• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରଚନାତ୍ମକ କାର୍ଯ୍ୟକ୍ରମ ଓ ଗାନ୍ଧିଜୀ

ରଚନାତ୍ମକ କାର୍ଯ୍ୟକ୍ରମ ଓ ଗାନ୍ଧିଜୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୩

ଗାନ୍ଧିଜୀ ସତ୍ୟାଗ୍ରହ ସହିତ ରଚନାତ୍ମକ କାର୍ଯ୍ୟକୁ ସଦାସର୍ବଦା ଅଗ୍ରାଧିକାର ଦେଇ ଆସୁଥିଲେ । ରାଜନୈତିକ ବ୍ୟକ୍ତି ମାନେ ରଚନାତ୍ମକ କାର୍ଯ୍ୟ ପ୍ରତି ଗୁରୁତ୍ୱନଦେବାରୁ ସହକର୍ମୀ ମାନଙ୍କୁ ରଚନାତ୍ମକ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ପରାମର୍ଶ ଦେବା ସହ ଗାନ୍ଧିଜୀ ନିଜକୁ ବି ସେଥିରେ ସଂଶ୍ଲିଷ୍ଟ କରି ରଖିଥିଲେ । ଏହି କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କ ସ୍ୱପ୍ନର ରାମରାଜ୍ୟ ଗଠନ ଉପରେ ପର୍ଯ୍ୟବେସିତ ଥିଲା ଏବଂ ଏହାକୁ ସଂପାଦନ କଲେ ପୂର୍ଣ୍ଣସ୍ୱରାଜ ପ୍ରାପ୍ତି ସମ୍ଭବ ବୋଲି ସେ ଆଶା ପ୍ରକଟ କରିଥିଲେ ।

ଗାନ୍ଧିଜୀ ଭାରତ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ପ୍ରତିଷ୍ଠା କରିଥିବା ଦୁଇ ଆଶ୍ରମ ଫିନିକସ ଆଶ୍ରମ, ଡରବାନ ଓ ଟଲଷ୍ଟୟ ଆଶ୍ରମ, ଜୋହାନସବର୍ଗରେ ଏହାର ସଫଳ ପ୍ରୟୋଗ କରିଥିଲେ । ଏହି ଦୁଇ ଆଶ୍ରମର ଗୋଷ୍ଠୀଗତ ସରଳ ଜୀବନ ଯାପନ ଓ ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରଥମତଃ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟ ତିନୋଟି ଉପାଦାନ ଉପରେ ସୀମିତ ଥିଲା କାଳକ୍ରମେ ଏହା ବୃଦ୍ଧିପାଇ ଅଠରଟି ଉପାଦାନ ହେଲା । ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମକୁ ଭାରତୀୟ ଜାତୀୟ କଂଗ୍ରେସ ଆନୁଷ୍ଠାନିକ ଭାବେ ଗ୍ରହଣ କଲା । ପ୍ୟାରେଲାଲ ଏହି ରଚନାତ୍ମକ କାର୍ଯ୍ୟକ୍ରମ ଦଲିଲକୁ ଗାନ୍ଧିଜୀଙ୍କର ଶେଷଇଚ୍ଛା ବା ଉଇଲ ଭାବେ ଚିତ୍ରଣ କରିଥିଲେ । ଅର୍ଥନୈତିକ କ୍ଷେତ୍ରରେ ଖଦି ଓ କୁଟୀରଶିଳ୍ପ ରଚନାତ୍ମକ କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ ଥିଲା ଓ ବିକେନ୍ଦ୍ରିତ ଅର୍ଥନୀତିର ମୂଳଦୂଆ ପରି ଥିଲା । ଏହାର ଅର୍ନ୍ତନିହିତ ଅର୍ଥ ବିପୁଳ ପରିମାଣ ଉତ୍ପାଦନ ପରିବର୍ତ୍ତେ ବିପୁଳ ସଂଖ୍ୟକ ଲୋକଙ୍କ ଦ୍ୱାରା ଉତ୍ପାଦନ । କୁଟି ଖାଅ, କାଟି ପିନ୍ଧ ନୀତି ଉପରେ ଆଧାରିତ ଥିଲା । ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ଏହା ଥିଲା ଅମୋଘ ଅସ୍ତ୍ର । କର୍ମୀମାନଙ୍କୁ ଗ୍ରାମାଭିମୁଖୀ କରିବା ପାଇଁ ଗାନ୍ଧିଜୀ କହିଥିଲେ – “ଆମ ମନ ଗ୍ରାମାଭିମୁଖୀ ହେଲେ ଆମେ ପାଶ୍ଚାତ୍ୟର ଅନୁକରଣ କରିବାକୁ ଚାହିଁବା ନାହିଁ… ବରଂ ଆମେ ନୂଆ ଭାରତର ସ୍ୱପ୍ନ ସହ ଏକ ସୁସଂହତି ଜାତୀୟ ଅଭିରୁଚି ପ୍ରତିଷ୍ଠା କରିପାରିବା ଯେଉଁଠି ଦାରିଦ୍ର‌୍ୟ ଅନାହାର ଓ ଆଳସ୍ୟ କ’ଣ କେହି ଜାଣିନଥିବେ ।” ଗାନ୍ଧିଜୀଙ୍କ ନ୍ୟାସତତ୍ତ୍ୱରେ ସଂପତ୍ତି ବଣ୍ଟନର ସମାନତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା ଯାହାକି ରଚନାତ୍ମକ କାର୍ଯ୍ୟକ୍ରମର ଏକ ଅବିଛେଦ୍ୟ ଅଙ୍ଗ ଥିଲା । ସାମାଜିକ କ୍ଷେତ୍ରରେ ସାଂପ୍ରଦାୟିକ ଏକତା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୌଣସି ପ୍ରକାର ବର୍ଣ୍ଣ ବୈଷମ୍ୟ, ଜାତିଭେଦ ଓ ଧର୍ମ ବିଦ୍ୱେଷର ଏଥିରେ ସ୍ଥାନ ନଥିଲା । ଏହି କ୍ଷେତ୍ରରେ ମହିଳା ମାନଙ୍କର ବିଶେଷ ଭୂମିକା ଥିଲା । ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ରଚନାତ୍ମକ କାର୍ଯ୍ୟକ୍ରମରେ କୁଷ୍ଠସେବା ପ୍ରମୁଖ କାର୍ଯ୍ୟ ଥିଲା ।

