ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଜୁଲାଇ ୨୦୨୩
ସକାଳୁ ସକାଳୁ ଦେବୀ ଭାଇନାଙ୍କର ଫୋନ୍ ଆସିଲା । ତାଙ୍କ ଘର ଡାକ ନାଁ ଓ ମୋ ଘର ଡାକ ନାଁ ଗୋଟିଏ ‘ବାବୁ’। ସେ ସୁକାନ୍ତି ନାନୀଙ୍କର ସାନ ଭାଇ । ଦେବୀ ନନ୍ଦ ଏବେ ଶ୍ରୀକ୍ଷେତ୍ର ସଂସ୍କୃତି ଉପରେ ନିୟମିତ ଭାବେ ଲେଖୁଛନ୍ତି ।
ଗଲାକାଲି ଭାଇନାଙ୍କ ସହ କଥା ହେଇଥିଲା । ମଂଗଳାର ଫୋନ୍ ଆସିଲା – ଉମା ପ୍ରସାଦ ମିଶ୍ର ଋଲିଗଲେ । ସେ ଆମ ସୁକାନ୍ତି ନାନୀଙ୍କ ସ୍ଵାମୀ ଉମାପ୍ରସାଦ ମିଶ୍ର ନୁହେ ତ !
ବୁଝୁବୁଝୁ ଯେ ସେଇ ଉମା ଭାଇନା ବା ଉମା ପ୍ରସାଦ ମିଶ୍ର । ଆମଠୁ ସାତ ଆଠ ବର୍ଷ ବଡ଼ ହେବେ । ଦେହ ଗଲା କିଛି ବର୍ଷ ଧରି ଭଲ ନଥୁଲା । ସୁକୁନାନୀ ସଭା ସମିତିକୁ ପ୍ରାୟ ଆସୁନଥିଲେ । ଭାଇନାଂକ କଥା ବୁଝିବାରେ ତାଂକ ସମୟ ବିତିଯାଉଥିଲା । ତାଂକର ଏକମାତ୍ର ଝିଅ ଏବେ ଆମେରିକାରେ ସ୍ଵାମୀ ସହ । ସୁକୁନାନୀ ଏକଦା ଥିଲେ ଶନିବାର ସାହିତ୍ୟ ସଂଧ୍ୟାର ଅନ୍ୟତମ ଅଂଶ ।
ସୁକାନ୍ତି ନନ୍ଦଙ୍କୁ ଚିହ୍ନିବା ଆଗରୁ ମୁଁ ଉମାଭାଇନାଙ୍କୁ ଜାଣିଥିଲି।
୧୯୭୮ ମସିହା । ମୁଁ ସେବେ ସେକେଣ୍ଡ ଇୟରରେ ଥାଏ । ଜରୁରୀ ପରିସ୍ଥିତି ପରେ ପ୍ରଥମ ଥର କଲେଜ ନିର୍ବାଚନ ହେଉଥାଏ । ବ୍ରଜ କିଶୋର ତ୍ରିପାଠୀ ଏମ୍.ଏଲ୍.ଏ ହୋଇଥାନ୍ତି । ଆମେମାନେ ଦେବଦତ୍ତ ସାମନ୍ତସିଂହାରଙ୍କ ନେତୃତ୍ଵରେ ତାଂକ ପାଇଁ ନିର୍ବାଚନ ପ୍ରୟର କରିଥିଲୁ । ସମସ୍ତେ ତାଂକୁ ତାଂକ ଘର ନାଁ ବୁଟୁ ଭାଇନା ନାମରେ ଡାକୁଥାନ୍ତି ।
ମୋର କଲେଜ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା ହେଲା। ମୋ ମନକଥା ବୁଟୁ ଭାଇନାଙ୍କୁ କହିଲି ।
-‘ଦି ଦିନ ପରେ ଉମା ଘରକୁ ଯାଅ । ଗୁଡ଼ିଆ ସାହିର ଉମା ପ୍ରସାଦ ମିଶ୍ର । ତିନିଶ’ ପୁସିଂ କାର୍ଡ ନେଇଯିବ‘। ବୁଟୁ ଭାଇନା କହିଲେ ।
