ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୫
“ଖୋର୍ଦ୍ଧାରେ ତୁମେ କେତେ ବର୍ଷ ଥିଲ?” ସଚ୍ଚିଦାନନ୍ଦ ରାଉତରାୟ ପଚାରିଲେ। ୧୯୯୨ ମସିହା। ଭୁବନେଶ୍ୱରରେ ଏନବିଟିର ପ୍ରଥମ ଜାତୀୟ ପୁସ୍ତକ ମେଳା ମୁଁ ଆୟୋଜନ କରୁଥାଏ। ସେହି ଅବସରରେ ଦୁଇଟି ଗଳ୍ପ ସଂକଳନ ପ୍ରକାଶ କରିବାର ଯୋଜନା ମୋର ଥାଏ- ସଚ୍ଚିଦାନନ୍ଦ ରାଉତରାୟ ଓ ମନୋଜ ଦାସଙ୍କ ସୁନିର୍ବାଚିତ ଗଳ୍ପ ସଂକଳନ।
ସ୍ୱତ୍ତ୍ୱାଧିକାର ଅନୁମତି ଓ ପାଣ୍ଡୁଲିପି ମନୋଜ ବାବୁ ଶୀଘ୍ର ଦେଇଦେଲେ। ସଚ୍ଚିବାବୁ ବୟସ୍କ। ତାଙ୍କ ପାଖକୁ ଯିବାକୁ ହେଲା। ସେ ମୋ ଖୋର୍ଦ୍ଧାରେ ରହିବା ଏବଂ ତାଙ୍କ ପୈତୃକ ଘର ଦେଖିବାକୁ ଯିବା କଥା ଜାଣିଲେ। ମୁଁ ଖୋର୍ଦ୍ଧାରେ କେତେ ବର୍ଷ ଥିଲି ଜାଣିବାକୁ ପଚାରିଲେ।
ମୁଁ କେମିତି କହିପାରିଥାନ୍ତି ମୁଁ ମାତ୍ର କିଛିମାସ ସପ୍ତମ ପରୀକ୍ଷା ଦେବା ଲାଗି ଖୋର୍ଦ୍ଧାରେ ଥିଲି? କାହିଁକି ଖୋର୍ଦ୍ଧାରେ ପଢ଼ିବାକୁ ଯାଇଥିଲି, ଲାଜରେ କହିପାରିଲିନି।
ଖୋର୍ଦ୍ଧାରେ ସପ୍ତମ ଶ୍ରେଣୀ ପଢ଼ିବା ପରେ ମୁଁ ଫେରିଆସିଥିଲି ପୁରୀ। ବୋଉ କଳି କରିଥିଲା ନନାଙ୍କ ସାଥିରେ ଯେ କକେଇଙ୍କ ପାଖରେ ରହିଲେ ବୋଧେ ମୁଁ ଭଲ ପଢ଼ିବି। ଷଷ୍ଠ ପରେ ସପ୍ତମ ଆରମ୍ଭରେ ନନା ବୋଉଙ୍କ ପାଖକୁ ଫେରିଆସିବାର ଭୁଲ୍ ନନା ବୋଉ ଉଭୟେ ବୁଝି ପାରିଥିଲେ।
ଏଥରକ ପ୍ରଶ୍ନ ଉଠିଲା, ପଢ଼ିବି କେଉଁଠି? ବିଶ୍ୱମ୍ଭର ବିଦ୍ୟାପୀଠ ଦୂର ହେଇଥିଲା ବୋଲି ସମସ୍ତେ ବୁଝିପାରିଥିଲେ। ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢିବାକୁ ଯେତିକି ନମ୍ବର ଦରକାର, ମୋର ନଥିଲା।ଏପଟେ ନନାଙ୍କ ବଂଧୁ ରାମପାଲ୍ ସାହା ବି ମୁଁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପଢ଼ିବା ନେଇ ନନାଙ୍କୁ କହିଲେ। କକେଇଙ୍କ ଘରୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ପାଖ ଥିଲା। ଗୁଣ୍ଡିଚା ଘର ଦେଇ ସେଠିକୁ ଦୂରତା ଗୋଟେ କିଲୋମିଟରରୁ କମ୍ ଥିଲା। ସେ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ଏବେ ଭୋଳାନାଥ ବିଦ୍ୟାପୀଠ ହାଇସ୍କୁଲ ହୋଇଯାଇଛି।
ସେତେବେଳେ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ଥିଲା ସବୁଠୁ ମନୋରମ ପରିବେଶର ସ୍କୁଲ। ସାରା ସ୍କୁଲରେ ଆମ୍ବ ଓ ନଡ଼ିଆଗଛ। ଖରାଦିନେ ଆମେ ଗଛତଳେ ଥଣ୍ଡା ପବନରେ ବସୁ। ସ୍କୁଲରେ ଥିଲା ଦୁଇଟି ପୋଖରୀ।
ଏ ସ୍କୁଲ ବେଳର ଅନେକ ବନ୍ଧୁ ଏବେ ଅଛନ୍ତି। ମାତ୍ର ଦୁଇଜଣ-ମହମ୍ମଦ ଅବୁ ତାହେର୍ ଓ ସୁରେନ୍ଦ୍ର ନାରାୟଣ ତ୍ରିପାଠୀ ଏବେ ପରଲୋକରେ। ସ୍କୁଲର ପ୍ରଧାନଶିକ୍ଷକ ଥିଲେ ହରଦେବ ତିୱାରୀ। ମତେ ଦୁଇଜଣ ଶିକ୍ଷକ ସବୁଠୁ ବେଶୀ ପ୍ରଭାବିତ କରିଥିଲେ, ଲୋକନାଥ ସାର୍ ଓ ସୋମନାଥ ସାର୍। ଅନ୍ୟମାନେ ଯେ ଭଲ ଲାଗୁନଥିଲେ, ତାହା ନୁହେଁ।ହେଲେ, ଏ ଦୁଇଜଣ ଥିଲେ ନିଆରା।
ସେଇଠି ମୋ ସହ ପଢ଼ୁଥିଲା ମୋର ଏବର ପତ୍ନୀ, ଏକଦା ପ୍ରେମିକା ଶୈଳବାଳା। ହେଲେ, ଅଷ୍ଟମ ଶ୍ରେଣୀରେ ମୁଁ ତାକୁ ଚିହ୍ନି ନଥିଲି, ସେ ବି ମୋତେ ଜାଣି ନଥିଲା, ଅଷ୍ଟମ ଶ୍ରେଣୀରେ ପ୍ରେମ କରିବାର ପରମ୍ପରା ସେତେବେଳେ ନଥିଲା।