ଏକ ପ୍ରସଙ୍ଗରେ ଗାନ୍ଧିଜୀ କହିଥିଲେ –
“ଭାରତରେ କୁଷ୍ଠରୋଗୀଙ୍କ ଅବସ୍ଥା ଯେମିତି ଆମ ଚତୁର୍ଦ୍ଦିଗକୁ ଚାହିଁଲେ ଆମେ ଜାଣିପାରିବା ଯେ ଆଧୁନିକ ସଭ୍ୟ ଜଗତରେ ଆମମାନଙ୍କ ଅବସ୍ଥା ସେମିତି । ଆମ ଭିତରେ ସବୁଠାରୁ ଡେଙ୍ଗା ଲୋକଟି ପରି କୁଷ୍ଠରୋଗୀ ମଧ୍ୟ ସମାଜର ଏକ ଅଂଶ । କିନ୍ତୁ ଆମ ସମସ୍ତଙ୍କ ଦୃଷ୍ଟି ସେଇ ଡେଙ୍ଗା ଲୋକଟି ଉପରେ ପଡିଥାଏ ଯଦିଓ ତାର ସେଥିରେ କୌଣସି ଭ୍ରୁକ୍ଷେପ ନଥାଏ । ଦୁଃଖର କଥା କୁଷ୍ଠରୋଗୀମାନେ ଆମର ସେବା ଯତ୍ନ ଆବଶ୍ୟକ କରୁଥିବା ବେଳେ ତାଙ୍କ ଭାଗ୍ୟରେ କେବଳ ଆମର ଅବହେଳା ଓ ଉଦାସୀନତା ଲେଖା ହୋଇଥାଏ ।”

