• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳ ଗୌରବ ମଧୁସୂଦନ ଓ ମହାତ୍ମା ଗାନ୍ଧୀ

ଉତ୍କଳ ଗୌରବ ମଧୁସୂଦନ ଓ ମହାତ୍ମା ଗାନ୍ଧୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୧ ଅପ୍ରେଲ ୨୦୨୩

ଏପ୍ରିଲ ମାସ ଓଡିଶା ଇତିହାସର ଏକ ସ୍ୱର୍ଣ୍ଣିମ ମାସ । ଏହି ମାସର ପହିଲା ଦିନ ଆମର ସ୍ୱତନ୍ତ୍ର ପ୍ରଦେଶ ସ୍ୱପ୍ନ ସାକାର ହୋଇଥିଲା ଏବଂ ଏହି ମାସ ୨୮ ତାରିଖ ଦିନ ଉତ୍କଳ ଗୌରବ ଓ ଓଡିଶାର ପ୍ରାଣ ପ୍ରତିଷ୍ଠାତା ମଧୂସୂଦନ ଦାସ ଜନ୍ମଗ୍ରହଣ କରିଥିଲେ ଏହି ମାଟିରେ, କଟକ ଜିଲ୍ଲା ସତ୍ୟଭାମାପୁର ଗାଁରେ । ମଧୁବାବୁଙ୍କ ବିନା ଓଡ଼ିଶା ଇତିହାସ ଓ ଓଡ଼ିଶାର ପ୍ରଗତି ଆଲୋଚନା କରିବା ନିର୍ବୋଧତାର ପରିଚୟ । ମଧୁବାବୁ ଯେପରି ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ, ପ୍ରଥମ ଓଡ଼ିଆ ବାରିଷ୍ଟର, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ ସଭାର ସଦସ୍ୟ, ପ୍ରଥମ ଓଡ଼ିଆ ମନ୍ତ୍ରୀ ଓ ମନ୍ତ୍ରୀପଦ ଛାଡିବାରେ ପ୍ରଥମ ଓଡ଼ିଆ, ସେହିପରି ତାଙ୍କରି ଉଦ୍ୟମରୁ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ଥାନ ପାଇବା ମଧ୍ୟ ଆମ ରାଜ୍ୟ ପ୍ରଥମ । ମାତୃଭୂମି ଓ ମାତୃଭାଷାର ଉନ୍ନତି ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ପ୍ରାତଃ ସ୍ମରଣୀୟ ଓଡ଼ିଆ ଜାତିର ଜନକ ଉତ୍କଳ ଗୌରବ ମଧୁସୂଦନ ।

ମା’ ମାଟିର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ଏହି ମହାମନୀଷୀ କରିଥିଲେ ଅକ୍ଳାନ୍ତ ଉଦ୍ୟମ । କୁଟୀର ଶିଳ୍ପର ବିକାଶ, କୃଷିଭିତ୍ତିକ ଓ ସ୍ୱଦେଶୀ ଶିଳ୍ପର ଉନ୍ନତି ସାଧନ ପାଇଁ ଦେଖିଥିଲେ ଅସୁମାରି ସ୍ୱପ୍ନ । ଆମ ରାଜ୍ୟ କାହିଁକି ସମଗ୍ର ଭାରତବର୍ଷର ସ୍ୱଦେଶୀ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଅଳଙ୍କାର କାରଖାନା ଠାରୁ ଆରମ୍ଭ କରି, ଶିଳ୍ପ ବିଦ୍ୟାଳୟ, ତାଳଗୁଡ ସଂସ୍ଥା, ଶିଳ୍ପାଗାରରେ ଲୁଗାବୁଣା ବ୍ୟବସ୍ଥା, ଉତ୍କଳ ଟ୍ୟାନେରୀ ସ୍ଥାପନ କରିବା ଥିଲା ତାଙ୍କର ଏକ ନିଷ୍ଠା ଓ ବଳିଷ୍ଠ ଉଦ୍ୟମ। ଏ ଜାତିର ଆର୍ଥିକ ଉନ୍ନତି ସାଧନ ପାଇଁ ପ୍ରାକୃତିକ ଓ ଖଣିଜ ସମ୍ପଦରେ ଭରପୁର ଆମ ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇନେଇ ପାଇଁ କୁଟୀର ଶିଳ୍ପର ବିକାଶ ଅପରିହାର୍ଯ୍ୟ ବୋଲି ହୃଦୟଙ୍ଗମ କରିଥିଲେ ମଧୁବାବୁ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ପ୍ରାୟ ୨୦ବର୍ଷ ପୂର୍ବରୁ ସେ ସ୍ୱଦେଶୀ ନୀତିର ଆହ୍ୱାନ ଦେଇଥିଲେ । କେତେ ଦୂରଦର୍ଶୀ ଓ ପରିପକ୍ୱ ଥିଲା ତାଙ୍କ ଚିନ୍ତାଧାରା ଏଥିରୁ ଜଣାପଡ଼େ ।

