ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୨
ଅର୍ଥନୈତିକ ସ୍ୱାଧୀନତା ବିନା ଦେଶର ପ୍ରଗତି ଅସମ୍ଭବ ବୋଲି ଗାନ୍ଧୀଜୀ ହୃଦୟଙ୍ଗମ କରିଥିଲେ । ଗାନ୍ଧୀଜୀଙ୍କ ପରିକଳ୍ପନାର ମୌଳିକ ଶିକ୍ଷା ଅର୍ଥନୈତିକ ସ୍ୱାଧୀନତାର ମାପକାଠି ସଦୃଶ । ୧୯୩୭ ରେ ଗାନ୍ଧିଜୀ ଦେଶରେ ସାବଲମ୍ବୀ ଶିକ୍ଷା ପଦ୍ଧତି ପ୍ରବର୍ତ୍ତନ କରିବା ଉପରେ ଗୁରୁତ୍ବ ଦେବା ଆରମ୍ଭ କଲେ । ୱାର୍ଦ୍ଧାରେ ରାଷ୍ଟ୍ରୀୟ ଶିକ୍ଷା ପରିଷଦ ବୈଠକରେ ଆଦର୍ଶ ଶିକ୍ଷା ପଦ୍ଧତି ପ୍ରସ୍ତୁତ କରିବା ପାଇଁ ଜାକୀର ହୁସେନ୍ କମିଟି ଗଠନ କରାଗଲା । କମିଟିର ସୁପାରିଶ ଅନୁଯାୟୀ ଯେଉଁ ଶିକ୍ଷା ପଦ୍ଧତି ଖସଡ଼ା ପ୍ରସ୍ତୁତ କରାଗଲା ତା’ର ନାଁ ରଖାଗଲା Wardha Scheme of Education । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ହିନ୍ଦୁସ୍ଥାନୀ ତାଲିମ ସଂଘ ଗଢ଼ାହେଲା ।
ଗାନ୍ଧିଜୀ ଚାହୁଁଥିଲେ ଶିକ୍ଷା ବ୍ୟବସ୍ଥା ଏମିତି ହେବା ଦରକାର ଯେଉଁ ପଦ୍ଧତିରେ ମନ ଓ ଆତ୍ମାର ବୌଦ୍ଧିକ ବିକାଶ ଘଟିବ । ପ୍ରତ୍ୟେକ ଛାତ୍ର କାର୍ଯ୍ୟ ମାଧ୍ୟମରେ ଜାଣିବ ଯେ ଏହା କାହିଁକି ଓ କେଉଁଥିପାଇଁ କରାଯାଇଛି ଓ ଏହାର ଅଭିପ୍ରାୟ କ’ଣ ? “ହରିଜନ” ପତ୍ରିକାରେ ଗାନ୍ଧୀଜୀ ପ୍ରକାଶ କରିଥିଲେ ଯେଉଁ ଶିକ୍ଷା ହସ୍ତଶିଳ୍ପ ଓ ଉତ୍ପାଦନ ଶ୍ରମ ମାଧ୍ୟମରେ ଦିଆଯାଏ, ତାହା ହିଁ ଯଥାର୍ଥ ଶିକ୍ଷା । ଶିଶୁର ସର୍ବାଙ୍ଗୀନ ଉନ୍ନତି ମୌଳିକ ଶିକ୍ଷାର ଲକ୍ଷ୍ୟ,କେବଳ ଖାତା ବହି ଭିତରେ ସୀମିତ ନ ରହି ବିଭିନ୍ନ ହସ୍ତଶିଳ୍ପ ଜ୍ଞାନ ଆହରଣ କରି କାର୍ଯ୍ୟରେ ଲଗାଇବା ଏହାର ଅଭିପ୍ରାୟ । ଏହା କରିବା ଦ୍ୱାରା ଉଭୟ ହାତ ଓ ମନ ଏକ ସଂଗେ ଶିକ୍ଷା ଲାଭ କରିବ । ଏହି ଶିକ୍ଷା ଦ୍ୱାରା ମଣିଷର ସଂପୂର୍ଣ୍ଣ ବ୍ୟକ୍ତିତ୍ଵର ବିକାଶ ଘଟିବ । ଶ୍ରମଜୀବୀ ଓ ବୁଦ୍ଧିଜୀବୀଙ୍କର