ଅସ୍ପୃଶ୍ୟତା ନିବାରଣ ରଚନାତ୍ମକ କାର୍ଯ୍ୟକ୍ରମର ଏକ ବିଶେଷ ଅଂଶ ଥିଲା । ପିଲାବେଳୁ ଗାନ୍ଧିଜୀ ଛୁଆଁ ଅଛୁଆଁ ଭେଦଭାବର ବିରୋଧୀ ଥିଲେ, ତାଙ୍କ ଘରର ପାଇଖାନା ସଫା କରିବାକୁ ଆସୁଥିବା ଉକାଭାଇକୁ ନଛୁଇଁବା ପାଇଁ ମାଆଙ୍କ ନିର୍ଦ୍ଦେଶକୁ ସେ ଅମାନ୍ୟ କରିଥିଲେ । ଲୋକ ଶିକ୍ଷିତ ହେଲେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର ହୋଇ ପାରିବ ବୋଲି ଗାନ୍ଧିଜୀ ଶିକ୍ଷା ଉପରେ ସର୍ବଦା ଗୁରୁତ୍ୱ ଦେଉଥିଲେ । ନୟୀ ତାଲିମ୍ ବା ମୌଳିକ ଶିକ୍ଷା ପ୍ରବର୍ତ୍ତନ ରଚନାତ୍ମକ କାର୍ଯ୍ୟକ୍ରମର ଅନ୍ୟତମ ବିଶେଷତ୍ୱ ଯାହାର ଉଦ୍ଦେଶ୍ୟ ଥିଲା ପିଲାମାନଙ୍କର ଅର୍ନ୍ତନିହିତ ଗୁଣର ବିକାଶ ସାଧନ, ଧନ୍ଦାମୁଳକ ଶିକ୍ଷା ଓ ଗୋଷ୍ଠୀଗତ ଜୀବନରେ ଅଂଶ ଗ୍ରହଣ। ଏହି ଶିକ୍ଷା ଉଭୟ ମନ ଓ ଶରୀରର ବିକାଶ ସାଧନ କରିବାରେ ସହାୟ ହେବ। ମହିଳା ସଶକ୍ତିକରଣ ମଧ୍ୟ ରଚନାତ୍ମକ କାର୍ଯ୍ୟକ୍ରମ ଭିତରେ ସ୍ଥାନ ପାଇଥିଲା । ଗାନ୍ଧୀଙ୍କ ଭାଷାରେ ଏକ ଅହିଂସାଭିତ୍ତିକ ଜୀବନ ଯାପନରେ ନିଜ ନିଜର ଭାଗ୍ୟ ନିର୍ମାଣ ପାଇଁ ପୁରୁଷ ମାନଙ୍କର ଯେତିକି ଅଧିକାର ମହିଳାମାନଙ୍କ ସେତିକି ଅଧିକାର ରହିଛି । ମହିଳାମାନେ ହାତବାରିସି ବା ଭୋଗ୍ୟବସ୍ତୁ ହେବା ଉଚିତ ନୁହେଁ । ଦେଶ ସେବାରେ ସେମାନଙ୍କର ଗଠନମୂଳକ ସହଯୋଗର ଆବଶ୍ୟକତା ସବୁବେଳେ ରହିଛି । ଶିକ୍ଷା କ୍ଷେତ୍ରରେ ନୟୀ ତାଲିମ, ନାରୀ ଶିକ୍ଷା, ପ୍ରୌଢ ଶିକ୍ଷା, ପରିଷ୍କାର ପରିଚ୍ଛନ୍ନତା ଓ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା, ପ୍ରାଦେଶିକ ଓ ଜାତୀୟଭାଷା ଶିକ୍ଷାର ପ୍ରଚଳନ ଉପରେ ଗାନ୍ଧିଜୀ ବିଶେଷ ଧ୍ୟାନ ଦେଉଥିଲେ ।

ଅସ୍ପୃଶ୍ୟତା ନିବାରଣ, ଗୋ-ସେବା, ଗ୍ରାମ ସଫେଇ ଓ ନିଶା ନିବାରଣ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଥିଲା। ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଦେଶବ୍ୟାପୀ ମଦ, ଗଞ୍ଜେଇ, ଅଫିମ ଦୋକାନ ଆଗରେ କର୍ମୀମାନେ ପିକେଟିଂ କରି ଲୋକଙ୍କୁ ନିଶାଦ୍ରବ୍ୟ ସେବନ ନକରିବା ପାଇଁ ଅନୁରୋଧ କରିବା ସହ ଅନେକ ପରିମାଣରେ ସଫଳତା ହାସଲ କରିଥିଲେ । ଏହା ଏକ ନୈତିକ କାର୍ଯ୍ୟକ୍ରମ ଥିଲା । ରଚନାତ୍ମକ କାର୍ଯ୍ୟକ୍ରମ ଲୋକଶକ୍ତିକୁ ସୁଦୃଢ କରିବା ସହ ଶିକ୍ଷିତ ଓ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବାରେ ସହାୟକ ହୋଇପାରିଥିଲା । ଆଦିବାସୀମାନଙ୍କ ସେବା ରଚନାତ୍ମକ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଥିଲା ।