୧୯୦୫ ମସିହାରେ କଟକରେ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରୀ, ପ୍ରାୟ ତିରିଶ ଏକର ଜମିରେ, ଯେତେବେଳେ ହୃଦୟଙ୍ଗମ କଲେ ଆମ ଦେଶରୁ ପ୍ରତିବର୍ଷ ବହୁଳ ପରିମାଣରେ ଚମଡ଼ା ରପ୍ତାନି ହେଉଛି, ସେତେବେଳେ ମଧୁବାବୁ ସ୍ଥିର କଲେ ଏହି ଚମଡ଼ାକୁ ବ୍ୟବହାର କରି ଚମଡ଼ା ଶିଳ୍ପ ପ୍ରତିଷ୍ଠା କରିବା ଯାହାକି ପରବର୍ତ୍ତୀ ସମୟରେ ଉତ୍କଳ ଟ୍ୟାନେରୀର ରୂପ ନେଲା । ୧୯୨୩ ମସିହାରେ ଏହି ଟ୍ୟାନେରୀ ଏକ ଯୌଥ ପରିବାର ଭାବେ ମାନ୍ୟତା ପାଇଲା । ଏହି କାରଖାନାରେ ପ୍ରସ୍ତୁତ ଜୋତା ଦେଶ ଭିତରେ ଓ ବାହାରେ ବହୁ ଆଦର ଲାଭ କରିଥିଲା । ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ୱ ଲୋକ ଏହି କାରଖାନାରେ କାମ କରୁଥିଲେ ।

ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା, ଜୀବନ ଦର୍ଶନ, କାର୍ଯ୍ୟ ଶୈଳୀ ସହିତ ମଧୁସୂଦନଙ୍କ କିଛିଟା ମତପାର୍ଥକ୍ୟ ଥିଲେ ସୁଦ୍ଧା ଗାନ୍ଧିଜୀ ମଧୁସୂଦନଙ୍କୁ ଗଭୀର ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ମହାତ୍ମା ଗାନ୍ଧୀଙ୍କ ସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସମ୍ପର୍କ ଥିଲା ନିବିଡ଼ । ସାବରମତୀ ଆଶ୍ରମ ଯାଇ ଗାନ୍ଧିଜୀଙ୍କୁ ଆଧୁନିକ ଶୈଳୀରେ ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇଥିଲେ ଓ ଗାନ୍ଧିଜୀଙ୍କ ସାହାଯ୍ୟ ଲୋଡ଼ିଥିଲେ । ଏହାପରେ କଟକ ପରିଦର୍ଶନ ପାଇଁ ଗାନ୍ଧିଜୀ ମଧୁସୂଦନଙ୍କୁ ଟେଲିଗ୍ରାମ ପ୍ରେରଣ କରିଥିଲେ । ଟେଲିଗ୍ରାମର ଉତ୍ତର ପାଇଲା ପରେ ଗାନ୍ଧିଜୀ ମଧୁସୂଦନଙ୍କୁ ନିମ୍ନଲିଖିତ ଚିଠିଟି ଲେଖିଥିଲେ ।