ମଧ୍ୟରେ ଥିବା ପ୍ରଭେଦ କ୍ରମଶଃ ଦୂରେଇବାରେ ମୌଳିକ ଶିକ୍ଷାର ପ୍ରମୁଖ ଭୂମିକା ରହିବ । ମୌଳିକ ଶିକ୍ଷାରେ ପାଠପଢ଼ା ସହିତ ସୂତାକଟା, ଲୁଗାବୁଣା, ଚମଡ଼ା କାମ ଆଦି ହସ୍ତଶିଳ୍ପରେ ଧ୍ୟାନ ଦେବା ଆବଶ୍ୟକ । ଏହା ଭବିଷ୍ୟତରେ ଉତ୍ତମ ନାଗରିକ ଗଢ଼ିବାରେ ସାହାଯ୍ୟ କରେ । ପ୍ରତ୍ୟେକ ଭବିଷ୍ୟତ ନାଗରିକ ନିଜର ଅଧିକାର ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ବୁଝିବା ଓ ହୃଦୟଙ୍ଗମ କରି କାର୍ଯ୍ୟରେ ପରିଣତ କରିବା ଏହି ଶିକ୍ଷାପଦ୍ଧତିର ଉଦ୍ଦେଶ୍ୟ । ଯେଉଁ ଶିକ୍ଷା ଆହରଣ ପରେ ଯଦି ଅନ୍ୟ ଉପରେ ବୋଝ ସୃଷ୍ଟି ହୁଏ, ସେ ଶିକ୍ଷା ବାସ୍ତବରେ ମୂଲ୍ୟହୀନ ଓ ଦିଗହୀନ । ଏହି ଶିକ୍ଷା କେବଳ ଉତ୍ପାଦନ ଶକ୍ତିକୁ ନଷ୍ଟ କରେ ତାହା ନୁହେଁ ବରଂ ଏହା ସେମାନଙ୍କ ଭିତରେ ଅନୈତିକ ମନୋବୃତ୍ତି ସୃଷ୍ଟି କରେ । ଶ୍ରମକୁ ମର୍ଯ୍ୟାଦା ଦେବା ମୌଳିକ ଶିକ୍ଷାର ଏକ ଅଂଶବିଶେଷ ସେ ହସ୍ତଶିଳ୍ପ ହେଉ ବା ମଇଳା ସଫା କରିବା ହେଉ, ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଏହାର ନୀତି । ଏହାଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ସ୍ୱାବଲମ୍ବୀ ହୋଇପାରିବ ଓ ଶ୍ରମଦାନ କରିବା ପାଇଁ ସଂକୋଚ ପ୍ରକାଶ କରିବ ନାହିଁ । ଗାନ୍ଧିଜୀ “ହରିଜନ” ପତ୍ରିକାରେ ଲେଖିଥିଲେ “ପ୍ରତ୍ୟେକ ବିଦ୍ୟାଳୟ ନିଜ ଖର୍ଚ୍ଚ ନିଜେ ଉଠାଇ ନେଇପାରିବ । ଏକମାତ୍ର ସର୍ତ୍ତ ହେଉଛି, ସରକାର ବିଦ୍ୟାଳୟରେ ତିଆରି ହେଉଥିବା ସାମଗ୍ରୀ ଗୁଡ଼ିକୁ କିଣିନେବେ । ଶିଖିବା ଓ ଶିଖାଇବା ଲୋକର ଗୁଣାତ୍ମକ ମାନ ପରଖିବା ଆବଶ୍ୟକ, ଯାହା ଫଳରେ ଉଭୟ ଉତ୍ସାହିତ ହେବେ ଓ କାମରେ ଆଗ୍ରହ ପ୍ରକାଶ କରିବେ” । ମୌଳିକ ଶିକ୍ଷାନୀତି ଅନୁଯାୟୀ ପ୍ରତ୍ୟେକ ପ୍ରଦେଶର ଶିକ୍ଷାବୋର୍ଡ ପାଠ୍ୟକ୍ରମ ତିଆରି କରିବାରେ ଜଣେ ବିଶେଷଜ୍ଞ ସଦସ୍ୟ ରହିବେ । ଏହି ପାଠ୍ୟକ୍ରମରେ ହସ୍ତଶିଳ୍ପ ସହିତ ବୌଦ୍ଧିକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ରହିବ ।
