• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପ୍ରଣମ୍ୟ ଜନନେତା ଗୋକୁଳାନନ୍ଦ ମହାନ୍ତି

ପ୍ରଣମ୍ୟ ଜନନେତା ଗୋକୁଳାନନ୍ଦ ମହାନ୍ତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୪

ସ୍ୱାଧୀନତା ସଂଗ୍ରାମର ଜଣେ ନିର୍ଭୀକ ସୈନିକ ହିସାବରେ ଖ୍ୟାତି ଅର୍ଜନ କରିଥିବା ଗୋକୁଳାନନ୍ଦ ମହାନ୍ତି ମଧ୍ୟ ଜଣେ ନିଷ୍ଠାପର ଗାନ୍ଧିବାଦୀ କର୍ମୀ ଥିଲେ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ମହାତ୍ମାଗାନ୍ଧୀଙ୍କ ଗଠନ ମୂଳକ କାର୍ଯ୍ୟରେ ନିଜକୁ ବ୍ୟାପୃତ ରଖିଥିଲେ। ସାରା ଜୀବନ ଦେଶ ସେବା କରିଥିବା ଗୋକୁଳାନନ୍ଦ ବାବୁ ବିଧାନସଭା ଏବଂ ଲୋକସଭାର ସଭ୍ୟ ଥିଲେ ମଧ୍ୟ ନିଜ ପାଇଁ କିଛି କରିନଥିଲେ। ଅତି ସରଳ ଓ ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଏହି ମହନୀୟ ବ୍ୟକ୍ତି ଜଣକ ଏପରିକି ରୋଗଗ୍ରସ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସାଧାରଣ କାର୍ଯ୍ୟ କିପରି କରିବାକୁ ହେବ ସେ ବିଷୟରେ ଉପଦେଶ ଦେଉଥଲେ। ଏହା ତାଙ୍କ ଦରଦୀ ହୃଦୟର ଜ୍ୱଳନ୍ତ ନିଦର୍ଶନ ବୋଲି କୁହାଯାଇପାରେ।

ଗୋକୁଳାନନ୍ଦ ବାବୁଙ୍କ ବିୟୋଗରେ ୧୯୭୪ ମସିହା ଡ଼ିସେମ୍ବର ୯ ତାରିଖରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ତହିଁରୁ ତାଙ୍କ ମହାନ ବ୍ୟକ୍ତିତ୍ୱର ଝଲକ ମିଳିଥାଏ।

ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନନ୍ଦିନୀ ଶତପଥୀ ଏହି ଶୋକ ପ୍ରସ୍ତାବ ଆଗତ କରି ଦର୍ଶାଇଥିଲେ, ସ୍ୱାଧୀନତା ସଂଗ୍ରାମରେ ବିଶେଷ ଅଂଶ ଗ୍ରହଣ କରିଥିବା ଗୋକୁଳାନନ୍ଦ ମହାନ୍ତି ଅସହଯୋଗ ଆନ୍ଦୋଳନ ଏବଂ ଭାରତଛାଡ଼ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବିଶିଷ୍ଟ ସମାଜସେବୀ ଗୋକୁଳି ବାବୁ ପରବର୍ତ୍ତୀ କାଳରେ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ବିଧାନସଭା ଓ ପାର୍ଲାମେଣ୍ଟରେ ଜଣେ ନିର୍ଭୀକ ସଦସ୍ୟ ହିସାବରେ ତାଙ୍କର ଖ୍ୟାତି ରହିଥିଲା।

ତତ୍କାଳୀନ ବିରୋଧୀଦଳ ନେତା ବିଜୁ ପଟ୍ଟନାୟକ ଉଲ୍ଲେଖ କରିଥିଲେ, ଗୋକୁଳାନନ୍ଦ ମହାନ୍ତିଙ୍କୁ ଆମେ ଗୋକୁଳି ଭାଈ ବୋଲି ସମ୍ବୋଧନ କରୁଥିଲୁ। ସାରା ଜୀବନ ଦେଶ ସେବା କରିଥିବା ଗୋକୁଳି ଭାଈ ନିଜ ପାଇଁ କିଛି କରିନଥିଲେ। ତାଙ୍କ ମୃତ୍ୟୁରେ ରାଜ୍ୟ ଜଣେ ଦକ୍ଷ ଦେଶ ସେବକଙ୍କୁ ହରାଇଛି ଓ ସମଗ୍ର ଓଡ଼ିଶା ଦୁଃଖ ପ୍ରକାଶ କରିଛି।