ଗାନ୍ଧିଜୀ ମଧୁବାବୁଙ୍କୁ ଲେଖିଥିବା ଚିଠିର କିୟଦଂଶ
ତା. ୧୨.୦୮.୧୯୨୫
ପ୍ରିୟ ବନ୍ଧୁ,
ମୋର ତା’ର ବାର୍ତ୍ତାର ଉତ୍ତର ଆପଣଙ୍କ ଠାରୁ ତୁରନ୍ତ ପାଇଲି । ମୁଁ ଆପଣଙ୍କ କଥା ହିଁ ଭାବି ଚାଲିଛି । ମୁଁ ଜାମସେଦପୁରରେ ପହଞ୍ଚିଲା ପର୍ଯ୍ୟନ୍ତ କଟକ ଯାଇ ଆପଣଙ୍କ ଉଦ୍ୟୋଗକୁ ଦେଖିପାରିବି ବୋଲି ଚିନ୍ତା କରିପାରିନଥିଲି । ଜାମସେଦପୁରରେ ପହଞ୍ଚିଲା ପରେ ମୋର ବିବେକ ମୋତେ ବାରମ୍ବାର ଚେତେଇଥିଲା ଯେ ମୁଁ ଯେମିତି ହେଲେ କଟକ ଯାଇ ଆପଣଙ୍କ ଦ୍ୱାରା ପ୍ରତିଷ୍ଠିତ ଟ୍ୟାନେରୀ ପରିଦର୍ଶନ କରେ । ମୁଁ ଏଠାରୁ ମଙ୍ଗବାର ଦିନ ପୁରୀ ଏକ୍ସପ୍ରେସରେ ବାହାରିବି । ଯାହା ବୁଝିଛି ଟ୍ରେନଟି ଭୋର ୪ଟା ରେ ପହଞ୍ଚିବ । ମୁଁ ସେଠାରେ ଦୁଇଦିନ ରହିବି, ମୁଁ ଜାଣେ ଆପଣ ମୋର ପରିଦର୍ଶନକୁ ଗୁପ୍ତ ରଖିପାରିବେ ନାହିଁ । ମାତ୍ର ମୁଁ ଆପଣଙ୍କ ଉପରେ କୌଣସି କାର୍ଯ୍ୟକ୍ରମ ଲଦି ଦେବାକୁ ଚାହେଁ ନାହିଁ। ମୋର ଇଚ୍ଛା ଟ୍ୟାନେରୀ ସମ୍ପର୍କରେ ତଥା ଆପଣଙ୍କର ଆବଶ୍ୟକତା ଉପରେ ଟିକିନିଖି ଅନୁଧ୍ୟାନ କରିବି ଏବଂ ଆପଣଙ୍କୁ ସାହାଯ୍ୟ ଦେଇ ପାରିବିକି ନାହିଁ ସେ ସମ୍ପର୍କରେ ଚିନ୍ତା କରିବି…
ଆପଣଙ୍କର ଅନ୍ତରଙ୍ଗ,
ଏମ.କେ. ଗାନ୍ଧୀ