ରଚନାତ୍ମକ କାର୍ଯ୍ୟକ୍ରମ ହେଉଛି ସତ୍ୟ ଓ ଅହିଂସା ମାର୍ଗରେ ସ୍ୱରାଜ ଅର୍ଜନ । ଗାନ୍ଧିଜୀଙ୍କର ନିର୍ଦ୍ଧାରିତ ଅଠର ପ୍ରକାର ରଚନାତ୍ମକ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ସାଂପ୍ରଦାୟିକ ଏକତା, ମୌଳିକ ଶିକ୍ଷା, ପ୍ରୌଢ ଶିକ୍ଷା, ନାରୀ ଅଧିକାର, ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଦେଶିକ ଭାଷା ଓ ରାଷ୍ଟ୍ରଭାଷାର ବିକାଶ, ଆର୍ଥିକ ସମାନତା, କୃଷକ ଓ ଶ୍ରମିକ ଶ୍ରେଣୀର ଉନ୍ନତି, ଆଦିବାସୀ ସେବା, ରୋଗୀ ସେବା, ଛାତ୍ର ମାନଙ୍କ ମନରେ ସ୍ୱଦେଶୀ ଭାବନା ଜାଗ୍ରତ । ଗାନ୍ଧିଜୀଙ୍କ ବିଚାରଥିଲା କର୍ମୀ ମାନେ ଗାଁଲୋକଙ୍କ ପରି କାମ କରିବେ ଓ ଅହିଂସା ଉପାୟରେ ସବୁ ସମସ୍ୟାର ସମାଧାନ କରିବେ । ଓଡିଶାରେ ମଧ୍ୟ ଖଦୀକାମ, ହରିଜନ ସେବା, ନାରୀ ଜାଗରଣ, ପ୍ରାଦେଶିକ ଭାଷା ଓ ରାଷ୍ଟ୍ରଭାଷା ପ୍ରଚାର, ମୌଳିକ ଶିକ୍ଷା, ପ୍ରୌଢ ଶିକ୍ଷା, ଗୋସେବା, ମହୁମାଛି ପାଳନ, ଖଜୁରୀ ଗୁଡ ତିଆରି, ଚମଡା କଷ କରିବା, ଉନ୍ନତ ଧରଣର ଫସଲ ଓ ରୋଗୀ ସେବା ଆଦି ରଚନାତ୍ମକ କାର୍ଯ୍ୟ ଚାଲିଲା । ଏହି କାର୍ଯ୍ୟରେ ପୁରୁଷ କର୍ମୀଙ୍କ ସହ ଶହଶହ ମହିଳା କର୍ମୀ ଆଗଭର ହୋଇ ପୂର୍ଣ୍ଣ ପ୍ରାଣରେ ଲାଗିପଡିଲେ । ୧୯୪୭ରେ ସ୍ୱରାଜ ଆସିଲା ସତ କିନ୍ତୁ ଏହା ଗାନ୍ଧିଜୀଙ୍କ ପରିକଳ୍ପନାର ସ୍ୱରାଜ ନଥିଲା । ଏଥିପାଇଁ ପ୍ରତ୍ୟେକ ସଚେତନ ନାଗରିକଙ୍କଠୁ ଆରମ୍ଭ କରି ଆବାଳବୃଦ୍ଧବନିତାଙ୍କ ପର୍ଯ୍ୟନ୍ତ ସମସ୍ତେ ସତ୍ୟ ଓ ଅହିଂସା ନୀତିକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ। ମହାତ୍ମା ଗାନ୍ଧୀଙ୍କ ଚିନ୍ତା, ଚେତନା, ବିଚାର ଓ କାର୍ଯ୍ୟକ୍ରମର ଫଳ ନିଶ୍ଚୟ ଦିନେ ନା ଦିନେ ମିଳିବ ଏଥିରେ ସନ୍ଦେହର ଅବକାଶ ନାହିଁ। ଉତ୍କଳମଣି ଗାନ୍ଧୀ ବିଚାର ଓ ତତ୍ତ୍ୱକୁ ଲକ୍ଷ୍ୟ କରି ଲେଖିଥିଲେ – ‘ମହାତ୍ମା ଭାଷଣ ମହାତ୍ମା କଷଣ ଜଗତେ ନଯାଏ କେବେ ଅକାରଣ’ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.