ନୀଳଗିରି ବିଧାୟକ ବନମାଳି ଦାସ କହିଥିଲେ, ସେ ଜଣେ କଟ୍ଟର ଗାନ୍ଧିବାଦୀ ଥିବାବେଳେ ମୁଁ କଟ୍ଟର କମ୍ୟୁନିଷ୍ଟ ଥିଲି। ଏକାଠି ବନ୍ଧାହୋଇ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ଯିବାବେଳେ ଆମ ଭିତରେ ବହୁତ ଯୁକ୍ତି ଓ ମତଭେଦ ହେଉଥିଲା। ଏହା ସତ୍ତ୍ୱେ ବ୍ୟକ୍ତିଗତ ବନ୍ଧୁତା ଏତେ ନିବିଡ଼ ଥିଲାଯେ, ସେହି ମତଭେଦ କିଛି ରହୁ ନଥିଲା। ସେ ଅତି ନିର୍ଭୀକ ଥିଲେ। ତାଙ୍କର ସେହି ବ୍ୟକ୍ତିତ୍ୱ ସ୍ୱାଧୀନତା ପରେ ଅକାମୀ ହୋଇଯିବା ମଧ୍ୟ ମୁଁ ଦେଖିଛି। ଗୋକୁଳି ବାବୁଙ୍କ ଭଳି ଲୋକଙ୍କୁ ହରାଇବା ଅତ୍ୟନ୍ତ ଦୁଃଖଦାୟକ।

ଆସିକା ବିଧାୟକ ହରିହର ଦାଶ ଜଣାଇଥିଲେ, ଗୋକୁଳାନନ୍ଦ ମହାନ୍ତିଙ୍କ ସହିତ ମୋର ବ୍ୟକ୍ତିଗତ ସଂପର୍କ ଥିଲା। ସ୍ୱାଧୀନତା ସଂଗ୍ରାମ ସମୟରେ ଆମେ ବ୍ରହ୍ମପୁର ଜେଲରେ ଏକାଠି ଥିଲୁ। ତାଙ୍କ ମୃତ୍ୟୁରେ ସୃଷ୍ଟ ଶୂନ୍ୟସ୍ଥାନ ପୂରଣ ହେବା ସହଜ ନୁହେଁ।

ବସ୍ତା ବିଧାୟକ ଚିନ୍ତାମଣି ଜେନା ଦର୍ଶାଇଥିଲେ, ନିର୍ଭୀକ ସ୍ୱାଧୀନତା ସେନାନୀ ଗୋକୁଳାନନ୍ଦ ବାବୁ ୧୯୬୨ ମସିହାରେ ଲୋକସଭା ପାଇଁ ଲଢ଼ୁଥିବା ବେଳେ ମୁଁ ତାଙ୍କର କର୍ମୀ ଭାବରେ ନିର୍ବାଚନ ପ୍ରଚାର କରୁଥିଲି। ବିଧାନସଭାର ସଭ୍ୟ ଏବଂ କଂଗ୍ରେସର ସଭାପତି ଭାବରେ ମଧ୍ୟ ମୁଁ ତାଙ୍କର ନିକଟ ସଂପର୍କରେ ଆସିଥିଲି। ତାଙ୍କର ଉପଦେଶ ସ୍ୱାଧୀନତା ସଂଗ୍ରାମ ଜୀବନରେ ଆମକୁ ପ୍ରେରଣା ଦେଇଥିଲା। ସେ ରୋଗଗ୍ରସ୍ତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ସାଧାରଣ କାର୍ଯ୍ୟ କିଭଳି ଭାବରେ କରିବାକୁ ହେବ, ସେ ବିଷୟରେ ମୋତେ ଉପଦେଶ ଦେଇଥିଲେ। ତାହା ସବୁଦିନ ପାଇଁ ମୋର ମନେ ରହିବ। ତାଙ୍କ ଦେହାନ୍ତରେ ଓଡ଼ିଶାର ଅପୂରଣୀୟ କ୍ଷତି ଘଟିଛି।

ବାଚସ୍ପତି ବ୍ରଜମୋହନ ମହାନ୍ତି ଦର୍ଶାଇଥିଲେ, ଗୋକୁଳାନନ୍ଦ ମହାନ୍ତିଙ୍କର ସ୍ୱାଧୀନତା ଆନ୍ଦୋଳନରେ ମହାନ ଅବଦାନ ଥିଲା। ତାଙ୍କର ଅମର ଆତ୍ମା ସଦ୍ ଗତି ଲାଭ କରୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ଦିବଂଗତ ନେତାଙ୍କ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ ନିମନ୍ତେ ସଭ୍ୟମାନେ ନିଜ ଆସନରେ ଛିଡ଼ା ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

୧୮୯୯ ଡ଼ିସେମ୍ବର ୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି ୧୯୫୨-୫୭ ପର୍ଯ୍ୟନ୍ତ ବନ୍ତ ଆସନରୁ ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ସେହିପରି ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ୧୯୬୨-୬୭ ପର୍ଯ୍ୟନ୍ତ ବାଲେଶ୍ୱର ନିର୍ବାଚନ-ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ ଡ଼ିସେମ୍ବର ୪ ତାରିଖରେ ତାଙ୍କର ଜୀବନଦୀପ ନିର୍ବାପିତ ହୋଇଥିଲା। ଏହି ପ୍ରଣମ୍ୟ ଜନନେତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରୁଛି।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.