ଉତ୍କଳ ଟ୍ୟାନେରୀ ପରିଦର୍ଶନ
୧୯୨୫ ମସିହା ଅଗଷ୍ଟ ମାସ ୧୯ ତାରିଖ ଗୁରୁବାର ଭୋର ୪ଟା ସମୟରେ ପୁରୀ ଏକ୍ସପ୍ରେସରେ ମହାତ୍ମା ଗାନ୍ଧୀ ନିଜର ସଚିବ ମହାଦେବ ଦେଶାଇ ଓ କଲିକତାର ବିଖ୍ୟାତ ମହାଜନ ରଙ୍ଗଲାଲଙ୍କ ସହିତ କଟକ ରେଳଷ୍ଟେସନରେ ପହଞ୍ଚିଲେ । ବର୍ଷା ହେଉଥିବା ସତ୍ତ୍ୱେ ଶହଶହ ଲୋକ ମହାତ୍ମାଙ୍କ ଦର୍ଶନ ପାଇଁ ଚାତକ ପକ୍ଷୀ ପରି ଚାହିଁ ରହିଥିଲେ। ଯଦୁମଣି ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବକମାନେ ଷ୍ଟେସନରେ ଯେପରି କୌଣସି ପ୍ରକାର ଅସୁବିଧା ନଘଟେ ସେଥିପ୍ରତି ନଜର ରଖିଥିଲେ । ରେଳଷ୍ଟେସନରେ ଓହ୍ଲାଇଲା ମାତ୍ରେ ମଧୁବାବୁ ଓ ତାଙ୍କ ଟ୍ୟାନେରୀ କର୍ମକର୍ତ୍ତାମାନେ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ମଧୁ କୋଠିରେ ସ୍ୱଳ୍ପ ସମୟ ବିଶ୍ରାମ ନେଇ ସକଳ ସାଢେ ଆଠଟା ସମୟରେ କଲିକତା ଖଦି ପ୍ରତିଷ୍ଠାନର ସତୀଶ ଚନ୍ଦ୍ର ଦାସଗୁପ୍ତ, ରଙ୍ଗଲାଲ ଓ ଦେଶାଇଙ୍କ ସହିତ ମହାତ୍ମା ଗାନ୍ଧୀ ଚାଉଳିଆଗଞ୍ଜରେ ଟ୍ୟାନେରୀ ଦେଖିବାକୁ ଆସିଥିଲେ । କାରଖାନା ଭିତରେ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ । ଟ୍ୟାନେରୀରେ କାମ କରିଥିବା ଶ୍ରମିକମାନେ ଗାନ୍ଧୀଙ୍କୁଏକ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ ।

ଶ୍ରମିକଙ୍କ ଅଭିନନ୍ଦନ…
ପତିତ ବାନ୍ଧବ ମହାତ୍ମା ଶ୍ରୀ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଉଦାର ଚରିତେଷୁ… ଆଜି ଆପଣ କଟକକୁ ଉତ୍କଳ ଟ୍ୟାନେରୀ ଦେଖିବା ପାଇଁ ଆସି ଅଛନ୍ତି । ଗତ ୩୦ବର୍ଷ ମଧ୍ୟରେ ଏ ଉତ୍କଳ ଟ୍ୟାନେରୀ ଆମ୍ଭମାନଙ୍କର ହସ୍ତ ଓ ଚକ୍ଷୁର ଶିଳ୍ପ ନୈପୁଣ୍ୟ ଶକ୍ତି ବଢ଼ାଇ ଅଛି ଏବଂ ଆମ୍ଭେମାନେ ଅଧିକ ଉପାର୍ଜନ କରିବାର କ୍ଷମତା ଲାଭ କରିଅଛୁ । ଆମ୍ଭ ମାନଙ୍କର ବିଶ୍ୱାସ ଯେ ଉତ୍କଳ ଟ୍ୟାନେରୀର ଉନ୍ନତି ଦ୍ୱାରା ଗୋମାତାର ରକ୍ଷା ହେବ, ଦେଶର ଆର୍ଥିକ ଅବସ୍ଥା ବଦଳିଯିବ ଓ ଶିଳ୍ପର ଉନ୍ନତି ସଙ୍ଗେ ସଙ୍ଗେ ଅସ୍ପୃଶ୍ୟତା ଲୋପ ପାଇବ । ଆପଣ ଶିଳ୍ପର ଉନ୍ନତି ଛକେ ଆସି କଟକ ତଥା ସମସ୍ତ ଉତ୍କଳ ଖଣ୍ଡର ପତିତମାନଙ୍କ ପ୍ରତି ଯେ ଦୟା ଦେଖାଇ ଅଛନ୍ତି ସେଥି ନିମନ୍ତେ ଆମ୍ଭେମାନେ ହୃଦୟର ଭକ୍ତି ଓ ଶ୍ରଦ୍ଧା ଅର୍ପଣ କରୁଅଛୁ ।

