ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଅଗଷ୍ଟ ୨୦୨୪
ରମାବୋଉ- ଘରେ ଅଛ ?
ମଧ୍ୟବୟସ୍କା ସ୍ତ୍ରୀ ଲୋକ ଜଣେ ଲଂଠନ ନେଇ ଆସିଲେ । ଆମେ କୋଠା ଘରଟିର ତଳେ ଅଂଧାରରେ ଠିଆ ହୋଇଥାଉ ! ମା, ବଡ଼ କକେଇ, ନାନୀ, ନନା ଓ ମୁଁ ।
ସେ ଆମକୁ ଘରର ଚାବି ଖୋଲି ପଛପଟେ ନେଲେ । ଆଗରେ ଘରର ବାଲିକୁଦରେ ଦୁଆର ପୋତି ହୋଇ ରହିଥାଏ । ପରଦିନ ସକାଳୁ ମୁଁ ସାମ୍ନାରେ କୁଦ ଉପରକୁ ଚଢ଼ି ସମୁଦ୍ରକୁ ଦେଖିଲି । ଏତେ ପାଖରେ ସମୁଦ୍ର… । ସେ ମୋର ପ୍ରଥମ ସମୁଦ୍ର ଅନୁଭବ ।
ଏବେ ମନେପକାଉଛି- ସେ ଥିଲା ୧୯୬୪ ମସିହା ।
ଧୀରେ ଧୀରେ ରମାବୋଉଂକ ପରିବାର ସହ ଆମର ପରିଚୟ ହେଲା । ତାଂକ ସ୍ୱାମୀ ହଟ ଦାସ ରହନ୍ତି ଭୁବନେଶ୍ୱରରେ । ପୁଅ ରାଜୁଭାଇ ବି ବିଦ୍ୟୁତ ବିଭାଗରେ ଭୁବନେଶ୍ଵରରେ ଥିଲେ । ଅନ୍ୟ ପୁଅ ରବିଭାଇ ମୋ’ଠୁ ବର୍ଷେ ବଡ଼ ଥିଲା । ସେ ବି ଭୁବନେଶ୍ଵରରେ ରାଜୁଭାଇଙ୍କ ପାଖେ ରହି ପଢୁଥିଲା ।
ରମାବୋଉଂକ ଦୁଇ ଝିଅ ଓ ଦୁଇ ଭଉଣି ସେଇଠି ଥିଲେ । ସେମାନଙ୍କ ସହ ଆମେ ମିଶିଗଲୁ । ଜଣେ ଝିଅ ସ୍ଵାମୀଠୁ ଅଲଗା ଥିଲେ । ଅନ୍ୟ ଝିଅ ରମାନାନୀ ଆମଠୁ ଟିକେ ବଡ଼ ଥିଲେ । ଅନ୍ୟ ଭଉଣିମାନଂକ ପିଲାମାନେ ରେବନାନୀ, ଟୁନି, ଫୁନାବାସୀ, ଭାଇ ପ୍ରଫୁଲ୍ଲ, ପ୍ରମୋଦ ସମସ୍ତେ ଆମ ପାଖାପାଖି ବୟସର ଥିଲେ । ନାନୀ ରେବନାନୀ ସହ ମିଶି ଖୁଦୁରୁକୁଣି ଓଷା କରିବା ଆରମ୍ଭ କଲା ।