ଦୁଇଦିନ ବିତିଗଲା । ଗୁଡ଼ିଆ ସାହିର ଉମାପ୍ରସାଦ ମିଶ୍ରଙ୍କ ଘରେ ପହଞ୍ଚିଲି ସକାଳୁ ସକାଳୁ । ଛୋଟିଆ ଚାଳଘରଟିଏ । ଉମାପ୍ରସାଦ ମିଶ୍ର ପିଣ୍ଡାରେ ବସିଥାନ୍ତି । ଦେଖାହେବାରୁ ଜାଣିଲି ବୁଟୁ ଭାଇନାଙ୍କ ନିର୍ବାଚନ ପ୍ରଚାର ବେଳେ ଆମର ଦେଖା ହୋଇଛି । ନାଟୁ (ପ୍ରଦୀପ) ମହାରଥୀ ଓ ସେ ଦେବଦତ୍ତ ଭାଇଙ୍କ ଘରକୁ ନିୟମିତ ଆସୁଥିଲେ । ପ୍ରଦୀପ ମହାରଥୀ ସେ ବର୍ଷ କଲେଜ ନିର୍ବାଚନରେ ସଭାପତି ପ୍ରାର୍ଥୀ।
କାର୍ଡ ମିଳିଗଲା । ନିର୍ବାଚନ ସରିଗଲା । ମୁଁ ହାରିଗଲି । ଉମାପ୍ରସାଦ ମିଶ୍ରଙ୍କ ସହ ମୋର ଭାଇଭାଇ ସଂପର୍କ କିନ୍ତୁ ସରିଲା ନାହିଁ । ସେ ଥିଲେ ଆମ ସଭିଙ୍କ ପ୍ରିୟ ଉମାଭାଇନା।
ଶନିବାର ସାହିତ୍ୟ ସଂଧ୍ୟା ସେତେବେଳେ ଶିଶୁ । ପୁରୀରେ ସାହିତ୍ୟ ସଭା କାଁ ଭାଁ କେଉଁଠି କେଉଁଠି ହେଉଥାଏ । ଧୀରେଧୀରେ ସେ ସଭାମାନଙ୍କରେ ଉମାଭାଇନାଙ୍କୁ ମୁଁ ଭେଟିଲି । ସାହିତ୍ୟ ଛଡ଼ା ସଂଗୀତ, ରାଜନୀତିରେ ବି ତାଙ୍କର ରୁଚି ଥିଲା । ସେ ଥିଲେ ନେହେରୁପନ୍ଥୀ ସମାଜବାଦୀ ।
୧୯୮୪ରେ ମୁଁ ଚାକିରି କରିବାକୁ ପୁରୀ ଛାଡ଼ି ବାହାରକୁ ଗଲି । ହଠାତ୍ ଦିନେ ବାହାଘର ନିମନ୍ତ୍ରଣ ପତ୍ରଟିଏ ପାଇଲି । ସୁକାନ୍ତି ନାନୀଙ୍କ ବାହାଘର ହେଉଛି ଉମା ଭାଇନାଙ୍କ ସହ । ମୁଁ ସେ ବାହାଘର ଭୋଜିକୁ ଉମାଭାଇନାଙ୍କ ନିମନ୍ତ୍ରଣ ଓ ସୁକାନ୍ତି ନାନୀଙ୍କ ନିମନ୍ତ୍ରଣ ଉଭୟ ପାଇଥାଏ । ଉମା ଭାଇନାଙ୍କ ଚତୁର୍ଥୀ ଭୋଜିକୁ ଗଲି । ତିଆଡ଼ି ସାହି ଓ ଗୁଡ଼ିଆ ସାହି ମଝିରେ ଗୋଟେ ମନ୍ଦିର, ଜାଗାଘର କି କ୍ଳବ କେଉଁଠି ହେଉଥିଲା । ହରିହର ବାହିନୀପତି, ବ୍ରଜକିଶୋର ତ୍ରିପାଠୀ, ବାମଦେବ ମିଶ୍ର, ପଦ୍ମଚରଣ ସାମନ୍ତସିଂହାର ଆଦି ଅନେକ ନେତା । ପୁରୀର ସବୁ ସାହିତ୍ୟିକ ସେଠି ଥିଲେ । ଏହା ୧୯୮୮ର ଘଟଣା । ମୁଁ ସେତେବେଳେ ଲକ୍ଷ୍ନୌରେ ଥାଏ ।