ଉତ୍କଳ ଟ୍ୟାନେରୀ ଶ୍ରମିକଗଣ,
କଟକ, ତା. ୧୯.୦୮.୧୯୨୫
ଅଭିନନ୍ଦନ ପତ୍ରର ଉତ୍ତରରେ ମହାତ୍ମାଜୀ ଶ୍ରମିକମାନଙ୍କୁ ସହାନୁଭୂତି ଦେଖାଇ ଆର୍ଶୀବାଦ କରିଥିଲେ । ଉତ୍କଳ ଟ୍ୟାନେରୀ ଭଳି କାରଖାନାରେ ଉଚ୍ଚବର୍ଣ୍ଣ ସଙ୍ଗେ କାର୍ଯ୍ୟ କରିବାରେ ଅଚ୍ଛବ ମାନଙ୍କ ପ୍ରତି ଅନ୍ୟମାନଙ୍କର ଘୃଣାଭାବ ଦୂର ହେବ ଓ ମାନସିକ ସ୍ତରରେ ଉଚ୍ଚନୀଚ ଭାବ ରହିବା ନାହିଁ ବୋଲି ସେ ପ୍ରକାଶ କରିଥିଲେ।

ମଧୁସୁଦନଙ୍କ କୁଟୀର ଶିଳ୍ପର ପୁନରୁଦ୍ଧାର ପାଇଁ ଯେଉଁ ବଳିଷ୍ଠ ଉଦ୍ୟମ ଅନ୍ତର୍ନିହିତ ଥିଲା ତାହା ମହାତ୍ମା ଗାନ୍ଧୀଙ୍କୁ ବିଶେଷ ଭାବେ ମୂଗ୍ଧ କରିଥିଲା । ଗାନ୍ଧିଜୀ ବିଭିନ୍ନ ସ୍ଥାନରେ ନିଜର ବକ୍ତବ୍ୟ ମାଧ୍ୟମରେ ଏ ସମ୍ପର୍କରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିନଥିଲେ । ୧୯୩୫ ମସିହା ସେପ୍ଟେମ୍ବର ମାସ ୭ ତାରିଖରେ ଗାନ୍ଧିଜୀ ଲେଖିଥିଲେ ଶରୀର ଶ୍ରମରୁ ବୁଦ୍ଧିକୁ ଅଲଗା କରିଦେବା ଫଳରେ ଆମେ ସବୁଠାରୁ ଅଳ୍ପାୟୁଷ, ସବୁଠାରୁ ଶୋଷିତ ଜାତି ହୋଇ ଯାଇଛୁ । ଗାଁଗହଳରେ ଚମଡ଼ା ଶିଳ୍ପର ଅବସ୍ଥା ଦେଖିଲେ ସବୁଠାରୁ ଏହାର ଭଲ ପ୍ରମାଣ ମିଳିବ। ସ୍ୱର୍ଗୀୟ ମଧୁସୂଦନ ଦାସ ଏ ସମ୍ବନ୍ଧରେ ମୋ ଆଖି ଖୋଲି ଦେଇଥିଲେ । ସେ ମୋତେ ବୁଝାଇ ଦେଇଥିଲେ ଯେ ଆମେ ସମାଜର ଗୋଟିଏ ବଡ ଭାଗଙ୍କ ପ୍ରତି ଘୋର ଅନ୍ୟାୟ କରୁଛୁ । ସେ ନିଜେ ମଧ୍ୟ ଶିଖାଇବା ଉଦ୍ଦେଶ୍ୟରେ ଏକ ଚମଡ଼ା କାରଖାନା ଖୋଲି ନିଜ ଜୀବନରେ ସେହି ଅନ୍ୟାୟର ପ୍ରାୟଶ୍ଚିତ କରିବାର ଚେଷ୍ଟା କରିଥିଲେ ।

