଁ ହସୁ।
ଶଳା ବି ତଦ୍ରୁପ। ସିଏ ଗୋଟେ କାହାଣୀ ଗଢ଼େ। “ବୁଢ଼ାଟିଏ ଥିଲା। ତା ସ୍ତ୍ରୀ ନଥିଲା। ତା’ର ଗୋଟିଏ ବୋଲି ଝିଅ ଥିଲା। ତା ଦେହ ଖରାପ ହେଲା। ବୁଢ଼ାଟା ମରିଗଲା।”
ଏକଥା ଶୁଣି ଝିଅ କାନ୍ଦେ।
ପୁଅର ପ୍ରିୟ ଗପ ଥିଲା – ଥରେ ଜଣେ ବ୍ରାହ୍ମଣ ଗୁଡ଼ାଏ ସୁନାମୋହର ରଜାଙ୍କ ଠାରୁ ଦାନ ପାଇ ଆସୁଥିଲା। ବାଟରେ ତା ପଛରେ ଦଉଡ଼ିଲା ଗୋଟେ ଭାଲୁ। କେବେ ବ୍ରାହ୍ମଣ ଆଗରେ, କେବେ ଭାଲୁ ଆଗରେ, ଦୁହେଁ ପରସ୍ପର ଗୋଟେ ଗଛ ଚାରିପଟରେ ଦୌଡ଼ାଦୌଡ଼ି ହେଲେ। ସୁଯୋଗ ପାଇ ବ୍ରାହ୍ମଣ ଭାଲୁର ଲାଙ୍ଗୁଡ଼କୁ ଧରିପକେଇଲା। ବ୍ରାହ୍ମଣ ଭାଲୁ ପରସ୍ପର ବୁଲିଲେ। ବ୍ରାହ୍ଣଣର ଲୁଗା ଖସିଗଲା। ପଇସାତକ ବୁଣି ହୋଇଗଲା। ସେତିକିବେଳେ ଆରପଟରୁ ଆଉ ଗୋଟେ ଲୋକ ଆସିଲା।
“ଭାଇ, କ’ଣ କଥା? ତୁମେ ଭାଲୁ ଲାଙ୍ଗୁଡ଼ ଧରି ବୁଲୁଛ କାହିଁକି? ଭାଲୁ ବି ବୁଲୁଛି କାହିଁକି?”, ଲୋକଟି ପଚାରିଲା।
“ଭାଇ, ଦେଖୁନ, ଭାଲୁ କେମିତି ସୁନା ମୋହର ହଗୁଛି।” ଲୋକଟିକୁ ଉତ୍ତର ଦେଲା ବ୍ରାହ୍ମଣ।
ତଳେ ପଡ଼ିଛି ସୁନା ମୋହର ଇତଃସ୍ତତ ହୋଇ। ଲୋକଟି ବ୍ରାହ୍ମଣ କଥାକୁ ବିଶ୍ୱାସ କଲା ଓ କହିଲା – “ଭାଇ, ମତେ ଏଥରକ ଭାଲୁ ଲାଙ୍ଗୁଡ଼ଟି ଦିଅ। ତୁମେ ତ ଏତକ ପାଇଲଣି।”
“ନା, ମୁଁ ଆଉ କିଛି ପାଇବାକୁ ଚାହେଁ।” ବ୍ରାହ୍ମଣ ଉତ୍ତର ଦେଲା।
“ନାଇଁ ଭାଇ, ମତେ ଭାଲୁ ଲାଙ୍ଗୁଡ଼ ଦିଅ।” ଲୋକଟି ଅନୁନୟ ବିନୟ କଲା।
“ହଉ, କହୁଛ ଯଦି ନିଅ।” ଲୋକଟିକୁ ଭାଲୁ ଲାଙ୍ଗୁଡ଼ଟି ଧରେଇ ନିଜ ସୁନା ମୋହରତକ ଗୋଟେଇ ଚାଲିଗଲା ବ୍ରାହ୍ମଣ।
ଲୋକଟି ତା’ପରେ ଭାଲୁ ଲାଙ୍ଗୁଡ଼ ଧରି ବୁଲିଲା। ବୁଲିଚାଲିଲା।
ପୁଅ ବଡ଼ ହେଲା। ମୋ ପିଲାଦିନେ ମୁଁ ଏଇ କାହାଣୀଟି ନନାଙ୍କ ଠାରୁ ଶୁଣିଥିଲି। ପୁଅକୁ କହୁ କହୁ ମୁଁ ବୁଢ଼ା ହେଇଗଲି। ଦୁନିଆରେ ସମସ୍ତେ ଚାଲାକ ବ୍ରାହ୍ମଣ ହେଲେ। ମୁଁ ଚିରକାଳ ଭାଲୁ ଲାଙ୍ଗୁଡ଼ ଧରି ବୁଲିଚାଲିଲି।
ଜୀବନ ଦୁଃଖପୂର୍ଣ୍ଣ, ଦୁଃଖର କାରଣ ଆଶା ବା କାମନା। କାମନାର ବିନାଶରେ ଦୁଃଖର ବିନାଶ। ଉତ୍ତମ, ଲୋଭଶୂନ୍ୟ ଜୀବନଯାପନରେ କାମନାର ବିନାଶ ଓ ନିର୍ବାଣ ପ୍ରାପ୍ତି।
ଭଗବାନ ବୁଦ୍ଧ ଜୀବନର ଏଇ ସତ୍ୟଟି କହିଥିଲେ ଏକଦା। କେତେ ବଡ଼ ସତ୍ୟ ସତରେ! ହେଲେ ମୁଁ କାମନାରୁ ମୁକ୍ତି ଖୋଜି ଖୋଜି କଟକରେ ପହଞ୍ଚିଲି। କଟକରୁ ଉମରକୋଟ, ସେଠୁ ଲକ୍ଷ୍ନୌ, ଦିଲ୍ଲୀ, ଶିଲଂ ହୋଇ ନିର୍ବାଣ ପାଇଁ ଜଗନ୍ନାଥଙ୍କ ପାଖେ ପୁରୀରେ ପହଂଚିଲି।