ଉମାଭାଇନାଙ୍କ ସହ ମୋର ଭାଇଚାରା ସେଠି ସରିଲା ନାହିଁ।
ନନା ଷ୍ଟାମ୍ପ ଭେଣ୍ଡିଂ ବ୍ୟବସାୟ କରୁଥାନ୍ତି । କଚେରୀରେ ଗୋଟେ କଣରେ ସେ ବସୁଥାନ୍ତି । ଦିନେ ସେଠି ମୁଁ କୋଟ୍ ପିନ୍ଧିଥିବା ଜଣେ ନୂଆ ଓକିଲ ଭାବେ ଉମାପ୍ରସାଦ ମିଶ୍ରଙ୍କୁ ଭେଟିଲି । ସେ ବୋଧେ ତା ଆଗରୁ କିଛି ବର୍ଷ ଅର୍ବାନ୍ ବ୍ୟାଙ୍କରେ କର୍ମଚାରୀ ଥିଲେ । ଓକିଲାତି ପଢ଼ିବା ପରେ ଚାକିରି ଛାଡ଼ି ସ୍ଵାଧୀନ ଭାବେ ଓକିଲାତି ଆରମ୍ଭ କରିଥାନ୍ତି । ବୋଧେ ସେ ପ୍ରଥମେ ବାମଦେବ ମିଶ୍ର କି ହରିହର ବାହିନୀପତିଙ୍କ ଜୁନିଅର ଥିଲେ, ପରେ ନିଜେ ନିଜେ ବୁଝିଲେ । ସେ ଥିଲେ ଓକିଲ, ସମାଜସେବୀ, ରାଜନୀତି ବିଶାରଦ ଓ ଲେଖକ ।
ବୁଟୁ ଭାଇନାଙ୍କ ରାଜନୈତିକ ପତନ ଓ ପିନାକୀ ମିଶ୍ରଙ୍କ ଉତ୍ଥାନ ସହ ଉମାଭାଇନା ଓ ବୁଟୁଭାଇନାଙ୍କ ସଂପର୍କ ଖରାପ ହେଲା ବୋଲି ମୁଁ ଶୁଣିଛି । ଓଡ଼ିଶା ବାହାରେ ଥିବାରୁ ଏ ଖବର ରଖିବା ମୋ ପକ୍ଷେ ସମ୍ଭବ ହେଲାନାହିଁ ।
ତେବେ ଗୋଟିଏ କଥା ମନେଅଛି । ସୁକୁନାନୀ ଓ ମୋ ସ୍ତ୍ରୀ ଶୈଳବାଳାଙ୍କ ବନ୍ଧୁତା ଅବକାଶରେ ଆମେ ବାରଂବାର ଦେଖାହୋଇଛୁ । ତାଂକ ଝିଅର ଜନ୍ମଠାରୁ ବାହାଘର ଯାଏଁ, ଜଟିଆବାବାଜୀ ଛକରେ ସୁକୁନାନୀ ଓ ଶୈଳ ବସ୍ ଧରି ବ୍ରହ୍ମଗିରି ଗଲାବେଳେ ହେଉ ବା ପୁରୀର ସାହିତ୍ୟ ସଭାମାନଙ୍କରେ ହେଉ ।
ଉମା ଭାଇନା କିଛି କିଛି ଲେଖୁଥିଲେ । ବହୁତ ବଡ଼ ଲେଖକ ହେବାର ଇଚ୍ଛା ତାଂକର କେବେ ନଥିଲା । ରାଜନୀତି ଓ ସାହିତ୍ୟ ସେ ଅଲଗା ରଖିଥିଲେ । ଅର୍ବାନ୍ ବ୍ୟାଙ୍କ ନିର୍ବାଚନ ବେଳେ ଆମର ବୋଧହୁଏ ଶେଷଥର ଦେଖାହୋଇଥିଲା । ସୁକୁନାନୀଙ୍କ ଠାରୁ ମୁଁ ତାଙ୍କ ଖବର ରଖୁଥୁଲି କେବଳ ।
ଆମ ପାଖାପାଖି ସମୟର କେତେ ଲୋକ ପ୍ରତିଦିନ ଚାଲିଯାଉଛନ୍ତି । ହେଲେ ମୁଁ ଉମା ଭାଇନାଙ୍କ କଥା ଆଜି ଏତେ ମନେପକାଉଛି କାହିଁକି କେଜାଣି ?