ମାତ୍ର ଭାଗ୍ୟର ବିଡମ୍ବନା! ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତିକରି ଶେଷରେ ଉତ୍କଳ ଟ୍ୟାନେରୀ ନିଲାମ ହୋଇଥିଲା ଉନ୍ନତ ମାନ ବଞ୍ଚାଇବାକୁ ଓ ସ୍ୱାଭିମାନ ବଜାୟ ରଖିବାକୁ ଯାଇ । ମାତ୍ର ଆମକୁ ସ୍ୱୀକାର କରିବାକୁ ହେବ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠା କ୍ଷେତ୍ରରେ ସେ ଆମ ଜାତିର ପଥ ପ୍ରଦର୍ଶକ ଥିଲେ । ଓଡିଆ ମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଠିଆ କରିବା ପାଇଁ ସଦାସର୍ବଦା ଚେଷ୍ଟିତ ଥିଲେ । ଓଡିଆ ମାନଙ୍କର ଭାବନା ଓ ଚିନ୍ତାଧାରାକୁ ଲୋକଲୋଚନକୁ ଆଣିବା ପାଇଁ ୧୯୧୭ ମସିହାରେ ସେ ‘The Oriya’ ନାମକ ପତ୍ରିକା ପ୍ରକାଶ କରିଥିଲେ । ସେ ଭଲଭାବେ ବୁଝିଥିଲେ ଯେଉଁ ପର୍ଯ୍ୟନ୍ତ ଆମେ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ସେ ପର୍ଯ୍ୟନ୍ତ ସ୍ୱରାଜ ପ୍ରାପ୍ତି ହେବା ଆମ ପକ୍ଷରେ କଷ୍ଟକର ହେବ । ଅର୍ଥନୈତିକ ଉନ୍ନତି ଦ୍ୱାରା ହିଁ କେବଳ ପ୍ରକୃତ ସ୍ୱରାଜ୍ୟ ସମ୍ଭବ ବୋଲି ସେ ହୃଦୟଙ୍ଗମ କରିଥିଲେ ଏବଂ ଏହି ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ । ଓଡିଶାର ଅର୍ଥନୈତିକ ପ୍ରଗତିର ସେ ଥିଲେ ଅନନ୍ୟ ବିନ୍ଧାଣି ଓ କର୍ଣ୍ଣଧାର । ଏ ଜାତି ସେଇ ମହାନ ଆତ୍ମାଙ୍କ ନିକଟରେ ଚିରଋଣୀ ହୋଇ ରହିଛି ଓ ରହିଥିବ ମଧ୍ୟ ଯୁଗେଯୁଗେ ଏଥିରେ ସନ୍ଦେହର ଅବକାଶ ନାହିଁ ।

ଆଜି ଆମ ଭିତରେ ଅଭାବ ରହିଛି ଜାତୀୟତା ମନୋଭାବ, ନିସ୍ୱାର୍ଥପରତା ଓ ମଣିଷପଣିଆ । ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ୮୭ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦୁଃଖ ଓ ପରିତାପର ବିଷୟ ଆଜି ବି ମୁଷ୍ଟିମେୟ ଓଡ଼ିଆ ମାନେ ରାଜ୍ୟ ବାହରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଦ୍ୱିଧା ମନେ କରୁଛନ୍ତି । ଏ ଜାତି, ଏ ଦେଶ ଓ ରାଜ୍ୟର ଉନ୍ନତି ପାଇଁ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବାର ସମୟ ଉପନୀତ ହୋଇଛି-ନହେଲେ ଅତୀତ ସବୁଦିନ ପାଇଁ ଅତୀତ ହୋଇ ରହିଯିବ । ପୂର୍ବସୁରୀ ମାନଙ୍କର କୀର୍ତ୍ତିକୁ ମନେପକାଇ ସ୍ମୃତିଚାରଣ କରିବା ଛଡ଼ା ଓଡ଼ିଆ ଜାତି ଆଉ ଦୁଇପାଦ ଆଗକୁ ଯିବା କଷ୍ଟକର ହୋଇପଡିବ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.