ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୪
ଅସମାନତା ବିହୀନ ସମାଜ ଗଠନ ଲାଗି ଯୁଧିଷ୍ଠିର ଦାସ ଜୀବନର ଶେଷ ମୁହୂ ର୍ ପର୍ଯ୍ୟନ୍ତ ଅବିରାମ ଲଢ଼େଇ ଜାରି ରଖିଥିଲେ । ନୀତି, ଆଦର୍ଶ, ମୂଲ୍ୟବୋଧ ଉପରେ ତାଙ୍କର ରାଜନୀତି ପର୍ଯ୍ୟବସିତ ଥିଲା । ସର୍ବୋପରି ଏକ ଶ୍ରେଣୀ ବିହୀନ ତଥା ଶୋଷଣ ମୁକ୍ତ ସମାଜ ପ୍ରତିଷ୍ଠା ନିମନ୍ତେ ଆଜୀବନ ସାଲିସହୀନ ସଂଗ୍ରାମ ଲାଗି ସେ ସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି ।
ବିଶିଷ୍ଟ ସାମ୍ୟବାଦୀ ନେତା ତଥା ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଆଜି ନୂଆପଲ୍ଲୀ ଆଇ.ଆର୍.ସି. ଭିଲେଜସ୍ଥିତ ଯୁଧିଷ୍ଠିର ଦାସ ଉଦ୍ୟାନରେ ଅନୁଷ୍ଠିତ ହୋଇଥିଲା । ଯୁଧିଷ୍ଠିର ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଡଃ ରବି ନାରାୟଣ ସେନାପତିଙ୍କୁ ପ୍ରଥମ ଯୁଧିଷ୍ଠିର ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଲେ, ଏକ ସମତାପୂର୍ଣ୍ଣ ସମାଜ ଗଠନ ଲାଗି ଯୁଧିଷ୍ଠିର ଦାସ ଜୀବନବ୍ୟାପୀ ଅହରହ ସଂଗ୍ରାମ ଚଳାଇ ଥିଲେ । କିନ୍ତୁ ଆଜି ତା’ର ବ୍ୟତିକ୍ରମ ଘଟୁଥିବା ଯୋଗୁଁ ସମାଜରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ପରିଲକ୍ଷିତ ହେଉଛି । ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରି ଅବସରପ୍ରାପ୍ତ ପ୍ରଫେସର ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡଃ ଅଦ୍ୱୈତ କୁମାର ପାତ୍ର ସାମାଜିକ କୁସଂସ୍କାର ବିରୁଦ୍ଧରେ ଯୁଧିଷ୍ଠିର ଦାସଙ୍କ ଅପ୍ରତିହତ ଲଢ଼େଇ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମ୍ବର୍ଦ୍ଧନାର ଉ ରରେ ଡଃ ରବି ନାରାୟଣ ସେନାପତି କହିଲେ, ଯୁଧିଷ୍ଠିର ଦାସଙ୍କ ନୀତି, ଆଦର୍ଶ, ମୂଲ୍ୟବୋଧରେ ଆଜିର ସମାଜ ଅନୁପ୍ରାଣୀତ ହୋଇ ପାରିଲେ, ତାହା ତାଙ୍କ ସ୍ମୃତି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବର୍ଷିୟାନ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରବୋଧ ମିଶ୍ର, ‘ନବୀନ’ ପତ୍ରିକାର ସମ୍ପାଦକ ରବି ରଥ, ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ଅବସରପ୍ରାପ୍ତ ପ୍ରଫେସର ଗୋବିନ୍ଦ ଦାସ, ଅବସରପ୍ରାପ୍ତ ଅଧିକାରୀ ବନ ବିହାରୀ ନାୟକ, ଫନ୍ ଆଣ୍ଡ ଫିଟନେସ କ୍ଲବର ସଭାପତି ଆଶୀଷ ପଟ୍ଟନାୟକ, ଯୁଧିଷ୍ଠିର ଦାସଙ୍କ ପୁତ୍ର ତଥା ବିଶିଷ୍ଟ ଗୀତିକାର ଧୁନ୍ ଖୁଣ୍ଟିଆ, ପରିବେଶବିତ ତଥା ପ୍ରାକ୍ତନ ଶ୍ରମ ଆୟୁକ୍ତ ଜି.କେ. ମହାପାତ୍ର ପ୍ରମୁଖ ସ୍ୱର୍ଗତଃ ଦାସଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସ୍ମୃତିଚାରଣ କରିଥିଲେ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଂଗୀତ ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଏହି ସ୍ମୃତି ସମାରୋହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସ୍ୱର୍ଗତଃ ଦାସଙ୍କ ନାତି ତଥା ବି.ଡି.ଏ.ର ଅର୍ଥ ଅଧିକାରୀ ମନସ୍ୱୀ ଖୁଣ୍ଟିଆ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ କାନ୍ତକବିଙ୍କ କାଳଜୟୀ ଦେଶାତ୍ମବୋଧକ ଗୀତ ତଥା ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିବାବେଳେ ଶେଷରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଭୁ କଲ୍ୟାଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।