ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ମାର୍ଚ୍ଚ ୨୦୨୬
ପ୍ରଫେସର ଧୁନ୍ ଖୁଣ୍ଟିଆଙ୍କର ଆଜି ସକାଳେ ରାଜଧାନୀ ଆଇ.ଆର୍.ସି. ଭିଲେଜ, ଏନ୍-୩ ଅଞ୍ଚଳରେ ଅବସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ପୁତ୍ର ଯଶସ୍ୱୀ, ମନସ୍ୱୀ, ତେଜସ୍ୱୀ, ପୁତ୍ରବଧୂ, ନାତି ନାତୁଣୀ ପ୍ରଭୃତି ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।
ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସଙ୍କ ଧର୍ମପୁତ୍ର ପ୍ରଫେସର ଖୁଣ୍ଟିଆ ରାଜ୍ୟର କେତେକ ପ୍ରତିଷ୍ଠିତ ମହାବିଦ୍ୟାଳୟରେ ଅଧ୍ୟାପନା କରି ଉଭୟ ଛାତ୍ର ଓ ଅଧ୍ୟାପକ ମହଲରେ ବେଶ୍ ପ୍ରିୟଭାଜନ ହୋଇ ପାରିଥିଲେ। ଅନ୍ୟପକ୍ଷରେ ଜଣେ ସରଳ, ନିଷ୍କପଟ, ବନ୍ଧୁବତ୍ସଳ କବି ଭାବରେ ମଧ୍ୟ ତାଙ୍କର ଯଥେଷ୍ଟ ସୁଖ୍ୟାତି ଥିଲା।
ଆଧୁନିକ ଓଡ଼ିଆ କବିତା ରାଜ୍ୟରେ ଶାଣିତ ଲେଖନୀ ଚାଳନା କରିଥିବା ପ୍ରଫେସର ଖୁଣ୍ଟିଆ ଆକାଶବାଣୀର ମଧ୍ୟ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ। ପ୍ରକୃ୍ତି ଓ ପ୍ରଣୟ ଚେତନାରେ ସ୍ନିଗ୍ଧ ତାଙ୍କ କବିତାଗୁଡ଼ିକ ଆକୁଳ ଅରଣ୍ୟ, ବିନ୍ଦୁ ବିସର୍ଗ, ପୀଡ଼ିତ ପ୍ରଜାପତି, ପ୍ରୀତିର ଋତୁ ଇତ୍ୟାଦି ପୁସ୍ତକ ଆକାରରେ ପ୍ରକାଶ ପାଇ ବେଶ୍ ପାଠକୀୟ ଆଦୃତି ଲାଭକରିଛି।
ଉଚ୍ଚକୋଟୀର ଅଧ୍ୟାପନା ପାଇଁ ୨୦୧୯ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ଦ୍ୱାରା ସମ୍ବର୍ଦ୍ଧିତ ଧୁନ୍ ଖୁଣ୍ଟିଆ ତାଙ୍କର ଅମ୍ଳାନ ସାହିତ୍ୟ କୃତି ପାଇଁ ଅନେକ ସମ୍ଭ୍ରାନ୍ତ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।
ତିନି ବର୍ଷ ତଳେ ପତ୍ନୀ ସୁଖଲତାଙ୍କ ବିୟୋଗ ଘଟିଥିବା ଧୁନ୍ ଖୁଣ୍ଟିଆଙ୍କର ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜୟପୁର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।