ଯେଉଁ ଧନ୍ଦା ବଛାଯିବ ସେଥିରେ ଛାତ୍ର ପାଠ ଶେଷ କରିବା ପରେ ଆବଶ୍ୟକ ସ୍ଥଳେ ସେହି ଧନ୍ଦାକୁ ନିଜର ପେଶା ରୂପେ ଗ୍ରହଣ କରିବେ ଯଥା ଲୁଗାବୁଣା, ସୂତାକଟା, କୃଷି, ଫଳ ଓ ପନିପରିବା ଉତ୍ପାଦନ, ଚମଡ଼ା କାମ ଇତ୍ୟାଦି । ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ହେଉଛି ଶିକ୍ଷାର ମୂଳଭିତ୍ତି । ମୌଳିକ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି –
୧- ବିଦ୍ୟାର୍ଥୀ ଆତ୍ମବିଶ୍ୱାସ ସହିତ ବିନା ସଂକୋଚ ଓ ଦ୍ୱିଧାରେ କଥାବାର୍ତ୍ତା କରିପାରିବ ଓ ଦୈନିକ ଖବରକାଗଜ ଓ ପତ୍ରପତ୍ରିକା ସହଜରେ ପଢ଼ିପାରିବ ଓ ବୁଝିପାରିବ
୨- ହସ୍ତାକ୍ଷର ବୋଧଗମ୍ୟ ହେବା ଜରୁରୀ
୩- ଗଣିତ ଶିକ୍ଷା ଏପରି ଦିଆଯିବ ଯେ ଛାତ୍ରମାନେ ନିଜ ନିଜର ଉଦ୍ୟୋଗ ଧନ୍ଦା, ଘରୋଇ ଓ ସାମାଜିକ ଜୀବନରେ ବିଭିନ୍ନ ହିସାବ ନିକାଶ ନିଜେ କରିବାରେ ସକ୍ଷମ ହେବେ ।
୪- ଭାରତର ପ୍ରଗତି ବିଷୟରେ ନିଜେ ଆଗ୍ରହ ସୃଷ୍ଟି କରିବ , ଦେଶପ୍ରେମଭାବ ଜାଗ୍ରତ ହେବା ସହିତ ସତ୍ୟ, ନ୍ୟାୟ ଓ ଅହିଂସା ଉପରେ ବିଶ୍ୱାସ ଜନ୍ମାଇବା ଓ ସବୁ ଧର୍ମ ପ୍ରତି ଶ୍ରଦ୍ଧାଭାବ ପ୍ରକଟ କରିବ ।
୫- ସର୍ବସାଧାରଣଙ୍କ ପାଇଁ ସେବା ଓ ସୁବିଧା ଯେତେ ପ୍ରକାର ବ୍ୟବସ୍ଥା ରହିଛି ସେଗୁଡିକ ସହିତ ଶିକ୍ଷାର୍ଥୀ ପରିଚିତ ହେବ ।
୬- ନିଜ ଦେଶ ଓ ବିଦେଶର ଭୌଗଳିକ ସ୍ଥିତି ଓ ପରିସ୍ଥିତି ଜୀବଜଗତ ଉପରେ କି ପ୍ରଭାବ ପକାଏ ସେ ବିଷୟରେ ଜ୍ଞାନ ଆହରଣ କରିବା, ଗଛ, ଫସଲ, ଚତୁଃପାର୍ଶ୍ଵରେ ଥିବା ଜୀବଜନ୍ତୁଙ୍କୁ ଚିହ୍ନିବା, ବିଭିନ୍ନ ଋତୁରେ ଫସଲ ବିଷୟରେ ଜ୍ଞାନ, ମନୁଷ୍ୟ ଶରୀର ଓ ଅଙ୍ଗ ପ୍ରତ୍ୟଜ୍ଞ ଜ୍ଞାନ ବିଷୟରେ ସଚେତନ ହେବା । ଦେହର ପରିଚ୍ଛନତା, ଘର, ଗାଁ, ଗାଡ଼ିଆ, ସଡ଼କ ଓ ନର୍ଦ୍ଦମା ସଫେଇ, ସଚ୍ଛ ପିଇବା ପାଣି ବ୍ୟବସ୍ଥା, ଶୁଦ୍ଧ ବାୟୁର ଗୁରୁତ୍ୱ, ରୋଗୀଙ୍କ ସେବା ଓ ସାଧାରଣ ଚିକିତ୍ସା ବିଷୟରେ ଜାଣିବା । ବ୍ୟାୟମର ଗୁରୁତ୍ୱ, ରାଷ୍ଟ୍ରଭାଷାରେ କାମଚଳା ଜ୍ଞାନ ଅର୍ଜନ କରିବା ମୌଳିକ ଶିକ୍ଷାର ତତ୍ତ୍ୱ କାରଣ ବଡ଼ ହେଲାପରେ ସେ ଅନ୍ୟପ୍ରଦେଶର ଲୋକଙ୍କ ସହ ଭାବ ବିନିମୟ କରିପାରିବ । ଯେଉଁ ପ୍ରଦେଶର ମାତୃଭାଷା ଅଣହିନ୍ଦୀ ହୋଇଥିବ, ସେଠାରେ ଷଷ୍ଠ ଶ୍ରେଣୀରୁ ହିନ୍ଦୁସ୍ଥାନୀ ଶିଖିବା ବାଧ୍ୟତାମୂଳକ ହେବ । ମୌଳିକ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ଶିକ୍ଷକ ମାନଙ୍କର ତାଲିମ ବ୍ୟବସ୍ଥା ଜରୁରୀ । ମୌଳିକ ଶିକ୍ଷାର ରୂପରେଖ ଏହିପରି, ଯାହାଦ୍ୱାରା ଗ୍ରାମ୍ୟ ଜୀବନର ଯେଉଁ ବାସ୍ତବ ସମସ୍ୟା ରହିଛି ତାହା ସହିତ ପାଠର ସିଧାସଳଖ ସମ୍ବନ୍ଧ ରହିବ ଓ ଗ୍ରାମ୍ୟ ଜୀବନର କିଛି ଉନ୍ନତି ଘଟାଇବା ଏହାର ଲକ୍ଷ୍ୟ ହେବ । ତୁଳାଭିଣା ଓ ତକଲିରେ ସୂତାକଟା ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ହେବ । ଶିକ୍ଷକ ମାନଙ୍କର ପାଠପଢାଇବାରେ ଓ ହସ୍ତଶିଳ୍ପରେ ନିପୁଣତା ଥିବା ଆବଶ୍ୟକ । ଏହାଫଳରେ ବୁଦ୍ଧିମାନ, ଶିକ୍ଷିତ, କୁଶଳ ଶିକ୍ଷକ ତିଆରି ହେବେ ଯାହାଙ୍କ ଆଦର୍ଶ ଛାତ୍ରମାନଙ୍କର ଧ୍ୟେୟ ହେବ । ପ୍ରତିଭା ଦେଖି ଗୋଟିଏ ଶ୍ରେଣୀରୁ ଆଉ ଗୋଟିଏ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ଶିକ୍ଷକଙ୍କ କାର୍ଯ୍ୟ । ମୌଳିକ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକଙ୍କ ଭୂମିକା ଯେତିକି, ବିଜ୍ଞ ନିରୀକ୍ଷକଙ୍କ ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କର ତାଲିମ ବ୍ୟବସ୍ଥା ଜରୁରୀ । (କ୍ରମଶଃ)