ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଜୁନ୍ ୨୦୨୩
ସଂସ୍କୃତି ପରିଚାଳନା ଏବେ ସମଗ୍ର ଦେଶରେ ବିପର୍ଯ୍ୟସ୍ତ। ଚିତ୍ତ ଭାଇଙ୍କ ଭଳି ନିର୍ଭୀକ ସାହିତ୍ୟ ପ୍ରାଣ ସୃଜନଶିଳ୍ପୀ ଏବେ ବିରଳ । ସଂସ୍କୃତି ପରିଚାଳନା ସରକାରୀ ପ୍ରଭାବରେ ବିପଣନର ବସ୍ତୁ ହୋଇପଡ଼ିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଏବେ ସରକାରଙ୍କ ଖେଳନା। ରାଜନୈତିକ ପ୍ରଭାବରେ ସେମାନେ ସାହିତ୍ୟିକ କାର୍ଯ୍ୟକ୍ରମମାନ କରୁଛନ୍ତି। ସେମାନଙ୍କ କର୍ମକର୍ତ୍ତାମାନେ ମଧ୍ୟ ଶାସକ ଦଳର ଗୋଲାମ୍ ।
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଜାତୀୟ ଓ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ କାମ କରୁଛି। ମାତ୍ର ଏହି ଅନୁଷ୍ଠାନ ର କର୍ମକର୍ତ୍ତାମାନେ ନିଜ ଲକ୍ଷ୍ୟ ଓ ଉଦ୍ଦେଶ୍ଯ କ’ଣ ହେବା ଉଚିତ ଜାଣନ୍ତି ନାହିଁ। ଫଳତଃ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମ କେବଳ ବହିକିଣା କମିଶନି ପୁରୁଣା ବହିର ଘରୋଇ ପ୍ରେସମାନଙ୍କରେ ପୁନଃ ମୁଦ୍ରଣ, ମୁନାଫା ସଂଗ୍ରହ ଇତ୍ୟାଦି ନ୍ୟସ୍ତ ସ୍ଵାର୍ଥ କାର୍ଯ୍ୟକ୍ରମ ମାନଙ୍କରେ ସୀମିତ । ବହୁ ବର୍ଷ ଧରି ଓଡ଼ିଆ ଭାଷା ପ୍ରତିଷ୍ଠାନର କେହି ନିୟମିତ ନିର୍ଦ୍ଦେଶକ ନାହାନ୍ତି ।
ରାଜ୍ୟ ଜନ ଶିକ୍ଷା ସାଧନ କେନ୍ଦ୍ର ଭୁବନେଶ୍ଵରରେ ଏବେ ସରକାର ବନ୍ଦ କରିଦେଇଛନ୍ତି । ରାୟଗଡ଼ାରେ ଅଗ୍ରଗାମୀ ପରିଚାଳନା ରେ କେନ୍ଦ୍ର ସରକାରୀ ଅନୁଦାନରେ ଚାଲୁଥିବା ରାଜ୍ୟ ଜନ ଶିକ୍ଷା ସାଧନ କେନ୍ଦ୍ର ମଧ୍ୟ ଏବେ ସରକାରୀ ଅନୁଦାନ ଅଭାବରୁ ବନ୍ଦ ହୋଇଯାଇଛି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୈ।ଣସି ଆଗ୍ରହ ନାହିଁ । ପଠନ ପ୍ରବୃତ୍ତି ଓ ପରିଚାଳନା ପାଇଁ ହୋଇଥିବା ଅନୁଷ୍ଠାନ ଗୁଡ଼ିକ ଏବେ ସ୍ଥବିର । ବିଶ୍ଵବିଦ୍ୟାଳୟ ଗୁଡ଼ିକ ମଧ୍ୟ ଏଦିଗରେ ବୀତସ୍ପୃହ । ବେସରକାରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟ କେବଳ ଜୟନ୍ତୀ ପାଳନ କରୁଛନ୍ତି।
ଏହି ପରିସ୍ଥିତିରେ ଚିତ୍ତ ଭାଇଙ୍କ ପରିକଳ୍ପିତ ପଠନ ପ୍ରବୃତ୍ତି ଓ ସଂସ୍କୃତି ପରିଚାଳନା ଧୀରେ ଧୀରେ ମରିଚୀକାରେ ପରିଣତ ହେବାକୁ ବସିଲାଣି । ଶତବାର୍ଷିକୀ ଅବସରରେ ଏଦିଗରେ ଜନସଚେତନତା ସୃଷ୍ଟି କଲେ ଚିତ୍ତଭାଇଙ୍କ ସ୍ଵପ୍ନ ହୁଏତ ସଫଳ ହୋଇପାରିବ ।
ମୂଲ୍ୟାୟନ କରୁଥିବା ଜୁରୀ ମାନେ ନିରପେକ୍ଷ ରହୁଥିଲେ ପୁରସ୍କୃତମାନେ ଆଜି ଏତେ ଲୋକହସା ହେଉନଥାନ୍ତେ। ଲେଖକର ଗୋଟେ ସାମ୍ଭ୍ରାନ୍ତ୍ୟ ଅଛି। ଆପଣା ଢୋଲ ସେ ପିଟେନା କି ପୁରସ୍କାର ପାଇଁ ଦରଖାସ୍ତ, ଦୟାଭିକ୍ଷା ବା ଦୁରାଚାର କରେନା। ସାହିତ୍ୟର ଅସଦ୍ ବ୍ୟବହାର ଏକ ସାରସ୍ୱତ ଅପରାଧ।